ଭୁବନେଶ୍ୱର, ୧୧ ଅକ୍ଟୋବର ୨୦୨୫
ବିକାଶ ଲକ୍ଷ୍ୟସାଧନ ପାଇଁ ସମନ୍ୱିତ ପ୍ରୟାସ ଜାରି କରିବାକୁ ଉନ୍ନୟନ କମିଶନରଙ୍କ ଆହ୍ୱାନ
ଯୋଜନାର ସୁସମନ୍ୱୟ, ସମୟୋଚିତ ପ୍ରକଳ୍ପ କାର୍ଯ୍ୟାନୁଷ୍ଠାନ ଏବଂ ସୁଦୃଢ ତଦାରଖ ଉପରେ ଗୁରୁତ୍ୱ
ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ( ଏଡିପି ) ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ( ଏବିପି ) ର କାର୍ଯ୍ୟକାରିତା ସଂପର୍କରେ ଶୁକ୍ରବାର ଏକ ବିସ୍ତୃତ ସମୀକ୍ଷା କରିଥିଲେ । ଏହି ସଭାରେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀବୃନ୍ଦ, ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଜିଲ୍ଲାପାଇଁ ନିୟୋଜିତ ବରିଷ୍ଠ ଅଧିକାରୀ, ଚିହ୍ନଟ ହୋଇଥିବା ୧୬ ଜିଲ୍ଲା ଓ ୪୦ ବ୍ଲକରୁ ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।
ଏହି ବୈଠକରେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଟି. ଆଓ ସଂଯୋଜନା କରିଥିଲେ । ସମୀକ୍ଷାରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ପ୍ରମୁଖ ବିଷୟ ଏବଂ ସୂଚକାଙ୍କରେ ପ୍ରଗତି, ପ୍ରକଳ୍ପଗୁଡିକର ସ୍ଥିତି ଏବଂ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ ( ସିଏସଆର) ସମର୍ଥିତ ପଦକ୍ଷେପରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ ସଂପର୍କରେ ଗୁରୁତ୍ୱ ଦିଆଯାଇଥିଲା ।
ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଜିଲ୍ଲା ଓ ବ୍ଲକ୍ ଅଞ୍ଚଳରେ ସାମଗ୍ରିକ ଉନ୍ନତିମୂଳକ ଫଳାଫଳ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ବିଭାଗୀୟ ଯୋଜନାର ସୁସମନ୍ୱୟ, ସମୟୋଚିତ ପ୍ରକଳ୍ପ କାର୍ଯ୍ୟାନୁଷ୍ଠାନ ଏବଂ ସୁଦୃଢ ତଦାରଖ ଉପରେ ଗୁରୁତ୍ୱ ଦେଇଥିଲେ । ସେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟକାରିତାରେ ନୀତି ଆୟୋଗ, କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ, ରାଜ୍ୟ ନୋଡାଲ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ସମ୍ମିଳିତ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଏହାର କାର୍ଯ୍ୟାନ୍ୱୟନରେ ରହୁଥିବା ସମସ୍ୟାକୁ ସମାଧାନ କରିବାକୁ ସ୍ୱତପ୍ରବୃତ୍ତ ଭାବେ ପଦକ୍ଷେପ ନିଆଯିବା ସହ କାର୍ଯ୍ୟକ୍ରମ ଲକ୍ଷ୍ୟ ସାଧନ ପାଇଁ ସମନ୍ୱିତ ପ୍ରୟାସ ଏବଂ ଗତିଶୀଳତା ଜାରି ରଖିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
.jpeg)
Post a Comment