ପୂର୍ବତଟ ରେଳୱେର ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ରେଳ ଧାରଣା ନିକଟବର୍ତ୍ତୀ ଗାଁଗୁଡିକରେ ଗାଈ ଓ ଅନ୍ୟ ପଶୁ ରେଳ ମାର୍ଗରେ ଚଳପ୍ରଚଳ ଫଳରେ ଘଟୁଥିବା ଦୁର୍ଘଟଣା ଏଡାଇବା ପାଇଁ ସଚେତନତା ଅଭିଯାନ ଜୋରଦାର କରାଯାଇଛି । ଏହିପରି ଘଟଣା ରେଳ ଚଳାଚଳ ସମୟାନୁବର୍ତ୍ତିତା ରେ ବିଳମ୍ବ, ଯାତ୍ରୀଙ୍କ ଅସୁବିଧା ଏବଂ ରେଳ ନିରାପତ୍ତା କ୍ଷେତ୍ରରେ ବିପଦ ସୃଷ୍ଟି କରୁଛି ।

ଗତ ପାଞ୍ଚ ବର୍ଷରେ ମୋଟ 501ଟି ଗୃହପାଳିତ ପଶୁ ଦୁର୍ଘଟଣା ର ଘଟଣା ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳରେ ଘଟିଅଛି । ଏହି ଘଟଣାଗୁଡିକରେ ଶେଷ କିଛି ବର୍ଷରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ଦେଖାଯାଇଛି –

2025 (ସେପ୍ଟେମ୍ବର ପର୍ଯ୍ୟନ୍ତ) – 252 ଘଟଣା ଘଟିଥିବା ବେଳେ ଗତ 2024 ରେ 82 ଘଟଣା, 2023 ରେ 67 ଘଟଣା, 2022 ରେ 72 ଘଟଣା ଏବଂ 2021 ରେ 28 ଘଟଣା ପରିଲକ୍ଷିତ କରାଯାଇଅଛି l


ପ୍ରତ୍ୟକ୍ଷ ଭାବେ ଏବଂ ଗଣମାଧ୍ୟମ ଜରିଆରେ ସଚେତନତା ଅଭିଯାନ, ଗାଁ ସଭା ଓ ଘୋଷଣା ମାଧ୍ୟମରେ ରେଳମଣ୍ଡଳ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଇଥିଲେ ସୁଦ୍ଧା କେତେକ ସ୍ଥାନରେ ଗ୍ରାମବାସୀ ମାନେ ସମ୍ବେଦନ ପ୍ରତି ଭ୍ରୁକ୍ଷେପ ନକରି ରେଳ ଧାରଣା ନିକଟରେ ପଶୁ ଚରାଇବା ଜାରି ରଖୁଛନ୍ତି । ଏହା ଫଳରେ ରେଳ ଚଳାଚଳ ବିଳମ୍ବ ହେବା ସହ ଲୋକୋମୋଟିଭର କ୍ଷତିଗ୍ରସ୍ତ ହେଉଛି ଓ ଯାତ୍ରୀଙ୍କ ଅସୁବିଧା ସୃଷ୍ଟି ହେଉଛି ।

ଏହି ସମସ୍ୟା ଏଡାଇବା ପାଇଁ ରେଳମଣ୍ଡଳ ପକ୍ଷରୁ ରେଳ ଧାରଣା ସମୀପ ସଂବେଦନଶୀଳ ସ୍ଥାନଗୁଡିକରେ ବାଡ଼ଦେବା (fencing) କାମ, ସ୍ଥାନୀୟ ପଞ୍ଚାୟତ ଓ ଗ୍ରାମ ସମିତି ସହ ମିଶି ସଚେତନତା ଶିବିର ଆୟୋଜନ କରାଯାଉଅଛି।

ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପୁଣି ଥରେ ଗ୍ରାମବାସୀ ଓ ସ୍ଥାନୀୟ ନିବାସୀଙ୍କୁ ଅନୁରୋଧ କରୁଛି ଯେ, ରେଳ ଧାରଣା ନିକଟରେ ଗୃହପାଳିତ ପଶୁ ଚରାଇବେ ନାହିଁ ଓ ଗାଈଗୋରୁ, ଛେଳି ମେଣ୍ଢା, ମଇଁଷି ଇତ୍ୟାଦିକୁ  ଖୋଲା ଛାଡ଼ନ୍ତୁ ନାହିଁ । ଏହା ରେଳ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ । ଜନସାଧାରଣଙ୍କ ସହଯୋଗ ବିନା ସୁରକ୍ଷିତ ଓ ସମୟୋଚିତ ରେଳ ଚଳାଚଳ ସମ୍ଭବ ନୁହେଁ ।

ଯାତ୍ରୀ ଓ ପଶୁ ଉଭୟଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ। ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ସମସ୍ତଙ୍କୁ ପୁନର୍ବାର ଅନୁରୋଧ କରୁଛି ଯେ, ରେଳ ପଥ ଅଞ୍ଚଳକୁ ସୁରକ୍ଷିତ ଓ ବାଧାମୁକ୍ତ ରଖନ୍ତୁ ।