loading...

ପ୍ରଫେସର ସ୍ୱର୍ଗତ ମାନସ ରଞ୍ଜନ ଦାସଙ୍କ ସ୍ୱାରକୀ ବକ୍ତୃତାମାଳା

ଭୁବନେଶ୍ୱର, ୨୯ ଅକ୍ଟୋବର ୨୦୨୫




  • ଅସୁସ୍ଥତା ବଢାଉଛି ଜଳବାୟୁ ପରିବର୍ତନ: ବିଶେଷଜ୍ଞ

ଜଳବାୟୁ ପରିବର୍ତନ ଅସୁସ୍ଥତା ବଢାଉଛି। ଏଥିପାଇଁ ପ୍ରତ୍ୟେକ ସ୍ତରରେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ବୋଲି କାନାଡା ସ୍ଥିତ ନର୍ଦନ୍ ଅନ୍ତାରିଓ ସ୍କୁଲ ଅଫ୍ ମେଡିସିନ୍ (ଏନ୍‌ଏସ୍‌ଓଏମ୍‌) ୟୁନିର୍ଭସିଟିର ଗ୍ୟାଷ୍ଟ୍ରୋଏନ୍‌ଟେରୋଲଜିଷ୍ଟ ଆଣ୍ଡ ହେପାଟୋଲଜିଷ୍ଟ ପ୍ରଫେସର (ଡାକ୍ତର) ଦେବୀ ପ୍ରସାଦ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ସାଇନ୍ସ ଫର୍ କମନ୍ ପିପୁଲ ସୋସାଇଟି (ସ୍କୋପସ), ଭୁବନେଶ୍ୱର ଚାପ୍ଟରର ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟି (ଆଇଏମଏସ୍‌) ଏସ୍‌ଏନ୍‌ଏମ୍ ଗ୍ରୁପ୍ ଓ ସୋଆର ମିଳିତ ଉଦ୍ୟମରେ ଡିପାର୍ଟମେଂଟ ଅଫ୍ ସିଭିଲ୍ ଇନଞ୍ଜିନିୟରିଂର ‘କ୍ଳାଇମେଟ୍‌, ଏନ୍‌ଭାରମେଂଟ ଆଣ୍ଡ ସଷ୍ଟେନେବଲ୍ ସୋସାଇଟି’ ଉପରେ ଆୟୋଜିତ ପ୍ରଫେସର ମାନସ ରଞ୍ଜନ ଦାସଙ୍କ ସ୍ମାରକୀ ବକ୍ତୃତାମାଳାରେ ସେ ବକ୍ତା ଭାବେ ଯୋଗ ଦେଇ ଜଳବାୟୁ ପରିବର୍ତନ ଦ୍ୱାରା ମଣିଷ କିପରି ପ୍ରଭାବିତ ହେଉଛି ଏବଂ ବିଭିନ୍ନ ପ୍ରକାରର ସମସ୍ୟା ସହିତ ରୋଗରେ ପୀଡ଼ିତ ହେଉଛି ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ପ୍ରଫେସର ତ୍ରିପାଠୀ ବିଭିନ୍ନ ସଂକ୍ରାମକ, ଅଣସଂକ୍ରାମକ ରୋଗ ସଂପର୍କରେ ତଥ୍ୟ ଉପସ୍ଥାପନା କରି କହିଥିଲେ ଯେ, ବାୟୁରେ ଉତାପ ବଢିଲେ ଭେକ୍ଟର ବର୍ଣ୍ଣ ଜନିତ ରୋଗ ବଢିଥାଏ। ଉତାପ ବୃଦ୍ଧି ଓ ଦୂଷିତ ଜଳବାୟୁ ଯୋଗୁଁ ହୃଦଘାତ ମଧ୍ୟ ହୋଇଥାଏ। ସେହିପରି ଉତାପ ବୃଦ୍ଧି ଯୋଗୁ ମଧୁମେହ ରୋଗୀଙ୍କ ପାଇଁ ସମସ୍ୟା ଦେଖାଦେଉଛି। ଏଭଳି ଜଳବାୟୂ ପରିବର୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପଦକ୍ଷେପ ନେଇଥିବାରୁ ସେ ସୋଆକୁ ଧନ୍ୟବାଦ ଜଣାଇଥିଲେ।

ଗର୍ଭବତୀଙ୍କ ସମସ୍ୟା ଉପରେ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ, ମହିଳାଙ୍କ ଠାରେ ବିଶେଷ କରି ତିନୋଟି ମୁଖ୍ୟ ସମସ୍ୟା ଦେଖାଦେଉଛି। ୩୭ ସପ୍ତାହ ପୂର୍ବରୁ ଶିଶୁ ଜନ୍ମ ହେଉଛନ୍ତି। ନବଜାତର ଓଜନ ଅଢେଇ କିଲୋରୁ କମ୍ ରହୁଛି। ୨୦ ସପ୍ତାହ ପୂର୍ବର୍ରୁ ମହିଳାଙ୍କ ଗର୍ଭ ନଷ୍ଟ ହେଉଛି ବୋଲି ପ୍ରଫେସର ତ୍ରିପାଠୀ କହିଥିଲେ। 

ସେହିପରି ସ୍କୋପସ୍‌୍ ସଭାପତି ପ୍ରଫେସର ଉମା ଚରଣ ମହାନ୍ତି କହିଥିଲେ ଏହି ଶତାବ୍ଦୀ ଶେଷ ବେଳକୁ ବାୟୁ ମଣ୍ଡଳରେ ଉତାପ ୬ ଡିଗ୍ରୀ ବଢିବ। ଗବେଷକମାନେ ଜଳବାୟୁ ପରିବର୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଉପରେ ସମାଜର ହିତ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ଦରକାର। ଜଳବାୟୁ ସୁରକ୍ଷାର ସଚେତନତା ବାର୍ତା ତୃଣମୂଳସ୍ତରରେ ପହଂଚିବା ଆବଶ୍ୟକ। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ଏ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବାକୁ ପଡିବ ବୋଲି ସେ କହିଥିଲେ।

ଗ୍ରୀନ୍ ହାଉସ୍ ଓ ଶିଳ୍ପ ପାଇଁ ଉତାପ ବଢୁଥିବା ବେଳେ ଅନିୟମିତ ବୃଷ୍ଟି ହେଉଛି। ଏହା ଆମ ଖାଦ୍ୟ ଉତ୍ପାଦନ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ବର୍ତମାନ ସୌର ଶକ୍ତି ଓ ଜଳ ଶକ୍ତି ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ। କିନ୍ତୁ ଗ୍ରାମାଂଚଳରେ ଏହି ଶକ୍ତିର ବ୍ୟବହାର ଉପରେ ଲୋକମାନଙ୍କର ଜ୍ଞାନ କମ ରହିଛି। ଦେଶରେ ବର୍ଷକୁ ୩ ହଜାର ଲୋକ ଏଥିରେ ମୃତ୍ୟୁବରଣ କରୁଥିବା ବେଳେ ଓଡିଶାରେ ୩୦୦ ଲୋକଙ୍କ ମୃତ୍ୟୁ ଘଟୁଛି। ସେହିପରି ଓଡିଶାରେ ୧୯୯୯ ମହାବାତ୍ୟାରେ ବହୁଲୋକ ମୃତ୍ୟୁବରଣ କରିଥିଲେ ବୋଲି ସେ କହିଥିଲେ।

ଓଡିଶା ପୁଲିସ ଆଡିସ୍‌ନାଲ ଡିଜି ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇ କହିଥିଲେ, ସ୍ୱର୍ଗତ ମାନସ ରଂଜନ ଦାସଙ୍କ ବ୍ୟକ୍ତିତ୍ୱ ଓ ପ୍ରତିଭା ସମସ୍ତେ ମନେ ରଖିଥିବେ। ପରିବେଶ ସୁରକ୍ଷା ଦିଗରେ ସମସ୍ତେ ଧ୍ୟାନ ଦେବାକୁ ସେ ଆହ୍ୱାନ ଦେଇଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚିଫ୍ ଏନ୍‌ଭାଇରନ୍‌ମେଂଟାଲ ଇଂ (ଏସ୍‌ପିସିବି) ଡ. ନିହାର ରଂଜନ ସାହୁ ଯୋଗ ଦେଇ ଜଳବାୟୁ ପରିବର୍ତନ ଓ ବିଭିନ୍ନ ଜିଲ୍ଲାରେ ପ୍ରଦୂଷଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ। 

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍କୋପସର ସଚିବ ଶ୍ରୀ ନିହାର ରଞ୍ଜନ ଦାସ, ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ ରଞ୍ଜନ ମଲ୍ଲିକ, ପ୍ରଫେସର ସତ୍ୟ ରଞ୍ଜନ ଦାସ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଓ ଆଇଟିଇଆରର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଡେପୁଟି କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ଡକ୍ଟର ସତ୍ୟ ରଞ୍ଜନ ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଡକ୍ଟର ଅଜୟ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗର ଫ୍ୟାକଲ୍ଟି, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget