loading...

ବର୍ଷିୟାନ ସାମ୍ବାଦିକ ଦୁଲାଲ ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର, ୧୩ ଡିସେମ୍ବର ୨୦୨୫



ରାଜ୍ୟର ଏକାଧିକ ଓଡ଼ିଆ ସମ୍ବାଦପତ୍ରର ସମ୍ପାଦକ ଭାବେ କାର୍ଯ୍ୟ କରିଥିବା ବର୍ଷିୟାନ ସାମ୍ବାଦିକ ଦୁଲାଲ ମିଶ୍ର କ୍ୟାପିଟାଲ ହସ୍ପିଟାଲରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଗତ ବର୍ଷକ ତଳେ ସ୍ୱର୍ଗତ ମିଶ୍ରଙ୍କ ପତ୍ନୀ ଶୁଭ୍ରା ମିଶ୍ରଙ୍କ ପରଲୋକ ଘଟିଥିଲା। ସ୍ୱର୍ଗତ ମିଶ୍ର ଭୁବନେଶ୍ୱରରୁ କେନ୍ଦ୍ରାପଡ଼ାସ୍ଥିତ ନିଜ ବାସଭବନ ଇଚ୍ଛାପୁରରେ ଅବସ୍ଥାନ କରୁଥିଲେ। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ପୂର୍ବରୁ ହାଇଟେକ୍ ହସ୍ପିଟାଲରେ ସେ ଦୀର୍ଘ ଦେଢମାସ ଧରି ଚିକିତ୍ସିତ ହେବା ପରେ ଗତ ତିନିଦିନ ତଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ରହି ଚିକିତ୍ସିତ ହେଉଥିଲେ। ଅନ୍ତିମ ସମୟରେ ତାଙ୍କର ଦୁଇପୁତ୍ର ଦେବାଶିଷ ଓ ଶୁଭାଶିଷ ଏବଂ ପୁତ୍ରବଧୂ ଉପସ୍ଥିତ ଥିଲେ। ସ୍ୱର୍ଗତ ମିଶ୍ରଙ୍କ ନିଜ ବାସସ୍ଥାନ କେନ୍ଦ୍ରାପଡ଼ାସ୍ଥିତ ଇଚ୍ଛାପୁର ହୋଇଥିବା ବେଳେ ସେ ଦୀର୍ଘଦିନ ଧରି କଟକ ଓ ଭୁବନେଶ୍ୱରରେ ଅବସ୍ଥାନ କରି ବିଭିନ୍ନ ଓଡ଼ିଆ ସମ୍ବାଦପତ୍ର ସହ ଜଡ଼ିତ ଥିଲେ। ଦୈନିକ ସମ୍ବାଦପତ୍ର ‘ମାତୃଭୂମି’ର କଟକ ପ୍ରତିନିଧି ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିବା ବେଳେ ୧୯୭୧ ମସିହା ଭାରତ-ବାଲାଂଦେଶ ଯୁଦ୍ଧର ପ୍ରତ୍ୟକ୍ଷ ବିବରଣୀର ଖବର ରଣଭୂମିରୁ ସମ୍ବାଦପତ୍ରକୁ ଦେଉଥିଲେ। ପରବତ୍ତୀ ସମୟରେ ଭୁବନେଶ୍ୱରରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର ‘ଦିନଲିପି’ ଏବଂ ବାଲେଶ୍ୱରରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର ‘ଆଜିକାଲି’ର ସମ୍ପାଦକ ଓ ମୁଖ୍ୟ ସମ୍ପାଦକ ଭାବେ ଦୀର୍ଘଦିନ ଧରି ଦାୟିତ୍ୱ ସମ୍ପାଦନ କରିଥିଲେ। ସେ ଜଣେ ସଚ୍ଚୋଟ, ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ବରିଷ୍ଠ ସାମ୍ବାଦିକ ସାରଦା ପ୍ରସନ୍ନ ନନ୍ଦ, ପ୍ରଦୋଷ ପଟ୍ଟନାୟକ, ଦେବେନ୍ଦ୍ର ସୁଆର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଅରବିନ୍ଦ ମିଶ୍ର ସନତ ମିଶ୍ର ଓ ବିବେକାନନ୍ଦ ଜେନା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ୱର୍ଗତ ମିଶ୍ରଙ୍କ ମରଶରୀରକୁ ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାଙ୍କର ଜ୍ୟେଷ୍ଠପୁତ୍ର ଦେବାଶିଷ ମିଶ୍ର ମୁଖାଗ୍ନି ଦେଇଥିଲେ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget