ନୁଆଦିଲ୍ଲୀ :୩୦/୦୩- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ସମାଜକଲ୍ୟାଣରେ ନିୟୋଜିତ ସାମାଜିକ ସଂଗଠନଗୁଡ଼ିକର ପ୍ରତିନିଧୁମାନଙ୍କ ସହ ମତ ବିନିମୟ କରିଛନ୍ତି । କୋଭିତ-୧୯ର ଆହ୍ବାନକୁ ମୁକାବିଲା କରିବା ପାଇଁ ସମଗ୍ର ଦେଶ ଅସାଧାରଣ ଧର୍ଯ୍ୟ ଓ ଏକତା ପ୍ରଦର୍ଶନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗରିବ ଓ ଅବହେଳିତ ଲୋକଙ୍କ ସେବା ପ୍ରକୃତ ଦେଶ ସେବା ବୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି ସାମାଜିକ ସଂଗଠନଗୁଡିକର ଏଭଳି ମାନବିକ ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂଗଠନଗୁଡିକର ୩ଟି ମୌଳିକ ବିଶେଷତ୍ଵ ରହିଛି । ସେଗୁଡିକ ହେଲା- ମାନବବୋଧ, ଅଧିକରୁ ଅଧିକ ଲୋକଙ୍କ ସହ ମିଶିବା ଏବଂ ସେବା ମନୋବୃତି । ଏହି ଗୁଣଗୁଡିକ ଯୋଗୁଁ ସେମାନେ ବିଶ୍ବାସର ପାତ୍ର । ସେ କହିଛନ୍ତି ଯେ, ଦେଶ ବର୍ତ୍ତମାନ ଏକ ଅଭୂତପୂର୍ବ ସ୍ଥିତିର ସାମ୍ନା କରୁଥିବା ବେଳେ ଏହି ସଂଗଠନଗୁଡ଼ିକର ସେବା ବା ଅବଦାନ ବିଶେଷ ଗୁରୁତ୍ବପୂର୍ଣ୍ଣ । ଏହି ସଂଗଠନଗୁଡିକ ଗରିବ ଲୋକଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ତଥା ଏହାର ସେଚ୍ଛାସେବୀମାନେ ରୋଗୀ ତଥା ଅନ୍ୟାନ୍ୟ ଗରିବ ଶ୍ରେଣୀର ବ୍ୟକ୍ତିମାନଙ୍କ ସୁବିଧା ଓ ଅସୁବିଧାର ଖବର ବୁଝିବାକୁ ପ୍ରସ୍ତାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଭୟ ଦୀର୍ଘସ୍ଥାୟୀ ଓ ସ୍ବଳ୍ପମିଆଦୀ ପଦକ୍ଷେପ ନେବା ଉପରେ ଆଲୋକପାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂଗଠନ ସହିତ ସଂଶ୍ଳିଷ୍ଟ ବ୍ୟକ୍ତିମାନେ ଲୋକଙ୍କ ମନରୁ ଅନ୍ଧବିଶ୍ବାସ ଦୂର କରିବା ସହ ସେମାନଙ୍କୁ ଗୁଜବଠାରୁ ଦୂରେଇ ରଖୁବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ବିଭିନ୍ନ ଭାବନାର ବସବର୍ତି ହୋଇ ଲୋକମାନେ ସାମାଜିକ ଦୂରତ୍ବକୁ ନ ମାନି ସ୍ଥାନେ ସ୍ଥାନେ ଠୁଳ ହେଉଥିବାରୁ ଏହା କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି । ଏକ ଜଟିଳ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ଏହି ସଂଗଠନର ପ୍ରତିନିଧିମାନେ ପ୍ରଶଂସା କରିଛନ୍ତି । ସରକାରଙ୍କ ଦ୍ବାରା ନିଆଯାଇଥିବା ଆଗୁଆ ପଦକ୍ଷେପ ଯୋଗୁଁ ସଂକ୍ରମଣ ରୋକିବା ଦିଗରେ ଏହା ସହାୟକ ହୋଇଛି ବୋଲି ସେମାନେ ମତ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିକୁ ସହାୟତା ପ୍ରଦାନ କରିବା ସହ ଏଭଳି ପରିସ୍ଥିତିରେ ସେମାନେ ଦେଶ ସେବାରେ ନିଜକୁ ସାମିଲ କରିବେ ବୋଲି କହିଛନ୍ତି ।
ଡିଜିଟାଲ ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀର ବିତରଣ, ଖାଦ୍ୟ ପୁଡିଆ, ସାନିଟାଇଜର, ଔଷଧପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବାରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଲୋକମାନଙ୍କ ଚିକିତ୍ସାଗତ ଆବଶ୍ୟକତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଗରିବମାନଙ୍କୁ ଯୋଗାଇବା ଦିଗରେ ସଂଗଠନଗୁଡିକର ସେଚ୍ଛା ସେବୀମାନଙ୍କ ଗୁରୁଦାୟୀତ୍ବ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗୁଜବଠାରୁ ଦୂରେଇ ରହି କିପରି ବୈଜ୍ଞାନିକ ପରାମର୍ଶ ଦ୍ଵାରା ଜନସାଧାରଣ ପରିଚାଳିତ ହେବେ ସେ ଦିଗରେ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମତ ବିନିମୟରେ ଅଂଶଗ୍ରହଣ କରିଥିଲେ ।
Post a Comment