ଭୁବନେଶ୍ୱର : ସମଗ୍ର ବିଶ୍ଵ ଆଜି କରୋନା ସଂକ୍ରମଣରେ ଅସ୍ତବ୍ୟସ୍ତ ହୋଇଉଠୁଥିଲା ବେଳେ ଆମ ରାଜ୍ୟ ଓଡ଼ିଶା ସମ୍ଭବତଃ ଏକ ଭଲ ସ୍ଥିତିରେ ରହିଛି । ଏହି କରୋନା ଯୁଦ୍ଧରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପଦସ୍ଥ ସରକାରୀ କର୍ମଚାରୀ, ଜନପ୍ରତିନିଧ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଦିଦି, ଅଙ୍ଗନୱାଡି ଦିଦି, ପୋଲିସ୍, ଦମକଳ ବାହିନୀ ଏବଂ ତୃଣମୂଳ ସ୍ତରର ରାଜନୈତିକ କର୍ମୀ ଭାବରେ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ଓ ୱାର୍ଡ ସଭ୍ୟମାନେ ଗୁରୁତ୍ବର ଦାୟିତ୍ବ ବହନ କରି ଏହି ମହାମାରୀର ମୁକାବିଲା କରୁଛନ୍ତି । ସେମାନଙ୍କର ନିଷ୍ଠା, ସଂଗ୍ରାମ ଓ କାର୍ଯ୍ୟ ପ୍ରଣାଳୀକୁ ସମ୍ମାନ ଜଣାଇ ସେମାନଙ୍କୁ ଟିକିଏ ଉତ୍ସାହିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆହ୍ବାନ ଦେଇଛନ୍ତି ସେ ଆହ୍ବାନକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଗ୍ରହଣ କରିଛି ।
ଆଜି ସନ୍ଧ୍ୟା ଘ.୫.୩୦ ମିନିଟ୍ ସମୟରେ ଦଳୀୟ କର୍ମୀମାନେ ରାଜ୍ୟ କାର୍ଯ୍ୟାଳୟଠାରେ ଏକାଠି ହୋଇ ଏହି କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ‘ବନ୍ଦେ ଉତ୍କଳ ଜନନୀ...’ ସମୂହ ଭାବରେ ଗାନ କରିଥିଲେ । ଶୈଳଶ୍ରୀ ବିହାର, ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଷଷ୍ଠ ଶ୍ରେଣୀର ଛାତ୍ରୀ ସୁକନ୍ୟା ପ୍ରିୟଦର୍ଶିନୀ ବେହେରା ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାଇଲା ପରେ ଉପସ୍ଥିତ ସମସ୍ତ ଦଳୀୟ କର୍ମୀମାନେ ଏହାକୁ ସହଗାନ କରିଥିଲେ । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ସଂଯୋଜନା କରିଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର କୋଷାଧ୍ୟକ୍ଷ ସଂଜୟ ନାୟକ, ବିଜୟ ବେହେରା, ଦଳୀୟ ନେତା ଦୀପ୍ତି ପଣ୍ଡା, ଯୁବନେତା ଶିବ ପ୍ରସାଦ ବେହେରା ଓ ଯୁବନେତା ରାଜ୍ୟପ୍ରିୟ ଦାସ, ଦେବାଶିଷ ମହାପାତ୍ର, ଦେଶପ୍ରିୟ ଦାସ, ପ୍ରଦୋଷ ଜେନା, ସୌଭାଗ୍ୟ ରଂଜନ ଡାଳୁଆ, ସତ୍ୟବାନ ଜେନା ଓ ସୌମ୍ୟରଂଜନ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅବସରପ୍ରାପ୍ତ କ୍ରୀଡା ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମାଣିଆ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
Post a Comment