ଭୁବନେଶ୍ୱର : ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଭାରତୀୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୩୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ “କୋଭିଡ୍ – ୧୯ ଓ ଗଣମାଧ୍ୟମର ଭୂମିକା” ଶୀର୍ଷକ ଜାତୀୟ ୱେବ୍ ସମ୍ମିଳନୀ ( ୱେବ୍ ନାର)କୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବାଚସ୍ପତି ଡ. ପାତ୍ର ନିଜ ବକ୍ତବ୍ୟରେ କହିଲେ ଯେ, ସଂପ୍ରତି ବିଶ୍ୱରେ ସର୍ବତ୍ର ମହାମାରୀ କୋଭିତ୍ – ୧୯ ସଂକ୍ରମଣ ବିରୋଧରେ ଜନସଚେତନତା ସୃଷ୍ଟି ହେବା ସହିତ ଏହି ବିଷୟରେ ବହୁଳ ଭାବେ ଆଲୋଚନା କରାଯାଉଛି ।
ମୁଁ ନିଜ ରାଜ୍ୟ ସହିତ ଦେଶର ବିଭିନ୍ନ ପ୍ରଦେଶ ଓ ବିଦେଶର ଜନସାଧାରଣଙ୍କ ସହିତ ଏହାର ଭୟାବହତା ସଂପର୍କରେ ଆଲୋଚନା କରିଛି । ବିଶ୍ୱର ଅନେକ ଦେଶ ଏହି ମହାମାରୀ ଦ୍ଵାରା କବଳିତ । ଏହାର ପ୍ରତିକାର ପାଇଁ କୌଣସି ଟୀକା କିମ୍ବା ଔଷଧ ବିକଶିତ ହୋଇନଥିବାବେଳେ ସାମାଜିକ ଦୂରତା, ମାସ୍କ ପରିଧାନ ଓ ହସ୍ତପ୍ରକ୍ଷାଳନ ଆଦି ଦ୍ଵାରା ଏହାକୁ ରୋକାଯାଇ ପାରିବ । ଓଡ଼ିଶା ସରକାର ଏହି ସଂକ୍ରମଣର ପ୍ରତିହତ ପାଇଁ ଉପଯୁକ୍ତ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣି ସେମାନଙ୍କର ଯଥୋଚିତ ଯତ୍ନ ନିଆଯାଉଛି । ଏହି ମହାମାରୀ ବିରୋଧରେ ଲଢ଼େଇବେଳେ କରୋନା ଯୋଦ୍ଧା ଓ ଗଣମାଧ୍ୟମ ପ୍ରତିନିଧୁମାନଙ୍କ ମୃତ୍ୟୁ ହେଲେ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ।
ରାଜ୍ୟରେ ଅନେକ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ୍ ସ୍ଥାପନ କରାଯାଇଛି । କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ସହିତ ରାଜ୍ୟର ସମସ୍ତ ଜନତାଙ୍କ ମଧ୍ୟରେ ଐକ୍ୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସନ୍ଧ୍ୟା ୫.୩୦ ସମୟରେ ଓଡ଼ିଶାର ଜାତୀୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଗାନ କରିବାକୁ ନିବେଦନ କରିଛନ୍ତି ବୋଲି ବାଚସ୍ପତି ଡ. ପାତ୍ର କହିଛନ୍ତି । ଏହି ବିଶ୍ବ ମହାମାରୀର ସଫଳ ମୁକାବିଲା ପାଇଁ ସମ୍ବାଦପତ୍ରମାନଙ୍କ ଗୁରୁଦାୟିତ୍ଵ ରହିଛି । ଗଣମାଧ୍ୟମ ଏ ଦିଗରେ ଜନସଚେତନତା ସୃଷ୍ଟି ସହିତ ଗଠନମୂଳକ ପ୍ରସ୍ତାବ ପରାମର୍ଶ ସରକାରଙ୍କୁ ଦେଲେ ସେମାନେ ପ୍ରକୃତ । ସାମାଜିକ ଦାୟିତ୍ବ ନିର୍ବାହ କରୁଛନ୍ତି ବୋଲି ମନେ କରାଯିବ ବୋଲି ସେ କହିଥିଲେ ।
ଏହି ୱେବ୍ର ରେ ଭାରତୀୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ମୁଖ୍ୟ ସଂଯୋଜକ ଡ.ପବିତ୍ର ମୋହନ ସାମନ୍ତରାୟ ସ୍ୱାଗତ ଭାଷଣ ଦେଇଥିଲେ । ମହାସଂଘର ପ୍ରତିଷ୍ଠାତା ସଭାପତି ଶ୍ରୀମତୀ ପୁଷ୍ପା ପାଣ୍ଡିୟା, ଆଇଏଟିୟୁସିର ଜାତୀୟ ଉପସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ ନିଜର ବକ୍ତବ୍ୟ ପ୍ରଦାନ କରିଥିବାବେଳେ ମୁଖ୍ୟ ଆବାହକ ଶ୍ରୀ ସୁନୀଲ ଡାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment