ଭୁବନେଶ୍ବର, କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଂଚାରନ ପାଇଁ ଲାଗୁ କରାଯାଇଥିବା ପରିବହନ ଶୁଳ୍କ ହ୍ରାସ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଦାବି ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲ୍ର ବିଦ୍ୟୁତ ସଂଚାରଣ (CTU)ନେଟୱାର୍କ ମାଧ୍ୟମରେ ଉକ୍ତ ବିଦ୍ୟୁତ ସଂଚାରିତ ହୋଇଥାଏ । ଗତ ଏକ ଦଶନ୍ଧି ମଧ୍ୟରେ ଆକଳନ କରାଯାଇଛି ଯେ ୨୦୧୧-୧୨ ଆର୍ଥିକ ବର୍ଷରେ ISTS ଶୁଳ୍ପ ୟୁନିଟ୍ ପିଛା ୨୪ ପଇସା ଥିବାବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ପ୍ରାୟ ୧ ଟଙ୍କା ହୋଇଛି ।
ଏ ନେଇ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ରାଜକୁମାର ସିଂହଙ୍କୁ ପତ୍ର ଲେଖା ପିଜିସିଆଇଏର ଏହି ବିଦ୍ୟୁତ ସଂଚାରଣ ଶୁଳ୍ପର ପୁନଃବିଚାର ନିମନ୍ତେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ବିଦ୍ୟୁତର ସଂଚାରଣ ପରିମାଣ ଏବଂ ସଂଚାରଣ ବ୍ୟବସ୍ଥାର ପ୍ରକୃତ ବ୍ୟବହାର ଉପରେ ଶୁଳ୍ପ ନିର୍ଦ୍ଧାରଣ କରାଯିବାର ଆଇନଗତ ବ୍ୟବସ୍ଥା ରହିଛି । ପିଜିସିଆଇଏର ବାର୍ଷିକ ରାଜସ୍ବ ଆବଶ୍ୟକତା ୨୦୧୯-୨୦ ଆର୍ଥିକ ବର୍ଷରେ ବୃଦ୍ଧି ପାଇ ୩୯୦୦୦ କୋଟି ଟଙ୍କାରେ ପହଞ୍ଚିଛି ଯାହା ୨୦୧୧-୧୨ ଆର୍ଥିକ ବର୍ଷରେ ୯୦୦୦ କୋଟି ରହିଥିଲା । ଯାହାର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୨୧% ଅଟେ । ଆନ୍ତଃରାଜ୍ୟ ବିଦ୍ୟୁତ ସଂଚାରଣ ଦେୟ ଓଡ଼ିଶା ପାଇଁ ୨୦୧୧-୧୨ରେ ୧୭୯ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ୭୩୪ କୋଟି ଟଙ୍କାରେ ପହଞ୍ଚିଛି ।
ଏହି ଆଶାତୀତ ଦର ବୃଦ୍ଧି ସମସ୍ୟାର ସମାଧାନର ଉପାୟ ଉପରେ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରି ଅବ୍ୟବହୃତ ଭିତ୍ତିଭୂମିର ଖର୍ଚ୍ଚକୁ ଉପଭୋକ୍ତାଙ୍କ ଉପରେ ଲଦି ନଦେବାକୁ ଏବଂ ଏହାକୁ ଶକ୍ତି ବ୍ୟବସ୍ଥା ବିକାଶ ପାଣ୍ଠି ଭଳି ସରକାରୀ ପାଣ୍ଠିରୁ ଭରଣା କରିବାକୁ ପରାମର୍ଶ ଦେଇଛନ୍ତି । ସେ ମଧ୍ୟ ବିଦ୍ୟୁତ ଆକ୍ଟ୨୦୦୩ର ଧାରା ୧୦୭ ପ୍ରକାରେ କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗକୁ ଏ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରି ବିଦ୍ୟୁତ ପରିବହନ ଦେୟକୁ ଜାତୀୟ ବିଦ୍ୟୁତ ନିୟମ ୨୦୦୩ ଓTariff Policy ଆଧାରରେ ସ୍ଥିର କରିବାକୁ ଅନୁରୋଧ କରିଛନ୍ତି । ଅନ୍ତଃରାଜ୍ୟ ସଂଚାରଣ ଶୁଳ୍କ କମ୍ କଲେ ବିଦ୍ୟୁତ ଦର ମଧ୍ୟ କମା ଯାଇପାରିବ ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଜଣାଇଛନ୍ତି ।
Post a Comment