loading...

ରାଜ୍ୟରେ କୋଭିଡ଼୍‌ ସଂକ୍ରମଣ ରୋକିବା ନିମନ୍ତେ ମଇ ମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌

ସାରା ଦେଶରେ ବୃଦ୍ଧିପାଉଥିବା କୋଭିଡ୍‌ ସଂକ୍ରମଣ ହାର ପରିପ୍ରେକ୍ଷିରେ ଓଡ଼ିଶାରେ ସଂକ୍ରମଣ ରୋକିବା ନିମନ୍ତେ ରାଜ୍ୟ ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ରାଜ୍ୟରେ କୋଭିଡ଼୍‌ ସଂକ୍ରମଣ ରୋକିବା ନିମନ୍ତେ ମଇ ମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍‌

ଭୁବନେଶ୍ୱର, ସାରା ଦେଶରେ ବୃଦ୍ଧିପାଉଥିବା କୋଭିଡ୍‌ ସଂକ୍ରମଣ ହାର ପରିପ୍ରେକ୍ଷିରେ ଓଡ଼ିଶାରେ ସଂକ୍ରମଣ ରୋକିବା ନିମନ୍ତେ ରାଜ୍ୟ ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ଘୋଷଣା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମଇ ମାସ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍‌ଡ଼ାଉନ୍ ଜାରି କରାଯାଇଛି । ଏହି ସମୟରେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷାକରିବା ନିମନ୍ତେ ମନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିଷୟରେ ସୂଚନାଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ:- 

୧) ଚଳିତ ମଇ ମାସ ୫ ତାରଖ ବୁଧବାର ସକାଳ ୬ଟା ଠାରୁ ୧୯ ତାରିଖ ବୁଧବାର ସକାଳ ୫ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍‌ଡ଼ାଉନ୍‌ ଜାରି ରହିବ । ଲକ୍‌ଡ଼ାଉନ୍‌ର ମୁଖ୍ୟ ଉଦ୍ଦେଶ୍ୟ ଯାତାୟତ ଓ ଜନଗହଳି କମାଇ ସଂକ୍ରମଣ ରୋକିବା । କୌଣସି ପ୍ରକାର ମାଲ୍‌ ପରିବହନ, କୃଷି , ଆନୁସଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରୀସେବା ଯୋଗାଣକୁ ଏହି ଲକ୍‌ଡ଼ାଉନ୍‌ ପ୍ରଭାବିତ କରିବ ନାହିଁ । ୨) ଏହି ସମୟ ମଧ୍ୟରେ ସପ୍ତାହନ୍ତ ଶନିବାର ଓ ରବିବାର ଦିନ ସଂପୂର୍ଣ୍ଣ ସଟ୍‌ଡ଼ାଉନ୍‌ ରହିବ । ୩) ଲକ୍‌ଡ଼ାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବା ବଜାୟ ରହିବ । ୪) ଲକ୍‌ଡ଼ାଉନ୍‌ ସମୟରେ ବସ୍‌ ଚଳାଚଳ ବନ୍ଦ ରହିବ। ୫) କାର୍ଯ୍ୟଚାଲୁ ରଖିବାପାଇଁ ସରକାର ଅନୁମତି ଦେଇନଥିବା ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ୍‌କେନ୍ଦ୍ର, କୋଚିଂ ସେଣ୍ଟର ଆଦି ବନ୍ଦ ରହିବ । ୬) ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଅନୁଷ୍ଠାନ ମାନଙ୍କ ଦ୍ୱାରା ହେବାକୁଥିବା ପରୀକ୍ଷା ସଂପୃକ୍ତ ବିଭାଗଙ୍କର ଅନୁମତିକ୍ରମେ କରାଯିବ ।

୭) ସମସ୍ତ ପ୍ରକାର ପ୍ରଦର୍ଶନୀ, ମେଳା, ସମ୍ମିଳନୀ, ସିନେମାହଲ୍‌, ମାର୍କେଟ୍‌ କମ୍ପ୍ଲେକ୍ସ,ମଲ,ଜିମ୍‌, ଥିଏଟର୍‌ ,ବାର୍‌, ଯାତ୍ରା, ଅପେରା, ମୁକ୍ତାକାଶ ରଂଗମଞ୍ଚ ଆଦି ସର୍ବସାଧାରଣ ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ । ୮) ସେଲୁନ୍‌, ସ୍ପା, ବିଯୁଟି ପାର୍ଲର ଆଦି ବନ୍ଦ ରହିବ । ୯) ଧର୍ମସ୍ଥଳୀ ଓ ଧର୍ମାନୁଷ୍ଠାନମାନଙ୍କରେ ଦେବନିତୀ ସ୍ୱଳ୍ପ ସଂଖ୍ୟକ ପୁଜାରୀ ଓ ସେବାୟତଙ୍କୁ ନେଇ କରାଯାଇ ପାରିବ । ଏସବୁ ସ୍ଥାନ ଜନସାଧାରଣଙ୍କ ପାଇଁ ବନ୍ଦ ରହିବ । ଧାର୍ମିକ ସମାବେଶକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ୧୦) ବିବାହରେ ସର୍ବାଧିକ ୫୦ ଏବଂ ଅନ୍ତେଃଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ବ୍ୟକ୍ତି ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ଅନୁମତିକ୍ରମେ ଭାଗନେଇ ପାରିବେ । 

କୋଭିଡ୍‌ ମହାମାରୀ ସମୟରେ ଜୀବନ ଓ ଜୀବିକାର ସମନ୍ୱୟ ରକ୍ଷାକରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ- ୧) ଲକ୍‌ଡ଼ାଉନ୍‌ ସମୟରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଗାଇଡ଼୍ ଲାଇନ୍‌ ଅନୁସାରେ ବ୍ୟାଙ୍କ୍‌, ଏ.ଟି.ଏମ୍‌ , ଇନ୍‌ସ୍ୟୁରାନ୍‌ସ୍‌, ଅଣ-ବ୍ୟାଙ୍କି ଆର୍ଥିକ ସଂସ୍ଥା, ଋଣ ସମବାୟ ସମିତି ଆଦି ସେମାନଙ୍କର କାର୍ଯ୍ୟ ଚାଲୁ ରଖିପାରିବେ । ୨) ସ୍ୱାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍‌ ଓ ଇନ୍ଟରନେଟ୍‌ ସେବା, ଡି.ଟି.ଏଚ୍‌. ସେବା, ଗ୍ୟାସ୍‌ ବିତରଣ ଓ ପେଟ୍ରୋଲ୍ ପମ୍ପ ଆଦି ଖୋଲା ରହିବ ।

୩) କୃଷି, ପଶୁପାଳନ, ମତ୍ସ୍ୟଚାଷ ଆଦି କାର୍ଯ୍ୟ ଚାଲୁ ରହିବ । କୃଷି ଓ ଆନୁସଙ୍ଗିକ କାର୍ଯ୍ୟନିମନ୍ତେ ଆବଶ୍ୟକ ବିହନ, ସାର, କୀଟନାଶକ ଦ୍ରବ୍ୟ ଦୋକାନ ଆଦି ଖୋଲା ରହିବ । ୪) ରାସ୍ତାକଡ଼ ଖାଦ୍ୟ ଦୋକାନ, ଗୋଟିକିଆ ପନିପରିବା, ଫଳ, ମାଛ ଓ ମାଂସ ଆଦି ଦୋକାନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଖୋଲିପାରିବେ, କିନ୍ତୁ ଗୋଟିଏ ଦୋକାନରୁ ଅନ୍ୟଦୋକାନର ଦୁରତା ଅତିକମ୍‌ରେ ୩୦ ଫୁଟ ରହିବ। ଗ୍ରାହକ ଓ ବିକ୍ରେତା କଡ଼ାକଡ଼ି ଭାବେ କୋଭିଡ୍‌ ନିୟମ ପାଳନ କରିବେ।

୫) ଦୈନନ୍ଦିନ ଓ ସାପ୍ତାହିକ ହାଟ ବନ୍ଦରହିବ । ଲୋକମାନେ ନିଜର ଆବଶ୍ୟକ ଖାଦ୍ୟ ପଦାର୍ଥ ପାଖ ଦୋକାନରୁ ପାଦରେ ଚାଲି ଚାଲି ଯାଇ ଆଣିବେ । ୬) ଅଙ୍ଗନାବାଡ଼ି ହିତାଧିକାରୀ ମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ । ୭) ବୃଦ୍ଧାଶ୍ରମ, ବଳାଶ୍ରମ, କନ୍ୟାଶ୍ରମ, ଭିନ୍ନକ୍ଷମ କେନ୍ଦ୍ର ଆଦି ସେମାନଙ୍କର କାର୍ଯ୍ୟକ୍ରମ ଚାଲୁ ରଖିପାରବେ । ୮) ବିଭିନ୍ନ ଅନ୍‌ଲାଇନ୍‌ ବିକ୍ରି ସଂସ୍ଥାମାନେ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ହୋମ୍‌ ଡେଲିଭରି କରିପାରିବେ । ୯) ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ୍‌ ଶକ୍ତି କାର୍ଯ୍ୟ ଚାଲୁ ରହିବ । କିନ୍ତୁ, ଏସବୁ ସଂସ୍ଥା, କର୍ମଚାରୀ ଓ ସଦସ୍ୟ କୋଭିଡ଼୍‌ ନିୟମ ଅନୁପାଳନ ନିଶ୍ଚିତ କରାଇବେ । ୧୦) କେନ୍ଦ୍ର ସରକାରଙ୍କ ଅଧିନ ସଂସ୍ଥା ଓ ଦପ୍ତର କାର୍ଯ୍ୟ କରିପାରିବେ । ୧୧) ରାଜ୍ୟ ସରକାରଙ୍କ ସମସ୍ତପ୍ରକାର ଜରୁରୀକାଳୀନ ସେବା ସଂପର୍କିତ କାର୍ଯ୍ୟାଳୟ ଓ କୋଭିଡ଼୍‌ ପରିଚାଳନା ସଂପର୍କିତ କାର୍ଯ୍ୟାଳୟ ଚାଲୁରହିବ ।

୧୨) ପିପିଲି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ନିମନ୍ତେ ତାଲିମ୍‌, ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀମାନଙ୍କ ଯାତାୟତ ଆଦି ଚାଲୁ ରହିବ । ନିର୍ବାଚନ ଦିନ ଭୋଟଦାତା ମାନେ ଭୋଟଗ୍ରହଣ କେନ୍ଦ୍ରକୁ ଯାଇପାରିବେ । ୧୩) ବିଭିନ୍ନ ଗ୍ରାମ ଓ ସହରାଞ୍ଚଳରେ ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟକରି ସ୍ଥାନୀୟ ପ୍ରଶାସନ କ୍ଷୁଦ୍ର କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରିପାରିବେ । ୧୪) ସପ୍ତାହନ୍ତ ସଟ୍‌ଡାଉନ୍‌ ସମୟରେ ସମସ୍ତ ଖାଦ୍ୟ, ପନିପରିବା, ତେଜରାତି ଓ ମାଛ ମାଂସ ଆଦି ଦୋକାନ ବନ୍ଦ ରହିବ । କେବଳ ଓୗଷଧ ଦୋକାନ ଖୋଲା ରହିବ । ୧୫) ସଂକ୍ରମଣ ପ୍ରତିରୋଧ କରିବା ପାଇଁ ନିଜ ନିଜ ଅଂଚଳରେ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସରପଂଚ, ସ୍ୱେଚ୍ଛା ସେବୀ ଅନୁଷ୍ଠାନ, ସହରମାନଙ୍କରେ ଥିବା ରେସିଡେନ୍‌ସିଆଲ୍ କମିଟି ମାନଙ୍କୁ ଅନୁରୋଧ କରିଥିଲେ ।

ରାଜ୍ୟସରକାରଙ୍କ ଏହି ସବୁ ନିଷ୍ପତ୍ତିର ଅନୁପାଳନ କରି ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାର ଓ ରାଜ୍ୟରେ ସଂକ୍ରମଣ ରୋକିବାରେ ସହାୟକ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ପୂର୍ଣ୍ଣଭାବେ ପାଳନ କରିବାପାଇଁ ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget