ଭୁବନେଶ୍ୱର, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର କୋରାପୁଟ ଜିଲ୍ଲା ପରିଦର୍ଶନ କରି ସେଠାରେ କୋଭିତ୍ ପରିଚାଳନା ସ୍ଥିତିର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ । ଜୟପୁରରେ ପହଞ୍ଚିବା ପରେ ପରେ ଶ୍ରୀ ମହାପାତ୍ର କୋରାପୁଟ ଜିଲ୍ଲାପାଳ ଶ୍ରୀ ଅଦଲ ଅଖତାର୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧୁକାରୀ ମାନଙ୍କ ସହ କୋଭିତ୍ ହସ୍ପିଟାଲ ପରିଦର୍ଶନ କରି ସେଠାରେ ଉପଲବ୍ଧ ହଟାଲ୍ ଶଯ୍ୟ, ଅମ୍ଳଜାନ, ଆଇ.ସି.ୟୁ, ଔଷଧପତ୍ର, ଡାକ୍ତର ଓ ଅନ୍ୟାନ୍ୟ ଚିକିତ୍ସା ସୁବିଧାର ନିରୀକ୍ଷଣ କରିଥିଲେ । ପରେ ପରେ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧୁକାରୀ ମାନଙ୍କ ସହ ଆଲୋଚନା କରି କୋଭିଡ୍ ସଂକ୍ରମଣ ଓ ଚିକିସାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ ।
କୋରାପୁଟ ମେଡିକାଲ୍ କଲେଜ୍ ଏବଂ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଗୋଟିଏ ଲେଖାଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ; କୋରାପୁଟ ମେଡିକାଲ୍ କଲେଜ୍ ରେ ୬୫୦ ଶଯ୍ୟା ବିଶିଷ୍ଟ ନୂଆ ୱାର୍ଡ ନିର୍ମାଣ, ଏବଂ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୱାର୍ଡ ନିର୍ମାଣ କାର୍ଯ୍ୟ ଅଗ୍ରଗତି ବିଷୟରେ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ । ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରି ୨ ରୁ ୩ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ ଉଭୟ ମେଡ଼ିକାଲ୍ କଲେଜ୍ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ନୂଆ ୱାର୍ଡ ନିର୍ମାଣ କାର୍ଯ୍ୟର ପର୍ଯ୍ୟାୟରୀ ସମୟ-ନିର୍ଘଣ୍ଟ ନିର୍ଦ୍ଧାରଣ କରିଥିଲେ । କୋଟିଆ ଗ୍ରାମପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ବିଷୟ ବୈଠକରେ ସ୍ଥାନ ପାଇଥିଲା । ସ୍ଥାନୀୟ ପ୍ରାକୃତିକ, କୃଷି ଓ ମାନବ ସମ୍ବଳ ଆଦିକୁ ଭିତ୍ତିକରି ନୂତନ ଜିବୀକା ନିର୍ବାହ ଓ ରୋଜଗାର ସୁବିଧା ସୃଷ୍ଟି ନିମନ୍ତେ ଅଭିନବ ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ସମୀକ୍ଷା ପରେ ପରେ ଗଣ ମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜାରି କରାଯାଇଥିବା ଲକ୍ଡାଉନ୍ ଯୋଗୁ କୋଭିଡ୍ ସଂକ୍ରମଣ ନିମ୍ନଗାମୀ ହୋଇଛି । ଚଳିତ ସପ୍ତାହର ଆରମ୍ଭରେ କୋରାପୁଟ ଜିଲ୍ଲାରେ ଦୈନିକ ସଂକ୍ରମଣ ପ୍ରାୟ ୨୫୦ ଥିଲାବେଳେ ସପ୍ତାହ ଶେଷ ବେଳକୁ ଏହା ୨୦୦ ତଳକୁ ଖସି ଆସିଛି । ଆଗାମୀ ଦିନରେ ସଂକ୍ରମଣ ହାର ଦୃତ ଗତିରେ କମିବ ବୋଲି ମୁଖ୍ୟ ଶାସନ ସଚିବ ଆଶା ପ୍ରକାଶ କରିଥିଲେ । ଜିଲ୍ଲାରେ କୋଭିଡ଼ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି । ଚିକିତ୍ସା ପାଇଁ ଆବଶ୍ୟକୀୟ ଭିତ୍ତିଭୂମୀ ଓ ସୁବିଧା ମଧ୍ୟ ସୃଷ୍ଟି କରାଯାଇଛି । ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ପୂର୍ଣ୍ଣମାତ୍ରାରେ କମାଇବା ପାଇଁ କୋଭିଡ଼ ନିୟମର ଅନୁପାଳନ ଯଥା ମାସ୍କ ପିନ୍ଧିବା, ପରସ୍ପର ଠାରୁ ଦୁରତା ରକ୍ଷା କରିବା, କୌଣସି ସ୍ଥାନରେ ଏକାଧୂକ ବ୍ୟକ୍ତି ଭିଡ଼ ନକରିବା, ଅତି ଆବଶ୍ୟକ ନଥିଲେ ବାହାରକୁ ନବାହାରିବା ଆଦିର କଡାକଡି ଅନୁପାଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ କୋରାପୁଟ ଜିଲ୍ଲା ବାସିଙ୍କୁ ଅନୁରୋଧ କରିଥିଲେ ।
Post a Comment