ଭୁବନେଶ୍ୱର, ପାନୀୟଜଳ ଏବଂ ଜଳସେଚନ ନିମନ୍ତେ ମେଗା ଲିଫ୍ଟ୍ ପ୍ରକଳ୍ପଗୁଡିକୁ ଅବିରତ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ୱ ଦେଇ ଏହା ନିଶ୍ଚିତ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ.ପି.ଟି.ସି.ଏଲ୍. ଏବଂ ବିଦ୍ୟୁତ ବିତରକ କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ୍ରେ ଉକ୍ତ ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଥିଲେ ଯେ ପିଇବା ପାଇଁ ପାନୀୟ ଜଳ ଏବଂ ଚାଷ ପାଇଁ କ୍ଷେତକୁ ଜଳ ଯୋଗାଣ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି । ତେଣୁ ଏ ସବୁ ପ୍ରକଳ୍ପକୁ ସଠିକ୍ଭାବେ ଗୁଣାତ୍ମକ ବିଦ୍ୟୁତ ଯେଗାଣରେ ଅବହେଳା ଗ୍ରହଣୀୟ ନୁହେଁ ।
ପାଣି ଉତ୍ତୋଳନ ପମ୍ପ୍ର ଦକ୍ଷତା ଅନୁସାରେ ଆବଶ୍ୟକୀୟ ଭୋଲ୍ଟେଜ୍ ବିଦ୍ୟୁତ ଯୋଗାଇବା ନିମନ୍ତେ ଦରକାର ହେଲେ ନୂଆ ସବ୍ଷ୍ଟେସନ୍ ସହ ବିଦ୍ୟୁତ ଯୋଗାଣ ଭିତ୍ତିଭୂମିର ବିକାଶ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିଜ ନିଜ ଅଂଚଳରେ ସ୍ଥାପିତ ଏ ସବୁ ପ୍ରକଳ୍ପରେ ଲାଗିଥିବା ପମ୍ପ୍ ପାଇଁ ଆବଶ୍ୟକୀୟ ଭୋଲ୍ଟେଜ୍ ଏବଂ ବର୍ତ୍ତମାନ ସ୍ଥିତିର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିବାକୁ ସମସ୍ତ ବିତରକ କଂପାନୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ବିଦ୍ୟୁତ ଫିଡର ରଖିବା ନିମନ୍ତେ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳ ଏବଂ ମେଗା ଲିଫ୍ଟ୍ ଜଳସେଚନ ପ୍ରକଳ୍ପ ପାଇଁ ଉଦ୍ଧିଷ୍ଟ ସ୍ୱତନ୍ତ୍ର ଫିଡର ଲାଇନ୍ରୁ ଅନ୍ୟ କୌଣସି ଉପଭୋକ୍ତାଙ୍କୁ ବିଦ୍ୟୁତ ନଦେବା ପାଇଁ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ।
ମେଗା ଲିଫ୍ଟ୍ ମାନଙ୍କରୁ ଖରିଫ୍ ଋତୁରେ ଫସଲ ଜୀବନ- ରକ୍ଷାକାରୀ ଜଳସେଚନ ଉପରେ ଶ୍ରୀ ଜେନା ଗୁରୁତ୍ୱ ଆରୋପ କରିଥିଲେ । ନିର୍ମାଣାଧିନ ପାନୀୟଜଳ ଏବଂ ମେଗା ଲିଫ୍ଟ୍ ଜଳସେଚନ ପ୍ରକଳ୍ପ ସହ ଏକ ସମୟରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଯେପରିକି ପ୍ରକଳ୍ପ ନିର୍ମାଣ ସଂଗେ ସଂଗେ ସେଗୁଡିକୁ କାର୍ଯ୍ୟକ୍ଷମ କରାଯାଇପାରିବ । ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ କହିଥିଲେ ଯେ ଚଳିତ ଖରିଫ୍ ଋତୁ ପୂର୍ବରୁ ୧୦୯ ଟି ମେଗା ଲିଫ୍ଟ୍ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଛି । ଅଧିକ ୨୦ ଟି ପ୍ରକଳ୍ପକୁ ଚଳିତ ଋତୁରେ କାର୍ଯ୍ୟକ୍ଷମ କରାଯିବ । ଏହି ୧୨୯ ଟି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧.୫୦ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ହେବ । ଏହା ଛଡା ନୂଆ ୭୯ ଟି ପ୍ରକଳ୍ପ ବର୍ତ୍ତମାନ ନିର୍ମାଣାଧିନ ଅଛି ।
ଡ଼ିସେମ୍ବର ମାସ ଶେଷସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ଜଣାଇଥିଲେ ଯେ ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ହୋଇଥିବା ୧୦୪୩ ଟି ପ୍ରକଳ୍ପ ସହ ବର୍ତ୍ତମାନ ସୁଦ୍ଧା ୧୩୦୮୨ ଟି ଏକକ ଏବଂ ଛୋଟ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୧୬,୮୮୯ ଟି ଗ୍ରାମର ପ୍ରାୟ ୧.୫୩ କୋଟି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଏହା ଛଡା ୬,୭୭୩ ଟି ଗ୍ରାମର ପ୍ରାୟ ୨୩ ଲକ୍ଷ ଲୋକଙ୍କ ପାଇଁ ୫୬୨୪ ଟି ଛୋଟ ପ୍ରକଳ୍ପର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଶ୍ରୀ ସିଂ ଆହୁରି ମଧ୍ୟ ଜଣାଇଥିଲେ ଯେ ୨୩,୭୫୦ ଟି ଗ୍ରାମର ପ୍ରାୟ ୧.୮୯ କୋଟି ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ନୂଆ ୨୧୫ ଟି ମେଗା ପ୍ରକଳ୍ପ ଆରମ୍ଭ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ୭ ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି; ଏବଂ ଆଉ ୮୩ ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନିତ୍ୱ ଗତିରେ ଚାଲିଛି । ଅବଶିଷ୍ଟ ପ୍ରକଳ୍ପଗୁଡିକ ନିମନ୍ତେ ପ୍ରାକ୍ ପ୍ରସ୍ତୁତି ଏବଂ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି । ଏହିସବୁ ମେଗା ପାନୀୟ ଜଳ ପ୍ରକଳ୍ପ ଅନ୍ତର୍ଭୁକ୍ତ ଗ୍ରାମରେ ସବୁ ଘରକୁ ପାଇପ୍ ସଂଯୋଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ପଂଚାୟତିରାଜ ଏବଂ ପାନୀୟ ଜଳଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ପାନୀୟ ଜଳ ଯୋଗାଣ ନିର୍ଦ୍ଦେଶକ ଶ୍ରୀ ବି.ପରେମେଶ୍ୱରନ୍ଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Post a Comment