loading...

ମମିତା ମେହେର ହତ୍ୟା ମାମଲା ରାଜଭବନରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବ ଯୁବ କଂଗ୍ରେସ

ନମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ କରିବା ସହ ମାମଲାର ନିରପେକ୍ଷ ତଦନ୍ତ

ମମିତା ମେହେର ହତ୍ୟା ମାମଲା ରାଜଭବନରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବ ଯୁବ କଂଗ୍ରେସ

ଭୁବନେଶ୍ୱର, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ନମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ କରିବା ସହ ମାମଲାର ନିରପେକ୍ଷ ତଦନ୍ତ ଓ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ରାଜଭବନରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମତି ରଞ୍ଜନ ଲେଙ୍କା ଏନେଇ ସୂଚନା ଦେଇ କହିଛନ୍ତି ଯେ ନଭେମ୍ବର ୬ ଓ ୭ ତାରିଖରେ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ବରରେ ରାଜଭବନ ଆଗରେ ଅହୋରାତ୍ର ଧାରଣା ଦିଆଯିବ । 

୮ ତାରିଖରେ ରାଜ୍ୟପାଳଙ୍କୁ ଭେଟି ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ଯଦି ଏ ଭିତରେ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆସନ୍ତା ୯ ତାରିଖରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରାଯିବ । ନଭେମ୍ବର ୧୦ ତାରିଖରେ ଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯିବ । ପରେ ନଭେମ୍ବର ୧୧ ତାରିଖରେ ଯନ୍ତରମନ୍ତରଠାରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଯେଉଁଥିରେ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତିଙ୍କ ସମେତ ବହୁ ରାଷ୍ଟ୍ରୀୟ ନେତୃମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟି ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରି ତଦନ୍ତ ପରିସରଭୁକ୍ତ କରିବା ନିମନ୍ତେ ଦାବି ଉପସ୍ଥାପନା କରାଯିବ ବୋଲି ଡ. ଲେଙ୍କା ସୂଚନା ଦେଇଛନ୍ତି ।

ଡ. ଲେଙ୍କା କହିଛନ୍ତି ଯେ ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ଘଟଣାର ନିରପେକ୍ଷ ତଦନ୍ତ କରିବାରେ ବିଫଳ ହୋଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହିତ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ ସମ୍ପର୍କ ରହିଛି । ତେଣୁ ମନ୍ତ୍ରୀଙ୍କ ପ୍ରରୋଚନାରେ ଅଭିଯୁକ୍ତକୁ ପୋଲିସ ପ୍ରଥମେ ଜାଣିଶୁଣି ଖସାଇ ଦେଇଥିଲା । ଫଳରେ ଅଭିଯୁକ୍ତ ଘଟଣାର ଅନେକ ପ୍ରମାଣ ନଷ୍ଟ କରିବାରେ ସକ୍ଷମ ହୋଇଛି । ଏ ଭିତରେ ହତ୍ୟା ମାମଲାର ଅନେକ ସାକ୍ଷୀଙ୍କୁ ପ୍ରଭାବିତ କରାଯିବା ସହିତ ମମିତାଙ୍କ ପରିବାର ଲୋକେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ପରିବର୍ତ୍ତେ ଘଟଣାର ୨୧ ଦିନ ପରେ ମୁହଁ ଖୋଲି ନିଜକୁ ନିର୍ଭେଷ ବୋଲି କହିବା ନିଶ୍ଚିତ ଭାବେ ପୋଲିସ ପ୍ରଶାସନର ନିରପେକ୍ଷତା ନେଇ ସନ୍ଦେହ ଉପୁଜିଛି । 

ଯଦି ସରକାର ରାଜ୍ୟର ମହିଳାଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି, ତେବେ ଭଉଣୀ ମମିତା ମେହେର ପରେ ଆଉ କେଉଁ ନିରୀହ ଜୀବନର ପାଳି ପଡ଼ିବ ଓ ସରକାର ଏମିତି ନିରବଦ୍ରଷ୍ଟା ସାଜିବେ ତାହା ସ୍ପଷ୍ଟ କରନ୍ତୁ ବୋଲି ଡ.ଲେଙ୍କା କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମହମ୍ମଦ ଅଲିମ, ସମ୍ପାଦକ ବୀରେନ ଦଳେଇ, ଜ୍ଞାନରଞ୍ଜନ ରାଉତ, ସୃତିରଞ୍ଜନ ମନ୍ତ୍ରୀ, ଆର୍ଯ୍ୟବୀର ଲେଙ୍କା ଓ ଅମ୍ବିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget