ଭୁବନେଶ୍ୱର, ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୧ତମ ଜୟନ୍ତୀ ଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପ୍ରଥମ ନିର୍ଦ୍ଦେଶକ ପ୍ରଫେସର (ଡ) ଦେଶରାଜ କାଲିଆଙ୍କ ଅଷ୍ଟାଦଶ ଶ୍ରାଦ୍ଧବାର୍ଷିକୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆଜି ଦିବସ ବ୍ୟାପୀ ଭାରପ୍ରାପ୍ତ ଅଧୁକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଅଛି । ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି, ବିଶ୍ଵକବି ଓ ପ୍ରଫେସର କାଲିଆଙ୍କ ପ୍ରତିକୃଭିରେ ମାଲ୍ୟାର୍ପଣ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ବିଶ୍ଵକବି ଓ ଡକ୍ଟର କାଲିଆଙ୍କ ଉପରେ ସ୍ବତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଶିଶୁ ପାଠିକା ସରନ୍ୟା ନାୟକ ଓ ତାଙ୍କ ପିତାମହ ଶିକ୍ଷାବିତ୍ ଏ.ଜି.କେ. ନାୟକ, ପ୍ରଶାସକ ହିମାଂଶୁ ଶେଖର ବେହେରା ଅତିଥି ଭାବରେ ଯୋଗଦେବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାର ସୂଚନା ବିଜ୍ଞାନ ବିଭାଗର ବିଦ୍ୟାର୍ଥୀମାନେ ଗବେଷଣା ବିଦ୍ଵାନ ଶୟଦ୍ ନିର୍ଲିଫର ଅହମ୍ମଦଙ୍କ ନେତୃତ୍ବରେ ଯୋଗଦାନ କରିଥିଲେ । । କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ପଦ୍ମନାଭ ଜେନା, ରୁଦ୍ରପ୍ରସାଦ ବେହେରା, ବିଦ୍ୟାଧର ପଣ୍ଡା, କଣ୍ଡମଣି ବିଶ୍ୱାଳ, ମଞ୍ଜୁରାଣୀ ମୁଦୁଲି, ସଳିତା ପାତ୍ର, ଭିକାରୀ ଚରଣ ସାହୁ, ଦେବେନ୍ ମହାନ୍ତଙ୍କ ସହ ପାଠକମାନେ କବି ଗୁରୁଙ୍କ ଜୀବନାଦର୍ଶ ତାଙ୍କ ରଚନାବଳୀ ଉପରେ ଆଲୋକପାତ କରିଥିଲେ । ଗୀତାଞ୍ଜଳି କାବ୍ୟ ପାଇଁ ରବୀନ୍ଦ୍ରନାଥ ଟାଗୋର ସାହିତ୍ୟରେ ନୋବେଲ୍ ପୁରସ୍କାର ପାଇଥିଲା ବେଳେ ଏହି କାବ୍ୟକୁ କବିଗୁରୁ ରାହାମା ନିକଟସ୍ଥ ତାଙ୍କ ଜମିଦାରୀ ପଣ୍ଡୁଆରେ ଅବସ୍ଥାନ କରି ରଚନା କରିଥିଲେ ଏହା ଓଡ଼ିଶାବାସୀଙ୍କ ପ୍ରତି ତାଙ୍କର ଆତ୍ମୀୟତାକୁ ବହୁଗୁଣିତ କରିଅଛି ।
ତାଙ୍କ ଦ୍ବାରା ପ୍ରତିଷ୍ଠିତ ଶାନ୍ତିନିକେତନ ସ୍ନାତକୋତ୍ତର ଓ ଗବେଷଣା ଶିକ୍ଷା କ୍ଷେତ୍ରରେ ରାଷ୍ଟ୍ରର ବହୁ ଉଚ୍ଚତର ପ୍ରତିଭାଙ୍କୁ ନିରନ୍ତର ଗବେଷଣା ଶିକ୍ଷା କ୍ଷେତ୍ରରେ ନୂତନ ଦିଗଦର୍ଶନ ପ୍ରଦାନ କରିଆସୁଅଛି ଯାହାପାଇଁ ସେ ଚିର ସ୍ମରଣୀୟ । ସେହିଭଳି ପ୍ରଫେସର (ଡ) ଦେଶରାଜ କାଲିଆ ଜଣେ ଆର୍ତଜାତିକ ଖ୍ୟାତିସମ୍ପନ୍ନ ଗ୍ରନ୍ଥାଗାର ସୂଚନା ବିଜ୍ଞାନୀ ଭାବେ ନିଜର ଉଚ୍ଚତର ଗବେଷଣା, ଶିକ୍ଷାଦାନ ଓ ପାଠାଗାର ବିକାଶ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବିଶ୍ୱର ୫୦ରୁ ଉର୍ଦ୍ଧ ବିଶ୍ଵବିଦ୍ୟାଳୟରେ ନିଜର ବକୃତା ପ୍ରଦାନ କରିବା ସହ ଦିଲ୍ଲୀ ପବ୍ଲିକ ଲାଇବ୍ରେରୀ ନିର୍ଦ୍ଦେଶକ, ଜାତୀୟ ପାଠାଗାର କଲିକତାର ମୁଖ୍ୟ, ଭାରତ ସରକାରଙ୍କ ପାଠାଗାର ଉପଦେଷ୍ଟା, ସେଣ୍ଡାଲ୍ ସେକ୍ରେଟାରିଏଟ୍ ଲାଇବ୍ରେରୀର ନିର୍ଦ୍ଦେଶକ, ଆଇ.ଆଇ.ଟି. ଦିଲ୍ଲୀର ପାଠାଗାର ଡିଜାଇନର ଏବଂ ପରିଶେଷରେ ଭୁବନେଶ୍ଵର ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପ୍ରଥମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ ସମ୍ପାଦନ କରି ଏହାକୁ ଦେଶର ଏକ ପ୍ରତିଷ୍ଠିତ ଗ୍ରନ୍ଥାଗାରରେ ପରିଣତ ପାଇଁ ଭିତ୍ତିଭୂମି ଉନ୍ନୟନ କରିଥିଲେ, ଯାହାପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ।
ଲେଖକ, ପ୍ରକାଶକ, ମୁଦ୍ରାକର, ବିତରକ, ବିକ୍ରେତା, ପାଠାଗାର, ପୁସ୍ତକ ଓ ଗ୍ରନ୍ଥାଗାରିକ ପରସ୍ପରର ଅବିଚ୍ଛେଦ୍ୟ ଅଙ୍ଗ । ଏହି ପରିପ୍ରେକ୍ଷୀରେ ପାଠକମାନଙ୍କୁ ଉନ୍ନତମାନର ମାର୍ଗଦର୍ଶନ ଯୋଗାଇବାରେ ଗ୍ରନ୍ଥାଗାରିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ଏବଂ ଏହି ଭୂମିକା ସମ୍ପାଦନରେ ଗ୍ରନ୍ଥାଗାର, ସୂଚନା ବିଜ୍ଞାନୀ ବିଦ୍ୟାର୍ଥୀମାନେ ସଫଳତାର ସହିତ କାର୍ଯ୍ୟ କଲେ ଆମ ରାଜ୍ୟ ତଥା ଦେଶରେ ପାଠାଗାର ଆନ୍ଦୋଳନ ସୁଦୃଢ଼ ହୋଇପାରିବ ବୋଲି ପ୍ରଶିକ୍ଷକମାନେ ସେମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ପରିଶେଷରେ ସସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment