loading...

ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର

ଜେଡ଼ି ଓ ବିଜେପି ସରକାରର ଚାଷୀମାରଣ ନୀତି ବିରୋଧରେ ଆନ୍ଦୋଳନ ଡାକରା କୃଷକଙ୍କ ପ୍ରତି ସରକାରଙ୍କ ଅବିଚାରକୁ ବରଦାସ୍ତ କରାଯିବ ନାହିଁ

ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟସ୍ତରୀୟ କିଷାନ ଚିନ୍ତନ ଶିବିର


ଭୁବନେଶ୍ୱର, କେନ୍ଦ୍ରର ବିଜେପି ଏବଂ ରାଜ୍ୟର ବିଜେଡ଼ି ଶାସନ କାଳରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଗୋଟିଏ ପଟେ ଉଭୟ ସରକାର ଚାଷୀର ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟରେ ୨୨ ବର୍ଷର ଶାସନ କାଳରେ ଋଷୀ ଆତ୍ମହତ୍ୟା ୧୫ ହଜାରକୁ ଟପିଲାଣି । ଦେଶର ଜାତୀୟସ୍ତରରେ ଚାଷୀର ଆୟ ୧୦ ହଜାରରୁ ଉର୍ଦ୍ଧ ଟଙ୍କା ଥିବା ବେଳେ ରାଜ୍ୟ ସରକାର ବାରମ୍ବାର କୃଷିକର୍ମଣ ପାଇଁ ବାହାବା ନେଉଥିବା ବେଳେ ଚାଷୀର ମାସିକ ଆୟ ୫୧ ୧୨ ଟଙ୍କା ଅଛି । ଚାଷୀ ଠିକଣା ସମୟରେ ଆବଶ୍ୟକ ପରିମାଣର ବିହନ, ସାର, କୃଷିଋଣ ଓ ଫସଲବୀମା କ୍ଷତିପୂରଣ ପାଇବାରୁ ବଂଚିତ । କାଳିଆ ଓ ବଳିଆ ଯୋଜନା କେବଳ ଭୋଟ ସର୍ବସ୍ବ ହୋଇଛି । 

କୃଷି ଭିତିଭୂମି ଅସଜଡ଼ା ଥିବା ବେଳେ ଅନ୍ୟ ଯେଉଁ ଯୋଜନା ଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି ତଦ୍ୱାରା ଚାଷୀର ବିକାଶ ହେବା ପରିବର୍ତ୍ତେ ବିନାଶ ଘଟୁଛି । କେନ୍ଦ୍ର ସରକାର ସ୍ପଷୀର କୃଷି ଋଣ ଛାଡ଼ କରୁନଥିବା ବେଳେ ଶିଳ୍ପପତି ଓ ପୁଞ୍ଜିପତି ମାନଙ୍କୁ ଋଣ ଛାଡ଼ କରିବାରେ ବେସ ତତ୍ପର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଗଲା ନାହିଁ । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଫସର ଫାଟିଛି । ଚାଷୀ ତା ଉତ୍ପାଦିତ ଫସଲରର ଉଚିତ ମୂଲ୍ୟ ପାଉନାହିଁ । ଭାଗଚାଷୀଙ୍କ ସମସ୍ୟା କହିଲେ ନ ସରେ । ଚାଷୀ ବୀମା ପ୍ରିମିୟମ ପୈଠକରି କ୍ଷତିପୂରଣ ପାଉନଥିବା ବେଳେ ସରକାର ଓ ବୀମା କମ୍ପାନୀ ମାଲାମାଲ । କିନ୍ତୁ ଆଳୁ ମିଶନ, ପିଆଜ ମିଶନ ମଣ୍ଡି ଓ ଖଳା ନିର୍ମାଣରେ କୋଟି କୋଟି ଟଙ୍କା ଅପବ୍ୟୟ ହେଉଛି । ବର୍ତମାନ ବର୍ଷା ଓ ବନ୍ୟା ବିପତି ସମୟରେ ବିପନ୍ନଙ୍କୁ ଉଦ୍ଧାର ଏବଂ ସହାୟତା ଯୋଗାଇ ଦେବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ହଜାର ହଜାର ହେକ୍ଟର ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଛି । 

ନଦୀବନ୍ଧ ମରାମତିରେ ବ୍ୟାପକ ଦୁର୍ନୀତି ଓ ତ୍ରୁଟିପୂର୍ଣ୍ଣ ନିଷ୍ପତି ଯୋଗୁଁ ଆଜି ଲକ୍ଷ ଲକ୍ଷ ଲୋକେ ପାଣିଘେରରେ ଷଡୁଛନ୍ତି । ଏ ବନ୍ୟା ସଂପୂର୍ଣ୍ଣ ମନୁଷ୍ୟକୃତ । ଏଣିକି ଚାଷୀକୂଳ ଆଉ ବିଜେପି ଓ ବିଜେଡ଼ି ସରକାରଙ୍କ କୃଷକ ମାରଣ ନୀତିକୁ ବରଦାସ୍ତ କରିବେ ନାହିଁ । ଗାଁ ଗଣ୍ଡାରେ ଚାଷୀ ମେଳି ଦୁର୍ବାର ରୂପ ନେବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟସ୍ତରୀୟ ଚିନ୍ତନ ଶିବିରରେ ବକ୍ତବ୍ୟ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ଆସନ୍ତା ଦୁଇମାସ ମଧ୍ୟରେ ଗ୍ରାମ ସ୍ତରରୁ କିଷାନ କଂଗ୍ରେସ ସଂଗଠନକୁ ସୁଦୃଢ଼ କରାଯାଇ ପରବର୍ତ୍ତି ସମୟରେ ଏକ ବିଶାଳ ଚାଷୀ ସମାବେଷ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । 

ଆଜି ପୂର୍ବାହ୍ନରେ ପିସିସି କାର୍ଯ୍ୟାଳୟରେ ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ ପଟ୍ଟନାୟକଙ୍କକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅଖୁଳ ଭାରତ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ସୁଖପାଲ ସିଂ ଖେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କ ସମୟରେ ଓଡ଼ିଶାର ଚାଷୀ ଚାଷ ଛାଡ଼ି ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । କିନ୍ତୁ ସରକାରଙ୍କ ଯୋଜନା ଉପରେ ଯୋଜନା । ଚାଷୀ ଏବେ ଅତି ସଂକଟଜନକ ସ୍ଥିତିରେ । ଚାଷୀ ନାମରେ କୋଟି କୋଟି ଟଙ୍କା ହରିଲୁଟ ହେଉଛି । ଫସଲବୀମା ଯୋଜନା ନାରେ ଚାଷୀର ପ୍ରିମିୟମ ଟଙ୍କାକୁ ହରିଲୁଟ କରାଯାଉଛି । ତେଣୁ ଚାଷୀ ଆଉ ତାର ହକ୍ ମାଗିଲେ ହକ୍ ପାଉନାହିଁ । କେବଳ ପୁଞ୍ଜିପତିଙ୍କ ପାଇଁ ଏ ସରକାର ବୋଲି ଶ୍ରୀ ଖେରା କହିଥିଲେ । ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ପ୍ରତି ଜିଲ୍ଲାରେ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଜିଲ୍ଲାସ୍ତରୀୟ କିଷାନ ଚିନ୍ତନ ଶିବର ଆୟୋଜନ କରାଯାଇ ଚାଷୀ ସମସ୍ୟା ସଂପର୍କରେ ଏକ ଚିଠା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି । 

ଏହି ଚିନ୍ତନ ବୈଠକରେ ଏଆଇସିସି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁ, ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ବିଧାୟକ ସର୍ବଶ୍ରୀ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ଅଧୁରାଜ ମୋହନ ପାଣିଗ୍ରାହୀ, କଂଗ୍ରେସ ନେତା ଶିବାନନ୍ଦ ରାୟ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଫଳତା ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ଦେଓଗଡ଼ କିଷାନ କଂଗ୍ରେସ ସଭାପତି ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ବୈଠକରେ ପ୍ରଦେଶ କିଷାନ କଂଗ୍ରେସର ସସସ୍ତ କର୍ମକର୍ତା, ଜିଲ୍ଲା ଓ ବ୍ଲକ କିଷାନ କଂଗ୍ରେସ ଅଧ୍ୟକ୍ଷ ବୃନ୍ଦ ଉପସ୍ଥିତ ରହି ସେମାନଙ୍କ ଜିଲ୍ଲାରେ ଉପୁଜିଥିବା ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । ବୈଠକ ପ୍ରାରମ୍ଭରୁ କଂଗ୍ରେସ କାର୍ଯ୍ୟାଳୟରେ ଯୁବା ମହା ମନିଷୀ ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଓ କଂଗ୍ରେସ ଭବନ ପରିସରରେ କିଷାନ କଂଗ୍ରେସ ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget