ନୂଆଦିଲ୍ଲୀ, ଖରାପ ମାନର ଔଷଧ ସହ ନକଲି ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ୧୮ଟି ଔଷଧ କମ୍ପାନୀର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର | ଆଜି ଭାରତ ସରକାର ୧୮ଟି ଫାର୍ମା କମ୍ପାନୀ ଉପରେ ଆକ୍ସନ ନେଇ ଲାଇସେନ୍ସ ବାତିଲ କରିବା ସହ ଔଷଧ ନିର୍ମାଣ ଉପରେ ରୋକ ଲଗାଇଛନ୍ତି | ବାସ୍ତବରେ ବଜାରରେ ଅନେକ ନକଲି ଔଷଧ ମିଳୁଥିବା ନେଇ ଅଭିଯୋଗ ଆସୁଥିବାରୁ ଏହାକୁ ନେଇ କେନ୍ଦ୍ର ସରକାର ଔଷଧ କମ୍ପାନୀ ଉପରେ ଚଢ଼ାଉ କରି ଔଷଧର ମାନ ଯାଞ୍ଚ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଭାରତର ବିଭିନ୍ନ ରାଜ୍ୟରେ ଥିବା ଔଷଧ କମ୍ପାନୀମାନଙ୍କ ଉପରେ ଚଢ଼ାଉ କରିଥିଲା ।
ଏହି ସମୟରେ ଜଣାପଡିଥିଲା ଯେ କିଛି କମ୍ପାନୀ ନକଲି ଔଷଧ ପ୍ରସ୍ତୁତ କରୁଥିବାବେଳେ ଆଉ କିଛି କମ୍ପାନୀ ଅଧିକ ମୂଲ୍ୟରେ ଔଷଧ ବିକ୍ରି କରୁଥିଲେ ବି ମାନ ସେତେ ଭଲ ନଥିଲା | ଖରାପ ମାନର ଔଷଧ ପ୍ରସ୍ତୁତ କରି ରୋଗୀଙ୍କୁ ଅଧିକ ଦାମରେ ଔଷଧ ବିକ୍ରି କରୁଥିବାର ଜଣାପଡିବା ପରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଆଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆଙ୍କ ପକ୍ଷରୁ ୨୦ଟି ରାଜ୍ୟରେ ଯାଞ୍ଚ କରାଯାଇଥିବାବେଳେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ପ୍ରାୟ ୧୫ ଦିନ ଧରି ଏହି ଚଢ଼ାଉ ଅଭିଯାନ ଚାଲିଥିବାବେଳେ ଆଜି ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ କରାଯାଇଛି । ସେହିପରି ହିମାଚଳ ପ୍ରଦେଶର ୭୦ଟି, ଉତ୍ତରପ୍ରଦେଶରେ ୪୫ଟି ଏବଂ ମଧ୍ୟପ୍ରଦେଶର ୨୩ଟି କମ୍ପାନୀ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଔଷଧ ତିଆରି ନ କରିବାକୁ କୁହାଯାଇଛି ।
ଭାରତରୁ ବିଭିନ୍ନ ପ୍ରକାରର ଔଷଧ ବାହାରକୁ ଯାଇଥାଏ। କିନ୍ତୁ ବିଦେଶରେ ଖରାପ ମାନ ଓ ନକଲି ଔଷଧ ବିକ୍ରି କରାଯାଉଥିବା ଅଭିଯୋଗ ହେବା ପରେ ସରକାର ଫାର୍ମା କମ୍ପାନୀ ଗୁଡ଼ିକର ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନକଲି ଓ ଖରାପ ମାନର ଔଷଧ ସମ୍ପର୍କରେ ଅଭିଯୋଗ ଆସିବା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ୭୬ଟି ଫାର୍ମାସ୍ୟୁଟିକାଲ କମ୍ପାନୀରେ ଯାଞ୍ଚ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିମ ପକ୍ଷରୁ ଅତର୍କିତ ଚଢ଼ଉ କରି ଔଷଧର ମାନ ପରୀକ୍ଷା କରାଯାଇଥିଲା। ଶେଷରେ ୨୦ଟି ରାଜ୍ୟରେ ଥିବା ବିଭିନ୍ନ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୀର୍ଘ ୧୫ ଦିନ ଧରି ସମଗ୍ର ଦେଶରେ ଡିସିଜିଆଇ ପକ୍ଷରୁ ଚଢ଼ଉ ଅଭିଯାନ ଜାରି ରହିଥିଲା।
ବିଭିନ୍ନ ଦେଶରେ ଭାରତ ନିର୍ମିତ ବିଭିନ୍ନ ସିରପ ଓ ଔଷପ ଖାଇ ଛୋଟ ପିଲାଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଗତମାସରେ ଗୁଜରାଟ ଭିତ୍ତିକ ଫାର୍ମା କମ୍ପାନୀ ଜୟଡସ ଲାଇସାଇନ୍ସ ପକ୍ଷରୁ ୫୫ ହଜାର ବୋତଲ ଜେନେରିକ ମେଡିସିନ ଆମେରିକା ମାର୍କେଟରୁ ପ୍ରତ୍ୟାହାର କରିଥିଲେ। ଏହି ଔଷଧଗୁଡ଼ିକର ମାନ ଖରାପ ଥିବା ଅଭିଯୋଗ ହୋଇଥିଲା।ସେହିପରି ଗତବର୍ଷ ଉଜବେକିସ୍ତାନରେ ୧୮ ଜଣ ଶିଶୁ ଭାରତରୁ ଯାଇଥିବା କଫ ସିରପ ଖାଇ ପ୍ରାଣ ହରାଇଥିବା ଜଣାପଡ଼ିଥିଲା। ଏଥିପାଇଁ ନୋଏଡାରେ ଥିବା ଫାର୍ମାସିଟ୍ୟୁକାଲ କମ୍ପାନୀର ୩ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।
ଅଭିଯୁକ୍ତମାନେ ନକଲି ଓ ଖରାପ ମାନର ଔଷଧ ଉତ୍ପାଦନ ଏବଂ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ମାରିଅନ ବାୟୋଟେକ ପ୍ରଡକ୍ଟସର ବିଭିନ୍ନ ଔଷଧର ନମୁନା ପରୀକ୍ଷା କରିଥିଲା। ଏହି ସମୟରେ ୨୨ଟି ଔଷଧ ଖରାପ ମାନର ଥିବା ସ୍ପଷ୍ଟ ହୋଇଥିଲା।
Post a Comment