ଚଣ୍ଡୀଗଡ଼, ଯୋଗୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୋ ପୁଅ ମରିନଥାନ୍ତା। ପୁଅର ମୃତ୍ୟୁବାର୍ଷିକୀରେ ଏଭଳି କହି ପଞ୍ଜାବ ସରକାରଙ୍କୁ ଟାର୍ଗେଟ କଲେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପା। ମାର୍ଚ୍ଚ ୧୯ରେ ପଞ୍ଜାବର ମାନସାରେ ସ୍ୱର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ବାର୍ଷିକୀ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଥିଲେ।
ସେ କହିଥିଲେ ଯଦି ଯୋଗୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ତେବେ ପୁଅକୁ ହତ୍ୟା କରାଯାଇ ନଥାନ୍ତା। ଆଜି ଯେଉଁ ସ୍ଥିତି ପଞ୍ଜାବର ହୋଇଛି, ତାହା ହୋଇନଥାନ୍ତା। ଯୋଗୀ ଉତ୍ତରପ୍ରଦେଶକୁ ଅପରାଧ ମୁକ୍ତ କରିଛନ୍ତି। ତାଙ୍କର ଏଭଳି କାମ ପାଇଁ ୨୦୨୪ ଲୋକସଭା ନିର୍ବାଚନରେ ସମସ୍ତେ ଯୋଗୀଙ୍କ ନାଁରେ ଭୋଟ୍ ଦେବାକୁ ବାଧ୍ୟ ହେବେ। ବଲକୌର ସିଂ ଆହୁରି କହିଥିଲେ ଯେ ଯେଉଁ ଦିନ ଜେଲରୁ ସେହି ପାପୀ (ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ)ର ସାକ୍ଷାତକାର ଦେଖିଲି… ଲାଗିଲା ଯେପରି ପୁଅକୁ ପୁଣି ଥରେ ହତ୍ୟା କରାଯାଇଛି। ସିଦ୍ଧୁଙ୍କ ମୃତ୍ୟୁ ପାଇଁ ଗ୍ୟାଙ୍ଗଷ୍ଟର ନିଜେ ଦାୟୀ ଏବଂ ପୁଲିସ ତାଙ୍କ ଆଗରେ ଆଣ୍ଠୁମାଡି ବସିଛି। -୩୦ ଡିଗ୍ରୀ ତାପମାତ୍ରାରେ ଚୀନ୍ ଏବଂ କାର୍ଗିଲ ସୀମାରେ ଡ୍ୟୁଟି କରି ମୁଁ ଦେଶ ସେବା କରିଛି, ତାହାର ପରିଣାମ ମୋତେ ଏଭଳି ଦେଉଛନ୍ତି ସରକାର।
ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ, ସେ ପଞ୍ଜାବକୁ ଦିଲ୍ଲୀରେ ବନ୍ଧକ ରଖିଛନ୍ତି। ଖୋଲାଖୋଲି ଭାବେ ନିଷ୍ପତ୍ତି ନେବାକୁ କୌଣସି ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ନାହିଁ। ଆଜି ଦେଶର ଗୃହମନ୍ତ୍ରୀ ଅମିତ ଶାହା ସାହସ ଦେବା ପରେ ପଞ୍ଜାବର ଅମୃତପାଲଙ୍କ ଉପରେ ପଦକ୍ଷେପ ନିଆଯାଉଛି।
Post a Comment