ନୂଆଦିଲ୍ଲୀ, ଏଜୁକେସନ ଇକୋସିଷ୍ଟମ ରେଜିଷ୍ଟ୍ରି ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର। କାର୍ଯ୍ୟକାରୀ ହେବାକୁ ଯାଉଥିବା ନୂତନ ଜାତୀୟ ଶିକ୍ଷାନୀତି ଅନୁସାରେ ଏଣିକି ସରକାର ଦେଶର ସବୁ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଏଜୁକେସନ ଲକର ବା (ଏଡୁ ଲକର)ର ସୁବିଧା ଯୋଗାଇ ଦେବେ। ଏଥିପାଇଁ ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିକ ଆଇଡିର ପ୍ରଚଳନ କରାଯିବ ବୋଲି ସୂଚନା ଦେଇଛନ୍ତି ନ୍ୟାସନାଲ ଏଜୁକେସନ ଟେକ୍ନିକାଲ ଫୋରମ (ଏନଇଟିଏଫ)ର ଅଧ୍ୟକ୍ଷ ଅନିଲ ଡି ସହସ୍ରବୁଦ୍ଧେ।
ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଧାର ବେସ୍ଡ ୟୁନିକ ଆଇଡି ଦିଆଯିବ। ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ମଧ୍ୟ ପଞ୍ଜିକରଣ କରିବେ। କିଏ ଅସଲି କିଏ ନକଲି, ତାହା ଏହି ଆଇଡି ମାଧ୍ୟମରେ ଜଣା ପଡ଼ିଯିବ। ଜାତୀୟ ଶିକ୍ଷାନୀତି ଅନୁସାରେ ଡିଜି - ଲକର ଭଳି ତିନି ବର୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଏଡୁ - ଲକର। ଡ଼ିଆଇସି, ଏନଆଇସି, ଏନଇଟିଏଫ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରୁଛନ୍ତି । ଏଥିରେ ଛାତ୍ରଛାତ୍ରୀଙ୍କ ସମସ୍ତ ଶିକ୍ଷାର ରହିବ ରେକର୍ଡ, ମିଳିବ ଆଇଡ଼ି । ଏଥିରେ ପିଲାଙ୍କ ନାମ, ଫୋନ ନମ୍ବର, ଡିଗ୍ରୀ ବା ସାର୍ଟିଫିକେଟ ଆଦିର ସମସ୍ତ ତଥ୍ୟ ରହିବ ।
ଗୋଟେ ସ୍କୁଲରୁ ଅନ୍ୟ ସ୍କୁଲ ଏବଂ ଗୋଟେ ଶିକ୍ଷାନୁଷ୍ଠାନରୁ ଅନ୍ୟ ଶିକ୍ଷାନୁଷ୍ଠାନକୁ ଗଲେ କୌଣସି ଫର୍ମ ଫିଲପ କରିବାକୁ ପଡ଼ିବନି । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟର ଶିକ୍ଷାନୁଷ୍ଠାନରେ ପାଠ ପଢିବା ସହଜ ହେବ । ବାରମ୍ବାର ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ । ଏପିଆଇ ମାଧ୍ୟମରେ ଅଟୋମେଟିକ ଫର୍ମ ପୂରଣ ହୋଇଯିବ । ସାର୍ଟିଫିକେଟ ହଜିବାର ଭୟ ବି ରହିବ ନାହିଁ । ମେ ମାସ 5 ତାରିଖ ଯାଏ ଏନେଇ ଲୋକଙ୍କଠୁ ପରାମର୍ଶ ନିଆଯାଉଛି। ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଏହା ଲଞ୍ଚ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।ହାଇସ୍କୁଲରୁ କଲେଜ ଯିବା ଲାଗି ମଧ୍ୟ ଆଉ ଭରିବାକୁ ପଡ଼ିବନି ଫର୍ମ । ଛାତ୍ର ଛାତ୍ରୀଙ୍କ ଶୈକ୍ଷିକ ଯାତ୍ରା ସୁଗମ ହେବ ।ସ୍କଲାରସିପ ଠାରୁ ଆରମ୍ଭ କରି ଆଡମିଶନ ସମୟରେ ରିହାତି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ପାଇପାରିବେ ଛାତ୍ରଛାତ୍ରୀ ।
ଏପରିକି ଗୋଟେ ବିଶ୍ବବିଦ୍ୟାଳୟରୁ ଅନ୍ୟ ଏକ ବିଶ୍ବବିଦ୍ୟାଳୟକୁ ଯିବାକୁ ହେଲେ ଦରକାର ପଡ଼ିବନି ମାଇଗ୍ରେସନ ସାର୍ଟିଫିକେଟ । ଛାତ୍ରଛାତ୍ରୀ ସରକାରୀ ସୁବିଧା ପାଇବା ସହଜ ହେବ ।ଏଥିରେ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାନୁଷ୍ଠାନକୁ ମଧ୍ୟ ପଞ୍ଜିକରଣ କରିବାକୁ ପଡ଼ିବ।ଏଡୁ ଲକର ପାଇଁ ଡ୍ରାଫ୍ଟ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇସାରିଛି । ଗତ କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଫେକ୍ ସାର୍ଟିଫିକେଟ ଠାରୁ ଆରମ୍ଭ କରି ନକଲି ଶିକ୍ଷକ ଓ ଡାକ୍ତରଙ୍କ ରାକେଟକୁ ନେଇ ତୁମ୍ଭିତୋଫାନ ହୋଇଥିଲା। ଯେଉଁଥିପାଇଁ ମେଧାବୀ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିବା ସହ ରାଜ୍ୟ ସରକାରଙ୍କ ଅକଲ ଗୁଡୁମ ହୋଇଥିଲା । କିନ୍ତୁ ଏବେ ୟୁନିକ ଆଇଡି ବ୍ୟବସ୍ଥା ଆରମ୍ଭ ହେଲେ ଫେକ୍ ସାର୍ଟିଫିକେଟ କାରଖାନାରେ ତାଲା ଲାଗିବ ବୋଲି ଆଶା କରାଯାଉଛି ।
Post a Comment