ଲକ୍ଷ୍ନୌ ,ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ୫ ଥର ବିଧାୟକ ଥିଲେ। ବିଧାନସଭାରେ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅସ୍ରଫ ଓରଫ ଖାଲିଦ ଆଜମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ କି ନା ତାହା ଏବେ ଚର୍ଚ୍ଚାର ବିଷୟ । ତାଙ୍କ ଭାଇ ଅସ୍ରଫ ମଧ୍ୟ ବିଧାନସଭା ସଦସ୍ୟ ଥିଲେ। ତେବେ ସେମାନଙ୍କର ହତ୍ୟା ହୋଇଯାଇଥିବା ବେଳେ ବିଧାନସଭାରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ କି ନା ସେ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ତେବେ ଏ ନେଇ ବିଧାନସଭା ବିଜନେସ୍ ଆଡଭାଇଜରି କମିଟି ନିଷ୍ପତ୍ତି ନେବେ ବୋଲି ବାଚସ୍ପତି ସତୀଶ ମହାନା କହିଛନ୍ତି। ପାରମ୍ପରିକ ରୂପେ ବିଧାନସଭାର ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିବଙ୍ଗତ ସଦସ୍ୟମାନଙ୍କୁ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ।
ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଅତିକ ଅହମ୍ମଦଙ୍କୁ ଏକ ଅପହରଣ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଅତିକ ଅହମ୍ମଦ ଏଲହାବାଦ ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳିରୁ ୫ ଥର ବିଧାୟକ ନିର୍ବାଚିତ ହୋଇଥିବା ବେଳେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଫୁଲପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଏଲହାବାଦ ପଶ୍ଚିମରୁ ୩ ଥର ସ୍ୱାଧୀନ ବିଧାୟକ ଥିଲେ। ତେବେ ୧୯୯୬ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତି ୨୦୦୨ ନିର୍ବାଚନରେ ସେ ଆପନା ଦଳ ଟିକେଟ୍ରେ ତାଙ୍କ ଆସନ ସୁରକ୍ଷିତ ରଖିଥିଲେ। ବହୁଜନ ସମାଜପାର୍ଟିର ତତ୍କାଳୀନ ବିଧାୟକ ରାଜୁ ପାଲଙ୍କ ହତ୍ୟା ପରେ ସେହି ଆସନରୁ ତାଙ୍କ ଭାଇ ଅସ୍ରଫ ୨୦୦୫ରେ ସପା ଟିକେଟରେ ସେହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ତେବେ ଗତ ଏପ୍ରିଲ ୧୫ ତାରିଖ ରାତିରେ ଏକ ମାମଲାର ଯାଞ୍ଚରେ ଅତିକ ଓ ଅସ୍ରଫ ପୋଲିସ କଷ୍ଟଡିରେ ଥିବା ବେଳେ ଆତତାୟୀ ସେମାନଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ତେବେ ସେମାନଙ୍କୁ ବିଧାନସଭାର ଆଗାମୀ ଅଧିବେଶନରେ ଶ୍ରଦ୍ଧାଞ୍ଜଳି ଦିଆଯିବ କି ନା ସେ ନେଇ ବାଚସ୍ପତିଙ୍କୁ ପଚରା ଯାଇଥିଲା। ହେଲେ ଏହା ଏକ ବିରଳ ଦୃଷ୍ଟାନ୍ତ ବୋଲି ଉତ୍ତରପ୍ରଦେଶ ବିଧାନସଭା ସୂତ୍ର କହିଛି। ତେବେ ବିଧାନସଭାର ଜନୈକ ସଦସ୍ୟ ଏହା ଏକ ଶ୍ରଦ୍ଧାଞ୍ଜଳି ସନ୍ଦର୍ଭ ବୋଲି କହିଛନ୍ତି। ଯାହା ସଦନର ଦିବଙ୍ଗତ ସଦସ୍ୟଙ୍କ ଲାଗି କରାଯାଇଥାଏ।
ଏହା ସଂସଦୀୟ ପରମ୍ପରାର ଏକ ଅଂଶ । ଏ ବିଷୟରେ ନା ସମ୍ବିଧାନରେ ଉଲ୍ଲେଖ ଅଛି ନା କୌଣସି ଆଇନରେ। ଏଣୁ ଏହା ବିଶୁଦ୍ଧ ରୂପେ ସଂସଦୀୟ ପରମ୍ପରା ରୂପେ ପାଳନୀୟ ହେବା କଥା ବୋଲି ବିଧାୟକ କହିଛନ୍ତି। ତେବେ ଅତିକ ଅହମ୍ମଦଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଦଣ୍ଡିତ ମଧ୍ୟ କରିଛନ୍ତି। ତେବେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ବିଧାନସଭା ଅଧ୍ୟକ୍ଷ ନେବେ ବୋଲି ସାମ୍ବିଧାନିକ ବିଷୟରେ ବିଶେଷଜ୍ଞ ତଥା ଲୋକସଭାର ପୂର୍ବତନ ମହାସଚିବ ସୁଭାଷ ସି. କଶ୍ୟପ କହିଛନ୍ତି।
Post a Comment