କଟକ, ଠକ ମୌଲାନା କୈଫି ଖାନର ଫିଟୁଛି ଗୁମର । ଏହାସହିତ ତାର ୧୧ଟି ବ୍ୟାଙ୍କ ଆକାଉଣ୍ଟକୁ ଠାବ କରିଛି ପୋଲିସ। ମୋବାଇଲ ବ୍ୟବସାୟରେ ୧୫ ଲକ୍ଷ ଟଙ୍କା ଲଗାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ବୋଲି ଡିସିପି କହିଛନ୍ତି । ଗୋଟିଏ ପରେ ଗୋଟିଏ ଧରାପଡ଼ୁଛି ଠକ ତାନ୍ତ୍ରିକ ମୌଲାନା କୈଫରର ଚାଲ। ଗୁପ୍ତଧନ ବାହାର କରିଦେବ କହି ୬୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଗିରଫ ହୋଇଥିବା ମୌଲାନା କୈଫରଙ୍କ ନାଁରେ ଆସିଛି ଆଉ ଏକ ଅଭିଯୋଗ। ଘର ପଛପଟେ ସୁନା ଇଟା ଥିବା କହି ଜଣେ ବ୍ୟକ୍ତିଙ୍କଠାରୁ ୫ଲକ୍ଷ ଟଙ୍କା ଠକିଥିବା ମଙ୍ଗଳବାଗ ଥାନାରେ ଅଭିଯୋଗ ହୋଇଛି। ଏନେଇ ମୌଲାନା କୈଫଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରାଯାଇଛି। ଠକେଇରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ଘର ଭଦ୍ରକ ଜିଲ୍ଲାର ବହୁ ଦରଡ଼ା ଅଞ୍ଚଳରେ।
ଏହି ବ୍ୟକ୍ତି ଜଣଙ୍କ କହିଛନ୍ତି, ମୋ ଘରେ କିଛି ସମସ୍ୟା ଥିବାରୁ ମୌଲାନା କୈଫଙ୍କ ପାଖକୁ ଆସିଥିଲି। ସେ ଘରକୁ ବନ୍ଦୀ କରିବାକୁ କହିଥିଲେ। ସେ ନିଜେ ଯାଇ ମୋ ଘରେ ପୂଜାପାଠ କରି ଏହାକୁ ବନ୍ଦୀ କରିଥିଲେ। ପରେ ଆମ ଘର ପାଖରେ ଥିବା ଏକ ନିମ୍ବ ଗଛ ପାଖରେ ମାଟି ତଳେ ଏକ ଇଟା ଅଛି ବୋଲି କହିଥିଲେ। ସେହି ଇଟାକୁ ବାହାର କରି ଦେଲେ ଘରେ ଆଉ ଅଶାନ୍ତି ରହିବ ନାହିଁ ବୋଲି ସେ କହିଥିଲେ। ମୌଲାନା କୈଫ ନିଜେ ସେହି ଇଟାକୁ ଖୋଳି ବାହାର କରିଥିଲେ।
ସେ ଆହୁରି କହିଛନ୍ତି, ବାହାର କରିଥିବା ଇଟାକୁ ସେ ସୁନା ଇଟା ବୋଲି କହିଥିଲେ। ଏହାକୁ ବିକ୍ରି କଲେ ଗୋଟିଏ କୋଟିରୁ ଅଧିକ ଟଙ୍କା ହେବ ବୋଲି କହିଥିଲେ। ସେଥିପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ମୋତେ କହିଥିଲେ। ରାଜସ୍ଥାନରୁ କସ୍ତୁରୀ ଆଣି ସୁଦ୍ଧି କରିବା ପରେ ସେହି ଇଟାକୁ ସେ ବଜାରରେ ବିକ୍ରି କରିଦେବେ ବୋଲି କହିଥିଲେ। ସେଥିରୁ ଯାହା ପଇସା ହେବ ତାକୁ ସେ ମୋତେ ଦେବେ ବୋଲି କହିଥିଲେ।
ପରେ ଇଟାକୁ ନେଇ ସେ ମୋ ଘରୁ ପଳାଇ ଯାଇଥିଲେ। ପରେ ମୁଁ ଓ ମୋ ବାପା ମୌଲାନା କୈଫଙ୍କ ଘରକୁ ଯାଇ ୫ ଲକ୍ଷ ଟଙ୍କା ତାଙ୍କୁ ଦେଇଥିଲୁ। ୨ ମାସ ତଳେ ତାଙ୍କ ଘରକୁ ମୁଁ ଯାଇଥିଲି। ଇଟା ବାବଦରେ ପଚାରିବାରୁ ସେ ମୋତେ ଇଟା ଫେରାଇ ଦେଇଥିଲେ। ଇଟା ବାବଦକୁ ଦେଇଥିବା ୫ଲକ୍ଷ ଟଙ୍କା ମାଗିବାରୁ ଦେଇ ନଥିଲେ। ମୁଁ ତୁମକୁ ଇଟା ଫେରାଇ ଦେଲି, ପଇସା କ’ଣ ନେବ ବୋଲି କହିଥିଲେ। ତା ପରେ ମୁଁ ଘରକୁ ଫେରି ଆସିଥିଲି। ପରେ ଜାଣିଲି ତାହା ସୁନା ଇଟା ନୁହେଁ କପରରେ ତିଆରି ଇଟା। ଗତକାଲି ମୌଲାନା କୈଫଙ୍କୁ କମିଶନରେଟ୍ ପୁଲିସ ଗିରଫ କରିଥିଲା। ପୁଲିସ ମୌଲାନାଠାରୁ ନଗଦ ୨,୭୬,୦୦୦ ଟଙ୍କା, ଗୋଟିଏ ବୁଲେଟ୍, ଦୁଇଟି ଲକ୍ଜୁରିୟସ୍ କାର୍, ୭୦ଟି ନୂଆ ମୋବାଇଲ୍, ୨୦ଟି ଦାମୀ ଘଣ୍ଟା, ବ୍ୟାଙ୍କ ପାସ୍ବୁକ୍, ଚେକ୍ବୁକ୍, ୧୩ଟି ବୀମା ପଲିସି, ହୀରା ଓ ବ୍ରୋଞ୍ଜ ପରି ଦେଖା ଯାଉଥିବା ପଦାର୍ଥ ଏବଂ ଅନ୍ୟାନ୍ୟ ପଦାର୍ଥ ଜବତ କରିଥିଲା।
ସେହିପରି ଅଧିକ ତଦନ୍ତ ପାଇଁ ମୌଲାନା କୈଫି ଖାନକୁ ରିମାଣ୍ଡରେ ନିଆଯିବ । କୈଫିର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରୁଛି ପୋଲିସ । ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ସେମାନେ ଥାନାକୁ ଆସି ଅଭିଯୋଗ କରିବାକୁ ଡିସିପି କହିଛନ୍ତି ।
Post a Comment