ଭୁବନେଶ୍ଵର, ସାରା ରାଜ୍ୟରେ ଅସହ୍ୟ ତାତି । ପାଓ୍ବାର କଟ୍କୁ ନେଇ ଅସନ୍ତୋଷ ଜୋର୍ ଧରିଥିବା ବେଳେ ଆଜି ବାଲେଶ୍ବର ବାହାନଗାରେ ଏକ କାର୍ଯ୍ୟକ୍ରମରେ ଖୋଦ୍ ଶକ୍ତିମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁଳି କାଟ୍ କୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ସେପଟେ ବିଦ୍ୟୁତ୍ କାଟ୍ ଯୋଗୁଁ ଯାଜପୁରରେ ଅସନ୍ତୁଷ୍ଟ ଲୋକେ ବିଦ୍ୟୁତ୍ କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିବା, ବ୍ରହ୍ମପୁରରେ ରାତି ଅନିଦ୍ରା ହୋଇ ଲୋକେ ବିଦ୍ୟୁତ୍ ଅଫିସ ଆଗରେ ନିଆଁ ଜାଳି ଅନସନ କରିବା ଭଳି ଖବର ସାମ୍ନାକୁ ଆସିଛି । ସେହିଭଳି ବିଦ୍ୟୁତ୍ ବିଭ୍ରାଟକୁ ନେଇ ଆଜି ଭୁବନେଶ୍ବରରେ ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ।
ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ବାହାନଗାବାସୀ ୩ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆଜି ଯୋଗ ଦେଇଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ଆଉ ସଭା କାର୍ଯ୍ୟକ୍ରମ ଆରମ୍ଭରୁ ଲାଇନ୍ କଟିଯାଇଥିଲା । ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ଥିଲେ ମନ୍ତ୍ରୀ । ଜେନେରେଟର ଦ୍ବାରା ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମନ୍ତ୍ରୀ ମଞ୍ଚରେ ଥିବା ପର୍ଯ୍ୟନ୍ତ ଲାଇନ୍ ଆସିନଥିଲା । ମନ୍ତ୍ରୀ ମଞ୍ଚରୁ ଓହ୍ଲାଇ ଆସିବା ପରେ ପ୍ରାୟ ଅଧଘଣ୍ଟା ପରେ ଲାଇନ୍ ଆସଥିଲା । ଖୋଦ୍ ଶକ୍ତିମନ୍ତ୍ରୀଙ୍କ ଉପସ୍ଥିତିରେ ସଭାରେ ଲାଇନ୍ କଟିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିଲା ।
କେବଳ ଏଇ ଗୋଟିଏ ଘଟଣା ନୁହେଁ, ସାରା ରାଜ୍ୟରେ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି । ଯାଜପୁର ଦଶରଥପୁର ବ୍ଲକ ଅସନପୁର ପଞ୍ଚାୟତରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ କଲବଲ ହେଉଥିବା ଲୋକେ ନନ୍ଦିପୁର-ଯାଜପୁର ରାସ୍ତାକୁ ଅବରୋଧ କରିବା ସହ ଦୀର୍ଘ ସମୟ ଧରି ୪ଜଣ ବିଦ୍ୟୁତ୍ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଟାଟା ପାଓ୍ବାରର ମନମାନୀ ବିରୋଧରେ ତାତିଥିଲେ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଅଟକ ବିଦ୍ୟୁତ୍ କର୍ମଚାରୀଙ୍କୁ ଛାଡ଼ିଥିଲେ ଲୋକେ । ସେପଟେ ଏସଡିଓଙ୍କ କହିବା କତା ୩୩କେଭି ଲାଇନ୍ ମରାମତି ହେଉଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଖୁବ୍ ଶୀର୍ଘ ଏହାର ସମାଧାନ କରାଯିବ ।
ଗୋଟେ ପଟେ ବିଜୁଳି ବିଭ୍ରାଟକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ଅନ୍ୟପଟେ ରାଜନୈତିକ ବୟାନବାଜି ବି ତେଜ୍ ହୋଇଛି। ଆଜି ଲଣ୍ଠନ ଓ ବିଞ୍ଚଣା କରି ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଛାତ୍ର କଂଗ୍ରେସ । ସେହିଭଳି ବିଜେପି ପକ୍ଷରୁ ରାଜଧାନୀରେ ଲଣ୍ଠନ ଜାଳି ପ୍ରତିବାଦ କରାଯାଇଛି । ଯାହାକୁ ନେଇ ପ୍ରତିକ୍ରିୟା ଦେଇ ବିଜେଡି କହିଛି ବିରୋଧୀ ଏହାକୁ ନେଇ ଅଯଥା ରାଜନୀତି କରୁଛନ୍ତି । ବିଜୁଳି ସମସ୍ୟାର ସମାଧାନ ପାଇଁ ଟାଟା ପାଓ୍ବାର ନିର୍ଦ୍ଦେଶ ଦିଆଯାଇଛି । ଅଘୋଷିତ ବିଦ୍ୟୁତ୍ କାଟ୍ ହେଉ କି ପାଓ୍ବାର ଟ୍ରିପ୍ । ଅସହ୍ୟ ଗରମ ଗୁଳୁଗୁଳି ଭିତରେ ସନ୍ତୁଳି ହେଉଥିବା ସାଧାରଣ ଲୋକଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ଯାହାର ସମାଧାନ ଜରୁରୀ ହୋଇପଡ଼ିଛି ।
Post a Comment