loading...

ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ପଦକ୍ଷେପ ଏବଂ ଦିଗ୍‌ଦର୍ଶନ ଯୋଗୁ ଓଡ଼ିଶା ମିଲେଟସ୍ ମିଶନ ଆଜି ବିଶ୍ଵ ଦରବାରରେ ସ୍ୱତନ୍ତ୍ର ପରିଚୟ ପାଇଛି : କୃଷିମନ୍ତ୍ରୀ ଶ୍ରୀ ସ୍ଵାଇଁ

 ଭୁବନେଶ୍ୱର ୨୯ ନଭେମ୍ବର ୨୦୨୩



            ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିଲେଟସ୍ ରିସର୍ଚ୍ଚ ଆନୁକୂଲ୍ୟରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ରେ ଓଡ଼ିଶା ମିଲେଟସ୍ ମିଶନକୁ ‘ମିଲେଟସ୍ ପ୍ରୋତ୍ସାହନ ପାଇଁ ଗ୍ଲୋବାଲ୍ ମଡେଲ୍’ ପୁରସ୍କାର ମିଳିଥୁବା ଅବସରରେ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ସଫଳତା ପାଇଁ ଓଡ଼ିଶା ମିଲେଟସ୍ ମିଶନ ଏବଂ ମିଲେଟସ୍ ଚାଷରେ ସଂପୃକ୍ତ ଚାଷୀ ଭାଇ ଓ ଭଉଣୀ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ପଦକ୍ଷେପ ଏବଂ ଦିଗ୍‌ଦର୍ଶନ ଯୋଗୁ ଓଡ଼ିଶା ମିଲେଟସ୍‌ ମିଶନ ଆଜି ବିଶ୍ଵ ଦରବାରରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଛନ୍ତି ।

        ସୂଚନାଯୋଗ୍ୟ ଯେ ଗତକାଲି ହାଇଦ୍ରାବାଦ୍ଠାରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହାକୁ ଗ୍ରହଣ କରିଥିଲେ । ଆଜି କୃଷିଭବନଠାରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ମନ୍ତ୍ରୀ ଶ୍ରୀ ସ୍ଵାଇଁଙ୍କୁ ଭେଟି ଓଡ଼ିଶା ମିଲେଟସ୍ ମିଶନକୁ ମିଳିଥିବା ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ଓଡ଼ିଶା ମିଲେଟସ୍ ମିଶନର ବହୁ ଅଧୂକାରୀ ଉପସ୍ଥିତ ଥିଲେ ।

           ମିଲେଟସ୍‌ର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଓଡ଼ିଶା ମିଲେଟସ୍ ମିଶନ ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ୍ ସାବ୍ୟସ୍ତ ହୋଇଥିବା ଏହି ପୁରସ୍କାର ପ୍ରମାଣିତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ ପ୍ରକାଶ କରିଛନ୍ତି । ପୁଷ୍ଟିଶସ୍ୟ ମାଣ୍ଡିଆର ପୁନରୁଦ୍ଧାର ସହିତ କ୍ଷେତ୍ରରୁ ଖାଦ୍ୟଥାଳିରେ ପହଞ୍ଚାଇବା ଦିଗରେ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ମାଣ୍ଡିଆକୁ ଏକ ପ୍ରମୁଖ ଖାଦ୍ୟର ମାନ୍ୟତା ଦେଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଛନ୍ତି । ଏହି ପୁରସ୍କାର ଓଡ଼ିଶା ମିଲେଟସ୍ ମିଶନକୁ ଅଧୂକ ପାରଦର୍ଶିତାର ସହ କାର୍ଯ୍ୟ ସଂପାଦନରେ ସହାୟକ ହେବା ସହିତ ଜନଜାତି ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳାମାନଙ୍କୁ ସଶକ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget