loading...

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ ଉଦ୍‌ଯାପିତ ‘ଶାରୀରିକ ଅକ୍ଷମତା ବ୍ୟକ୍ତିଗତ ଉନ୍ନତି ଓ ସଫଳତାରେ ପ୍ରତିବନ୍ଧକ ନୁହେଁ ' : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  ଡିସେମ୍ବର ୨୦୨୩




ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜ୍ଞାପନ କରି କହିଛନ୍ତି ଯେ ରାଜ୍ୟର ଭିନ୍ନକ୍ଷମ ବ୍ୟକ୍ତିମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଦେଖାଇଛନ୍ତି । କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା ସବୁକ୍ଷେତ୍ରରେ ସେମାନେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସାରା ଦେଶର ଯୁବ ସମାଜ ପାଇଁ ଏକ ଆଇକନ୍ ହୋଇପାରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଦେଶର ଗୌରବ ବୃଦ୍ଧି କରିଛନ୍ତି । ତେଣୁ ଶାରୀରିକ ଅକ୍ଷମତା ବ୍ୟକ୍ତିଗତ ଉନ୍ନତି ଓ ସଫଳତାରେ ପ୍ରତିବନ୍ଧକ ନୁହେଁ । ମନୋବଳ ଉପରେ ସବୁ ନିର୍ଭର କରେ । ତେଣୁ ଭିନ୍ନକ୍ଷମମାନେ ଯେପରି ଆତ୍ମବିଶ୍ଵାସର ସହ ଆଗକୁ ବଢ଼ିପାରିବେ ସେ ଦିଗରେ ସମାଜ ଓ ପରିବାର ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଭିନ୍ନକ୍ଷମମାନଙ୍କ ଉଦ୍ୟମକୁ ପ୍ରୋତ୍ସାହନ ଦେବା ଦରକାର । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବା ସହ ରାଜ୍ୟ ସରକାର ସବୁବେଳେ ସେମାନଙ୍କ କଲ୍ୟାଣ ପାଇଁ କାମ କରୁଛନ୍ତି ଓ କରିଚାଲିବେ ବୋଲି ପ୍ରକାଶ କରିଛନ୍ତି । ଆଜି ସନ୍ଧ୍ୟାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ତିନିଦିନିଆ ସମାରୋହର ଉଦ୍‌ଯାପନ ପର୍ବରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ମର୍ମରେ ରାଜ୍ୟର ଭିନ୍ନକ୍ଷମ ଭାଇଭଉଣୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।

କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏହି ବର୍ଣ୍ଣାଢ଼ୀ ସମାବେଶରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଯେ ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କ ସୁରକ୍ଷା ସାଙ୍ଗକୁ ସେମାନଙ୍କ କଲ୍ୟାଣ ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେବା ପ୍ରସଙ୍ଗରେ ଦୃଷ୍ଟିବାଧୂତମାନଙ୍କ ପାଇଁ ଓଡ଼ିଆ ସାହିତ୍ୟର ବିଶିଷ୍ଟ କୃତିଗୁଡ଼ିକର ବ୍ରେଲି ସଂସ୍କରଣ ପ୍ରକାଶ ପାଉଛି ବୋଲି ଦର୍ଶାଇଥିଲେ । ସେହିପରି ବିଧାୟକ ପାଣ୍ଠିରୁ ଭିନ୍ନକ୍ଷମମାନଙ୍କ ପାଇଁ ବିଦ୍ୟୁତଚାଳିତ ଟ୍ରାଇ-ସାଇକେଲ ଓ ହୁଇଲ୍ ଚେୟାର ଯୋଗାଇ ଦିଆଯାଉଛି । ଭିନ୍ନକ୍ଷମମାନଙ୍କ ପ୍ରତି ଆମର ବ୍ୟବ‌ହାର ଓ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଗୁରୁତ୍ୱ ଦେଇଥିଲେ ।

ଭୁବନେଶ୍ଵର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ଦିଗରେ ସମାଜର ସବୁବର୍ଗର ଲୋକ ଉଦ୍ୟମ ଜାରି ରଖିଲେ ସେମାନେ ବିକାଶ ପ୍ରକ୍ରିୟାର ଅଂଶୀଦାର ହୋଇପାରିବେ ବୋଲି କହିଥିଲେ । ଭୁବନେଶ୍ଵର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମଧ୍ୟ ବକ୍ତବ୍ୟ ରଖୁଥିଲେ ।

ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଲେ ଯେ ଭିନ୍ନକ୍ଷମମାନେ ବିଭିନ୍ନ ପ୍ରତିବନ୍ଧକ ଓ ଆହ୍ୱାନର ସମ୍ମୁଖୀନ ହୋଇ ମଧ୍ଯ ସମାଜକୁ

ପ୍ରେରଣା ଯୋଗାଉଥିବାରୁ କୌଣସି ବୈଷମ୍ୟ ଓ ତାରତମ୍ୟ ନରଖ୍ ସେମାନଙ୍କୁ ସାମଗ୍ରିକ ବିକାଶରେ ଅନ୍ତର୍ଭୁକ୍ତ କରିବାକୁ ହେବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ କ୍ରମରେ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସର ତାତ୍ପର୍ଯ୍ୟ ଉଲ୍ଲେଖ କରିବା ସହିତ ରାଜ୍ୟରେ ଭିନ୍ନକ୍ଷମମାନଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ସହିତ ସଂରକ୍ଷଣ ଏବଂ ଶିକ୍ଷା ତଥା ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ । ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ।

ଅତିଥିମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥ‌ିବା ଭିନ୍ନକ୍ଷମ ବ୍ୟକ୍ତିତ୍ଵ ତଥା କୃତୀ ଫଟୋଗ୍ରାଫରମାନଙ୍କୁ ସମ୍ବନ୍ଧିତ ଏବଂ ପୁରସ୍କୃତ କରିଥିଲେ । ମୃତ୍ୟୁଞ୍ଜୟ ବିଶ୍ଵାଳ ଏବଂ ନିବେଦିତା ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଭାଗର ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ତିନିଦିନ ଧରି ଚାଲିଥିବା ଏହି ସମାବେଶରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ପେଣ୍ଟିଂ ଓ ଫଟୋଗ୍ରାଫି ପ୍ରଦର୍ଶନୀ, ଭିନ୍ନକ୍ଷମମାନଙ୍କ କ୍ରୀଡ଼ା ପ୍ରତିଯୋଗିତା ଓ ଚଳଚ୍ଚିତ୍ର ଉତ୍ସବ ଆୟୋଜିତ ହୋଇଥିଲା ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget