ଭୁବନେଶ୍ୱର, ୨୨ ଫେବୃୟାରୀ ୨୦୨୪
ନୂଆଦିଲ୍ଲୀସ୍ଥତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ଦି ଇନ୍ତେଲେକ୍ଟ୍ସ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ଦଶମ ଅନ୍ତର୍ଜାତୀୟ ମାତୃଭାଷା ସମ୍ମୀଳନୀର ଦ୍ବିତୀୟ ଦିବସରେ ଓଡ଼ିଆ ଭାଷାର ସମସ୍ୟା ଓ ତାର ସମାଧାନ ଶୀର୍ଷକ ଆଭାଷୀ ଆଲୋଚନାରେ ବିଶ୍ଵର ବିଭିନ୍ନ କୋଣରୁ ମାତୃଭାଷା ପ୍ରତି ସମର୍ପିତ ଯୁବ ଓ ବରିଷ୍ଟ ବ୍ୟକ୍ତିତ୍ଵ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ। ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାର ଅକ୍ଷର ସଂଖ୍ୟା ଓ କ୍ରମ, ଓଡ଼ିଆ ଭାଷାକୁ ଆଗାମୀ ପିଢ଼ିଙ୍କ ପାଖରେ ପହଞ୍ଚାଇବାକୁ ଏହାର କମ୍ପ୍ୟୁଟରୀକରଣ ଓ ତୃଣମୂଳ ସ୍ତରରେ ସଶକ୍ତ କରିବା ପାଇଁ ଓଡ଼ିଆ ଶିକ୍ଷକ ନିଯୁକ୍ତି ତଥା ରାଜ୍ୟ ବା ଦେଶ ବାହାରେ ରହୁଥିବା ଓଡ଼ିଆ ପିଲାମାନଙ୍କ ପାଇଁ ମାନକ ପରୀକ୍ଷା ବ୍ୟବସ୍ଥା ଉପରେ ବିଶେଷ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ବରିଷ୍ଟ ଭାଷାବିତ୍ ପ୍ରଫେସର ବି ଏନ ପଟ୍ଟନାୟକ ଯୋଗଦେଇ ମାତୃଭାଷାକୁ ଓଡ଼ିଶାରେ ପ୍ରତ୍ୟେକ ପିଲାପାଇଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି। ଏହାଦ୍ବାରା ଓଡ଼ିଆ ଭାଷାକୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକରେ ଆଉ ଅଣ ଦେଖା କରାଯିବ ନାହିଁ ବୋଲି କହିଥିଲେ। ଓଡ଼ିଆ ଭାଷାର କମ୍ପ୍ୟୁଟର ଲିପି ବିଶେଷଜ୍ଞ ସୁଧୀର ପଟେଲ ଉପଯୁକ୍ତ ଲିପିର ଅଭାବରୁ ଓଡ଼ିଆ ଭାଷାର ମାନ ଅନ୍ୟ ଭାଷା ତୁଳନାରେ ନ୍ୟୁନ ହେବା ପରି ମନେହେଉଛି। ଏହାର ସମାଧାନ ପାଇଁ ସେ କେତେଗୁଡ଼ିଏ ପ୍ରସ୍ତାବ ରଖିଛନ୍ତି । ସେହିପରି କୃତ୍ରିମ ବୁଦ୍ଧିମତା ବିଶେଷଜ୍ଞ ଆମେରିକାରୁ ଅଞ୍ଜନ କୁମାର ପଣ୍ଡା ଯୋଗଦେଇ 'ବାର୍ତ୍ତା ରୁ ବାକ୍ୟ' ଟେକ୍ନୋଲୋଜିକୁ ବ୍ୟବହାର କରି ଯୁବ ପିଢ଼ିକୁ ମାତୃଭାଷା ସହିତ ଅଧିକ ବ୍ୟସ୍ତ ରଖିବା ସହିତ କୃତ୍ରିମ ବୁଦ୍ଧିମତା ଦ୍ବାରା ଓଡ଼ିଆ ଭାଷାକୁ ବିଶ୍ଵ ସ୍ତରରେ ଆଦୃତ କରାଇବା ପାଇଁ ନୂତନ ଉଦ୍ୟୋଗୀ ଆଗକୁ ଆସିବାକୁ ଆହ୍ବାନ କରିଥିଲେ। ସେହିପରି ଇଂଲଣ୍ଡରୁ ଶିବ ପ୍ରସାଦ ବିଶ୍ଵାଳ ଯୋଗଦେଇ ମାତୃଭାଷାର ଉନ୍ନତି ପାଇଁ ସେଠାରେ ନିଆଯାଇଥିବା ପ୍ରକଳ୍ପ ପୋଥି ଡ଼ଟ୍ କମ୍ ବିଷୟରେ ଅବଗତ କରାଇବା ସହିତ ଏହି ପ୍ରୟାସରେ ସାମିଲ ହେବାକୁ ଆହ୍ବାନ କରିଥିଲେ। ପ୍ରଫେସର ଉଦୟ ନାଥ ସାହୁ ଦିଲ୍ଲୀରୁ, ପ୍ରଫେସର ବସନ୍ତ କୁମାର ପଣ୍ଡା ଭୁବନେଶ୍ବରରୁ, ଡଃ ସୁନନ୍ଦା ମିଶ୍ର ପଣ୍ଡା କାନାଡାରୁ, ଡ଼ଃ ଇନ୍ଦ୍ରମଣି ସାହୁ ଶାନ୍ତିନିକେତନ ବିଶ୍ବ ବିଦ୍ୟାଳୟରୁ, ଡ଼ଃ ନିଳୀମା ପ୍ରିୟଦର୍ଶିନୀ କଟକରୁ, ତାପସ ରାଜ ମହାରଣା ବଙ୍ଗଲୁରୁରୁ, ପ୍ରତାପ ରାଉତ ଛତିଶଗଡରୁ, ବିଶେଶ୍ବର ମାଝୀ, ହିମାଂଶୁ ପ୍ରହରାଜ ମୁମ୍ବାଇରୁ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରି ସମସ୍ତ ସମସ୍ୟା ଓ ତାର ସମାଧାନ ଉପରେ ବିଶେଷ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାନ୍ତ୍ଵନା ଦାସ, ସୁସ୍ମିତା ଦାସ, ସୃତି ରଞ୍ଜନ ମିଶ୍ର, ଭବାନୀ ଦୀକ୍ଷିତ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ହିମାଂଶୁ ଶେଖର ଫତେସିଂହ, ପାରମିତା ଷଡଙ୍ଗୀ, ଶୈଳବାଳା ପଣ୍ଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିତ୍ଵ ଯୋଗଦେଇ ଥିଲେ। ଏହି ଆଲୋଚନାରେ ନିଆଯାଇଥିବା ନିଷ୍ପତି ଗୁଡ଼ିକ ଆବାହକ ଶ୍ରୀ ରାଉତ ଏକ ପ୍ରସ୍ତାବନା ମାଧ୍ୟମରେ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ମିଳିତ ଭାବେ ସମସ୍ତ ପ୍ରୟାସକୁ ରୂପାୟନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ମାତୃଭାଷାକୁ ସୁଦୃଢ଼ କରିବା ପାଇଁ ବିଶ୍ଵର ବିଭିନ୍ନ କୋଣରୁ ଏକ ସ୍ଵରରେ ଏକ ମଞ୍ଚରେ ଏପରି ପ୍ରୟାସ ଏକ ଶୁଭ ସଙ୍କେତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Post a Comment