loading...

ରଥଯାତ୍ରା ଉପଲକ୍ଷେ ପୁରୀଠାରେ ସେବା ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର, ୬ ଜୁଲାଇ ୨୦୨୪



:ସ୍ୱେଚ୍ଛାସେବୀ ସଂଗଠନ ସମାଜ ସେବାର ଆତ୍ମା:
:ପବିତ୍ର ରଥଯାତ୍ରାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସେବା କରିବା ସ୍ୱେଚ୍ଛାସେବୀମାନଙ୍କ ପାଇଁ ମହାର୍ଘ ଅବସର: - ରାଜ୍ୟପାଳ



 ସ୍ୱେଚ୍ଛାସେବୀ ସଂଗଠନମାନେ ହେଉଛନ୍ତି ସମାଜ ସେବାର ଆତ୍ମା । ଅନ୍ୟର ସେବା କରିବା ଦ୍ୱାରା ଯାହା ପୂଣ୍ୟ ମିଳିଥାଏ ତାହାର ବିକଳ୍ପ ନାହିଁ । ପରୋପକାର ପାଇଁ ସମର୍ପିତ ବ୍ୟକ୍ତି ସର୍ବଦା ସଫଳ ହୋଇଥାନ୍ତି । ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ପାବନକ୍ଷେତ୍ର ପୁରୀଠାରେ ଦେଶ ଏବଂ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀଠାରେ ସମବେତ ହେଉଥିବାରୁ ସେହି ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ସେବା ଯୋଗାଇଦେବା ସ୍ୱେଚ୍ଛାସେବୀମାନଙ୍କ ପାଇଁ ମହାର୍ଘ ଅବସର ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ଚଳିତ ଜୁଲାଇ ୬ ତାରିଖ ଶନିବାର ଦିନ ରାଜ୍ୟ ସରକାର, ସେଂଟ୍ ଜନ୍ ଆମ୍ବୁଲାନ୍ସ, ଭାରତୀୟ ରେଡ୍‌କ୍ରସ୍ ସଂସ୍ଥା ଏବଂ ଭାରତ ସ୍କାଉଟ୍ ଆଣ୍ଡ ଗାଇଡସ୍‌ଙ୍କ ମିଳିତ ଆନୁକୂଲ୍ୟରେ ପୃଥକ ପୃଥକ ଭାବେ ଆୟୋଜିତ ସେବା ଶିବିରକୁ ମୁଖ୍ୟ ଅତିଥିଭାବେ ଉଦ୍‌ଘାଟନ କରି ରାଜ୍ୟପାଳ ଶ୍ରୀ ଦାସ ଏହି ମତବ୍ୟକ୍ତ କରିଛନ୍ତି । ସ୍ୱେଚ୍ଛାସେବୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ଉଦ୍‌ବୋଧନ ଛଳରେ ରାଜ୍ୟପାଳ କହିଥିଲେ ଯେ, ଦେଶ ବିଦେଶରୁ ଶ୍ରଦ୍ଧାଳୁ ଭକ୍ତମାନେ ଆନନ୍ଦ ମନରେ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଦେଖିବା ପାଇଁ ପୁରୀ ଆସିଥାନ୍ତି । ସମସ୍ତ ଭକ୍ତ ଯେପରି ସୁସ୍ଥ ରହିବେ ତାହା ଆମର ପ୍ରାଥମିକତା । କିନ୍ତୁ ଯଦି କୌଣସି ପରିସ୍ଥିତି ଉପୁଜେ ତେବେ ସେମାନଙ୍କ ସେବାରେ ଯେପରି ବିଳମ୍ବ ହେବ ନାହିଁ ସେଥିପାଇଁ ଜାଗ୍ରତ ରହିବା ଆବଶ୍ୟକ । ଓଡ଼ିଶାର ଅସ୍ମିତା, ସମାଜ ସେବା ଓ ସମାଜ ସଂସ୍କାରର ସମୃଦ୍ଧ ପରଂପରା ରହିଛି । ସେବା କ୍ଷେତ୍ରରେ ସମର୍ପିତ ହୋଇ କିପରି ସମାଜ ସେବା କରାଯାଏ- ଉତ୍କଳମଣି ଗୋପବନ୍ଧୁ ଦାସ ଏହାର ଜ୍ୱଳନ୍ତ ଉଦାହରଣ । ଏଣୁ ପ୍ରତ୍ୟେକ ସ୍ୱେଚ୍ଛାସେବୀ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଜଣାଇଥିଲେ । ସ୍ୱେଚ୍ଛାସେବୀମାନଙ୍କଠାରେ ଅପାର ଶକ୍ତି ଓ ପ୍ରତିଭା ରହିଛି । ସେହି ପ୍ରତିଭାର ସଫଳ ଉପଯୋଗ କରି ସଫଳତାର ଶୀର୍ଷକ ସାଜି ସମାଜ ସେବାର ଅନନ୍ୟ ଉଦାହରଣ ସୃଷ୍ଟି କରିପାରିବେ ବୋଲି ରାଜ୍ୟପାଳ ଆଶା ପୋଷଣ କରିଥିଲେ । 

ଉଲ୍ଲେଖଯୋଗ୍ୟ ଯେ ପୁରୀସ୍ଥିତ ଗୋପବନ୍ଧୁ ଆର‌୍ୟୁବେଦ ମହାବିଦ୍ୟାଳୟଠାରେ ଆୟୋଜିତ ସେଂଟ୍ ଜନ୍ ଆମ୍ବୁଲାନସ୍‌ର ୩୪ତମ ଜାତୀୟ ସେବା ଶିବିରକୁ ଉଦ୍‌ଘାଟନ କରି ରାଜ୍ୟପାଳ ଉଦ୍‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ସେଂଟ୍ ଜନ୍ ଆମ୍ବୁଳାନ୍ସ୍‌ର ଚେୟାରମ୍ୟାନ ଡ଼.ମୁକେଶ ମହାଲିଙ୍ଗ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଡି.ଆଇ.ଜି ଅଫ୍ ପୋଲିସ୍ (ଫାୟାର୍ ଆଣ୍ଡ ଏସେନ୍‌ସିଆଲ ସର୍ଭିସ, ହୋମଗାର୍ଡସ୍‌) ରାଜେଶ ପଣ୍ଡିତ ଯୋଗଦେଇଥିଲେ । ସେଂଟ୍ ଜନ୍ସ ଆମ୍ବୁଲାନ୍ସର ଅତିରିକ୍ତ କମିଶନର କାଳୀ ପ୍ରସାଦ ମିଶ୍ର ବିବରଣୀ ଉପସ୍ଥାପନ କରିଥିବାବେଳେ ଅବୌତନିକ ସଂପାଦକ ନିଧି କୁମାର ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । 

ପରେ ପରେ ଗୋପବନ୍ଧୁ ଆର‌୍ୟୁବେଦ ମହାବିଦ୍ୟାଳୟଠାରେ ଆୟୋଜିତ, ଭାରତୀୟ ରେଡ୍‌କ୍ରସ ସୋସାଇଟି ଓଡ଼ିଶା ରାଜ୍ୟଶାଖା ଆନୁକୂଲ୍ୟରେ ଆୟୋଜିତ ସାମାଜିକ ସେବା ଶିବିରକୁ ରାଜ୍ୟପାଳ ଉଦ୍‌ଘାଟନ କରି ଉଦ୍‌ବୋଧନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ୟୁଥ ରେଡ୍‌କ୍ରସର କାଯ୍ୟକାରୀ କମିଟି ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ସୁରଜ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଭାରତୀୟ ରେଡ୍‌କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଡ଼.ମୁକେଶ ମହାଲିଙ୍ଗ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଭାରତୀୟ ରେଡ୍‌କ୍ରସ ସୋସାଇଟି ଓଡ଼ିଶା ରାଜ୍ୟଶାଖାର ଅବୌତନିକ ସଂପାଦକ ବିଭୂତି ଭୂଷଣ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । 

ଏହାପରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟଠାରେ ଭାରତ ସ୍କାଉଟସ୍ ଓ ଗାଇଡସ୍ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସେବା ଶିବିରକୁ ରାଜ୍ୟପାଳ ଉଦ୍‌ଘାଟନ କରି ଉଦ୍‌ବୋଧନ ଦେଇଥିଲେ । ଭାରତ ସ୍କାଉଟସ୍ ଓ ଗାଇଡସ୍‌ର ଷ୍ଟେଟ୍ ଚିଫ୍ କମିସନର ତଥା ଜାତୀୟ ଉପସଭାପତି ଡ଼. କାଳୀପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget