loading...

ସମବାୟ ବିଭାଗର କର୍ମଶାଳା ଅନୁଷ୍ଠିତ, ରାଜ୍ୟର ବିକାଶରେ ଅଂଶୀଦାର ହେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ

ଭୁବନେଶ୍ୱର,  ଜୁଲାଇ ୨୦୨୪




ଓଡ଼ିଶା ରାଜ୍ୟ ସମବାୟ ବିଭାଗ ତରଫରୁ ଆଜି ପୂର୍ବାହ୍ନରେ କୃଷି ଭବନ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷଚାରାରେ ଜଳପ୍ରଦାନପୂର୍ବକ କର୍ମଶାଳାର ଶୁଭାରମ୍ଭ କରିଥିଲେ । ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଲେ ଯେ ରାଜ୍ୟ ସରକାର ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରିବା ପାଇଁ ସଂକଳ୍ପବଦ୍ଧ । ଏ ଦିଗରେ ସମବାୟ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ବିଭାଗର ପ୍ରତ୍ୟେକ କର୍ମଚାରୀ ଦଳଗତ ମନୋଭାବ ନେଇ କାର୍ଯ୍ୟକଲେ ରାଜ୍ୟରେ ବିକାଶର ଲକ୍ଷ୍ୟ ସହ ଲୋକମାନଙ୍କର ଆଶା-ଆକାଂକ୍ଷା ପୂରଣ ହୋଇପାରିବ । ଏହି ବିକାଶ ପ୍ରକ୍ରିୟାରେ ଅଂଶୀଦାର ହେବା ପାଇଁ ସେ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ କହିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । 

କର୍ମଶାଳାରେ ସମବାୟ ବିଭାଗ ଏବଂ ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଆଗାମୀ ୧୦୦ ଦିନର କାର୍ଯ୍ୟପନ୍ଥା ସହ ଚଳିତ ବର୍ଷ ଏବଂ ଆସନ୍ତା ୫ ବର୍ଷର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଶେଷରେ ବିଭାଗର କାର୍ଯ୍ୟକ୍ରମ ଉପରେ ଆସିଥିବା ବିଭିନ୍ନ ମତାମତକୁ ପ୍ରାଧାନ୍ୟ ଦେଇ ଏସବୁର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା ହୋଇଥିଲା । 

ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ବିଭାଗର କାର୍ଯ୍ୟକ୍ରମ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ସେ କହିଥିଲେ ଯେ ସମବାୟ ବିଭାଗ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ, ଯାହା କୃଷି ଓ କୃଷକର ଉନ୍ନତି ପାଇଁ କାର୍ଯ୍ୟ କରୁଛି । ଆମେ ଯେତିକି କାର୍ଯ୍ୟ କରୁଛୁ ତା’ଠାରୁ ଆହୁରି ଅଧିକ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିବା । ଆମେ ଯେତେ ଅଧିକ କାର୍ଯ୍ୟ କରିବା ସେତିକି ଅଧିକ ଚାଷୀମାନଙ୍କର ଉନ୍ନତି ହେବ ଏବଂ ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ସମ୍ଭବପର ହୋଇପାରିବ । 

କାର୍ଯ୍ୟକ୍ରମରେ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ସଦସ୍ୟ ସଚିବ ତଥା କୃଷି ବିପଣନ ନର୍ଦ୍ଦେଶକ ଏବଂ ସମବାୟ ମହାସମୀକ୍ଷକ ଶ୍ରୀ ପ୍ରଭୁ କଲ୍ୟାଣ ପଟ୍ଟନାୟକ ଯୋଗଦେଇ ସମବାୟ ସମୀକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ମାର୍କଫେଡ୍‌ର ଏମ୍‌ଡି ଶ୍ରୀ ଲିଙ୍ଗରାଜ ପଣ୍ଡା ସଂସ୍ଥାର କାର୍ଯ୍ୟକ୍ରମ ସଂପର୍କରେ ସମ୍ୟକ ଧାରଣା ଦେଇଥିଲେ । ଓଏସ୍‌ଡବ୍ଲୁ୍ୟସିର ସିଜିଏମ୍‌ ସୁପ୍ରିୟା ସାହୁ ନିଗମର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ବର୍ଣ୍ଣନା କରିଥିଲେ । ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀମାନେ ଯୋଗଦେଇଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget