August 2024

ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୪







ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋ ଆରୋହଣ ପାଇଁ ଆଶିର୍ବାଦ ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ  ଲିପିକା ସେଠ୍ ଆଜି ଓଡ଼ିଶା ବିଧାନସଭା ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି।

 ଆଗାମୀ ସେପ୍ଟେମ୍ବର ୨୦ ତାରିଖରେ ସେ ଅଷ୍ଟ୍ରେଲିଆ ମହାଦେଶ ର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋ ଆରୋହଣ ପାଇଁ ଅଭିଯାନ ଆରମ୍ଭ କରୁଛନ୍ତି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲିପିକାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସଫଳ ଆରୋହଣ ପାଇଁ ଆଶୀର୍ବାଦ କରିଥିଲେ । 

 ସଫଳତାର ସହ ଅଷ୍ଟ୍ରେଲିଆର  ଉଚ୍ଚତ୍ତମ ଶୃଙ୍ଗ ଆରୋହଣ କରି ତୁମେ ନିଜ ପାଇଁ ଓ ସାରା ରାଜ୍ୟ ପାଇଁ ନିଶ୍ଚୟ ସୁନାମ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଥିଲେ। ଆଗାମୀ ଦିନରେ ବିଶ୍ଵର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ଆରୋହଣ କରି ତୁମେ ସଫଳତାର ଶୀର୍ଷକୁ ଯାଅ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶିର୍ବାଦ କରି କହିଥଲେ।
    ସୂଚନା ଯୋଗ୍ୟ ଯେ ଲିପିକା ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଡାଲବ୍ ଗାଁ'ର ବାସିନ୍ଦା। ସେ ଭାରତ ବର୍ଷର ଅନେକ ଛୋଟ ବଡ ପର୍ବତ ସମେତ ଆଫ୍ରିକାର ମାଉଣ୍ଟ କିଲିମାଁନଜାରୋ ଏବଂ ଇଉରୋପ ଓ ରୁଷିଆର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍ ସଫଳତାର ସହ ଆରୋହଣ କରିଛନ୍ତି ।

ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୪





  • ୩୦ଟି ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ପୌରପ୍ରଶାସନ ସହ ଯୋଡି ହୋଇ ଜନପ୍ରତିନିଧିମାନେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ କାର୍ଯ୍ୟ କରନ୍ତୁ – ମୁଖ୍ୟମନ୍ତ୍ରୀ
  • ୨୭ଜଣ ନବନିଯୁକ୍ତ ପୌରପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୩୦ଟି ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୭ଜଣ ନବନିଯୁକ୍ତ ପୌରପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। 

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକ ମାନଙ୍କୁ ସ୍ବାୟତ୍ତ ଶାସନ ମାଧ୍ୟମରେ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଶାସନଗତ ବ୍ୟବସ୍ଥା ରହିଛି। ଏହି ସ୍ବାୟତ୍ତ ଶାସନ ବ୍ୟବସ୍ଥା ଦେଶରେ ସ୍ବାଧିନତା ପ୍ରାପ୍ତିର ବହୁ ପୂର୍ବରୁ ଲର୍ଡ ରିପନଙ୍କ ସମୟରୁ ଆରମ୍ଭ ହୋଇଥିଲା। 

ସେ ଆହୁରି ମଧ୍ୟ କହିଥିଲେ ପଞ୍ଚାୟତି ରାଜ ଓ ସହରାଞ୍ଚଳରେ କାର୍ଯ୍ୟରତ ସ୍ବାୟତ୍ତ ଶାସନ ବ୍ୟବସ୍ଥାର କାର୍ଯ୍ୟଭାର ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ନିଜ କାନ୍ଧରେ ଉଠାଇବାକୁ ପଡିବ। ସେ କହିଥିଲେ ଏ ସରକାର ହେଉଛି ଲୋକଙ୍କ ସରକାର, ପୌରପ୍ରଶାସନ ସହ ଯୋଡି ହୋଇ ଜନପ୍ରତିନିଧି ଭାବେ ନିର୍ବାଚିତ ସମସ୍ତ କାଉନ୍‌ସିଲର, ଉପାଧ୍ୟକ୍ଷ ଓ ଅଧ୍ୟକ୍ଷ ମାନେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଲୋକଙ୍କ ଆଶା ପୂରଣ କରିବା ଦିଗରେ କାର୍ଯ୍ୟ କରିବା ଉଚିତ୍। ଜନ ସାଧାରଣଙ୍କୁ ଉପଯୁକ୍ତ ସେବା ପ୍ରଦାନ ପାଇଁ ଏ ଦିଗରେ ସମସ୍ତ ସ୍ୱାୟତ୍ତଶାସନ ସଂସ୍ଥାର ଅଧିକାରୀ ତଥା ଜନପ୍ରତିନିଧିମାନେ ନିଜ ନିଜର ଦାୟିତ୍ୱ ତୁଲାଇବା ଉଚିତ୍।  ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଓ ପୌରପାଳିକା ଗୁଡିକୁ ସଶକ୍ତ ଓ ସ୍ବାଧୀନ ହୋଇ ନିଜ ନିଜ ପରିଧିରେ ବିଭିନ୍ନ ସହରାଞ୍ଚଳର ଭିତ୍ତିଭୂମି ସମ୍ପର୍କିତ ଯୋଜନା ଓ ସେବା ପ୍ରଦାନ ପାଇଁ କାର୍ଯ୍ୟକରିବାକୁ ସାମ୍ବିଧାନିକ ବ୍ୟବସ୍ଥା ରହିଛି। ଭାରତ ସରକାରଙ୍କ ସହଯୋଗରେ ନାଗରିକ ତଥା ବୈଷୟିକ ସେବା ଯୋଗାଣକାରୀ ବ୍ୟକ୍ତିଙ୍କ ପାଇଁ ଏକ ସରଳ ହ୍ୟାଣ୍ଡ ବୁକ୍ ଓ ଟୁଲ୍‌କିଟ୍ ପ୍ରସ୍ତୁତି କରାଯାଉଛି। ଏହା ସେମାନଙ୍କୁ ମାଷ୍ଟର ପ୍ଲାନ, ବିଲ୍ଡିଙ୍ଗ୍ ପ୍ଲାନ ଓ ଲେ-ଆଉଟ୍ ଅନୁମୋଦନକୁ ସମୟୋଚିତ ସମ୍ପାଦନ କ୍ଷେତ୍ରରେ ସହାୟତା କରିବ।

ସେ କହିଥିଲେ ଯେ ଆଜି ସମଗ୍ର ବିଶ୍ୱରେ ସହରୀକରଣ ବୃଦ୍ଧି ପାଉଛି। ଗ୍ରାମାଞ୍ଚଳରୁ ଅନେକ ଲୋକ ସୁଖ ସ୍ୱାଚ୍ଛନ୍ଦ୍ୟର ସୁନେଲି ସ୍ୱପ୍ନ ଓ ଅଧିକ ରୋଜଗାର ପାଇବା ଆଶାରେ ସହର ମୁହାଁ ହେଉଛନ୍ତି। କିନ୍ତୁ ବାସ୍ତବରେ ସେମାନେ ସହରରେ ଏ ସବୁ ପାଇନଥାନ୍ତି। ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ରାଜଧାନୀ ଭୁବନେଶ୍ୱର ୧୯୪୮ ମସିହାରେ ମାତ୍ର ୧୦ ହଜାର ଜନସଂଖ୍ୟା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଆଜି ଏଠାରେ ୧୫ ରୁ ୨୦ ଲକ୍ଷ ଲୋକ ବସବାସ କରୁଛନ୍ତି। ଆଜି ଦିନରେ ଆମ ଭୁବନେଶ୍ୱର ଅର୍ଥନୀତିର ଅଭିବୃଦ୍ଧି ଘଟିଛି, ଆଧୁନିକତା ବଢିଛି, ଭାରତବର୍ଷରେ ଭୁବନେଶ୍ୱର ନାମି ସହର ଭାବେ ନାମ କମାଇଛି। କିନ୍ତୁ ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାର ସମସ୍ୟା ରହିଛି। ଆଗାମୀ ଦିନରେ ଭୁବନେଶ୍ୱର ସମେତ ରାଜ୍ୟର ସବୁ ସହରାଞ୍ଚଳର ବିକାଶ ପାଇଁ ଆମ ସରକାର ସଚେତନ ଅଛନ୍ତି ଏବଂ ଏହି ବିକାଶ କାମ ନିଶ୍ଚିତ ଭାବେ ହେବ ଏବଂ ଆଗାମୀ ଦିନରେ ଆମ ସହରଗୁଡିକର ଅବସ୍ଥାରେ ପରିବର୍ତ୍ତନ ଆସିବ, ବିକଶିତ ହେବ ଏବଂ ସ୍ମାର୍ଟ ହେବ ବୋଲି ସେ କହିଥିଲେ। ଏଥି ସହିତ ଆଜି ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡିକ ଆଗାମୀ ଦିନରେ ଆମକୁ ସୁଖ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଜୀବନଯାପନ କରିବାରେ ସହାୟକ ହେବ ବୋଲି  ମୁଖ୍ୟମନ୍ତ୍ରୀ କହିଥିଲେ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟକୁ ସାକାର କରିବା ପାଇଁ ଆମେ ବିକଶିତ ଓଡିଶା ନିର୍ମାଣର ଲକ୍ଷ୍ୟ ରଖିଛୁ ଏଥି ନିମନ୍ତେ ଗ୍ରାମାଞ୍ଚଳ ସହିତ ସହରାଞ୍ଚଳ ବିକାଶକୁ ଗୁରୁତ୍ବ ଦେଇ ବଜେଟ୍ ରେ ଅଧିକ ଅର୍ଥ ବ୍ୟବସ୍ଥା ମଧ୍ୟ କରିଛୁ ବୋଲି ସେ କହିଥିଲେ। 

ସେ ପୁଣି କହିଥିଲେ ପୌରପାଳିକା ଗୁଡିକରେ ଭାରତ ସରକାରଙ୍କ ପକ୍ଷରୁ ‘ଜଳ ଜୀବନ ମିଶନ’ ଯୋଜନା ମାଧ୍ୟମରେ ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି। ଜଳ ଯୋଗାଣ ପରିଚାଳନାରେ ଆମ ଜଳସାଥୀମାନେ ଦକ୍ଷତାର ସହ କାମ କରୁଛନ୍ତି। ଜଳର ମାନ ନିର୍ଦ୍ଧାରଣ ପାଇଁ ସେମାନେ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ କହିଥିଲେ ଯେ ରାଜ୍ୟରେ ୫ଟି ମହାନଗର ନିଗମ ସହିତ ୧୧୫ଟି ସ୍ୱାୟତ୍ତଶାସନ ସଂସ୍ଥାର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ଅଛନ୍ତି। ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖରେ ପହଞ୍ଚିବା ଓ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ଦିଗରେ ସର୍ବଦା ଗୁରୁତ୍ୱ ଦେଉଛନ୍ତି। ସହରାଞ୍ଚଳ ବିକାଶ ସହିତ ଲୋକମାନଙ୍କୁ ସର୍ବନିମ୍ନ ଆବଶ୍ୟକତା ଯୋଗାଇଦେବା ଆମର ଦାୟିତ୍ୱ। ଏଥି ନିମନ୍ତେ ବିଭିନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଥିଲେ।


କାର୍ଯ୍ୟକ୍ରମରେ କୋଭିଡ୍ ସମୟରୁ ଉଠାଦୋକାନୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ହିତାଧିକାରୀ ଏବଂ ଅଂଶୀଦାରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ବାରିପଦାର ରାଇମଣୀ କିସ୍କୁ ଯୋଜନାରେ ଘର ପାଇଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆଭାସି ଜରିଆରେ କଥା ହୋଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି କୋରାପୁଟର ଜଳସାଥୀ ଶ୍ରୀମତୀ ରୀପା ହିଆଲ ଜଣେ ଗୃହିଣୀ ଓ ଜଳସାଥୀର ପରିଚୟ ପାଇ ତାଙ୍କ ପରିବାରକୁ ଖୁସୀରେ ଚଳାଉ ଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସମସ୍ତେ ଯେପରି ବିଶୁଦ୍ଧ ପାନୀୟ ଜଳ ପାଇବେ ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ କହିଥିଲେ ଏବଂ ଯିବା ଆସିବା ପାଇଁ ଗାଡି ଚଲାଇଲା ବେଳେ ହେଲ୍‌ମେଟ୍‌ ପିନ୍ଧିବା ପାଇଁ ସଚେତନ କରିଥିଲେ।

ଏହି ଅବସରରେ କଟକ ମହାନଗର ନିଗମର ପରିମଳ କର୍ମଚାରୀ ଝୁନୁଲତା ନାୟକ ଓ ଡି. ଶିବା, ଭୁବନେଶ୍ୱର ମହାନଗର ନିଗମର ବାବୁଲି ନାହାକଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ରାଜ୍ୟ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ବିଧାୟକ ଶ୍ରୀ ବାବୁ ସିଂ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ସ୍ୱଚ୍ଛ ଭାରତ ମିଶନର ମିଶନ ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଏବଂ ପୌରପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ସିଂ ଉପସ୍ଥିତ ଥିଲେ।  

ଆଜିର ଏହି ସମାରୋହରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢି ସ୍ୱାଗତ ଭାଷଣ ଦେଇଥିଲେ ।

ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୪






  • ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ଭିତ୍ତିଭୂମି ସହିତ ଗୁଣାତ୍ମକ ଶିକ୍ଷାର ବିକାଶ ହେବ
  • ଆମର ସଂକଳ୍ପ ପତ୍ର ଅନୁଯାୟୀ ଆମର ବିଶ୍ୱବିଦ୍ୟାଳୟ ଗୁଡିକୁ ସ୍ୱାୟତ୍ତତା ପ୍ରଦାନ କରାଯିବ
  • ଶିକ୍ଷାର ପରିସର ବ୍ୟାପକ, ଏହା ରାଜନୀତିର ସଂକୀର୍ଣ୍ଣତା ମଧ୍ୟରେ ରହିବା ଉଚିତ୍ ନୁହେଁ- ମୁଖ୍ୟମନ୍ତ୍ରୀ
  • PM-USHA କାର୍ଯ୍ୟକ୍ରମରେ  ଓଡିଶାର ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ୫୦୦ କୋଟି ଟଙ୍କା ଦିଆଯିବ- କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଆଜି ରାଜ୍ୟ କୃଷି ଭବନରେ ଓଡିଶାର ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ରାଜ୍ୟରେ PM-USHA କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ। 
କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଆମ ସରକାରଙ୍କ ୮୧ତମ ଦିନରେ PM-USHA କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା। ଏହା ହେଉଛି ଡବଲ୍ ଇଞ୍ଜିନ ସରକାରର ସଫଳତା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟି ଓ ତତ୍ତ୍ୱାବଧାନରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷାର ପରିସର ବ୍ୟାପକ। ଏହାକୁ ରାଜନୀତିର ସଂକୀର୍ଣ୍ଣତା ମଧ୍ୟରେ ରଖିବା ଉଚିତ୍ ନୁହେଁ ।  PM-USHA କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ସତ୍ତ୍ୱେ, ଆଗରୁ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲା।

ଏହି ଯୋଜନାକୁ ରାଜ୍ୟରେ ସଫଳତାର ସହ କରାଯିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଶିକ୍ଷାର ନୂତନ ଭିତ୍ତିଭୂମି ଓ ମନବ ସମ୍ବଳର ବିକାଶ ହେବ। ଏହି ଯୋଜନା ଦକ୍ଷତା ବିକାଶ, ଗବେଷଣା, ନିଯୁକ୍ତିଯୋଗ୍ୟ ଶିକ୍ଷାର ବିକାଶରେ ସହାୟକ ହେବ। ଏହା ଆମର ଶିକ୍ଷା ପରିବେଶକୁ ବିଶ୍ୱସ୍ତରୀୟ କରିବ। 

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଆମର ସଂକଳ୍ପ ପତ୍ର ଅନୁଯାୟୀ ଆମର ବିଶ୍ୱବିଦ୍ୟାଳୟ ଗୁଡିକୁ ସ୍ୱାୟତ୍ତତା ପ୍ରଦାନ କରାଯିବ। ଏ ପର୍ଯ୍ୟନ୍ତ ରାଜ୍ୟର ଦୂରଦୁରାନ୍ତ ଅଞ୍ଚଳରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲା ଯାଇଛି। ଏହା ସହିତ ଓଡିଶାର ଆଦିବାସୀ ଭାଷାର ସୁରକ୍ଷା ଓ ପ୍ରଚାର ପାଇଁ ୨୬ଟି ଭାଷା ପରୀକ୍ଷାଗାର ନିର୍ମାଣ ପାଇଁ ପଦକ୍ଷେପ ନିଆ ଯାଉଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି। ପୂର୍ବ ସରକାରଙ୍କ ଦୂରଦୃଷ୍ଟିର ଅଭାବ ତଥା ରାଜନୈତିକ ସଂକୀର୍ଣ୍ଣତା ଯୋଗୁ ଆମ ରାଜ୍ୟରେ ଏହା ଆଜି ପର୍ଯ୍ୟନ୍ତ ଲାଗୁ କରାଯାଇ ନଥିଲା ବୋଲି ସେ କହିଥିଲେ।
 
ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗ୍‌ଦର୍ଶନରେ ଆମ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ PM-USHA କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷାନୀତି-୨୦୨୦ର ପାଞ୍ଚଟି ସ୍ତମ୍ବକୁ ସୁଦୃଢ କରାଯିବ। ଏହା ହେଲା ସୁଗମ୍ୟ ଶିକ୍ଷା, ଗୁଣାତ୍ମକ ମାନ, ସମାନତା, ଉତ୍ତରଦାୟିତ୍ୱ ଓ ସାମର୍ଥ୍ୟ। 

ସେ ପୁଣି କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ସବୁଠାରୁ ବଡ ସମସ୍ୟା ହେଉଛି ଯୁବବର୍ଗ ମଧ୍ୟରେ ଦକ୍ଷତାର ବିକାଶ। ପ୍ରଯୁକ୍ତି ବିଦ୍ୟାର ଅଭୂତପୂର୍ବ ବିକାଶ ସହିତ ଆମର ଶିକ୍ଷା ପ୍ରଣାଳୀକୁ ସମାନ୍ତରାଳ ଭାବରେ ଉନ୍ନତ କରିବାକୁ ହେବ। ପ୍ରଯୁକ୍ତି ବିଦ୍ୟାରେ ଶିକ୍ଷା ହାସଲ କରିଥିବା ଯୁବବର୍ଗକୁ ନିଯୁକ୍ତି ଯୋଗ୍ୟ କରିବା ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷ ଦେଶର ବଜେଟରେ ୧ କୋଟି ଯୁବକ ଯୁବତୀଙ୍କୁ ୫୦୦ ଉଦ୍ୟୋଗରେ internship ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ପୂରଣ ଦିଗରେ ଏହା ସହାୟକ ହେବ। ଶିକ୍ଷା କ୍ଷେତ୍ରରେ ବୈଷମ୍ୟତା ଓ ଅସମାନତା ଦୂର କରାଯାଇ SDG-4 ର ଲକ୍ଷ୍ୟ ପୂରଣ ହୋଇପାରିବ। ସେ କହିଥିଲେ ଯେ ଆଗାମୀ ଦିନରେ ସାମଗ୍ରୀକ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଓଡିଶା ସରକାର ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆନ୍ତର୍ଜାତିକ ମାନର ଶିକ୍ଷା ଓଡିଶାର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯିବ। ଏହା ଦ୍ୱାରା ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୩୬ ସୁଦ୍ଧା ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରାଯାଇ ପାରିବ ଏବଂ ବିକଶିତ ଭାରତ ଓ ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ହେବ। 

କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ରାଜ୍ୟରେ ସ୍କୁଲ, କଲେଜ ପିଲାଙ୍କୁ ନେଇ ପ୍ରାୟ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି। ରାଜ୍ୟ ଜନସଂଖ୍ୟାର ଏହା ହେଉଛି ଏକ ଚତୁର୍ଥାଂଶ। ତେଣୁ ଏହି ପିଲାମାନଙ୍କର ଠିକ୍‌ ଭାବରେ ଦାୟିତ୍ୱ ନିଆଯାଇ ପାରିଲେ ରାଜ୍ୟର ବିକାଶ ବିଶ୍ୱସ୍ତରୀୟ ହୋଇପାରିବ। ସେ କହିଲେ ଯେ ଏକ ବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ । ଜ୍ଞାନ ଓ ପ୍ରତିଭା ହେଉଛି ଓଡିଆ ପିଲାଙ୍କ ମୂଳ ଆଧାର। ଏହାର ବିକାଶ ହୋଇପାରିଲେ ଆମ ପିଲାମାନେ ମଧ୍ୟ ବିଶ୍ୱ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜ ଓ ୟୁନିଭର୍‌ସିଟିର ବିକାଶ ପାଇଁ ୫୦୦ କୋଟି ଟଙ୍କା ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ। ଏହା ଯୋଗୁ ଆମ ରାଜ୍ୟର ୧ କୋଟି ପିଲା ବିଶ୍ୱସ୍ତରୀୟ ଶିକ୍ଷା ପାଇପାରିବେ।

ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ୩ ବର୍ଷ ଆଗରୁ ହେବାର ଥିଲା। କିନ୍ତୁ ରାଜନୀତି ଯୋଗୁ ଓଡିଆ ପିଲାମାନେ ବଞ୍ଚିତ ହୋଇଥିଲେ। ଓଡିଶାରେ ଖୁବ୍‌ ଶୀଘ୍ର ଶିକ୍ଷାରେ ସ୍ୱାୟତ୍ତତା ଆସିବ ବୋଲି ସେ କହିଥିଲେ। UGCର ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡିକୁ ସ୍ୱାୟତ୍ତତା ଦିଆଯିବ ବୋଲି ସେ କହିଥିଲେ।

ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ ଯେ ପି.ଏମ୍. ଉଚ୍ଚତର ଶିକ୍ଷା ଅଭିଯାନ ଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସକରାତ୍ମକ ପ୍ରଭାବ ପଢିବ। ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ସୁଦୃଢ ହେବା ସହିତ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇପାରିବେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଉପସ୍ଥିତିରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀ ସୁନିଲ କୁମାର ବର୍ଣ୍ଣୱାଲ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ  ସ୍ୱାଗତ ଭାଷଣ ଦେଇଥିଲେ।

ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୪







କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟଗଡା) ରେଳ ଲାଇନରେ 165 କିଲୋମିଟର ଦୈର୍ଘ୍ୟରେ ଚାଲୁରହିଥିବା ଦୋହରୀକରଣ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ଆହ୍ୱାନ ସତ୍ୱେ କ୍ରମାଗତ ଭାବରେ ଅଗ୍ରଗତି କରିଚାଲିଛି | ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ କରିବା ପାଇଁ ଜଟିଳ ଭୌଗଳିକ ଏବଂ ପ୍ରତିକୂଳ ପରିବେଶ ପରିସ୍ଥିତି ସତ୍ୱେ ପ୍ରକଳ୍ପଟି ଗୁରୁତ୍ୱପୂର୍ଣ୍ଣ ଅଟେ |  

ପ୍ରକଳ୍ପର ମାଇଲଖୁଣ୍ଟ ହାସଲ :

ଏହି ପ୍ରକଳ୍ପର 22.94 କିଲୋମିଟର ଦୈର୍ଘ୍ୟ ଲକ୍ଷ୍ମୀପୁର ଏବଂ ଟିକିରି ମଧ୍ୟରେ ରେଳ ଲାଇନ ଦୋହରୀକରଣ କାର୍ଯ୍ୟକୁ ସଫଳତାର ସହ ସମାପ୍ତ କରାଯାଇ କାର୍ଯ୍ୟକ୍ଷମ ହୋଇଛି | ଏକ ପ୍ରମୁଖ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଟିକିରି ଏବଂ ଭାଲୁମାସ୍କା ଷ୍ଟେସନ ମଧ୍ୟରେ 45.46 କିଲୋମିଟର ଦୂରତା ବିଶିଷ୍ଟ ରେଳ ସେକ୍ସନ ମଧ୍ୟରେ ଟନେଲ ଏବଂ ସେତୁ ନିର୍ମାଣ ପାଇଁ ମଧ୍ୟ ଟେଣ୍ଡର ଆହ୍ୱାନ କରାଯାଇଅଛି | ଲକ୍ଷ୍ମୀପୁର ରୋଡ୍ ଏବଂ ବାଇଗୁଡା ମଧ୍ୟରେ 27.82 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି |

ଇଞ୍ଜିନିୟରିଂ ଆହ୍ୱାନ ଗୁଡିକ:

କୋରାପୁଟ-ରାୟଗଡା ରେଳ ମାର୍ଗରେ ଭୂସ୍ଖଳନ ହେବାର ଅନେକ ଅଞ୍ଚଳ ଅନ୍ତର୍ଭୁକ୍ତ | ବିଶେଷକରି ଟିକିରି-ଭାଲୁମାସ୍କା ରେଳ ସେକ୍ସନ ପ୍ରମୁଖ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଅବସ୍ଥିତ | ବର୍ତ୍ତମାନ କୋରାପୁଟ-ରାୟଗଡା ରେଳ ମାର୍ଗରେ 36 ଟି ଟନେଲ୍ ଥିବାବେଳେ ଦୋହରୀକରଣ କାର୍ଯ୍ୟରେ 32 ଟି ଟନେଲ ନିର୍ମାଣ କରାଯିବାକୁ ଯୋଜନା କରାଯାଇଅଛି | ସେଥିମଧ୍ୟରେ ଟିକିରି ଏବଂ ଭାଲୁମାସ୍କା ମଧ୍ୟରେ 19 ଗୋଟି, ଭାଲୁମାସ୍କା ଏବଂ ସିଙ୍ଗାପୁର ରୋଡ୍ ମଧ୍ୟରେ 9 ଗୋଟି ଏବଂ ବାଇଗୁଡା ଏବଂ ଲକ୍ଷ୍ମୀପୁର ରୋଡ୍ ମଧ୍ୟରେ 4 ଗୋଟି ଟନେଲ ଅନ୍ତର୍ଭୁକ୍ତ | ଏହି କାର୍ଯ୍ୟରେ ଉଚ୍ଚ ପର୍ବତ ଶୃଙ୍ଗ ସହିତ ଖାଇ ଅନ୍ତର୍ଭୁକ୍ତ |  ଗୋଟିଏ ପାର୍ଶ୍ୱରେ ପାହାଡ ଦ୍ୱାରା ସୀମାନ୍ତ ଥିବାବେଳେ ଅନ୍ୟ ପାର୍ଶ୍ୱରେ 100 ମିଟରରୁ ଅଧିକ ଖାଇ ଅବସ୍ଥିତ ଓ ଗଭୀର ଉପତ୍ୟକା ଅବସ୍ଥିତ ଥିବା ଦ୍ୱାରା ଏହି ପ୍ରକଳ୍ପର ନିର୍ମାଣ ଉଭୟ ଏକ ବଡ଼ ଆହ୍ୱାନ ଏବଂ ବିପଜ୍ଜନକ ଅଟେ | ଏହି ପ୍ରକଳ୍ପର ଦୀର୍ଘତମ ଟନେଲ୍ 2 କିଲୋମିଟର ଦୈର୍ଘ୍ୟ ଯାହା ଆବଶ୍ୟକ ଇଞ୍ଜିନିୟରିଂର ମାପକାଠି ପ୍ରଦର୍ଶନ କରିବ | ଏହି ରେଳ ଲାଇନ ପ୍ରକଳ୍ପ ଏକ ଘାଟ ସେକ୍ସନ ଏବଂ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଦେଇ ଅତିକ୍ରମ କରୁଥିବାରୁ ପରିବେଶର ପ୍ରଭାବକୁ କମ୍ କରିବାକୁ ଯତ୍ନଶୀଳ ଯୋଜନା ଏବଂ କାର୍ଯ୍ୟକାରିତା ଆବଶ୍ୟକ କରୁଅଛି |

ପର୍ଯ୍ୟଟନ ବୃଦ୍ଧି:

କୋରାପୁଟ-ସିଙ୍ଗାପୁର ରୋଡ୍ ରେଳ ଲାଇନ ମାର୍ଗ ଏହାର ଚମତ୍କାର ଦୃଶ୍ୟ ଦୃଶ୍ୟ ପାଇଁ ପ୍ରସିଦ୍ଧ ଯାହା ୟୁରୋପୀୟ ଦେଶମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରେ | ଏହି ରେଳ ଲାଇନର ଦୋହରୀକରଣ ହେବା କେବଳ ରେଳ ପରିବହନର ଦକ୍ଷତା ଏବଂ କ୍ଷମତା ବୃଦ୍ଧି କରିବ ନାହିଁ ବରଂ ଏହି ଅଞ୍ଚଳରେ ପର୍ଯ୍ୟଟନ ପାଇଁ ନୂତନ ସୁଯୋଗ ମଧ୍ୟ ଶୃଷ୍ଟି କରିବ | ଉନ୍ନତ ରେଳ ସଂଯୋଗ ଏହି ଅଞ୍ଚଳକୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଏ, ଯାହା ଦ୍ୱାରା ପର୍ଯ୍ୟଟକ ମାନେ ଭାରତର ଏହି ଅଞ୍ଚଳର ଚମତ୍କାର ଦୃଶ୍ୟ ଏବଂ ସାଂସ୍କୃତିକ ସମୃଦ୍ଧତାକୁ ଅନୁଭବ କରିବେ | ଉନ୍ନତ ଭିତ୍ତିଭୂମି ଯାତ୍ରୀମାନଙ୍କ ପାଇଁ ଏହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନୁସନ୍ଧାନ କରିବା, ସ୍ଥାନୀୟ ଅର୍ଥନୀତିକୁ ଆହୁରି ବୃଦ୍ଧି କରିବା ଏବଂ ନିରନ୍ତର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହଜ କରିବ |

କୋରାପୁଟ-ସିଙ୍ଗାପୁର ରୋଡ ରେଳ ଲାଇନର ଦୋହରୀକରଣ ହେବା ଦ୍ୱାରା ଏହି ଅଞ୍ଚଳର ରେଳ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ | ଏହି ପ୍ରକଳ୍ପଟି ସମାପ୍ତ ପରେ ରେଳ ପରିବହନର କ୍ଷମତା ଏବଂ ଦକ୍ଷତା ବୃଦ୍ଧି ପାଇବା ସହିତ ଯାତ୍ରୀ ଏବଂ ପାନ୍ୟ ପରିବହନ କାର୍ଯ୍ୟ ମଧ୍ୟ ଲାଭଦାୟକ ହେବ | ଭୟଙ୍କର ନିର୍ମାଣ ଆହ୍ୱାନ ସତ୍ୱେ କୋରାପୁଟ-ରାୟଗଡା ରେଳ ପ୍ରକଳ୍ପରେ କାର୍ଯ୍ୟରତ ଦଳ ନିର୍ମାଣ କାର୍ଯ୍ୟର ଧାର୍ଯ୍ୟ ସମୟସୂଚୀରେ କାର୍ଯ୍ୟ ସମାପ୍ତ କରିବା ସହିତ ନିରାପତ୍ତା ସୁନିଶ୍ଚିତ କରିବା ଏବଂ ଇଞ୍ଜିନିୟରିଂ ଉତ୍କର୍ଷର ସର୍ବୋଚ୍ଚ ମାନ ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ପାଳନ କରୁଅଛି |

ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୪






ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ରହ୍ମପୁରର ସଂଯୋଜନାରେ ବ୍ରହ୍ମପୁର ସ୍ଥିତ ନଗର ରାଜଭାଷା କାର୍ଯ୍ୟାନ୍ଵୟନ କମିଟିର ତୃତୀୟ ଅର୍ଦ୍ଧବାର୍ଷିକ ବୈଠକ ଶୁକ୍ରବାର 30 ଅଗଷ୍ଟ ୨୦୨୪ ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ରହ୍ମପୁରର ପ୍ରଶାସନିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ନଗର ରାଜଭାଷା ସମିତିର ଅଧ୍ୟକ୍ଷ ତଥା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଉପମହାପ୍ରବନ୍ଧକ ଶ୍ରୀ ସନ୍ଦୀପ କୁମାର ଚୌବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ମନ୍ତ୍ରାଳୟ, ଭାରତ ସରକାର, ରାଜଭାଷା ବିଭାଗ କଲିକତା ସହାୟକ ନିର୍ଦେଶକ ଶ୍ରୀ ନିର୍ମଳ କୁମାର ଦୁବେ ମୁଖ୍ୟ ଅତିଥି, ଡାଃ ବି ବି ଗୋପାଳ ରେଡ୍ଡୀ, ସହାୟକ ମହାପ୍ରବନ୍ଧକ(ରାଜଭାଷା), ପ୍ରଧାନ କାର୍ଯାଳୟ ଭୁବନେଶ୍ୱର ବିଶେଷ ଅତିଥିଆଇଆରଇଏଲ୍ ମହାପ୍ରବନ୍ଧକ ଶ୍ରୀ କୌଶିକ ଧର, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ମୁଖ୍ୟ ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ମନୀଷ କୁମାର, ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରୀ ଷ୍ଟେସନ, ପ୍ରାଚାର୍ୟ ଶ୍ରୀ ବିରଞ୍ଚୀ ନାରାୟଣ ଦାସ, କର୍ମଚାରୀ ଭବିଷ୍ୟନିଧି ସଂଗଠନର ଆଞ୍ଚଳିକ ଭବିଷ୍ୟନିଧି କମିଶନର ଶ୍ରୀ ପ୍ରକାଶ ନାରାୟଣ ସିଂହ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଉପ ମଣ୍ଡଳ ପ୍ରମୁଖ ଶ୍ରୀ ପ୍ରଦୀପ କୁମାର ଦାସ, କାନାରା ବ୍ୟାଙ୍କର ମଣ୍ଡଳ ପ୍ରବନ୍ଧକ ଶ୍ରୀ କେ ସୁରେଶ ରେଡ୍ଡୀ, ବିଏସଏନଏଲ ଉପ ମଣ୍ଡଳ ଅଧିକାରୀ ଶ୍ରୀ ମୋରଧ୍ଵଜ କୋୟେଲ, ଭାରତୀୟ ଖାଦ୍ଯ ନିଗମ ମଣ୍ଡଳ ପ୍ରବନ୍ଧକ(ପ୍ରଭାରି) ଶ୍ରୀ ପୂର୍ଣ ଚନ୍ଦ୍ର ବେହେରା ଙ୍କ ସହିତ କେନ୍ଦ୍ର ସରକାର, ବ୍ୟାଙ୍କ, ଉପକ୍ରମ, ବୀମା କମ୍ପାନିର ୨୪ଟି କାର୍ଯ୍ୟାଳୟର ମୁଖ୍ୟ, ତଥା ରାଜଭାଷା ଅଧିକାରୀମାନେ ଉପସ୍ଥିତ ଥିଲେଅଧ୍ୟକ୍ଷ ଶ୍ରୀ ଚୌବେ, ମୁଖ୍ୟ ଅତିଥି ଶ୍ରୀ ନିର୍ମଳ କୁମାର ଦୁବେ, ସମ୍ମାନିତ ଅତିଥି ଡାଃ ରେଡ୍ଡୀ ଏବଂ ବିଶେଷ ଅତିଥି ଶ୍ରୀ କୌଶିକ ଧର ଙ୍କୁ ଶାଲ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା ଏହାପରେ ନଗର ରାଜଭାଷା ସମିତିର   ସଦସ୍ୟ ସଚିବ . ବନ ବିହାରୀ ସାହୁ ସ୍ୱାଗତ ଭାଷଣରେ ସମସ୍ତ ସଦସ୍ୟଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ ସଦସ୍ୟ ସଚିବ ବିଗତ ଅର୍ଦ୍ଧବାର୍ଷିକୀ ମଧ୍ୟରେ ସଦସ୍ୟ କାର୍ଯ୍ୟାଳୟଗୁଡ଼ିକରେ ରାଜଭାଷାର ପ୍ରଚାର ପ୍ରସାର ପାଇଁ ଆୟୋଜିତ ବିଭିନ୍ନ ହିନ୍ଦୀ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ଦୁବେ ସମସ୍ତ ସରକାରୀ କାର୍ୟାଳୟ, ବ୍ଯାଙ୍କ ଦ୍ଵାରା ପ୍ରସ୍ତୁତ ଅର୍ଦ୍ଧବାର୍ଷିକ ରିପୋର୍ଟ ସମୀକ୍ଷା କରିଥିଲେ ସେ କହିଲେ ରାଜଭାଷା  ବିଭାଗରେ କାର୍ଯ୍ୟରତ ଷ୍ଟାଫ ସଦସ୍ୟଙ୍କ ସହାୟତାରେ ନିୟମର ଉଲଂଘନ ହୋଇଥିବା ବିଷୟକୁ ଠିକ କରିବାକୁ ଚେଷ୍ଟା କରନ୍ତୁ ଶ୍ରୀ ଦୁବେ ଅର୍ଦ୍ଧବାର୍ଷିକ ରିପୋର୍ଟ ତାଙ୍କ ସମୀକ୍ଷାରେ ବ୍ରହ୍ମପୁରର ସଦସ୍ୟ କାର୍ଯ୍ୟାଳୟ ମାନଙ୍କର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ରାଜଭାଷାର ସଠିକ ରିପୋର୍ଟିଂ କାର୍ଯ୍ୟକାରିତା ସମ୍ପର୍କରେ ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେସମିତିର ଅଧ୍ୟକ୍ଷ ଶ୍ରୀ ସନ୍ଦୀପ କୁମାର ଚୌବେ ସମସ୍ତ ସଦସ୍ୟ କାର୍ଯ୍ୟାଳୟକୁ ସେମାନଙ୍କ ସକ୍ରିୟ ଅବଦାନ ପାଇଁ ଧନ୍ୟବାଦ ଜଣାଇବା ସହ ହିନ୍ଦୀ ଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏହା ଏକ ମିଳିତ ମଞ୍ଚ ଏବଂ ପ୍ରଚାର, ପ୍ରଚାର, ପ୍ରୋତ୍ସାହନ ମିଳିଲେ ବ୍ରହ୍ମପୁର କମିଟିକୁ ଜାତୀୟ ସ୍ତରରେ ପହଞ୍ଚାଇ ପାରିବା ବୋଲି କହିଥିଲେ ଏହା ଏକ ପରିବାର, ଯେଉଁଠି ସମସ୍ତ ସଦସ୍ୟଙ୍କ ସାମୂହିକ ଉଦ୍ୟମରେ ହିଁ ଏହା ସମ୍ଭବ ହୋଇପାରିବ ରାଜଭାଷା ନିୟମର ସମଗ୍ର ଅନୁପାଳନ ଉପରେ ଗୁରୁତ୍ଵ ଦେଇଥିଲେ ଇପିଏଫଓ କମିଶନର ଶ୍ରୀ ପ୍ରକାଶ ନାରାୟଣ ସିଂ ମତବ୍ୟକ୍ତ କରିଥିଲେ ଯେ ସମସ୍ତ କାର୍ଯାଳୟ ପ୍ରମୁଖଙ୍କ ଭିତରେ ସମନ୍ଵୟ ସ୍ଥାପନ ପାଇଁ ଏକ ଗୃପ ମାଧ୍ୟମରେ ଆନ୍ତରିକ ସହଯୋଗ ରେ ରାଜଭାଷା ବିକାଶ କରା ଯାଇ ପାରିବ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ମନୀଷ କୁମାର ହିନ୍ଦୀର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ ଆଇଆରଇଏଲ୍ର ଜେନେରାଲ ମ୍ୟାନେଜର ଶ୍ରୀ କୌଶିକ ଧର ରାଜଭାଷା ପ୍ରଚାର ପ୍ରସାରରେ ପୂର୍ଣ ସହଯୋଗ କରିବା ପାଇଁ ସମିତି ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ ଗତ ଅର୍ଦ୍ଧବାର୍ଷିକିରେ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ପଞ୍ଜାବ ନେଶନାଲ ବ୍ଯାଙ୍କ ଦ୍ଵାରା ଚିତ୍ର ସ୍ମରଣ, ଭାରତ ସଂଚାର ନିଗମ ଲିମିଟେଡ ଦ୍ଵାରା କବିତା ପାଠ, ଇଣ୍ଡିଆନ ଅଭରସିଜ ବ୍ଯାଙ୍କ ଦ୍ଵାରା ଗୀତ ଗାୟନ, ଭାରତୀୟ ଷ୍ଟେଟ ବ୍ଯାଙ୍କ ଦ୍ଵାରା ଅନୁବାଦ ଏବଂ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ ଦ୍ଵାରା ରାଜଭାଷା ନୀତି ନିୟମ ଏବଂ ସାମାନ୍ଯ ହିନ୍ଦୀ ପ୍ରତିଯୋଗୀତା ର ୪୫ ଜଣ କୃତି ବିଜେତାମାନକୁ ମୁଖ୍ୟ ଅତିଥି, ଅଧ୍ୟକ୍ଷ, ବିଶିଷ୍ଟ ଅତିଥି ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ। 

ଏହି କାର୍ଯ୍ୟକ୍ରମକୁ ସମିତିର ସଦସ୍ୟ ସଚିବ ଡ.ବନ ବିହାରୀ ସାହୁ, ମୁଖ୍ୟ ପରିଚାଳକ (ରାଜଭାଷା), ଭାରତୀୟ ଷ୍ଟେଟ ବ୍ଯାଙ୍କ ପରିଚାଳନା କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସିନିୟର ମ୍ୟାନେଜର(ରାଜଭାଷା) ଆନନ୍ଦ ବିହାରୀ ସାଓ ଧନ୍ୟବାଦ ଅର୍ପଣ କରିଥିଲେ।


Powered by Blogger.
Javascript DisablePlease Enable Javascript To See All Widget