ଭୁବନେଶ୍ୱର, ୨୮ ଅଗଷ୍ଟ ୨୦୨୪
- ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ଓ ସରଡେଗା-ଭାଲୁମୁଡା ରେଲଲାଇନ୍
- ୧୭୫ କି.ମି. ରେଳପଥ ନିର୍ମାଣରେ ଖର୍ଚ୍ଚ ହେବ ୪,୨୮୬ କୋଟି
ଓଡ଼ିଶାରେ ହେବ ଦୁଇଟି ନୂଆ ରେଳପଥ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଜନ୍ ‘ପୂର୍ବୋଦୟ’ କ୍ରମରେ ଓଡ଼ିଶାର ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ଏବଂ ସରଡେଗା (ସୁନ୍ଦରଗଡ଼)-ଭାଲୁମୁଡ଼ା (ଛତିଶଗଡ଼)କୁ ନୂଆ ରେଳଲାଇନ ହେବ । ଏହା ଫଳରେ ରାଜ୍ୟରେ ରେଳ ସଂଯୋଗୀକରଣ କ୍ଷେତ୍ରରେ ଆଉ ଏକ ଅଧ୍ୟାୟ ଯୋଡ଼ି ହେବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବରଗଡ଼ ରୋଡ୍ରୁ ନୂଆପଡ଼ା ରୋଡ୍ ୧୩୮ କି.ମି. ଦୀର୍ଘବିଶିଷ୍ଟ ରେଲଲାଇନ ନିର୍ମାଣ ପାଇଁ ୨୯୨୬ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଫଳରେ ସମ୍ବଲପୁର ଓ ରାୟପୁର ମଧ୍ୟରେ ପ୍ରାୟ ୮୭ କି.ମି. ଦୂରତ୍ୱ ହ୍ରାସ ପାଇବ । ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଓ ଆକାଂକ୍ଷୀ ଜିଲ୍ଲା ଭାବେ ପରିଚିତ ନୂଆପଡ଼ା ଏହା ଦ୍ୱାରା ଉପକୃତ ହେବା ସହିତ ପ୍ରସିଦ୍ଧ ନୃସିଂହନାଥ ପୀଠକୁ ଯିବା ଅଧିକ ସୁଗମ ହୋଇପାରିବ । ପଦମ୍ପୁରରେ ମାଲଗୋଦାମ ହେବା ଫଳରେ ଧାନ, ଇସ୍ପାତ, ସିମେଣ୍ଟ ଓ ସାର ଇତ୍ୟାଦିର ପରିବହନ ସୁବିଧା
ମିଳିବ । ଏହା ବ୍ୟତୀତ ସମ୍ବଲପୁରୀ ହସ୍ତତନ୍ତ ଓ ବୟନ ଉତ୍ପାଦର ପ୍ରସାର ଘଟିବ । ଏହି ରେଳପଥ ଦ୍ୱାରା ୮୭ ଲକ୍ଷ ଶ୍ରମଦିବସର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଅନୁରୂପ ଭାବରେ ସୁନ୍ଦରଗଡ଼ ଜିଲ୍ଲା ସରଡେଗାରୁ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଭାଲୁମୁଡାକୁ ୩୭ କି.ମି. ଦୀର୍ଘ ନୂଆ ଦୋହରା ରେଳଲାଇନ୍ ବହୁ ଲୋକଙ୍କୁ ଉପକୃତ କରିବ । ଏହି ଦୁଇ ଅଞ୍ଚଳ ଜନଜାତି ଅଧ୍ୟୁଷିତ ହୋଇଥିବାବେଳେ ପରିବହନ ପାଇଁ ବସ୍ସେବା ଉପଲବ୍ଧ ହେଉନଥିବାରୁ ନୂଆ ରେଳଲାଇନ୍ ବଡ଼ ଉପଲବ୍ଧି ଆଣିଦେବ । ୨୫ ଲକ୍ଷ ଶ୍ରମଦିବସର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରୁଥିବା ଏହି ରେଳପଥ ନିର୍ମାଣ ପାଇଁ ୧୩୬୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ଜେନା ନୂଆ ରେଳପଥ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇବା ସହ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
- ଦିଲ୍ଲୀରେ ‘ଫିକି’ ପକ୍ଷରୁ ଆୟୋଜିତ କନ୍କ୍ଲେଭ୍
- ସଡ଼କ ସୁରକ୍ଷା ପଦକ୍ଷେପରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ
- ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
- ଜାତୀୟ ମଞ୍ଚରେ ଓଡ଼ିଶାର ସଡ଼କ ସୁରକ୍ଷା ପଦକ୍ଷେପ ଉଚ୍ଚ ପ୍ରଶଂସିତ
ସଡ଼କ ସୁରକ୍ଷାରେ ପଦକ୍ଷେପ ନେବାରେ ଦେଶରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି । ଦିଲ୍ଲୀରେ ଫିକି ପକ୍ଷରୁ ଆୟୋଜିତ ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ସମ୍ମାନିତ କରିଛନ୍ତି । ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ ନିକଟରୁ ସମ୍ମାନ ଗ୍ରହଣ କରିଛନ୍ତି ।
ସଡ଼କ ଦୁର୍ଘଟଣା ହ ୍ରାସ ଦିଗରେ ସମସ୍ତ ରାଜ୍ୟ ନେଉଥିବା ପଦକ୍ଷେପ ମଧ୍ୟରେ ଓଡ଼ିଶାର ପଦକ୍ଷେପ ଉଚ୍ଚ ପ୍ରଶଂସିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ସମ୍ମାନିତ କରିବା ସହ ଏନଫୋର୍ସମେଣ୍ଟ, ରୋଡ୍ ଇଞ୍ଜିନିୟରିଂ ଉପରେ ଅଧିକରୁ ଅଧିକ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି । ସଡ଼କ ସୁରକ୍ଷା ଦିଗରେ ଚାଳକମାନଙ୍କ ପ୍ରଶିକ୍ଷଣ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏକ୍ଷେତ୍ରରେ ଓଡ଼ିଶାର ‘ସୁବାହକ’ ଯୋଜନାକୁ ସମଗ୍ର ଦେଶରୁ ସମବେତ ସଡ଼କ ସୁରକ୍ଷା ବିଶେଷଜ୍ଞମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ସରକାର ସମସ୍ତ ଖର୍ଚ୍ଚ ବହନ କରି ରାଜ୍ୟରେ ଚାରିଟି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠାପୂର୍ବକ ଯାନଚାଳକମାନଙ୍କୁ ଦେଉଥିବା ପ୍ରଶିକ୍ଷଣ ପଦ୍ଧତି ଓ ସେଠାରୁ ପ୍ରଶିକ୍ଷିତ ଚାଳକମାନଙ୍କ ଶୂନ୍ୟ ଦୁର୍ଘଟଣା କୀର୍ତ୍ତିମାନ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାବ୍ୟସ୍ତ ହୋଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଅଭିଭାଷଣରେ କହିଥିଲେ ଯେ ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ ୍ରାସ ଦିଗରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ପଦକ୍ଷେପଗୁଡ଼ିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଅଧିକରୁ ଅଧିକ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ସମସ୍ତ ରାଜ୍ୟଙ୍କୁ କୁହାଯାଇଛି । ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଜରିମାନା ରାଶି ପରିମାଣ ବୃଦ୍ଧି କରିଛନ୍ତି । ତଥାପି ଅନେକ ଚାଳକ ଆଇନ ପ୍ରତି ଭୟ ଓ ସମ୍ମାନ ପ୍ରଦର୍ଶନ କରୁନାହାନ୍ତି । ସେମାନଙ୍କୁ ଧରିବାକୁ ସ୍ୱୟଂକ୍ରିୟ ବ୍ୟବସ୍ଥାଗୁଡ଼ିକ ଲାଗୁ କରାଯାଉଛି । ସେହିଭଳି ରାସ୍ତାର ଇଞ୍ଜିନିୟରିଂ ଠିକ୍ ରଖିବାକୁ ସେ ଗୁରୁତ୍ୱ ଦେଇଥିଲେ । ସଡ଼କ ଦୁର୍ଘଟଣାରେ ଅନେକ ଯୁବକ ପ୍ରାଣ ହରାଉଥିବାବେଳେ ତାହା ରୋକିବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସହ ସମନ୍ୱୟ ରକ୍ଷା କରାଯାଇ ସଚେତନତା ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି ।
ଏହି ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର ଶ୍ରୀ ପ୍ରଦୀପ କୁମାର ମହାନ୍ତି ରାଜ୍ୟ ପକ୍ଷରୁ ସଡ଼କ ସୁରକ୍ଷା ଦିଗରେ ନିଆଯାଇଥିବା ଅଭିନବ ଯୋଜନା ସଂପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ । ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମଏସ), ସ୍ୱୟଂଚାଳିତ ଯାନ ପରୀକ୍ଷଣ ବ୍ୟବସ୍ଥା, ଫିଟନେସ ଯାଞ୍ଚ ପାଇଁ ସ୍ୱୟଂକ୍ରିୟ କେନ୍ଦ୍ର ଏବଂ ‘ସୁବାହକ’ ଯୋଜନା ଉପରେ ସେ ଉଲ୍ଲେଖ କରିଥିଲେ । ଯାନଚାଳକମାନଙ୍କୁ ପ୍ରଶିକ୍ଷିତ କରିବା ସହ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶ ଦିଗରେ ଓଡ଼ିଶା କାର୍ଯ୍ୟ କରୁଛି ବୋଲି ସେ ସୂଚନା ଦେଇଥିଲେ ।
ଏହି ସମ୍ମାନଜନକ ସଫଳତା ହାସଲ ଅବସରରେ ରାଜ୍ୟ ପରିବହନ କମିସନର ଶ୍ରୀ ଅମିତାଭ ଠାକୁର କହିଛନ୍ତି, ବାଣିଜ୍ୟ ଓ ପରିବହନ ବିଭାଗ ତଥା ରାଜ୍ୟ ପରିବହନ ପ୍ରାଧିକରଣ ଦୁର୍ଘଟଣା ହ ୍ରାସ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବାବେଳେ ଏହି ସମ୍ମାନ ଆମକୁ ଉତ୍ସାହିତ କରିଛି । ଏହି କନକ୍ଲେଭରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଦେଇଥିବା ପରାମର୍ଶ ଆଧାରରେ ଆମେ ଆହୁରି ଭଲ କାର୍ଯ୍ୟ କରିବାକୁ ଉଦ୍ୟମ ଜାରି ରଖିବୁ ବୋଲି ଶ୍ରୀ ଠାକୁର ଉଲ୍ଲେଖ କରିଛନ୍ତି ।
Post a Comment