ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୪
ସେବା ଭିତ୍ତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ: ମୁଖ୍ୟ ଶାସନ ସଚିବ
ସେବା ଅଭିବୃଦ୍ଧି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ରାଜ୍ୟ ଏବଂ କେନ୍ଦ୍ରୀୟ ସଂସ୍ଥାମାନଙ୍କ ମଧ୍ୟରେ ସମୁଚିତ ସମନ୍ଵୟ ଓ ସହଭାଗିତା ଆବଶ୍ୟକ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ
କେନ୍ଦ୍ର ଓ ୨୪ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା
ଦେଶର ୨ୟ ଓ ୩ୟ ସ୍ତରୀୟ ସହର ଭାବେ ବିବେଚିତ ସହରଗୁଡିକରେ ସେବା ପ୍ରଦାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ସମ୍ପର୍କିତ ରାଜ୍ୟ ପରାମର୍ଶ କର୍ମଶାଳା ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନଶ୍ୱରସ୍ଥିତ ମେଫେୟାର ଲାଗୁନ୍ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ।
ଏହି କର୍ମଶାଳାରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଶ୍ରୀ ଏସ୍. କ୍ରିଷ୍ଣନ; ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ଏବଂ ଦେଶର ୨୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ପ୍ରଶସନିକ ଅଧିକାରୀମାନେ ଅଂଶଗ୍ରହଣ କରି ବିଭିନ୍ନ ରାଜ୍ୟ ତଥା ଦେଶର ସାମଗ୍ରିକ ବିକାଶ ନିମନ୍ତେ ପ୍ରସଙ୍ଗ ଉପରେ ସୁଚିନ୍ତିତ ମତାମତ ଦେଇଥିଲେ ।
ଦକ୍ଷତା, ଭିତ୍ତିଭୂମି ବିକାଶ, ବ୍ୟବସାୟ ଅନୁକୂଳ ପରିବେଶ ଏବଂ ସେବା ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ଓ ନିୟାମକ ସଂସ୍କାର କ୍ଷେତ୍ରରେ ବିଭିନ୍ନ ରାଜ୍ୟ ଗ୍ରହଣ କରିଥିବା ପଦକ୍ଷେପ ଉପରେ ଏହି କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା । ଆଇଟି, ସେମିକଣ୍ଡକ୍ଟର, ପର୍ଯ୍ୟଟନ, ବିଏଫ୍ଏସ୍ଆଇ, ବେସାମରିକ ବିମାନ ଚଳାଚଳ, ଲଜିଷ୍ଟିକ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦେଶର ୨ୟ ଓ ୩ୟ ସ୍ତରୀୟ (ଟାୟାର ୨ ଏବଂ ଟାୟାର ୩ ) ସହର ଭାବେ ବିବେଚିତ ସହରରେ ସେବା ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବା ପାଇଁ କାର୍ଯ୍ୟକାରୀ ହୋଇଥିବା ନୂତନ ପଦକ୍ଷେପ ଗୁଡିକ ଉପରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ଦୃଷ୍ଟିକୋଣ ବାଣ୍ଟିଥିଲେ ।
ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଟାୟାର-୧ ଏବଂ ଟାୟାର-୨ ସହର ଭାବେ ବିବେଚିତ ସହରଗୁଡ଼ିକ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହ ଭୌଗୋଳିକ ଆବଣ୍ଟିତ ସେବା ଭିତ୍ତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ମଜବୁତ ଭିତ୍ତିଭୂମି ସୃଷ୍ଟି, ନିୟାମକ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ କ୍ଷୁଦ୍ର ସହରଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଦକ୍ଷତା ବିକାଶ ପଦକ୍ଷେପ ଗ୍ରହଣ କରିବାରେ ଓଡ଼ିଶାର ସକ୍ରିୟ ଆଭିମୁଖ୍ୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ଶ୍ରୀ ଏସ୍. କ୍ରିଷ୍ଣନ୍ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ରାଜ୍ୟମାନଙ୍କୁ ଭାରତ ସରକାରଙ୍କ ନିକଟରେ ରାଜ୍ୟମାନଙ୍କର ଆଶା-ଆକାଂକ୍ଷା ପହଂଚାଇବା ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରେ । ତଦନୁଯାୟୀ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥାନ୍ତି । ସେବା ଅଭିବୃଦ୍ଧି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ରାଜ୍ୟ ଏବଂ କେନ୍ଦ୍ରୀୟ ସଂସ୍ଥାମାନଙ୍କ ମଧ୍ୟରେ ସମୁଚିତ ସମନ୍ଵୟ ଓ ସହଭାଗିତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏଭଳି ଏକ ସୁନ୍ଦର କର୍ମଶାଳା ଆୟୋଜନ ଓ ଆତିଥ୍ୟ ପାଇଁ ଓଡ଼ିଶା ସରକାରଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର-ତଥା-ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଦକ୍ଷ ପ୍ରତିଭାମାନଙ୍କୁ ଗୁରୁତ୍ୱ ହେବା, ବୈଷୟିକ ସମନ୍ୱୟ ଏବଂ ବଜାର ସୃଷ୍ଟି ଭଳି ଆହ୍ୱାନର ମାର୍ଗ ନିର୍ଦ୍ଧାରଣ ପାଇଁ ଏକ ସାମୂହିକ ଆଭିମୁଖ୍ୟ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଏହାଦ୍ୱାରା ଟାୟାର ୨ ଏବଂ ଟାୟର ୩ ସହରର ପ୍ରଗତିରେ ଉଜ୍ୱଳ ସମ୍ଭାବନାର ମାର୍ଗ ଉନ୍ମୁକ୍ତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ ।
ଶ୍ରୀ ବିଶାଳ କୁମାର ଦେବ ଓଡ଼ିଶା ଭିତରେ ସେବା ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିବିଧ ପଦକ୍ଷେପ ଉପରେ ବିସ୍ତୃତ ସୂଚନା ଦେଇଥିଲେ । ରାଜ୍ୟର ଭିତ୍ତିଭୂମି ଏବଂ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ନୀତିଗତ ପଦକ୍ଷେପ, ଓଡ଼ିଶାକୁ ସେବା କ୍ଷେତ୍ରର ବିକାଶରେ ସକ୍ଷମ କରିପାରିଛି ଏବଂ ଏହାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ କଣ କଣ ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।
ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ଚତୁର୍ଥ ଜାତୀୟ ମୁଖ୍ୟ ଶାସନ ସଚିବ ସମ୍ମିଳନୀ ପୂର୍ବରୁ ଆୟୋଜିତ ହେଉଥିବା ଉଚ୍ଚସ୍ତରୀୟ ଆଲୋଚନାର ଏକ ଅଂଶ ହେଉଛି ଏହି ପରାମର୍ଶ କର୍ମଶାଳା । ସମ୍ମିଳନୀରେ "ଉଦ୍ୟୋଗ, ନିଯୁକ୍ତି ଏବଂ ଦକ୍ଷତାକୁ ପ୍ରୋତ୍ସାହିତ କରିବା - ଜନସଂଖ୍ୟାଗତ ଲାଭାଂଶ" ଶୀର୍ଷକ ଉପରେ ପର୍ଯ୍ୟବେସିତ ହେବ । ଏହି ଶୀର୍ଷକର ଏକ ପ୍ରମୁଖ ସ୍ତମ୍ଭ ହେଉଛି "ସେବାକ୍ଷେତ୍ରରେ ନୂତନତ୍ୱ, ଅଭିବୃଦ୍ଧି ଏବଂ ଦକ୍ଷତା ବିକାଶ ପାଇଁ ଏକ ସକ୍ଷମ ଇକୋସିଷ୍ଟମ ସୃଷ୍ଟି କରିବା" । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସମଗ୍ର ଦେଶର ସେବା କ୍ଷେତ୍ରକୁ ବ୍ୟବସ୍ଥିତ ଓ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ନୀତିଗତ ପଦକ୍ଷେପ ଉପରେ ମତାମତ ସଂଗ୍ରହ ଏବଂ ସହମତି ସୃଷ୍ଟି କରିବା ପାଇଁ ଅଂଶୀଦାରମାନଙ୍କ ସହିତ ସାମୁହିକ ଏବଂ ବ୍ୟକ୍ତିଗତ ଆଲୋଚନା କରୁଛନ୍ତି ।
ଏହି କର୍ମଶାଳା ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗ ଓ ସହଭାଗିତାକୁ ଆଗକୁ ନେଇ ଓଡ଼ିଶା ସରକାର ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ, ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବେ, ଯାହା ଦ୍ୱାରା ଟାୟାର ୨ ଏବଂ ଟାୟାର ୩ ସହରର ସାମଗ୍ରିକ ପ୍ରଗତି ଓ ଉନ୍ନତି ହୋଇ ଓଡ଼ିଶାର ସେବା କ୍ଷେତ୍ର ପରିବ୍ୟାପ୍ତ ହେବ । ଅପରାହ୍ନରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ପୁରୀଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।
Post a Comment