ଭୁବନେଶ୍ୱର, ୩୦ ଅକ୍ଟୋବର ୨୦୨୪
ପରିଚୟ କି ପ୍ରତିଷ୍ଠା ପାଇଁ ନୁହେଁ, ବରଂ ଭଲ ସାହିତ୍ୟର ପ୍ରସାରଣ ପାଇଁ ଜଣେ ଲେଖକ ଉଦ୍ୟମ କରିବା ଆବଶ୍ୟକ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଲେଖକ ତଥା ଅନୁବାଦକ ଡ. ପ୍ରମୋଦ କୁମାର ପରିଡ଼ା ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତି । ‘ମୋ ସୃଜନ ମୋ ଜୀବନ’ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖି ଡ. ପରିଡ଼ା କହିଛନ୍ତି ଯେ ସୃଜନ ଜୀବନଠାରୁ ବଡ଼ ହୋଇ ନ ପାରେ, ଏଥିରେ ଜୀବନବୋଧ ରହିଥାଏ । ଡ. ପରିଡ଼ା ତାଙ୍କ ସୃଜନଯାତ୍ରାର ବିବରଣୀ ଦେଇ ତାଙ୍କ ଲେଖକୀୟ ଜୀବନର ପ୍ରେରଣା ଭାବରେ ନିଜର ଅଧ୍ୟାପକ, ବନ୍ଧୁବୃନ୍ଦ ଓ ରେଭେନ୍ସା କଲେଜର ଉଦାହରଣ ଦେଇଥିଲେ ।
ପ୍ରସିଦ୍ଧ କବି ପ୍ରଫେସର ଡ. ସୌଭାଗ୍ୟ କୁମାର ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଡ. ନନ୍ଦ କିଶୋର ବିଶ୍ୱାଳ, ଡ. ପ୍ରଦୀପ୍ତ କୁମାର ବାରିକ, ଆଭାସ ବରାଳ ପ୍ରମୁଖଙ୍କ ପ୍ରଶ୍ନର ଉତ୍ତର ଡ. ପରିଡ଼ା ଦେଇଥିଲେ । ତରୁଣ ଲେଖକ ଅଂଶୁମାନ ସାହୁ ‘ଏ ମାସର କଥାକାର’ ଭାବରେ ଯୋଗଦେଇ ସ୍ୱରଚିତ ଗଳ୍ପ ପାଠ କରିଥିଲେ ।
ପରେ ଡ. ଅଭୟ ନାରାୟଣ ନାୟକ ଓ ନିରୁପମା କରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମହେନ୍ଦ୍ର କୁମାର ମଲ୍ଲିକ, ପ୍ରବୀଣା ପରିଡ଼ା, ବିଧୁଭୂଷଣ ତ୍ରିପାଠୀ, ରଜନୀକାନ୍ତ ପଟ୍ଟନାୟକ, ଅଲେଖ ଚରଣ ରାଉତ, ସୁଜାତା ମହାପାତ୍ର, କ୍ଷଣପ୍ରଭା ମହାନ୍ତି, ଚକ୍ରଧର ଦାଶ, ପୂର୍ଣ୍ଣାନନ୍ଦ ମହାନ୍ତି, ପୁଷ୍ପଲତା ମିଶ୍ର, ଜୟନାରାୟଣ ନନ୍ଦ, ପ୍ରକାଶ ଚନ୍ଦ୍ର ବେହେରା, ପୁଷ୍ପଲତା ମିଶ୍ର ପତି, ମିହିରକାନ୍ତି ଦାଶ, ଚନ୍ଦନ ପଣ୍ଡା, ମାନିନୀ ଜେନା, ଜୟଶ୍ରୀ ପଟ୍ଟନାୟକ, ସୁଷମା ଦାଶ, ସୁବ୍ରତ ରଥ, ସତ୍ୟରଞ୍ଜନ ପରିଡ଼ା ପ୍ରମୁଖ କବିତା ପାଠ କରିଥିଲେ । ଡା. ଜୀବନକୃଷ୍ଣ ମିଶ୍ର ଆରମ୍ଭରେ ବେଦପାଠ କରିଥିବାବେଳେ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment