January 2025

ଭୁବନେଶ୍ୱର, ୩୧ ଜାନୁଆରୀ ୨୦୨୫



  • ଭୁବନେଶ୍ୱରର ଟ୍ରାଫିକ୍ ଭିଡ ହ୍ରାସ (Decongestion Plan) ପାଇଁ 
  • ପ୍ରାୟ ୭,୦୦୦ କୋଟି ଟଙ୍କାର ଯୋଜନା, 
  • ନୂତନ ଯୋଜନା ଗୁଡିକର DPR ଶୀଘ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ମା’ ତାରିଣୀଙ୍କ ମନ୍ଦିର ଓ ଚାରିପାର୍ଶ୍ୱର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୨୧୪ କୋଟି 


ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପିତ ବିଭିନ୍ନ ନୂତନ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ବଜେଟ ପରିମାଣର ୭୨ ପ୍ରତିଶତ ଖର୍ଚ୍ଚ ହୋଇଥିବା ବେଳେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶତ ପ୍ରତିଶତ ଖର୍ଚ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ଭୁବନେଶ୍ୱରର ସମନ୍ୱିତ ବିକାଶ ଯୋଜନା ସହିତ ଟ୍ରାଫିକ୍ ଭିଡ ହ୍ରାସ (Decongestion Plan) ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଆଲୋଚନାରୁ ଜଣା ଯାଇଛି ଯେ,  ଏଥିପାଇଁ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ,  ଏବଂ କଳ୍ପନା ଛକ, ମ୍ୟୁଜିଅମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏ ଉଭର୍ ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି । ସେହିପରି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥ୍‌ମେଟିକସ୍ ରୁ ପଥର ଗାଡିଆ- ଉତ୍କଳ ହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫ୍ଟ ପାରାଲେଲ୍ ରୋଡ୍ କାମ ମଧ୍ୟ ଜାରି ରହିଛି । ଏହା ସହିତ  ଡମଣାରୁ ପ୍ରେସ୍ ଛକ, କଳା ରାହାଙ୍ଗରୁ ବାରିମୁଣ୍ଡ ଓ କେଳୁଚରଣ ପାର୍କରୁ ବାରିମୁଣ୍ଡ ପର୍ଯ୍ୟନ୍ତ ୩ଟି ରାଇଟ୍ ଆକ୍‌ସେସ୍ ରୋଡ୍ ନିର୍ମାଣର ଯୋଜନା ରଖାଯାଇଛି । ଏହା ସହିତ ଏକ ଇନର୍ ରିଙ୍ଗ୍ ରୋଡ୍ ମଧ୍ୟ ନିର୍ମାଣ କରାଯିବ । ସମ୍ପୂର୍ଣ୍ଣ Decongestion Plan ପାଇଁ ପ୍ରାୟ ୭ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । 

ଏଥି ମଧ୍ୟରୁ ଡମଣା ଛକରୁ ପ୍ରେସ୍ ଛକ ରାସ୍ତା କାମ ସରିଥିବା ବେଳେ ସୁନ୍ଦରପଦା-ଜଟଣୀ ରୋଡ୍ ଓ ଲେଫ୍ଟ ପାରାଲେଲ୍ ରୋଡ୍ କାମ ଜାରି ରହିଛି । ବାକି ସବୁ କାମର ତୁରନ୍ତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ତୁରନ୍ତ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। 

ବୈଠକରୁ ଜଣା ଯାଇଛି ଯେ,  ଭୁବନେଶ୍ୱର ପାଇଁ ୬୪ କିଲୋମିଟର ବିଶିଷ୍ଟ ଏକ ଇନର୍ ରିଙ୍ଗ୍ ରୋଡ୍ କରାଯିବ । ଏଥିରେ ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ । 

ଏହା ସହିତ ଭୁବନେଶ୍ୱରର ସଂପ୍ରସାରଣ ପାଇଁ ଏକ ଆଉଟର୍ ରିଙ୍ଗ୍ ରୋଡ୍ ର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ୧୪୮ କିଲୋମିଟର ବିଶିଷ୍ଟ ଏହି ରିଙ୍ଗ୍ ରୋଡ୍, ୬ ଲେନ୍ ହେବା ସହିତ ୨ଟି ସର୍ଭିସ୍ ରୋଡ୍ ମଧ୍ୟ ରହିବ । ଏଥିପାଇଁ ସମୁଦାୟ ୬,୧୫୨ କୋଟି ଟଙ୍କା ବିନିଯୋଗ କରାଯିବ । ଏହା ଦ୍ୱାରା ସହରର ସଂପ୍ରସାରଣ ହେବା ସହିତ ଯୋଗାଯୋଗର ସୁବିଧା ବଢିବ । ଅର୍ଥନୈତିକ ଅଭିବୃଦ୍ଧି ସହିତ ପର୍ଯ୍ୟଟନ ବୃଦ୍ଧି ହେବ ଓ ଉତ୍ତମ ପରିବେଶ ମଧ୍ୟ ସୃଷ୍ଟି ହେବ ।

ବୈଠକର ଆଲୋଚନାରୁ ଜଣାଯାଇଥିଲା ଯେ, ରାଜ୍ୟର ଚାରିପାର୍ଶ୍ୱକୁ ଏକ ଗ୍ରାଣ୍ଡ ରିଙ୍ଗ୍ ରୋଡ୍ ମାଧ୍ୟମରେ ଯୋଡିବା ପାଇଁ ଯେଉଁ ଲକ୍ଷ୍ୟ ରଖା ଯାଇଛି, ତାହାର ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ୨୮୭ କିଲୋମିଟର ଏକ ସଡକ ନିର୍ମାଣ କରାଯିବ । ଏଥିରେ ୪ଟି ଟନେଲ୍ ରହିବ । 

କେନ୍ଦୁଝର ମା’ ତାରିଣୀଙ୍କ ମନ୍ଦିରର ବିକାଶ ଓ ଚାରିପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ୨୧୪ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକର ଆଲୋଚନାରୁ ଜଣା ଯାଇଛି । ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରି ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବ୍ୟତୀତ ବଡବିଲ୍ ରିଙ୍ଗ୍ ରୋଡ୍, ଭୁବନେଶ୍ୱର ୟୁନିଟ୍-୨ ଅଞ୍ଚଳର ବିକାଶ ଓ ଅନ୍ୟାନ୍ୟ ପ୍ରକଳ୍ପ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । 

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ,  ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ୱର, ୩୧ ଜାନୁଆରୀ ୨୦୨୫



  • କଂଗ୍ରେସ ଦଳର ‘ସାମନ୍ତବାଦୀ ଚିନ୍ତାଧାରା ଓ ରୁଗ୍‌ଣ ମାନସିକତା’କୁ ସ୍ପଷ୍ଟ କରିଛି: ମନମୋହନ ସାମଲ
  • ମର୍ଯ୍ୟାଦାର ସମସ୍ତ ସୀମା ଉଲ୍ଲଂଘନ କରିଛି କଂଗ୍ରେସ
  • ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି କଂଗ୍ରେସ 
  • ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, କଂଗ୍ରେସ ଦଳ କ୍ଷମା ମାଗନ୍ତୁ

ସଂସଦରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଯେଉଁଭଳି ଟିପ୍ପଣୀ ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ସାଢ଼େ ୪ କୋଟି ଓଡ଼ିଆଙ୍କୁ କଷ୍ଟ ଦେଇଛି। ଏକ ଦାୟିତ୍ୱ ସମ୍ପନ୍ନ ରାଷ୍ଟ୍ରୀୟ ଦଳର ଶୀର୍ଷ ନେତୃତ୍ୱ ରାଷ୍ଟ୍ରପତିଙ୍କ ବିରୋଧରେ ଯେଉଁଭଳି ଅପମାନସୂଚକ ମନ୍ତବ୍ୟ ଦେଲେ, ସେଥିଲାଗି ସର୍ବସାଧାରଣରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ମାଗିବା ଉଚିତ୍ ବୋଲି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ଶ୍ର୍ରୀ ମନମୋହନ ସାମଲ କହିଛନ୍ତି।

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆଜିର ବୟାନ କଂଗ୍ରେସ ଦଳର ସାମନ୍ତବାଦୀ ଚିନ୍ତାଧାରା ଓ ରୁଗ୍‌ଣ ମାନସିକତାକୁ ସ୍ପଷ୍ଟ କରିଛି। କଂଗ୍ରେସ ଦଳର ଗର୍ବ ଓ ଅଂହକାର ଆଜି ସାରା ଦେଶ ଦେଖୁଛି। ସାଧାରଣ ଲୋକଙ୍କୁ ମଣିଷ ଭଳି ଦେଖିବା ତ ଦୂରର କଥା ଭାରତ ମହାମହିମ ରାଷ୍ଟ୍ରପ୍ରତିଙ୍କ ପ୍ରତି ସେମାନେ ଯେଉଁଭଳି ବ୍ୟବହାର ଓ ଆଚରଣ ପ୍ରକାଶ କଲେ ସେଥିରେ ଦେଶର ସମ୍ମାନ କ୍ଷୁର୍ଣ୍ଣ ହୋଇଛି। ଏପରିକି ମର୍ଯ୍ୟାଦାର ସମସ୍ତ ସୀମା ଉଲ୍ଲଂଘନ କରିଛି କଂଗ୍ରେସ। କ୍ଷମତାରୁ ଗଲାପରେ କଂଗ୍ରେସ ଦଳ ନିରାଶ ଓ ହତାଶ ହୋଇ ନିଜର ଆଚରଣ ଓ ବ୍ୟବହାରରେ ଧୈର୍ଯ୍ୟଚୁତ ହୋଇଯାଇଛି। ଭଗବାନ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ସଂସ୍କାର, ସମ୍ବିଧାନ ପ୍ରତି ଆଚରଣ, ଗଣତାନ୍ତ୍ରିକ ବ୍ୟବସ୍ଥାକୁ କିପରି ସମ୍ମାନ ଦିଆଯିବ କଂଗ୍ରେସ ତାହା ଶିଖିବା ଆବଶ୍ୟକ ବୋଲି ଶ୍ରୀ ସାମଲ କହିଛନ୍ତି ।

କଂଗ୍ରେସ ସବୁବେଳେ ଅନୁସୁଚିତ ଜାତି- ଜନଜାତି, ଓବିସି ଏବଂ ମହିଳା ବିରୋଧୀ ରହିଆସିଛି। ଦେଶର ସର୍ବୋଚ୍ଚ ପଦବୀରେ ରହିଥିବା ଦଳିତ, ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେ ବି ବରଦାସ୍ତ କରିପାରିବେ ନାହିଁ। ପୂର୍ବତନ ରାଷ୍ଟ୍ରପତି ମାନନୀୟ ରାମନାଥ କୋବିନ୍ଦ ଏବଂ ବର୍ତମାନର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦି ମୁର୍ମୁ ହେଲେ ଏହାର ଉଦାହରଣ। କଂଗ୍ରେସ କେବଳ ଅନୁସୁଚିତ ସମ୍ପ୍ରଦାୟକୁ ଅପମାନିତ କରିନାହିଁ ବରଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି। ସେମାନେ ଜଣେ ମହିଳାଙ୍କୁ ଅସମ।।ନ କରିବା ସହ ଓଡ଼ିଶାକୁ ଅପମାନିତ କରିଛନ୍ତି। ଓଡ଼ିଶାବାସୀ କେବେ ବି ଏହାକୁ ଗ୍ରହଣ କରିବେ ନାହିଁ। ଅପରପକ୍ଷେ ବିଜେପି ଅନୁସୁଚିତ ଜାତି, ଜନଜାତି ଓ ମହିଳାଙ୍କୁ ସବୁବେଳେ ସମ୍ମାନ ଦେଇ ସର୍ବୋଚ୍ଚ ସ୍ଥାନରେ ବସାଇଛି। ଏନେଇ କଂଗ୍ରେସ ଅସହିଷ୍ଣୁ ହୋଇପଡ଼ିଛି। ଏଭିଳ ରୁଗ୍‌ଣ ମାନସିକତା କଂଗ୍ରେସ ପରିହାର କରିବା ଆବଶ୍ୟକ। ଭବିଷ୍ୟରେ ଏଭିଳ ମନ୍ତବ୍ୟରୁ କଂଗ୍ରେସ ଦଳ ଏବଂ ଏହାର ନେତୃତ୍ୱମାନେ ନିବୃତ ରୁହନ୍ତୁ ବୋଲି ପରାମର୍ଶ ଦେବା ସହିତ ଏଭଳି ଘଟଣାର ପ୍ରତିବାଦ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଭୁବନେଶ୍ୱର, ୩୧ ଜାନୁଆରୀ ୨୦୨୫



ଉତ୍କର୍ଷ ଓଡିଶା କନକ୍ଳେଭ ଅବସରରେ ସିଲିକନ୍-କାର୍ବାଇଡ୍ ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ ସେଣ୍ଟର ((ଝସଉଜଓଉ) - ଆଇଆଇଟି ଭୁବନେଶ୍ୱର ଏବଂ ସିକସେମ ପ୍ରାଇଭେଟ ଲିମିଟେଡ୍ ମଧ୍ୟରେ ମିଳିତ ଶିଳ୍ପ ଲାବୋରେଟୋରୀକୁ ମାନ୍ୟବର କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍ଘାଟନ କରିଛନ୍ତି। ଆଇଆଇଟି ଭୁବନେଶ୍ୱରରେ ପ୍ରାରମ୍ଭିକ ୪୫ କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଉଛି। ଏହା ଏସଆଇସି ସ୍ଫଟିକ୍ ଅଭିବୃଦ୍ଧିର ଜ୍ଞାନ ଏବଂ ୧୫୦ ମିଲିମିଟର ଏବଂ ୨୦୦ ମିଲିମିଟର ଏସଆଇସି ୱାଫର୍ ର ଉଚ୍ଚ ପରିମାଣର ଉତ୍ପାଦନକୁ ସ୍ୱଦେଶୀ କରିବ ବୋଲି ଆଶା କରାଯାଏ । ଆଇଆଇଟି ଭୁବନେଶ୍ୱରଠାରୁ ୧୫ କିଲୋମିଟର ଦୂରରେ ଥିବା ଇନଫୋଭାଲୀ-୨ରେ ସିକସେମ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରତିଷ୍ଠିତ ୩୦୦୦ କୋଟି ଟଙ୍କା ମୂଲ୍ୟର ସିସି ଡିଭାଇସ ଫ୍ୟାବ୍ରିକେସନ ଏବଂ ଏଟିଏମ୍ପି ପ୍ଲାଣ୍ଟକୁ କେନ୍ଦ୍ର ଗବେଷଣା ଏବଂ ଅଭିନବ ସହାୟତା ପ୍ରଦାନ କରିବ। ସିକରିକର ଉଦଘାଟନ ପୂର୍ବରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଏହି ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା। ଏହି ଅବସରରେ, ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୁରୁ ଥାଲାପାନେନି ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଫେସର କରମଲକର କହିଛନ୍ତି: “କେନ୍ଦ୍ର ସରକାର ଏକ କାହାଣୀ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଯେଉଁଠାରେ ସାଧାରଣ ଲୋକ ସେମିକଣ୍ଡକ୍ଟର ବିଷୟରେ କହୁଛନ୍ତି। ଏହା ଅନେକ ଗୁରୁତ୍ୱପୂର୍ଣ୍ଣ ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଂଜୁର କରିଛି । ସିକସେମ ଏବଂ ଆରଆଇଆର ପରି ଯୌଗିକ ସେମିକଣ୍ଡକ୍ଟର ଫ୍ୟାବକୁ ଆକର୍ଷିତ କରିବା ପାଇଁ ଓଡିଶା ସରକାର ଏକ ନିର୍ଭୀକ ନିଷ୍ପତ୍ତି ନେଇଛନ୍ତି । ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ନିର୍ମାଣ ଶିଳ୍ପ ଏବଂ ଏକାଡେମୀ ମଧ୍ୟରେ ଏବଂ ଏକାଡେମୀର ବହୁମୁଖୀ ଅଧ୍ୟାପିକାମାନଙ୍କ ମଧ୍ୟରେ ଘନିଷ୍ଠ ସହଯୋଗ ଆବଶ୍ୟକ କରେ । ଉତ୍କର୍ଷ ଓଡିଶା କାନକ୍ଳେଭ ଅବସରରେ ଉଦ୍ଘାଟିତ ହୋଇଥିବା ସିଲିକନ୍ କାର୍ବାଇଡ୍ ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ ସେଣ୍ଟର (ଝସଉଜଓଉ) ହେଉଛି ଦେଶର ଏକ ନିଆରା ମିଳିତ ଶିଳ୍ପ ଲ୍ୟାବ୍, ସିସିଏମ୍ ପିଭି ଲିମିଟେଡ୍ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଏହି ସମସ୍ତ ଧାରଣାକୁ ଅନ୍ତର୍ଭୁକ୍ତ କରିଛି । ସାଧାରଣତଃ ସେମିକଣ୍ଡକ୍ଟରରେ ଏବଂ ବିଶେଷ ଭାବରେ କମ୍ପାଉଣ୍ଡ ସେମିକଣ୍ଡକ୍ଟରରେ ଏଣ୍ଡ-ଟୁ-ଏଣ୍ଡ ଟେକ୍ନୋଲୋଜି ବିକାଶ ପାଇଁ ଗବେଷଣା, ନବସୃଜନ ଏବଂ ଦକ୍ଷତା ତାଲିମ ପ୍ରଦାନ କରିବାକୁ ଆଇଆଇଟି ଭୁବନେଶ୍ୱର ପ୍ରତିବଦ୍ଧ। ଏଣ୍ଡ-ଟୁ-ଏଣ୍ଡ ଅର୍ଥ ହେଉଛି ପାଉଡର ଠାରୁ ସ୍ଫଟିକ୍ ଠାରୁ ୱାଫର୍ ପର୍ଯ୍ୟନ୍ତ ଡିଭାଇସ୍ ଫାବ୍, ପ୍ୟାକେଜିଂ, ପିସିବି, ଏବଂ ସିଷ୍ଟମ୍ କିମ୍ବା ଉତ୍ପାଦ ପର୍ଯ୍ୟନ୍ତ ସମସ୍ତ ପରିସର ଏଥିରେ ଅନ୍ତର୍ଭୁକ୍ତ ହେବ।


ଶ୍ରୀ ଥାଲାପାନେନି ତାଙ୍କ ବିବୃତ୍ତିରେ କହିଛନ୍ତି: “ଦେଶର ପ୍ରଥମ ଉତ୍ସର୍ଗୀକୃତ ସିଲିକନ୍ କାର୍ବାଇଡ୍ ଗବେଷଣା ସୁବିଧା ନିର୍ମାଣରେ ଆଇଆଇଟି ଭୁବନେଶ୍ୱର ସହିତ ଶିଳ୍ପ ଏକାଡେମୀ ଏବଂ ଶିଳ୍ପ ସହଯୋଗରେ ସିକ୍ସେମ ଉତ୍ସାହିତ ଅଛି। ଏହା କେବଳ ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ଅତ୍ୟାଧୁନିକ ଉତ୍ପାଦର ବିକାଶ କରିବ ନାହିଁ ବରଂ ସେମିକଣ୍ଡକ୍ଟର କ୍ଷେତ୍ରରେ କ୍ୟାରିୟର ଗଠନ ପାଇଁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଦକ୍ଷତା ବିକାଶ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।

ଭୁବନେଶ୍ୱର, ୩୧ ଜାନୁଆରୀ ୨୦୨୫



ଆଜି ପ୍ରଦେଶ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଗିରଫକୁ ପ୍ରତିବାଦରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ପରେ ଲୋୟର ପି.ଏମ୍‌.ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ କାର୍ଯ୍ୟାଳୟ ଠାରେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମୀମାନେ ଏକ ରାଲିରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଡ଼କୁ ଅଗ୍ରସର ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆର.ଏସ୍‌.ଏସ୍‌. ମୁଖ୍ୟ ମୋହନ ଭଗବତଙ୍କ କୁଶପୁତଳିକା ଦାହ କରିବା ସମୟରେ ପୁଲିସ ସମସ୍ତ ଆନ୍ଦୋଳନକାରୀଙ୍କୁ ଘଟଣା ସ୍ଥଳରୁ ଉଠାଇ ନେଇଥିଲା। 

ଏହି କାର୍ଯକ୍ରମରେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ଚୁନୁ ସିଂ ଅଂଶ ଗ୍ରହଣ କରି କହିଥିଲେ ଯେ ଉଦିତ୍ ପ୍ରଧାନଙ୍କୁ ଅଗଣତାନ୍ତ୍ରିକ ଭାବେ ଗିରଫ କରାଯାଇଛି। ଆର.ଏସ୍‌.ଏସ୍ ମୁଖ୍ୟ ମୋହନ ଭଗବତ ରାଷ୍ଟ୍ରର ସ୍ୱାର୍ଥ ବିରୋଧୀ ଓ ସମ୍ବିଧାନ ବିରୋଧୀ। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କହିଥିଲେ ଯେ ଓଡ଼ିଶା ପୁଲିସ ହିଟଲରୀ ରାଜକୁ ବରଦାସ୍ତ କରାଯିବ ନାହିଁ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀ ଦଳର କଳାପତାକା ପ୍ରଦର୍ଶନ କରିବାର ଅଧିକାର ରହିଛି। ମୋହନ ଭାଗବତ ଦେଶରେ ଅସ୍ଥିରତା ସୃଷ୍ଟି ହେଲା ପରି ମନ୍ତବ୍ୟ ଦେଉଛନ୍ତି। ଉଦିତ୍ ପ୍ରଧାନଙ୍କୁ ତୁରନ୍ତ ଖଲାସ କରିବାକୁ ଶ୍ରୀ ପାତ୍ର ଦାବି କରିଛନ୍ତି। 

ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ତଥା ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ସୟଦ୍ ୟାସିର ନୱାଜ କହିଛନ୍ତି ଯେ ଉଦିତ୍ ପ୍ରଧାନଙ୍କ ସ୍ୱର, ଏ ରାଜ୍ୟରେ ଧର୍ମନିରପେକ୍ଷତା ପ୍ରତି ବିଶ୍ୱାସ ରଖିଥିବା ଛାତ୍ର ସମାଜର ସ୍ୱର। ଏ ସ୍ୱର ସାରା ଓଡ଼ିଶାରେ ପ୍ରକମ୍ପିତ ହେବ। ବିଜେପି ସରକାର ଏହାର କଣ୍ଠରୋଧ କରିପାରିବ ନାହିଁ। ମୋହନ ଭାଗବତ ଜଣେ ରାଷ୍ଟ୍ର ବିରୋଧୀ ବ୍ୟକ୍ତି। ସେ ଗାନ୍ଧୀ ଓ ନେହେରୁଙ୍କ ତ୍ୟାଗକୁ ଅବମୂଲ୍ୟାୟନ କରୁଛନ୍ତି। ୧୯୪୭ ମସିହାରେ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ଲୁହ, ଲହୁ ଓ ଜୀବନ ଦାନ ବିନିମୟରେ ଯେଉଁ ସ୍ୱାଧୀନତା ମିଳିଛି ତାକୁ ସେ ସ୍ୱୀକାର କରୁନାହାନ୍ତି। ସେ କହୁଛନ୍ତି ସ୍ୱାଧୀନତା ରାମ ମନ୍ଦିର ପ୍ରତିଷ୍ଠା ପର ଠାରୁ ହୋଇଛି। ମହାତ୍ମା ଗାନ୍ଧୀ, ନେହେରୁ, ସୁଭାଷ ବୋଷ, ପଟେଲ ଯେଉଁ ଜେଲଦଣ୍ଡ ଭୋଗିଥିଲେ, ତ୍ୟାଗ କଲେ ତାହାକୁ ଭିକ୍ଷା ବୃତ୍ତି ବୋଲି ଏହି ଗୈରିକ ସଂଗଠନ କହୁଛି। ଓଡ଼ିଶା ପୁଲିସ ନିରପେକ୍ଷ ନାହିଁ। ଓଡ଼ିଶାର ପୂର୍ବତନ ରାଜ୍ୟପାଳଙ୍କ ପୁଅ ଜଣେ କର୍ତ୍ତବ୍ୟରତ ଓଡ଼ିଆ ଅଫିସରକୁ ମରାଣାନ୍ତକ ଆକ୍ରମଣ କଲାବେଳେ ପୋଲିସ ନୀରବ, କିନ୍ତୁ ରାଷ୍ଟ୍ର ପ୍ରେମୀ ଉଦିତ ପ୍ରଧାନଙ୍କୁ ଗିରଫ କରାଯାଉଛି। ପୁଲିସ ଅପାରଗତା, ମୁଖ୍ୟମନ୍ତ୍ରୀ ମଧ୍ୟ ଅପାରଗ। ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ସଂଖ୍ୟାଲଘୁ ସଂପ୍ରଦାୟ, ଦଳିତ ଓ ଆଦିବାସୀ ଅସୁରକ୍ଷିତ। ଓଡ଼ିଶା ପୁଲିସ ନିଜର କର୍ତ୍ତବ୍ୟ ପାଳନରେ ଅବହେଳା କରି ଶାସକ ଦଳର ଚାଟୁକାର ହୋଇଛନ୍ତି। ଆଜି ଠାରୁ ୨ ଦିନ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲା ପୁଲିସ ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଘୋଷଣା କରାଯାଇଅଛି। 

ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ୱାଳ, ସୁଦୀପ ସାମଲ, ଅଜୟ ସାହୁ, ନିହାର ବେହେରା, ଗୋପନ ମାର୍ଥା, ମହମ୍ମଦ ଗୁଲଫାମ୍‌, ଆଲୋକ ଦାସ, ମହମ୍ମଦ ପରଭେଜ, ସଂକୁନା କଂଅର, ମାନସ ଆଚାର୍ଯ୍ୟ, ଜଗଦିଶ ରାଉତ, ଆଶିଷ ମାହୁନ୍ତ, ସରୋଜ ବାରିକ, ବିଶ୍ୱଭୂଷଣ ମହାପାତ୍ର, ଅଖିଳେଷ ଯାଦବ, ସୁନିଲ ସାହୁ, ରଞ୍ଜିତ ସେନାପତି, ବଳରାମ ନନ୍ଦ, ପ୍ରିତିିମାନ ନାୟକ, ରାଜେଶ ଦାସ, ଅମୀୟ ନାୟକ, ନିଆଜୁଲ୍ ଇସ୍‌ଲାମ, ଜୟଶ୍ରୀ ପାତ୍ର, ଶ୍ରୀୟାସ୍ମିତା ପଣ୍ଡା, ଅକ୍ଷୟ ପାତ୍ର, ରତନ ନାୟକ ଓ ବିରଞ୍ôଚ ବାରିକ ପ୍ରମୁଖ ଧାରଣାରେ ଯୋଗ ଦେଇଥିଲେ।

ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୫



ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ ହେଲ୍‌ଥ କେୟାର ସର୍ଭିସେସ୍ ପକ୍ଷରୁ ଏକ ବିସ୍ତୃତ ଯୋଜନା ହାତକୁ ନିଆଯାଇଛି। ତୃଣମୂଳ ସ୍ତରର ଲୋକଙ୍କୁ ସୁଲଭ ତଥା ଗୁଣବତା ବିଶିଷ୍ଟ ସ୍ୱାସ୍ଥ୍ୟ ସେବା ଦେବାକୁ ପ୍ରତି ଜିଲ୍ଲାରେ ଏହି ସଂସ୍ଥା ପକ୍ଷରୁ ୫୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ୍ ସ୍ଥାପନ କରାଯିବ। ଏହି ପରିପ୍ରେକ୍ଷୀରେ ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ପ୍ରସ୍ତାବ ଗୃହୀତ ହୋଇଛି ବୋଲି ବୁଧବାର ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଘୋଷଣା କରାଯାଇଛି। 

ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ସ୍ୱାସ୍ଥ୍ୟ ବିଭାଗର କମିସନର କମ୍ ସେକ୍ରେଟାରୀ ଶ୍ରୀମତି ଏସ୍‌. ଅଶ୍ୱତିଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଥିଲା। 

ଉଭୟ ପ୍ରାଇମେରୀ ଏବଂ ସେକେଣ୍ଡାରୀ ସ୍ୱାସ୍ଥ୍ୟ ସେବା ସହ ଏହି ହସ୍ପିଟାଲ୍ ଗୁଡ଼ିକରେ ଅତ୍ୟାଧୁନିକ ଡାଇଗ୍ନୋସିସ୍ ଲ୍ୟାବ୍‌, ବୟୋଜ୍ୟେଷ୍ଠଙ୍କ ଲାଗି ସ୍ୱତନ୍ତ୍ର ଯତ୍ନ, ଫାର୍ମାସୀ, ଟ୍ରମା କେୟାର, ଇମର୍ଜେନ୍ସି ଏବଂ ଫିଜିଓଥେରାପି ସୁବିଧା ପ୍ରଦାନ କରାଯିବ। ଏଥି ନିମନ୍ତେ ୧୦୦୦ କୋଟି ଟଙ୍କାର ନିବେଶ ହେବ ଓ ୯୦୦ ଲୋକଙ୍କ ଲାଗି ସିଧାସଳଖ ଓ ୬୦୦୦ ଲୋକଙ୍କ ନିମନ୍ତେ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସମ୍ ହେଲ୍‌ଥକେୟାରର ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ଅନୁରାଗ ନାୟକ ସୂଚନା ଦେଇଛନ୍ତି। 

ଶ୍ରୀ ନାୟକ କହିଛନ୍ତି ଲୋକେ ସ୍ୱାସ୍ଥ୍ୟ ସେବା ଲାଗି ଭୁବନେଶ୍ୱର ଓ କଟକ ଭଳି ବଡ଼ ସହରଗୁଡ଼ିକ ଉପରେ ନିର୍ଭରଶୀଳ ହେଉଛନ୍ତି। ଲୋକଙ୍କ ନିକଟରେ ଉତମ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ଦିଗରେ ଏଭଳି ଉଦ୍ୟମ ଆରମ୍ଭ ହୋଇଛି।

ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୫



ମହିଳାଙ୍କ କ୍ଷେତ୍ରରେ ଗର୍ଭାଶୟ କ୍ୟାନ୍ସର ଏକ ଚିନ୍ତାର ପ୍ରସଙ୍ଗ ଭାବେ ବଢ଼ିଚାଲିଥିବା ବେଳେ ଏହି ରୋଗକୁ ଚିହ୍ନଟ କରିବା ନିମନ୍ତେ କଲ୍‌ପୋସ୍କୋପି ପଦ୍ଧତି ଖୁବ୍ ଫଳପ୍ରଦ ହୋଇଥାଏ। ଏହି ପ୍ରସଙ୍ଗକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ ଫୁଲନଖରା କ୍ୟାମ୍ପସରେ ବୁଧବାର ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

ଏହି କର୍ମଶାଳାରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନ୍‌ଜିତ ମହାନ୍ତି ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୧ର ପୂର୍ବତନ ଡିନ୍ ପ୍ରଫେସର (ଡାକ୍ତର) ଗଙ୍ଗାଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ପଦ୍ଧତି କିଭଳି ରୋଗ ଚିହ୍ନଟ କରିବାରେ ଉପକାରୀ ସେ ବିଷୟରେ ମତ ବ୍ୟକ୍ତ କରିଥିଲେ। 

ଏହି ଅବସରରେ ସ୍ୱାଗତ ଭାଷଣ ଦେବା ପ୍ରସଙ୍ଗରେ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ତାପସୀ ପତି କହିଥିଲେ ଯେ କଲ୍‌ପୋସ୍କୋପି ଦ୍ୱାରା କ୍ୟାନ୍ସରର ସେଲ୍ କେଉଁ ସ୍ଥାନରେ ରହିଛି ତାହା ଚିହ୍ନଟ କରି ସେହି ସ୍ଥାନରୁ ହିଁ ବାୟୋପ୍ସି କରାଯାଇଥାଏ। 

ଏହି ଅବସରରେ ପ୍ରଫେସର ଲେଙ୍କା କହିଥିଲେ ଯେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨ ତା’ର ଏକ ବର୍ଷ ପୂରଣ କରିସାରିଥିବା ବେଳେ ରୋଗୀ ସେବା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି। ଏହି ହସ୍ପିଟାଲ୍‌ରେ କ୍ୟାନ୍ସର ଚିକିତ୍ସା ନେଇ ଉତ୍କୃଷ୍ଟ ସେବା ପ୍ରଦାନ କରାଯିବାର ଯୋଜନା ରହିଛି ବୋଲି ସେ କହିଥିଲେ। 

ଏହି କାର୍ଯ୍ୟକ୍ରମ ଶେଷରେ ପ୍ରଫେସର ସୁନୀତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୫


  • ଜାନୁଆରୀ ୩୧ ତାରିଖ  ଦିବା ୧୧ଟା ଠାରୁ ଆରମ୍ଭ ହେବ ପଞ୍ଜୀକରଣ 
  • ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା 

ଆଗାମୀ ଫେବୃୟାରୀ  ୩  ତାରିଖ (ସୋମବାର)ରେ ମାନ୍ୟବର  ମୁଖ୍ୟମନ୍ତ୍ରୀ  ଶ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ  ଜାନୁଆରୀ ୩୧ ତାରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ ଏବଂ ସର୍ବାଧିକ ୧୦୦୦ ଜଣ  ପଞ୍ଜୀକରଣ କରିପାରିବେ । ଏଥିନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ ।  ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । 

ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୫


ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ସମେତ ଅଧିକାରୀ ଓ କର୍ମଚାରୀମାନଙ୍କ ନିରବ ପ୍ରାର୍ଥନା

ଜାତିର ପିତା ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ ତଥା ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ଶହୀଦମାନଙ୍କ ସ୍ମୃତିରେ ଆଜି  ଶହୀଦ ଦିବସ ଲୋକସେବା ଭବନରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଅନ୍ୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷ ପ୍ରାଙ୍ଗଣରେ ସମବେତ ହୋଇ ଶହୀଦ ଦିବସ  ଉପଲକ୍ଷେ ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । 

ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୫



 ସଂଘର ସ୍ୱୟଂସେବକ କାର୍ଯ୍ୟକର୍ତା ଓ ଅଧିକାରୀ ସାଧାରଣ ବ୍ୟକ୍ତିଭଳି ସମସ୍ତଙ୍କ ସହ ରହିବ, କିନ୍ତୁ ନିଜ କାର୍ଯ୍ୟଦ୍ୱାରା ଅସାଧାରଣ କାର୍ଯ୍ୟସ୍ଥାପନ କରିବ । ଏସବୁ କଲାବେଳେ ସେ ଆତ୍ମୀୟତାରେ, ସ୍ନେହରେ ଓ କର୍ତବ୍ୟ ବୋଧରେ ସାରା ସମାଜକୁ ଯୋଡିବ । ଏହି କଥା ସ୍ୱର୍ଗତ ଶିବରାମ ମହାପାତ୍ରଙ୍କ ଭଳି ଅନେକ କାର୍ଯ୍ୟକର୍ତା ନିଜ ଜୀବନରେ କରି ଉଦାହରଣ ସୃଷ୍ଟି କରିଛନ୍ତି । ଏକଥା କହିଛନ୍ତି ଆରଏସଏସର ସରସଂଘଚାଳକ ଡକ୍ଟର ମୋହନରାଓ ଭାଗବତ । ଭୁବନେଶ୍ୱର ଜୟଦେବ ଭବନରେ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକଙ୍କ ଦଶାହ ଅବସରରେ ଆୟୋଜିତ ସ୍ମତି ସଭାରେ ସେ ଏହା କହିଛନ୍ତି ।

  ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ତରଫରୁ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକ ୰ ଶିବରାମ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଡ. ଭାଗବତ କହିଛନ୍ତି ଯେ, ସଂଘର କାର୍ଯ୍ୟକର୍ତାଙ୍କ ପାଖରେ ଯେଉଁ ପ୍ରାମାଣିକତା ଓ ନିସ୍ୱାର୍ଥବୁଦ୍ଧି ତଥା ତନ-ମନ-ଧନ ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ କାମ କରିବା ବିଷୟ ସେସବୁ ତାଙ୍କ ନିକଟରେ ଥିଲା । ତାଙ୍କର ଆଚରଣ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ତାଙ୍କର କାର୍ଯ୍ୟ କରିବାର ଶୈଳୀ ସମସ୍ତଙ୍କୁ ପ୍ରେରଣା ଦେଇଛି । ବିନା ମୋହରେ ସ୍ନେହ ଦେବା ତାଙ୍କର ଆଦର୍ଶ ଥିଲା । ଲୋକ ସଂଗ୍ରହ ବୃତିକୁ ପାଥେୟ କରି ସେ ସଂଘକାମ କରୁଥିଲେ । ଆଦର୍ଶ ପରିବାର ସହ ଆଦର୍ଶ ସମାଜ ଗଠନ କରିବା ତାଙ୍କର ବ୍ରତ ଥିଲା । ସମାଜରେ ସବୁ ବର୍ଗର ଲୋକଙ୍କୁ ନେଇ ସମରସ ହୋଇ କାମ କରିବା ତାଙ୍କର ପ୍ରେରଣା ଥିଲ।। ଓଡିଶା ପୂର୍ବ ପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତଥା ପ୍ରାନ୍ତ କାର୍ଯ୍ୟବାହ ଡ.ଅନୀଲ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବକ୍ଷେତ୍ର ସଂଘଚାଳକ ଡ.ଜୟନ୍ତ ରାୟଚୌଧୁରୀ, ସହପ୍ରାନ୍ତ ସଂଘଚାଳକ ମନସୁଖଲାଲ ସେଠିଆ,ଭୁବନେଶ୍ୱର ମହାନଗର ସଂଘଚାଳକ ଶ୍ରୀନିବାସ ମାନସିଂ ମଂଚରେ ଉପସ୍ଥିତ ଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବକ୍ଷେତ୍ର ପ୍ରଚାରକ ପ୍ରମୁଖ ପ୍ରସନ୍ନ କୁମାର ମିଶ୍ର, ପୂର୍ବକ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ, ଅଖିଳ ଭାରତୀୟ ସଦଭାବନା ପ୍ରମୁଖ ଡ.ଗୋପାଳ ପ୍ରସାଦ ମହାପାତ୍ର, ପୂର୍ବତନ ପ୍ରାନ୍ତ ସଂଘଚାଳକ ଇଂ ଅଶୋକ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ ।

ସ୍ୱର୍ଗତ ଶିବରାମ ମହାପାତ୍ରଙ୍କୁ ସମସ୍ତେ ଶ୍ରଦ୍ଧାରେ ବଡ଼ଭାଇନା ବୋଲି ଡାକନ୍ତି । ସେ ଅବିଭକ୍ତ ପୁରୀ ଜିଲ୍ଲା ଅଥବା ବର୍ତମାନ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଖଣ୍ଡରେ ଥିବା କୁମାରାଙ୍ଗଶାସନ ଠାରେ ୨୯.୧୧.୧୯୨୯ ମସିହା ପୂଣ୍ୟବେଳାରେ ପିତା ୰ ଶ୍ରୀଧର ମହାପାତ୍ର ଓ ମାତା ୰ ଗୌରୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ । ଧର୍ମ, ସାହିତ୍ୟ, କଳା ଓ ସଂସ୍କୃତିର ପୂଣ୍ୟ ପବିତ୍ର ପ୍ରବାହରେ ନିମଜ୍ଜିତ ତଥା ଦେଶାତ୍ମବୋଧର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଭାରତମାତାର ନିତ୍ୟ ସେବାରେ ସେ ନିଜକୁ ନିୟୋଜିତ କରି ନିତ୍ୟ ଶାଖାରେ ଉପସ୍ଥିତ ରହି ଶାଖା କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳିତ କରୁଥିଲେ । ସାପ୍ତାହିକ ପତ୍ରିକା ‘ରାଷ୍ଟ୍ରଦୀପ’ରେ ପ୍ରକାଶ ପାଉଥିବା ତାଙ୍କର କବିତା ଓ ପ୍ରବନ୍ଧ ସାଙ୍ଗକୁ ‘ବାର୍ତାବିଳାସ’ ନାମକ ରମ୍ୟରଚନା ସ୍ତମ୍ଭ ଥିଲା ତାହାର ଜ୍ୱଳନ୍ତ ପ୍ରମାଣ । ସେ ତାଙ୍କ ସାହିତ୍ୟକୃତିରେ ତତ୍‌କାଳୀନ ସମାଜର ବହୁ ସାମାଜିକ, ରାଜନୈତିକ ଘଟଣାର ନିଖୁଣ ରାଷ୍ଟ୍ରୀୟ ଦୃଷ୍ଟି ପ୍ରଦାନ କରୁଥିଲେ । ଜଉରା ସାହିରେ ବହୁ ବାଧାବିଘ୍ନ ଦେଇ ଗଢ଼ିଉଠିଥିବା ବ୍ରହ୍ମପୁରର ପ୍ରଥମ ସରସ୍ୱତୀ ଶିଶୁ ମନ୍ଦିର ନୀଳକଣ୍ଠନଗରକୁ ସ୍ଥାନାନ୍ତରିତ କରିବା ପୂର୍ବରୁ ବଡ଼ଭାଇନା ନିଜ ବାସଭବନର କେତୋଟି କୋଠରୀରେ ଚାଲୁ ରଖୁଥିଲେ । ଯଦିଓ ଉକ୍ତ ଶିକ୍ଷାନୁଷ୍ଠାନଟିର ପ୍ରତିଷ୍ଠାରେ ବହୁ ବ୍ୟକ୍ତିଙ୍କ ସହଯୋଗର ହାତ ରହିଛି ତଥାପି ବଡ଼ଭାଇନା ଥିଲେ ଏହାର ପ୍ରତିଷ୍ଠାତା ପ୍ରଥମ ସଭାପତି । ଏହିଭଳି ଅନେକ ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟରେ ତାଙ୍କର ପ୍ରତ୍ୟକ୍ଷ ଯୋଗଦାନ ଥିଲା ଅବିସ୍ମରଣୀୟ । ସାଂସାରିକ ଜୀବନରେ ସବୁ ଦାୟିତ୍ୱକୁ ତୁଲାଇବା ସଙ୍ଗେ ସଙ୍ଗେ ସଂଘ କାର୍ଯ୍ୟରେ ପ୍ରବେଶପୂର୍ବକ ବିଭିନ୍ନ ଦାୟିତ୍ୱ ଯଥା ୧୯୮୦ ମସିହା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ସଂଘଚାଳକ, ୧୯୮୦ ରୁ ୧୯୮୫ ପର୍ଯ୍ୟନ୍ତ ଗଞ୍ଜାମ ବିଭାଗ ସଂଘଚାଳକ, ୧୯୮୫ ରୁ ୨୦୦୦ ସହପ୍ରାନ୍ତ ସଂଘଚାଳକ, ୨୦୦୦-୨୦୦୬ ଉତ୍କଳ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ, ୨୦୦୬ରୁ ୨୦୦୭ ଶ୍ରୀଗୁରୁଜୀଙ୍କ ଜନ୍ମଶତାବ୍ଦୀ ସମାରୋହ ସମିତିର ଅଧ୍ୟକ୍ଷ ଦାୟିତ୍ୱରେ ସମଗ୍ର ଉତ୍କଳ ପ୍ରାନ୍ତ ପରିଭ୍ରମଣ କରିଥିଲେ । ଏହିସବୁ ଦାୟିତ୍ୱରେ ଥାଇ ମଧ୍ୟ ଅନୁଗୁଳଠାରେ ଚାଲୁଥିବା ପ୍ରାଥମିକ ସଂଘଶିକ୍ଷା ବର୍ଗରେ ପ୍ରଶିକ୍ଷାର୍ଥୀ ଭାବେ ଯୋଗଦେଇଥିଲେ। ୧୯୮୫ରେ ପୁରୀରେ ଅନୁଷ୍ଠିତ ହୋଇଥିବା ୨ୟ ବର୍ଷ ସଂଘଶିକ୍ଷାବର୍ଗର ସର୍ବାଧିକାରୀ ଦାୟିତ୍ୱ ତୁଲାଇ

ଭୁବନେଶ୍ୱର, ୩୦ ଜାନୁଆରୀ ୨୦୨୫



ଆଜି ସମଗ୍ର ଦେଶରେ ଶହୀଦ ଦିବସ ପାଳିତ ହେଉଥିବା ପରିପ୍ରେକ୍ଷୀରେ ରାଜଭବନରେ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ରାଜଭବନର ଅଧିକାରୀ / କର୍ମଚାରୀମାନେ ଅଭିଷେକ ହଲ୍‌ଠାରେ ସମବେତ ହୋଇଥିଲେ ଏବଂ ମାର୍ଗଦର୍ଶିକା ଅନୁଯାୟୀ ପୂର୍ବାହ୍ନ ୧୧ ଘଟିକାରୁ ଘ.୧୧.୦୨ମି. ପର୍ଯ୍ୟନ୍ତ ଦୁଇ ମିନିଟ୍ ନୀରବତା ଅବଳମ୍ବନ ପୂର୍ବକ ଦେଶର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଶହୀଦ ହୋଇଥିବା ସଂଗ୍ରାମୀମାନଙ୍କୁ ସ୍ମରଣ କରି ସଶ୍ରଦ୍ଧ ସମ୍ମାନ ପ୍ରଦର୍ଶନ କରିଥିଲେ।

ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୫



ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ରାଜ୍ୟ ସରକାର ଷ୍ଟେସନର ମାଷ୍ଟର କ୍ୟାଣ୍ଟିନ ପାର୍ଶ୍ୱରେ ଏଲିଭେଟେଡ୍ ଡ୍ରାଇଭୱେ ଏବଂ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟ ଅନୁମତି ପ୍ରଦାନ କରିଛନ୍ତି | ଏହି ବିକାଶ ଷ୍ଟେସନର ଆଧୁନିକୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ସାମଗ୍ରିକ ପ୍ରକଳ୍ପ ସମୟସୀମାକୁ ତ୍ୱରାନ୍ୱିତ କରିବ |

ଏହି ଅନୁମତି ବିଶେଷ ଭାବରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଦ୍ୱାରା ଆବଣ୍ଟିତ ଜମିରେ ଏଲିଭେଟେଡ୍ ଆପ୍ରୋଚ୍ ଏବଂ ଏକଜିଟ୍ ରୋଡ୍ ନିର୍ମାଣ ପାଇଁ ଅନୁମତି ଦେଇଛି | ଏହି ପଦକ୍ଷେପ ପୂର୍ବତଟ ରେଳପଥ ଏବଂ ବିଡିଏ ମଧ୍ୟରେ ସହଯୋଗ ଯୋଜନାକୁ ଧ୍ୟାନରେ ରଖି ପୁନର୍ବିକାଶ ପ୍ରକଳ୍ପ ସୁରୁଖୁରୁରେ ଆଗକୁ ବଢ଼ିବା ସୁନିଶ୍ଚିତ କରୁଛି | 

ଷ୍ଟେସନ ପୁନର୍ବିକାଶର ଏକ ଅଂଶ ଭାବରେ, ଷ୍ଟେସନ ପରିସରରେ ପାର୍କିଂ କ୍ଷେତ୍ର ଏବଂ ବାଣିଜ୍ୟିକ ସ୍ଥାନଗୁଡ଼ିକର ବିକାଶ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ନିର୍ମାଣ କରାଯିବ | ବିଡିଏ ସେମାନଙ୍କୁ ଦିଆଯାଇଥିବା ଜମିରେ ବାଣିଜ୍ୟିକ କ୍ଷେତ୍ର ବିକାଶ କରିବାକୁ ମଧ୍ୟ ଯୋଜନା କରୁଛି ଯାହା ଦ୍ଵାରା ରେଳ ଷ୍ଟେସନ ଏବଂ ବିଡିଏ ଉଭୟଙ୍କ ସ୍ୱାର୍ଥ ସମାନ ହେବ ଏବଂ ଭବିଷ୍ୟତ ପାଇଁ ଏକ ଆଧୁନିକ, ସ୍ପନ୍ଦନଶୀଳ ଷ୍ଟେସନ କମ୍ପ୍ଲେକ୍ସ ସୃଷ୍ଟି ହେବ |

ଏହି ବିକାଶ ଭୁବନେଶ୍ୱର ଷ୍ଟେସନ ପୁନଃବିକାଶ ଏବଂ ଆଧୁନିକୀକରଣ ପ୍ରକଳ୍ପର ସମାପ୍ତିକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ |  ଏଲିଭେଟେଡ୍ ଡ୍ରାଇଭୱେର ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହେବା ସହିତ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ବୋଲି ଆଶା କରାଯାଉଛି |  ଷ୍ଟେସନର ନୂତନ ପ୍ରବେଶ ଏବଂ ପ୍ରସ୍ଥାନ ପଥ, ଲିଫ୍ଟ, ସମସ୍ତ ପ୍ଲାଟଫର୍ମରେ ଏସ୍କେଲେଟର ଏବଂ ଏକ ଏୟାର-କନକୋର୍ସ ଅନ୍ତର୍ଭୁକ୍ତ |

ଭାରତୀୟ ରେଳବାଇ ଏହି ପୁନଃବିକାଶ ପ୍ରକଳ୍ପରେ ₹419 କୋଟି ନିବେଶ କରୁଛି ଯାହା ଫଳରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୃଷ୍ଟି ହେବ |  ଏଥିରେ ବିଶ୍ୱସ୍ତରୀୟ ମାନଦଣ୍ଡ ସହିତ ଏକ ଆଧୁନିକ କୋଠା, ବିମାନବନ୍ଦର ଟର୍ମିନାଲ ଭଳି ଡିଜାଇନ୍ ହୋଇଥିବା ଯାତ୍ରୀ ଚଳପ୍ରଚଳ କ୍ଷେତ୍ର, ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନ, ସମସ୍ତ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଏୟାର କନକୋର୍ସ, ଲିଫ୍ଟ, ଏସ୍କାଲେଟର, ବ୍ୟାଗେଜ ସୁରକ୍ଷା ଯାଞ୍ଚ କ୍ଷେତ୍ର, ସୂଚନା କେନ୍ଦ୍ର, ଫୁଡ ପ୍ଲାଜା, ପ୍ରତୀକ୍ଷା ଅଞ୍ଚଳ ଏବଂ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ |

ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ ଭାରତୀୟ ରେଳବାଇ ଅମୃତ ଷ୍ଟେସନ ଯୋଜନାର ଏକ ପ୍ରୟାସ ଯାହା ଯାତ୍ରୀଙ୍କ ଅଭିଜ୍ଞତାକୁ ପୂରଣ କରୁଥିବା ଏକ ସୁଗମ, ବିଶ୍ୱସ୍ତରୀୟ ଯାତ୍ରା ଅଭିଜ୍ଞତା ବିକଶିତ କରିଥାଏ |  ଏହି ସାମ୍ପ୍ରତିକ ଅନୁମୋଦନ ସହିତ, ପ୍ରକଳ୍ପଟି ଏହାର ସମୟସୀମା ପୂରଣ କରିବାକୁ ଏବଂ ଭୁବନେଶ୍ୱରକୁ ଭାରତର ରେଳ ନେଟୱାର୍କର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବାକୁ ପ୍ରସ୍ତୁତ ହେଉଛି |

ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୫



  • ସୁଭଦ୍ରା ରୁ ମୁଦ୍ରା
  • ଔଦ୍ୟୋଗିକ ବିକାଶ ଯାତ୍ରାରେ  ମହିଳାଙ୍କୁ ସାମିଲ କରିବା ଉପରେ ଗୁରୁତ୍ବାରୋପ
  • ଆମ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ ଏହା ଏକ ପ୍ରତିବଦ୍ଧତା- ମୁଖ୍ୟମନ୍ତ୍ରୀ 
  • ସଫଳ ଉଦ୍ୟୋଗୀ ହେବା ପାଇଁ ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ମା ମାନଙ୍କୁ ଆହ୍ବାନ

ଆମ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ ଏହା ଏକ ପ୍ରତିବଦ୍ଧତା । ରାଜ୍ୟର ମହିଳାଙ୍କ ଆଶା, ଆକାଂକ୍ଷା ପୂରଣ କରିବା ପାଇଁ ନୂତନ ସରକାର ଦାୟିତ୍ବ ନେବାର ଏକ ଘଣ୍ଟା ମଧ୍ୟରେ ସୁଭଦ୍ରା ଯୋଜନା ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ରେ ଆୟୋଜିତ ମହିଳାଙ୍କୁ ନେଇ ସ୍ବତନ୍ତ୍ର ଅଧିବେଶନ ‘ସୁଭଦ୍ରାରୁ ମୁଦ୍ରା’  ଅବସରରେ କହିଛନ୍ତି । 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନସୁଦ୍ଧା ଏହି ସୁଭଦ୍ରା ଯୋଜନାରେ 1 କୋଟି 7 ଲକ୍ଷ ଯୋଗ୍ୟ ହିତାଧିକାରୀ ପଞ୍ଜୀକରଣ କରିଛନ୍ତି । ଅଦ୍ୟାବଧି 80 ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟ କିସ୍ତି ପ୍ରଦାନ କରାଯାଇଛି । ଓଡ଼ିଶା ହେଉଛି ସୁଯୋଗର ଭୂମି । ଆଜି ଆମେ ଓଡ଼ିଶାକୁ ଆମର ମା ମାନଙ୍କ ପାଇଁ ଏକ ସୁଯୋଗର ଭୂମି କରିବା ପାଇଁ ଏହି ଯୁଗାନ୍ତକାରୀ ଉଦ୍ୟମ ଆରମ୍ଭ କରିଛୁ । ସୁଭଦ୍ରା ଯୋଜନାରେ ଦିଆଯାଉଥିବା ସହାୟତାକୁ ବିନିଯୋଗ କରି ମା ମାନେ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି । ସଫଳ ଉଦ୍ୟୋଗୀ ହେବା ପାଇଁ ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ କରିବା ପାଇଁ ସେ ମା ମାନଙ୍କୁ ଆହ୍ବାନ ଦେଇଥିଲେ । 

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଆଜିର ବ୍ୟବସାୟିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ  ମା ମାନଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ଆଧୁନିକ ପ୍ରଣାଳୀରେ ବ୍ୟବସାୟ କରିବାର କୌଶଳ ଶିଖାଇବା ପାଇଁ ଉଦ୍ୟମ ଆରମ୍ଭ କରିଛୁ । ଏଥିପାଇଁ ବିଶ୍ବ ଦକ୍ଷତା କେନ୍ଦ୍ର ଏବଂ ଆଇଆଇଏମ୍, ସମ୍ବଲପୁର ସହଯୋଗର ହାତ ବଢାଇଛନ୍ତି । ଆଗାମୀ ଦିନରେ ଆହୁରି ଅନେକ ସଂସ୍ଥା ଏହି ଉଦ୍ୟମରେ ଯୋଡିହେବେ । ଆମ ଓଡ଼ିଶାର ମା ମାନେ ଦକ୍ଷ ହେବେ, ବ୍ୟବସାୟ କରିବେ ଓ ମାର୍କେଟିଂ କରିବାର କୌଶଳ ମଧ୍ୟ ଶିଖିବେ । 

ଏହି ଆଲୋଚନା ଚକ୍ରରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଲେ ଯେ ‘ସୁଭଦ୍ରା’ ଯୋଜନା ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ବ ନାରୀଙ୍କ ଜୀବନକୁ ପ୍ରଭାବିତ କରି ଲିଙ୍ଗଭିତ୍ତିକ ସମାନତା ଓ ସଶକ୍ତ ଓଡ଼ିଶା ନିର୍ମାଣରେ ସହାୟକ ହୋଇଛି । ଏହି ଯୋଜନା ଅଧୀନରେ ମହିଳାମାନଙ୍କ ଡିଜିଟାଲ୍‌ ଓ ଆର୍ଥିକ ସାକ୍ଷରତା, ଉଦ୍ୟମିତାରେ ଉନ୍ନତି ଓ ନେତୃତ୍ୱ ନେବାର ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀମତୀ ପରିଡ଼ା କହିଥିଲେ । 

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଯେ ରାଜ୍ୟର ବୃହତ ମହିଳାକେନ୍ଦ୍ରିତ ଯୋଜନା ହେଉଛି ସୁଭଦ୍ରା । ଅବହେଳିତ ତଥା ଜନଜାତି ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା  ନିମନ୍ତେ ସୁଭଦ୍ରା ବହୁମାତ୍ରାରେ ସଫଳ ହୋଇପାରିଛି । ସୁଭଦ୍ରା ଏବଂ ଉତ୍କର୍ଷ ଓଡ଼ିଶାର ସମ୍ମିଶ୍ରଣ ମହିଳା ସଶକ୍ତିକରଣ ଏବଂ ସୁଯୋଗକୁ ଏକାଠି କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ । 

ଅନ୍ୟପକ୍ଷେ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଲୋଚନାରେ ଭାଗ ନେଇ ସମସ୍ତ ମହିଳାମାନଙ୍କୁ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ଏବଂ ସୁଭଦ୍ରାକୁ ମହିଳା ସଶକ୍ତିକରଣର ପ୍ରତୀକ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ । ଆଲୋଚନାରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ନିକୁଞ୍ଜ ଧଳ, ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ଶ୍ରୀମତୀ ମନିଷା ବାନାର୍ଜୀ, ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶକ ଶ୍ରୀମତୀ ମୋନିକା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । 

ଏହି ଅଧିବେଶନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଚୁକ୍ତିନାମା ସ୍ବାକ୍ଷର କରାଯାଇଥିଲା । ମହିଳାଙ୍କୁ ବିଭିନ୍ନ କ୍ଷେତ୍ର ନିମନ୍ତେ ତାଲିମ୍ ପ୍ରଦାନ କରିବା ନିମନ୍ତେ ଆଇଆଇଏମ୍, ସମ୍ବଲପୁର ଏବଂ ବିଶ୍ବ ଦକ୍ଷତା କେନ୍ଦ୍ର ସହ ଦୁଇଟି ବୁଝାମଣା ପତ୍ର ବିଭାଗ ସହ ବିନିମୟ କରାଯାଇଥିଲା । ଏହି ଅବସରରେ ‘ମହିଳା ଉଦ୍ୟୋଗୀଙ୍କ ପାଇଁ ଋଣ ସୁବିଧା’ ଏବଂ ‘ମହିଳା ଉଦ୍ୟୋଗୀଙ୍କ ପାଇଁ ବଜାର ସଂଯୋଗ ସୃଷ୍ଟି’ ଶୀର୍ଷକ ଦୁଇଟି ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉଭୟ ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ । ଏଥିରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ସୁରେନ୍ଦ୍ର ରଣା, ଭିସାର ବରିଷ୍ଠ ନିର୍ଦ୍ଦେଶକ କବିତା ମୁରଲି, ଅଭନ୍ତି ଫାଇନାନ୍ସର ସହପ୍ରତିଷ୍ଠାତା ସୁନୀଲ କୁମାର ତଡେପାଲି, ଜୀବଦା ଭେଞ୍ଚର ପ୍ରା. ଲିଃର ପ୍ରତିଷ୍ଠାତା ଧରିତ୍ରୀ ପଟ୍ଟନାୟକ, ଲେବର ନେଟ୍‌ର ଅଧ୍ୟକ୍ଷ ଗାୟତ୍ରୀ ବାସୁଦେବନ୍‌, ଉଦୈତି ଫାଉଣ୍ଡେସନ୍‌ର ପ୍ରତିନିଧି କନିକା ସାଙ୍ଗଲ ପ୍ରମୁଖ ଅଂଶଗ୍ରହଣ କରି ଔଦ୍ୟୋଗିକ ବିକାଶ ଯାତ୍ରାରେ ନାରୀମାନଙ୍କ ଭୂମିକା ଓ ସଫଳତା ନେଇ ଆଲୋଚନା କରିଥିଲେ । ମହିଳା ଉଦ୍ୟୋଗୀମାନଙ୍କ ସମର୍ଥନ ପାଇଁ ଓଡ଼ିଶାର ଅନୁକୂଳ ପରିମଣ୍ଡଳ, ବାଣିଜ୍ୟ କ୍ଷେତ୍ରରେ ମହିଳାମାନଙ୍କ ଭାଗୀଦାରି, ନେତୃତ୍ୱ ଓ ନବସୃଜନ ବୃଦ୍ଧି ପାଇଁ କ୍ଷେତ୍ର ପ୍ରସ୍ତୁତି, ଓଡ଼ିଶାକୁ ମହିଳା ଉଦ୍ୟୋଗୀଙ୍କ ଗନ୍ତବ୍ୟସ୍ଥଳ ରୂପେ ପରିଣତ କରିବା, ମହିଳା ଉଦ୍ୟୋଗୀ ଏବଂ ବୃହତ ଶିଳ୍ପ ମଧ୍ୟରେ ସମନ୍ୱୟ ଆଦି ବିଷୟ ଉପରେ ବିଶଦ ଆଲୋଚନା ହୋଇଥିଲା । ସମର୍ଥନ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଉପରେ ଅତିଥିମାନେ ମତ ଦେଇଥିଲେ । ଏଥିସହ ତୃଣମୂଳସ୍ତର ବାଣିଜ୍ୟିକ କାରବାରକୁ ବୃଦ୍ଧି କରି ଏକ ପ୍ରତିଯୋଗିତାମୂଳକ ଔଦ୍ୟୋଗିକ ବିକାଶରେ ଲିଙ୍ଗଗତ ଭେଦଭାବହୀନ ସମନ୍ୱିତ ଶିଳ୍ପ ବିକାଶ ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା । 

ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୫


ସମୃଦ୍ଧ ଓଡ଼ିଶା ଗଠନର ରୂପରେଖ ସଂପର୍କରେ ବିଚାରବିମର୍ଶ 

ସମୃଦ୍ଧ ଓଡ଼ିଶା ଗଠନର ରୂପରେଖ ସଂପର୍କରେ ଗଣମାଧ୍ୟମ ସମ୍ପାଦକଙ୍କ ସହିତ ଏକ ଆଲୋଚନା ଚକ୍ର  ଆଜି “ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍  ଓଡ଼ିଶା କନକ୍ଲେଭ୍” ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ମତ ରଖିଥିଲେ ।  

ଆଲୋଚନା ଚକ୍ରର  ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନ କରି  ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ କହିଲେ ଯେ, ଆମେ ଆଜି ଏକ ନୂଆ ଯୁଗରେ ବାସ କରୁଛେ । ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଓ ପ୍ରୟୋଗ ଯୋଗୁଁ ଲୋକମାନଙ୍କର ଆଶା ଓ ଆକାଂକ୍ଷାରେ ପରିବର୍ତ୍ତନ ଘଟୁଛି । ତଦନୁସାରେ ବୈଦ୍ୟୁତିକ, ମୁଦ୍ରଣ, ସାମାଜିକ ତଥା ଡିଜିଟାଲ ଗଣମାଧ୍ୟମର ଗୁରୁତ୍ୱ ବୃଦ୍ଧି ପାଇଛି । ସରକାରଙ୍କ ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରିବା, ଯୋଜନା ଓ ନୀତି ନିର୍ଦ୍ଧାରଣରେ  ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ସରକାର ୨୦୩୬  ସୁଦ୍ଧା ବିକଶିତ ଓଡିଶାର ଲକ୍ଷ୍ୟ ସାଧନ ଦିଗରେ ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି , ସେଥିପାଇଁ ଗଣମାଧ୍ୟମର ସହଯୋଗ ଅପରିହାର୍ଯ୍ୟ ବୋଲି ସେ ପ୍ରକାଶ  କରିଥିଲେ । ଓଡିଶାର ଦୃତ ବିକାଶ ପାଇଁ  ରାଜ୍ୟର  ନିବେଶକମାନଙ୍କ ସହିତ  ଦେଶ ବିଦେଶରୁ ପୁଞ୍ଜି ନିବେଶକମାନଙ୍କୁ ଆକୃଷ୍ଟ କରି  ବିକାଶ ଲକ୍ଷ୍ୟ ହାସଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । 

କାର୍ଯ୍ୟକ୍ରମରେ ବରିଷ୍ଠ ମୁକ୍ତ ବୃତ୍ତ ସାମ୍ବାଦିକ ଶ୍ରୀ ରାଜାରାମ ଶତପଥୀ ଯୋଗଦେଇ କହିଲେ ଯେ,  ପ୍ରାକୃତିକ ସମ୍ପଦ, ମାନବ ସମ୍ବଳ ଥିବା ରାଜ୍ୟ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ରାଜ୍ୟର ଐତିହ୍ୟ, ସାଂପ୍ରତିକ ବାଣିଜ୍ୟିକ ସ୍ଥିତି ପ୍ରତି ଦୃଷ୍ଟିପାତ କରି ସେ ଜନସାଧାଣଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ସ୍ତରରେ ଶିଳ୍ପାୟନ ଓ ନିବେଶ ସୁବିଧା ପାଇଁ ସକରାତ୍ମକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ବୃହତ୍ ଶିଳ୍ପ ସହିତ କ୍ଷୁଦ୍ର ଶିଳ୍ପକୁ ଗୁରୁତ୍ୱ ଦେବାକୁ ସେ ମଧ୍ୟ ମତ ଉପସ୍ଥାପନ କରିଥିଲେ । 

କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ପ୍ରାକ୍ତନ ସଦସ୍ୟ ଶ୍ରୀ ପ୍ରସନ୍ନ ମହାନ୍ତି ଯୋଗଦେଇ କହିଲେ ଯେ, ଏହି ସମ୍ମିଳନୀରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଏବଂ ବହୁ ବିଶିଷ୍ଟ ଶିଳ୍ପପତିଙ୍କ ନିବେଶ ପ୍ରତି ବିପୁଳ ସମର୍ଥନ ମିଳିଥିବା ଓଡ଼ିଶା ପାଇଁ ଆନନ୍ଦର  କଥା ।  ଏହାର ରାଜ୍ୟର ସାମୁହିକ ଦୃଷ୍ଟି କୋଣରୁ ରାଜ୍ୟ ପାଇଁ ବଡ଼ ଆଶ୍ୱାସନା ଓ ବିକାଶ ପାଇଁ ବଡ଼ ପାଥେୟ ହେବ ବୋଲି ସେ କହିଥିଲେ । ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଅନୁଦାନ ରାଶି ବଢିବା ସାଙ୍ଗକୁ ସହଯୋଗ ମଧ୍ୟ ବଢିଛି । ଜନସାଧାରଣ, ଗଣମାଧ୍ୟମ ଏବଂ ସବୁସ୍ତରରେ ଲୋକଙ୍କ ସହଭାଗିତାରେ ବିକାଶକୁ ତ୍ୱରାନ୍ୱିତ କରାଯିବା ଉପରେ ସେ ଗୂରୂତ୍ୱାରୋପ କରିଥିଲେ ।   

'ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍'ର ଆବାସିକ ସମ୍ପାଦକ ଶ୍ରୀ ଶିବ କୁମାର ମହାନ୍ତି ଯୋଗଦେଇ କହିଲେ ଯେ, ବର୍ତ୍ତମାନ ରାଜ୍ୟରେ ପୁଞ୍ଜିନିବେଶ କରିବାରେ ଅନୁକୂଳ ପରିବେଶ ରହିଛି । ଅଭିନବ ଜ୍ଞାନକକୌଶଳ, ଉତ୍ପାଦରେ ଗୁଣାତ୍ମକତା, ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗକୁ ଗୁରୁତ୍ୱ, ଶିଳ୍ପ ପାର୍କ ପ୍ରତିଷ୍ଠା, ଇଲେକ୍ଟ୍ରୋନିକ ଏବଂ ଆଇଟି କ୍ଷେତ୍ର ଆଦିର ବିକାଶ ସଂପର୍କରେ  ଆଲୋକ ପାତ କରିବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ପାଇଁ ଲକ୍ଷ୍ୟଭିତ୍ତିକ ନୀତି ନିର୍ଦ୍ଧାରଣ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ ।  

ଅର୍ଗସ୍ ଟିଭିର ସମ୍ପାଦକ ଶ୍ରୀ ସଞ୍ଜୟ ଜେନା ଯୋଗଦେଇ , ସୁସ୍ଥ ପରିବାର ଓ ସୁସ୍ଥ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯିବା ସହ ୨୦୩୬ ର ଧାର୍ଯ୍ୟ ଲକ୍ଷ୍ୟ ସାଧନ ନିମନ୍ତେ ଆମକୁ ଦୀର୍ଘସ୍ଥାୟୀ ଲକ୍ଷ୍ୟ ଓ ଯୋଜନାକୁ ନିୟମିତ ସମୀକ୍ଷା ପୂର୍ବକ  କାର୍ଯ୍ୟାନ୍ୱୟନ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡ଼ିବ ବୋଲି କହିଥିଲେ ।  

ଏସିଆନ୍ ଏଜ୍  ଏବ ଡେକାନ୍ କ୍ରୋନିକଲର  ଓଡ଼ିଶାର ଆବାସିକ ସମ୍ପାଦକ-ତଥା ସ୍ୱତନ୍ତ୍ର ସମ୍ବାଦଦାତା ଶ୍ରୀ ଅକ୍ଷୟ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ ଓଡିଶାର ଶିଳ୍ପାନୁକୂଳ ଶିଳ୍ପ ନୀତି ରହିଛି  ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ସମୟ କ୍ରମେ ପରିବର୍ତ୍ତନ କରାଯାଉଛି । ଆମର ପୁନର୍ବାସ ଓ ଥଇଥାନ ନୀତି ମଧ୍ୟ ଦେଶରେ ଉତ୍ତମ ରହିଛି ।  ଏବେ ରାଜ୍ୟ ସରକାର ଶିଳ୍ପ ସହିତ କୃଷି ପ୍ରକ୍ରିୟାକରଣକୁ ଯେପରି ଗୁରୁତ୍ୱ ଦେଉଛନ୍ତି, ତାହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ  ବୋଲି ସେ ମତବ୍ୟକ୍ତ କରିଥିଲେ । ସମାଜର ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟ ଯୋଗଦେଇ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ପାଇଁ ଗ୍ରାମ୍ୟ ଅର୍ଥନୀତିର ବିକାଶ, ଯୋଜନା ପ୍ରସ୍ତୁତି ସହିତ ଏହାର କାର୍ଯ୍ୟକାରିତା  ପାଇଁ ସମ୍ମିଳିତ ପ୍ରୟାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।  

'ସମ୍ବାଦ'ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ଯୋଗ ଦେଇ କହିଥିଲେ ଯେ, ଶିଳ୍ପ କ୍ଷେତ୍ର ସହିତ ସେବା କ୍ଷେତ୍ରର ସମନ୍ୱିତ ବିକାଶ ଦ୍ୱାର ଏକ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ । ନୀତି ଆୟୋଗ ବିବରଣୀ ଆଧାରରେ  ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ସହିତ  ଉତ୍ପାଦିତ ଦ୍ରବ୍ୟର ବଜାର ସୁବିଧା, ନିଯୁକ୍ତି ସୁଯୋଗ, ବିକଶିତ ଗାଁର ପରିକଳ୍ପନାକୁ ରୂପ ଦେବା  ଏବଂ  ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ବର୍ଗଙ୍କ ସାମଗ୍ରିକ ବିକାଶ ଉପରେ ସେ ଆଲୋକପାତ କରିଥିଲେ । 

ଓଟିଭିର ବାର୍ତ୍ତା  ସମ୍ପାଦକ ଶ୍ରୀ ରାଧାମାଧବ ମିଶ୍ର ଯୋଗଦେଇ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି । ଏହା ଦ୍ୱାରା ରାଜ୍ୟର ବିକାଶ ଧାରା ଅଧିକ କ୍ରିୟାଶୀଳ ହୋଇପାରିବ । ଭିତ୍ତିଭୂମିର ଉନ୍ନତି, ଆଧିୁନିକ କୃଷି ପ୍ରଣାଳୀ ଆଧାରିତ ଚାଷ, ମତ୍ସ୍ୟ ଓ  ଗୋପାଳନ କ୍ଷେତ୍ରକୁ ଅଧିକ ସରକାରୀ ପ୍ରୋତ୍ସାହନ ଦ୍ୱାରା ତୃଣମୂଳସ୍ତରରୁ ରାଜ୍ୟର ଆର୍ଥିକ ବିକାଶ ଓ ପ୍ରଗତି ସମ୍ଭବ ହୋଇପାରିବ । ପର୍ଯ୍ୟଟନ ଶିଳ୍ପରେ ବ୍ୟାପକ  ସୁଯୋଗକୁ ଅଧିକ ପରିବ୍ୟାପ୍ତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।      

ଶେଷରେ ସୂଚନା ଓ ପ୍ରସାରଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ସମସ୍ତ ଅତିଥି ଗଣମାଧ୍ୟମ ସଂପାଦକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 


ଭୁବନେଶ୍ୱର, ୨୯ ଜାନୁଆରୀ ୨୦୨୫



ସବୁଜ ଅର୍ଥନୀତି ୨୦୩୦ ସୁଦ୍ଧା ଓଡ଼ିଶାର ଜିଡିପିକୁ ୨୩ ପ୍ରତିଶତ ବୃଦ୍ଧି କରିବାକୁ ସକ୍ଷମ ହେବ । ଓଡ଼ିଶାରେ ତିନୋଟି ସବୁଜ କ୍ଷେତ୍ର, ଏନର୍ଜି ଟ୍ରାଞ୍ଜିସନ୍, ସର୍କୁଲାର ଇକୋନୋମି, ଏବଂ ବାୟୋ-ଇକୋନୋମିରେ ପ୍ରାୟ ୧୦ ଲକ୍ଷ ନୂତନ ପୂର୍ଣ୍ଣକାଳୀନ ସମକକ୍ଷ(ଏଫଟିଇ) ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି ଏବଂ ୨୦୩୦ ସୁଦ୍ଧା ୩.୫ ଲକ୍ଷ କୋଟି ଟଙ୍କା (୪୨ ବିଲିୟନ ଡଲାର) ନିବେଶ ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହା ଏନର୍ଜି ,ଏନଭିରନମେଣ୍ଟ ଏବଂ ୱାଟର କାଉନସିଲ (ସିଇଇଡବ୍ଲୁ) ଦ୍ୱାରା ଏକ ନୂତନ, ନିରପେକ୍ଷ ଅଧ୍ୟୟନରୁ ଜଣାପଡିଛି । ଆଜି ଭୁବନେଶ୍ୱରରେ ଆୟୋଜିତ 'ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍'ରେ ରାଜ୍ୟ  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଯୋଜନା ଓ ସଂଯୋଜନ ବିଭାଗ ଶ୍ରୀମତୀ  ଅନୁ ଗର୍ଗ ଏହି ଅଧ୍ୟୟନର ଶୁଭାରମ୍ଭ କରିଛନ୍ତି ।ଭୁବନେଶ୍ୱରରେ ଅନୁଷ୍ଠିତ ‘ଉକ୍ରର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା କନକ୍ଲେଭ’ରେ ଆଜି ଉପସ୍ଥାପିତ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ, ଏହା ରାଜ୍ୟର ଜିଡିପିକୁ ସିଧାସଳଖ ୨ ଲକ୍ଷ କୋଟି ଟଙ୍କା (୨୪ ବିଲିୟନ ଡଲାର) ଯୋଗଦାନ କରିବା ସହିତ ଏହାକୁ ୨୩ ପ୍ରତିଶତ ବୃଦ୍ଧି କରିପାରିବ ଏବଂ ଭାରତର ସବୁଜ ଅଭିବୃଦ୍ଧିରେ ଓଡ଼ିଶାକୁ ଏକ ପ୍ରମୁଖ ସ୍ଥଳ ଭାବରେ ସ୍ଥାନିତ କରିପାରିବ । ଏହି ଅଧ୍ୟୟନରେ ୨୮ଟି ସବୁଜ ଭାଲ୍ୟୁ  ଚେନ୍ ଚିହ୍ନଟ କରାଯାଇଛି । ଯେଉଁଥିରେ ସାମୁଦ୍ରିକ ଶୈବାଳ ଚାଷ ଏବଂ ବାଉଁଶ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ଭାସମାନ ସୌର ଏବଂ ଇ-ଆବର୍ଜନା ପୁନଃଚକ୍ରଣ ପର୍ଯ୍ୟନ୍ତ କ୍ଷେତ୍ର ଅନ୍ତର୍ଭୁକ୍ତ । ଯାହା ଏକତ୍ର ଅପାର ଆର୍ଥିକ ସମ୍ଭାବନାକୁ ପ୍ରତିନିଧିତ୍ୱ କରି ଥାଏ । ଏହାର ପ୍ରସ୍ତାବିତ ସବୁଜ ଓଡ଼ିଶା ପଦକ୍ଷେପ ଏହି ସୁଯୋଗଗୁଡ଼ିକୁ ସାକାର କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ନୀତି, ନିବେଶ ଏବଂ କାର୍ଯ୍ୟକୁ ସମନ୍ୱିତ କରିବା ପାଇଁ ଏକ ରୋଡମ୍ୟାପ ପ୍ରଦାନ କରେ ପ୍ରଥମ ଥର ପାଇଁ ସିଇଇଡବ୍ଲୁ ତରଫରୁ ଅଧ୍ୟୟନ କରାଯାଇ  ଓଡ଼ିଶାରେ କିପରି ଏକ ସବୁଜ ଅର୍ଥନୀତି ନିଯୁକ୍ତି, ଅଭିବୃଦ୍ଧି ଏବଂ ସ୍ଥାୟିତ୍ୱ ପ୍ରଦାନ କରିପାରିବ, ତାହା ଚିହ୍ନଟ କରାଯାଇଛି । ଏନର୍ଜି ଟ୍ରାଞ୍ଜିସନରେ ପ୍ରାୟ ୧୬ଟି ଭାଲ୍ୟୁ ଚେନ୍ ଯେପରିକି ସୌରଶକ୍ତି, ପବନ ଶକ୍ତି, ବ୍ୟାଟେରୀ ଷ୍ଟୋରେଜ ସିଷ୍ଟମ୍ ଏବଂ ବୈଦ୍ୟୁତିକ ଯାନ ନିର୍ମାଣ ଆଦି ରହିଛି । ୨୦୩୦ ସୁଦ୍ଧା ୧.୫ ଲକ୍ଷ କୋଟି ପୁଞ୍ଜି ନିବେଶକୁ ଏହା ଆକର୍ଷିତ କରିପାରିବ ଏବଂ ୪ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିପାରିବ । ଏହା ବ୍ୟତୀତ, ସ୍ଥାୟୀ ପ୍ୟାକେଜିଂ, କୃଷି ପାଇଁ ଜୈବିକ ପ୍ରୟାସ, ହେନ୍ତାଳବଣ ପୁନରୁଦ୍ଧାର, କୃଷି ବନୀକରଣ ଏବଂ ସାମୁଦ୍ରିକ ଶୈବାଳ ଚାଷ ଭଳି ଜୈବ-ଅର୍ଥନୀତି ଏବଂ ପ୍ରକୃତି-ଆଧାରିତ ସମାଧାନଗୁଡ଼ିକ ଓଡ଼ିଶାର ଅର୍ଥନୀତିକୁ ୨୬,୦୦୦ କୋଟି ଟଙ୍କା ଯୋଗଦାନ କରିବା ସହିତ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିବ । ଏହା ସହିତ, ସ୍ଥାୟୀ ପର୍ଯ୍ୟଟନ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଏବଂ ପରିବେଶଗତ ଐତିହ୍ୟକୁ ବ୍ୟବହାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ । ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ଆଗେଇ ନେବା ଏବଂ ଅନୁନ୍ନତ ଅଂଚଳଗୁଡ଼ିକରେ ଆର୍ଥିକ ସୁଯୋଗକୁ ବିସ୍ତାର କରିବା ଏହା ଦ୍ୱାରା ସମ୍ଭବ ହେବ ଏହି ଅବସରରେ ସିଇଇଡବ୍ଲୁର ସିଇଓ ଡକ୍ଟର ଅରୁଣାଭ ଘୋଷ କହିଲେ, ଭାରତର ସବୁଜ ଅର୍ଥନୀତି ଆଡ଼କୁ ପରିବର୍ତ୍ତନ ଦେଶର ରାଜ୍ୟଗୁଡ଼ିକର ଦୃଷ୍ଟିକୋଣ ଏବଂ କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇ ପାରିବ ଏବଂ ଓଡ଼ିଶା ଏହି ଦାୟିତ୍ୱର ନେତୃତ୍ୱ ନେଉଛି । ବିଶ୍ୱ ଜଳବାୟୁ ପାଣ୍ଠି ସୁରକ୍ଷିତ କରିବା ଏବଂ ଜଳବାୟୁ ବଜେଟିଂ ଗ୍ରହଣ କରିଥିବା ପ୍ରଥମ ରାଜ୍ୟ ଭାବରେ, ଓଡ଼ିଶା ପ୍ରଦର୍ଶନ କରୁଛି ଯେ, କିପରି ସାହସିକ ନୀତି ନବସୃଜନକାରୀ ପରିବର୍ତନ ଆଣିପାରେ । ଏହାର ପ୍ରାକୃତିକ ବିବିଧତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦକୁ ଉପଯୋଗ କରି, ରାଜ୍ୟ ଏବେ ସୌରଶକ୍ତି ଠାରୁ ସାମୁଦ୍ରିକ ଶୈବାଳ ପର୍ଯ୍ୟନ୍ତ ସବୁଜ ଶିଳ୍ପ ଏବଂ ସ୍ଥାୟୀ ଜୀବିକା ପାଇଁ ଏକ କେନ୍ଦ୍ର ହୋଇପାରିବ । ଯାହା ଜଳବାୟୁ ସ୍ଥିରତା ସହିତ ଆର୍ଥିକ ଅଭିବୃଦ୍ଧିକୁ ସମନ୍ୱିତ କରିବା ପାଇଁ ଏକ ମାନଦଣ୍ଡ ସ୍ଥାପନ କରିବ । ଭାରତ ଆଗାମୀ କେନ୍ଦ୍ର ବଜେଟକୁ ଅପେକ୍ଷା କରୁଥିବାବେଳେ, ଓଡ଼ିଶାର ନେତୃତ୍ୱ ସବୁଜ ଅର୍ଥନୀତିକୁ ଏକ ଜାତୀୟ ପ୍ରାଥମିକତା ଦେବା ପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରଦାନ କରୁଛି । ଏକ ସ୍ଥାୟୀ ଏବଂ ସମାନତା ଭବିଷ୍ୟତ ଆଡକୁ ଭାରତର ଯାତ୍ରାକୁ ଏହା ତ୍ୱରାନ୍ୱିତ କରିବ ସିଇଇଡବ୍ଲୁ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ପୁନଃଚକ୍ରଣ ଏବଂ ପୁନଃବ୍ୟବହାର ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏକ ସର୍କୁଲାର ଇକୋନୋମିକୁ ପ୍ରୋତ୍ସାହିତ କରିବା ଦ୍ୱାରା ୨୦୩୦ ସୁଦ୍ଧା ୩୦,୦୦୦ ରୁ ଅଧିକ ନୂତନ ନିଯୁକ୍ତି ଏବଂ ୧୦,୦୦୦ କୋଟି ଟଙ୍କାର ବଜାର ସୁଯୋଗ ସୃଷ୍ଟି ହୋଇପାରିବ । ଏହା ବ୍ୟତୀତ, ଲିଥିୟମ-ଆୟନ ବ୍ୟାଟେରୀ ପୁନଃଚକ୍ରଣ, ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ଏବଂ ଇଲୋକ୍ଟ୍ରୋନିକ ବର୍ଜ୍ୟ ପ୍ରକ୍ରିୟାକରଣ ଭଳି ଭାଲ୍ୟୁ ଚେନ୍ କୁ ପ୍ରୋତ୍ସାହିତ କରିବା ଦ୍ୱାରା କେବଳ ପରିବେଶଗତ ଆହ୍ୱାନର ସମାଧାନ ହେବ ନାହିଁ ବରଂ ବିଶ୍ୱସ୍ତରୀୟ ସ୍ଥାୟିତ୍ୱ  ଲକ୍ଷ୍ୟ ସହିତ ସମନ୍ୱିତ ହେଉଥିବା ଉଚ୍ଚ-ମୂଲ୍ୟ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ଏହି ଅବସରରେ ସିଇଇଡବ୍ଲୁର ସବୁଜ ଅର୍ଥନୀତି ଏବଂ ପ୍ରଭାବ ନବସୃଜନ ନିର୍ଦ୍ଦେଶକ ଶ୍ରୀ ଅଭିଷେକ ଜୈନ କହିଲେ, ସିଇଇଡବ୍ଲୁର ଏହି ଅଗ୍ରଣୀ ଅଧ୍ୟୟନ ଉଦୀୟମାନ ସବୁଜ ସୁଯୋଗ ବିଷୟରେ ବୋଧଗମ୍ୟତାକୁ ବ୍ୟାପକ କରେ, ଯାହା ବର୍ତ୍ତମାନ ନୀତି ନିର୍ଦ୍ଧାରକ, ଅର୍ଥନୀତିଜ୍ଞ, ଶିଳ୍ପପତି ଏବଂ ଅନ୍ୟାନ୍ୟ ପ୍ରମୁଖ ଅଂଶୀଦାରଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ରହିଛି  ଏହା ଓଡ଼ିଶାର ଅପାର ସମ୍ଭାବନାକୁ ଉନ୍ମୁକ୍ତ କରେ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ପଷ୍ଟ କାର୍ଯ୍ୟ ଯୋଜନାର ଆବଶ୍ୟକତା ରହିଛି । ରାଜ୍ୟ ସବୁଜ ଓଡ଼ିଶା ପଦକ୍ଷେପ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଗ୍ରହଣ କରି ସବୁଜ କ୍ଷେତ୍ରକୁ ବୃଦ୍ଧି କରିବାରେ ସମ୍ବଳଗୁଡ଼ିକୁ ଏକୀକୃତ କରିପାରିବ ଏବଂ ଚ୍ୟାଲେଞ୍ଜକୁ ଦୂର କରିପାରିବ । ନୂତନ ବଜାର ସୃଷ୍ଟି କରିବା, ଦକ୍ଷତା ବିସ୍ତାର କରିବା ଏବଂ ସମାନ ବିକାଶ ସୁନିଶ୍ଚିତ କରିବା ପାଇଁ ଘରୋଇ କ୍ଷେତ୍ର ଏବଂ ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକୁ ସାମିଲ କରିବା ଉପରେ ଏହାର ସଫଳତା ନିର୍ଭର କରିବ ଏହି ଅଧ୍ୟୟନରେ ବିପୁଳ ନିଯୁକ୍ତି ଅଭିବୃଦ୍ଧି ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶକୁ ଆଗେଇ ନେବା ପାଇଁ ନବୀକରଣ କରିବା ସହିତ ଏକ ସବୁଜ ଅର୍ଥନୀତି ଗଠନ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସିଇଇଡବ୍ଲୁ ବିଶ୍ଳେଷଣରୁ ଜଣାପଡିଛି ଯେ, ଏବିଏସ ସମେତ ସର୍କୁଲାର ଇକୋନୋମି ଏବଂ ଜୈବ ଅର୍ଥନୀତି ମଧ୍ୟରେ ଭାଲ୍ୟୁ ଚେନ୍ ନବୀକରଣ ଅପେକ୍ଷା ଅଧିକ ନିଯୁକ୍ତି-ନିବେଶ ଅନୁପାତ ପ୍ରଦାନ କରିବାକୁ ସକ୍ଷମ ହେବ । ଏନର୍ଜି ଟ୍ରାଞ୍ଜିସନ କ୍ଷେତ୍ର ତୁଳନାରେ ପ୍ରତି କୋଟି ନିବେଶରେ ଏଫଟିଇ ଚାକିରି ସର୍କୁଲାର ଇକୋନୋମି ଏବଂ ଜୈବ ଅର୍ଥନୀତିରେ ଏହା ଯଥାକ୍ରମେ ୧୨ ଏବଂ ୯ ଗୁଣା ଅଧିକ ଏହା ସହିତ ସିଇଇଡବ୍ଲୁ ଅଧ୍ୟୟନ ସାରା ରାଜ୍ୟରେ ଏହି ଚେନ୍ ଗୁଡି଼କୁ ବୃଦ୍ଧି କରିବା ପାଇଁ ଏକ ବ୍ୟାପକ ଯୋଜନା ଭାବରେ ସବୁଜ ଓଡ଼ିଶା ପଦକ୍ଷେପ ପାଇଁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହାର ସାଧାରଣ ଫଳାଫଳ ଢାଂଚା ବିଭାଗୀୟ-ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥାପନ କରିବ ଏବଂ ଲକ୍ଷ୍ୟ ହାସଲକୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ବଜେଟର ସମନ୍ୱୟକୁ ସକ୍ଷମ କରିବ । ଯେପରିକି ସାମୁଦ୍ରିକ ଶୈବାଳ ଚାଷ ପାଇଁ ଉପକୂଳବର୍ତ୍ତୀ ଅଂଚଳଗୁଡ଼ିକୁ ପ୍ରାଥମିକତା ଦେବା କିମ୍ବା ଶିଳ୍ପ ଜୋନରେ ସହରାଂଚଳ ବର୍ଜ୍ୟ ପୁନଃଚକ୍ରଣକୁ ପ୍ରୋତ୍ସାହିତ କରିବା । ଏହି ପଦକ୍ଷେପ ରାଜ୍ୟର କର୍ମଶକ୍ତିକୁ ସବୁଜ ଚାକିରି ପାଇଁ ପ୍ରସ୍ତୁତ କରିବା ପାଇଁ ଦକ୍ଷତା-ବିକାଶ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତାବିତ କରିଥାଏ । ଏହା ସହଭାଗିତାକୁ ପ୍ରୋତ୍ସାହିତ କରେ । ଘରୋଇ ଉଦ୍ୟୋଗଗୁଡ଼ିକ ସହିତ ମିଶି ସବୁଜ ହାଇଡ୍ରୋଜେନ ଏବଂ ବ୍ୟାଟେରୀ ପୁନଃଚକ୍ରଣ ଭଳି ଉଦୀୟମାନ କ୍ଷେତ୍ରଗୁଡ଼ିକରେ ନିବେଶ କରିବାକୁ ଏଥିରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ନୀତିଗତ ସମନ୍ୱୟ, ସମ୍ବଳ ସଂଗ୍ରହ ଏବଂ ଅଂଶୀଦାରଙ୍କ ସହଯୋଗରେ , ଜିଆରଓଆଇ ଏକ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଆର୍ଥିକ ପରିବର୍ତ୍ତନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ,  ଯାହା ଓଡ଼ିଶାର ସମସ୍ତ ଅଂଚଳକୁ ଲାଭାନ୍ୱିତ କରିବାକୁ ସକ୍ଷମ ହେବ ଏହି ଅଧ୍ୟୟନ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଚିହ୍ନଟ କରୁଥିବା ବେଳେ, ଏହା ତିନୋଟି ସବୁଜ ଅର୍ଥନୈତିକ କ୍ଷେତ୍ର ଏବଂ ସେମାନଙ୍କର ୨୮ଟି ଭାଲ୍ୟୁ ଚେନ୍ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି, ଯାହା ସବୁଜ ଅର୍ଥନୀତିର ବିକାଶ ସହିତ ଅତିରିକ୍ତ ସୁଯୋଗ ପାଇଁ ସମ୍ଭାବନା ସୃଷ୍ଟି କରୁଛି । ଏହି ନିଷ୍କର୍ଷଗୁଡ଼ିକ ଏହି ସୁଯୋଗଗୁଡ଼ିକୁ ସ୍ଥାୟୀ ଭାବରେ ସର୍ବାଧିକ କରିବା ପାଇଁ ସମନ୍ୱିତ ରାଜ୍ୟ, ବଜାର ଏବଂ ନାଗରିକ ସମାଜ ପ୍ରୟାସର ଗୁରୁତ୍ୱକୁ ଗୁରୁତ୍ୱ ପ୍ରଦାନ କରିଛି

ଭୁବନେଶ୍ୱର, ୨୮ ଜାନୁଆରୀ  ୨୦୨୫





ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରସ୍ଥିତ ଜନତା ମୈଦାନ ଠାରେ ଆୟୋଜିତ ଦୁଇଦିନିଆ  “ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୫ “ଏବଂ “ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀ”କୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି , ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ,ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକଗଣ ପ୍ରମୁଖ ଉପସ୍ଥିତ  ଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀ “ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀ” ଉଦ୍ଘାଟନ କରିବା ପରେ ସମ୍ମିଳନୀ ମୁଖ୍ୟ ସଭାସ୍ଥଳରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ସହସ୍ରାଧିକ ସଂଖ୍ୟାରେ ଦେଶ ବିଦେଶରୁ ଆସିଥିବା ଶିଳ୍ପପତି, ପୁଞ୍ଜିନିବେଶକ, ଶିଳ୍ପାନୁଷ୍ଠାନର ପ୍ରତିନିଧି ପ୍ରମୁଖ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ଜଣାଇଥିଲେ । 

  ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୨୫ ମସିହା ଜାନୁଆରୀ ମାସରେ  ଏହା  ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ ଥିଲା ।  ପ୍ରବାସୀ ଭାରତୀୟ ଦିବସ ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ସେ ତାଙ୍କ ଗସ୍ତକୁ ମନେ  ପକାଇଥିଲେ । ଆୟୋଜିତ ଏହି  ସମ୍ମିଳନୀ  ଓଡ଼ିଶାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବ୍ୟବସାୟିକ ସମ୍ମିଳନୀ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ରେ ପ୍ରାୟ ୫-୬ ଗୁଣ ଅଧିକ ନିବେଶକ ଅଂଶଗ୍ରହଣ କରିଛନ୍ତି । ଏହି ମହାନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସେ ଜନସାଧାରଣ ଏବଂ ଓଡ଼ିଶା ସରକାରଙ୍କୁ  ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଦେଶର ଅଭିବୃଦ୍ଧିରେ ପୂର୍ବ ଭାରତ ବିକାଶର ଏକ ଇଞ୍ଜିନ୍ ଏବଂ ଓଡ଼ିଶା ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ।  ଐତିହାସିକ ତଥ୍ୟରୁ  ଜଣାପଡେ, ଭାରତ ବିଶ୍ୱ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲାବେଳେ  ପୂର୍ବ ଭାରତରେ ବୃହତ୍  ଶିଳ୍ପ କେନ୍ଦ୍ର, ବନ୍ଦର, ବାଣିଜ୍ୟ କେନ୍ଦ୍ର ଥିଲା ଏବଂ ଏଥିରେ ଓଡ଼ିଶା ଉଲ୍କେଖନୀୟ ଭୂମିକା ଗ୍ରହଣ କରିଥିଲା । ଦକ୍ଷିଣ ପୂର୍ବ ଏସିଆ ବାଣିଜ୍ୟରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା ଏବଂ ବନ୍ଦରଗୁଡ଼ିକ ଭାରତର ପ୍ରବେଶ ପଥ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି ମଧ୍ୟ ଓଡ଼ିଶାରେ ବାଲିଯାତ୍ରା ପାଳନ କରାଯାଏ । ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ  ସାମ୍ପ୍ରତିକ ଭାରତ ଗସ୍ତକୁ ମନେପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ରାଷ୍ଟ୍ରପତି ତାଙ୍କ ଡିଏନଏରେ ହୁଏତ ଓଡ଼ିଶା ରହିଛି ବେଲି କହିଥିଲେ ।

ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବେ ଏକବିଂଶ  ଶତାବ୍ଦୀରେ  ଏହାର ପୂର୍ବ  ଗୌରବମୟ ଐତିହ୍ୟକୁ ପୁନର୍ଜୀବିତ କରିବା ଆରମ୍ଭ କରିଛି । ସେ ଉଲ୍ଲେଖ କରିଥିଲେ ଯେ,  ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ସଦ୍ୟ ଓଡ଼ିଶା ଗସ୍ତ କରିଥିଲେ ଏବଂ ସିଙ୍ଗାପୁର-ଓଡ଼ିଶା ସହିତ ସମ୍ପର୍କକୁ ନେଇ  ବହୁତ ଉତ୍ସାହିତ ହୋଇଥିଲେ । ଏସିଆନ୍ ଦେଶଗୁଡ଼ିକ ମଧ୍ୟ ଓଡ଼ିଶା ସହିତ ବାଣିଜ୍ୟ ଏବଂ ପାରମ୍ପରିକ ସଂଯୋଗକୁ ସୁଦୃଢ଼ କରିବାରେ ଆଗ୍ରହ ଦେଖାଇଛନ୍ତି । ସ୍ୱାଧୀନତା ପରବର୍ତ୍ତୀ ସମୟକୁ ବିଚାରକୁ ନେଲେ ବର୍ତ୍ତମାନ ରାଜ୍ୟ ପାଇଁ ସବୁଠାରୁ ଅଧିକ ସମ୍ଭାବନା ସୃଷ୍ଟି ହୋଇଛି । ସେ ଉପସ୍ଥିତ ସମସ୍ତ ନିବେଶକଙ୍କୁ ଆହ୍ୱାନ କରି କହିଥିଲେ ଯେ ଓଡ଼ିଶାର ବିକାଶ ଯାତ୍ରାରେ ନିବେଶ କରିବାର ବର୍ତ୍ତମାନ ସଠିକ୍ ସମୟ ଏବଂ ସେମାନଙ୍କର ନିବେଶ ସଫଳତାର ନୂତନ ଶିଖରକୁ ନେଇଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ ।

କୋଟି କୋଟି ଲୋକଙ୍କର ଆକାଂକ୍ଷାର ପୃଷ୍ଠଭୂମିରେ ଭାରତ ବିକାଶ ପଥରେ ଆଗେଇ ଚାଲିଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦି ମନ୍ତବ୍ୟ ଦେଇଥିଲେ ଯେ  ଏଆଇ ର ଅର୍ଥ ହେଉଛି  ଉଭୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ( କୃତ୍ରିମ ବୁଦ୍ଧିମତ୍ତା ) ଏବଂ  ଆସ୍ପିରେସନ ଅଫ୍  ଇଣ୍ଡିଆ( ଭାରତର ଆକାଂକ୍ଷା),  ଯାହା ଦେଶର ଶକ୍ତି । ସେ କହିଥିଲେ ଯେ, ଲୋକଙ୍କ ଆବଶ୍ୟକତା ପୂରଣ ହେଲେ ଆକାଂକ୍ଷା ବୃଦ୍ଧି ପାଏ ଏବଂ ଗତ ଦଶନ୍ଧିରେ କୋଟି କୋଟି ନାଗରିକ ସଶକ୍ତ ହୋଇଛନ୍ତି, ଯାହା ଦେଶକୁ ଲାଭ ପହଞ୍ଚାଇଛି ।  ଓଡ଼ିଶା ଏହି ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ନୂତନ ଭାରତର ଆଶା ଏବଂ ମୌଳିକତାର ପ୍ରତୀକ ଓଡ଼ିଶାକୁ ସର୍ବୋତ୍କୃଷ୍ଟ ରାଜ୍ୟ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ,  ଓଡ଼ିଶାରେ ଅନେକ ସୁଯୋଗ ରହିଛି ଏବଂ ଏହାର ଲୋକମାନେ ସର୍ବଦା ଉନ୍ନତ ପ୍ରଦର୍ଶନ ପାଇଁ ଆଗ୍ରହ ଦେଖାଇଛନ୍ତି । ଗୁଜରାଟରେ ଥିବା  ଓଡ଼ିଆା  ଲୋକଙ୍କ ଦକ୍ଷତା, କଠିନ ପରିଶ୍ରମ ଏବଂ ସଚ୍ଚୋଟତାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ନୂତନ ସୁଯୋଗ ସୃଷ୍ଟି ହୋଇଛି ଏବଂ ରାଜ୍ୟ ଖୁବ୍ ଶୀଘ୍ର ବିକାଶର ଅଭୂତପୂର୍ବ ଶିଖରରେ ପହଞ୍ଚିବ । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀ, ଓଡ଼ିଶାର  ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯୋଗୀଙ୍କୁ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବାର ପ୍ରୟାସ ପାଇଁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ବନ୍ଦରଭିତ୍ତିକ ବିକାଶ, ମତ୍ସ୍ୟଚାଷ, ଆଇଟି, ଶିକ୍ଷା, ବୟନଶିଳ୍ପ, ପର୍ଯ୍ୟଟନ, ଖଣି ଏବଂ ସବୁଜ ଶକ୍ତି ସମେତ ବିଭିନ୍ନ ଶିଳ୍ପରେ ଓଡ଼ିଶା ଭାରତର ଏକ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ।

ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିର ମାଇଲଖୁଣ୍ଟ ଆଉ ଦୂରରେ ନାହିଁ । ଗତ ଦଶନ୍ଧି ମଧ୍ୟରେ, ଉତ୍ପାଦନ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ।  ଭାରତର ଅର୍ଥନୀତି ଦୁଇଟି ପ୍ରମୁଖ ସ୍ତମ୍ଭ ଉପରେ ନିର୍ଭର କରେ ଯଥା-ଅଭିନବ ସେବା କ୍ଷେତ୍ର ଏବଂ ଗୁଣାତ୍ମକ ଉତ୍ପାଦ । କେବଳ କଞ୍ଚାମାଲ ରପ୍ତାନି ଉପରେ ନିର୍ଭର କରି ଦେଶର ଦ୍ରୁତ ପ୍ରଗତି ସମ୍ଭବ ନୁହେଁ । ତେଣୁ, ଏକ ନୂତନ ଦୃଷ୍ଟିଭଙ୍ଗୀ ନେଇ  ସମଗ୍ର ଇକୋସିଷ୍ଟମକୁ ରୂପାନ୍ତରିତ କରାଯାଉଛି । ଭାରତ ଖଣିଜ ପଦାର୍ଥ ଉତ୍ତୋଳନ କରି ଏହାକୁ ମୂଲ୍ୟଯୁକ୍ତ କରିବା ପାଇଁ  ବିଦେଶକୁ ପଠାଇବାର ଧାରାକୁ ପରିବର୍ତ୍ତନ କରୁଛି ।  ଅନ୍ୟ ଦେଶରେ ପ୍ରକ୍ରିୟାକରଣ ପାଇଁ ସାମୁଦ୍ରିକ ଖାଦ୍ୟ ରପ୍ତାନି କରିବାର ଧାରାକୁ ମଧ୍ୟ ପରିବର୍ତ୍ତନ କରାଯାଉଛି । ଶ୍ରୀ ମୋଦୀ କହିଥିଲେ ଯେ ରାଜ୍ୟ ମଧ୍ୟରେ ଓଡ଼ିଶାର  ସମ୍ପଦ ସହ ଜଡିତ ଶିଳ୍ପଗୁଡ଼ିକର ପ୍ରତିଷ୍ଠା  ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ଉତ୍କର୍ଷ ଓଡ଼ିଶା କନକ୍ଲେଭ -୨୦୨୫  ଏହି ଲକ୍ଷ୍ୟକୁ ସାକାର କରିବାର ଏକ ମାଧ୍ୟମ ବୋଲି ସେ ଉଲ୍ଲେଖ କରିଥିଲେ ।

ବିଶ୍ୱରେ  ଜୀବନଶୈଳୀରେ ନିରନ୍ତର ପରିବର୍ତ୍ତନ ଦେଖା ଯାଉଛି ଏବଂ ଏକ ପରିବେଶ ଅନୁକୂଳ  ଭବିଷ୍ୟତ ଆଡକୁ ଅଗ୍ରସର ହେଉଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ପରିବେଶ ଅନୁକୂଳ କ୍ଷେତ୍ରରେ ଚାକିରିର ସମ୍ଭାବନା ମଧ୍ୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ  ସମୟର ଗୁରୁତ୍ୱ  ଏବଂ ଆବଶ୍ୟକତା ସହିତ ଖାପ ଖୁଆଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଭାରତ ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ସୌର, ପବନ, ଜଳ ଏବଂ ହାଇଡ୍ରୋଜେନ ସମେତ ଏକ ପରିବେଶ ଅନୁକୂଳ ଭବିଷ୍ୟତ ଉପରେ ଧ୍ୟାନ ଦେଉଛି, ଯାହା ଏକ ବିକଶିତ ଭାରତର ଶକ୍ତି ସୁରକ୍ଷାକୁ ସୁନିଶ୍ଚିତ କରିବ । ଏହି କ୍ଷେତ୍ରରେ ଓଡ଼ିଶାରେ ଅପାର ସମ୍ଭାବନା ରହିଛି ଏବଂ ଜାତୀୟସ୍ତରରେ ସବୁଜ ହାଇଡ୍ରୋଜେନ ଏବଂ ସୌରଶକ୍ତି ମିଶନ ଆରମ୍ଭ ହୋଇଛି । ଓଡ଼ିଶାରେ ଅକ୍ଷୟ ଶକ୍ତି ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ନୀତିଗତ ନିଷ୍ପତ୍ତି ନିଆଯାଉଛି ଏବଂ ହାଇଡ୍ରୋଜେନ ଶକ୍ତି ଉତ୍ପାଦନ ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁଜ ଶକ୍ତି ସହିତ, ଓଡ଼ିଶାରେ ପେଟ୍ରୋ ଏବଂ ପେଟ୍ରୋକେମିକାଲ କ୍ଷେତ୍ରକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ସମ୍ଭାବନାକୁ ସୁନିଶ୍ଚିତ କରିବା ପାଇଁ ପାରାଦୀପ ଏବଂ ଗୋପାଳପୁରରେ  ଶିଳ୍ପ ପାର୍କକୁ ଗୁରୁତ୍ୱ ଦିଆଯାଇଥିବା ସହିତ  ନିବେଶ କ୍ଷେତ୍ର ବିକଶିତ କରାଯାଉଛି । ରାଜ୍ୟର ବିଭିନ୍ନ ଅଞ୍ଚଳର ସମ୍ଭାବନାକୁ ବିଚାର କରି ଓଡ଼ିଶା ସରକାରଙ୍କୁ ଦ୍ରୁତ ନିଷ୍ପତ୍ତି ନେବା ଏବଂ ଏକ ନୂତନ ଇକୋସିଷ୍ଟମ ବିକଶିତ କରିବା ପାଇଁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଭାରତ ପାଇଁ ଏକବିଂଶ ଶତାବ୍ଦୀ ହେଉଛି ସଂଯୁକ୍ତ ଭିତ୍ତିଭୂମି ଏବଂ ବହୁମୁଖୀ ସଂଯୋଗୀକରଣର ଯୁଗ ବୋଲି ଉଲ୍ଲେଖ କରି  ଶ୍ରୀ ମୋଦି କହିଥିଲେ ଯେ,  ଭାରତରେ ଯେଉଁ ପରିମାଣରେ ଏବଂ ଯେଉଁ ଗତିରେ ଭିତ୍ତିଭୂମି ବିକଶିତ ହେଉଛି,  ତାହା ଦେଶକୁ ଏକ ଉତ୍କୃଷ୍ଟ ନିବେଶ ଗନ୍ତବ୍ୟସ୍ଥଳରେ ରୂପାନ୍ତରିତ କରିବ ।  ଉଦ୍ଦିଷ୍ଟ  ମାଲ ପରିବହନ କରିଡରଗୁଡ଼ିକ ପୂର୍ବ ଏବଂ ପଶ୍ଚିମ ଉପକୂଳକୁ ସଂଯୋଗ କରୁଥିବାରୁ ଭୂମି-ଆବଦ୍ଧ ଅଞ୍ଚଳଗୁଡିକ ପାଇଁ ଏବେ  ସାମୁଦ୍ରିକ ପରିବହନରେ ସୁବିଧା ହେଉଛି । ଦେଶ ସାରା ପ୍ଲଗ୍-ଏଣ୍ଡ-ପ୍ଲେ ସୁବିଧା ସହିତ ବହୁ ଶିଳ୍ପ ସହର ନିର୍ମାଣ କରାଯାଉଛି । ଓଡ଼ିଶାରେ ମଧ୍ୟ ସୁଯୋଗ ବୃଦ୍ଧି ପାଉଛି ଏବଂ ରାଜ୍ୟରେ ରେଳ ଏବଂ ରାଜପଥ ନେଟୱାର୍କ ସହିତ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଚାଲିଛି । ଶିଳ୍ପ କ୍ଷେତ୍ରରେ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ପାଇଁ, ସରକାର ବନ୍ଦରଗୁଡ଼ିକୁ ଶିଳ୍ପ କ୍ଲଷ୍ଟର ସହିତ ସଂଯୋଗ କରୁଛନ୍ତି ଏବଂ ପୂର୍ବରୁ ଥିବା ବନ୍ଦରଗୁଡ଼ିକର ସମ୍ପ୍ରସାରଣ ସହ ନୂତନ ବନ୍ଦର ନିର୍ମାଣ ହେଉଛି । ସାମୁଦ୍ରିକ  ଅର୍ଥନୀତି ଦୃଷ୍ଟିରୁ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ମଧ୍ୟରୁ ଗୋଟିଏ ହେବାକୁ ଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ ।

              ପରିବର୍ତ୍ତିତ ବିଶ୍ୱରେ ଯୋଗାଣ ଶୃଙ୍ଖଳର ଆହ୍ୱାନଗୁଡ଼ିକୁ ଜାଣିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଆଂଶିକ ଏବଂ ଆମଦାନୀ-ଭିତ୍ତିକ ଯୋଗାଣ ଶୃଙ୍ଖଳ ଉପରେ ନିର୍ଭର କରିପାରିବ ନାହିଁ । ଏହା ବଦଳରେ, ବିଶ୍ୱସ୍ତରୀୟ ଅନିଶ୍ଚିତତାର ପ୍ରଭାବକୁ କମ କରିବା ପାଇଁ ଭାରତ ଭିତରେ ଏକ ଦୃଢ଼ ଯୋଗାଣ ଏବଂ ମୂଲ୍ୟଶୃଙ୍ଖଳ ଗଠନ କରିବାକୁ ପଡିବ । ଏହି ଦାୟିତ୍ୱ ସରକାର ଏବଂ ଶିଳ୍ପ ଉଭୟଙ୍କର । ଶିଳ୍ପଗୁଡ଼ିକୁ ଏମଏସଏମଇ  ଏବଂ ଯୁବ ଷ୍ଟାର୍ଟଅପ୍‌ଗୁଡ଼ିକୁ ସମର୍ଥନ କରିବାକୁ ଆହ୍ୱାନ କରି ଶ୍ରୀ ମୋଦି ଅଭିବୃଦ୍ଧି ପାଇଁ ଗବେଷଣା ଏବଂ ନବସୃଜନର ଗୁରୁତ୍ୱ ଉପରେ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ  କହିଥିଲେ ଯେ, ସରକାର ଦେଶରେ ଏକ ଉତ୍କୃଷ୍ଟ ଗବେଷଣା ଇକୋସିଷ୍ଟମ ସୃଷ୍ଟି କରୁଛନ୍ତି, ଯେଉଁଥିରେ ଇଣ୍ଟର୍ନସିପ୍ ଏବଂ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ପାଣ୍ଠି ଏବଂ ପ୍ୟାକେଜର ବ୍ୟବସ୍ଥା ରହିଛି । ସେ ଉଦ୍ୟୋଗପତିମାନଙ୍କୁ  ସରକାରଙ୍କ ସହିତ ସକ୍ରିୟ ଭାବରେ ଅଂଶଗ୍ରହଣ ଏବଂ ସହଯୋଗ କରିବାକୁ ଉତ୍ସାହିତ କରିଥିଲେ । ଏକ ଦୃଢ଼ ଗବେଷଣାତ୍ମକ ପରିବେଶ  ଏବଂ ଏକ ଦକ୍ଷ ଯୁବଶକ୍ତି,  ସିଧାସଳଖ ଭାବେ ଶିଳ୍ପର ବିକାଶ ପାଇଁ ଲାଭଦାୟକ ହେବ ବୋଲି ଗୁରୁତ୍ୱାରୋପ କରିଥିଲେ l ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାପାଇଁ  ଶ୍ରୀ ମୋଦୀ ଶିଳ୍ପଦ୍ୟୋଗୀ  ଏବଂ ଓଡ଼ିଶା ସରକାରଙ୍କୁ ଓଡ଼ିଶାର ଆକାଂକ୍ଷା ସହିତ ସମନ୍ୱିତ ଏକ ଆଧୁନିକ ଇକୋସିଷ୍ଟମ ନିର୍ମାଣ କରିବାପାଇଁ ଏକାଠି କାମ କରିବାକୁ ଅନୁରୋଧ କରିଥିଲେ । ଏହା ଓଡ଼ିଶା ଭିତରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟ ପାଇଁ ସମୃଦ୍ଧି, ଶକ୍ତି ଏବଂ ପ୍ରଗତି ଆଣିବବୋଲି ସେ ମତପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାରା ବିଶ୍ୱର ଲୋକମାନେ ଭାରତକୁ ବୁଝିବା ଏବଂ ଶିଖିବା ପାଇଁ ଆଗ୍ରହୀ । ହଜାର ହଜାର ବର୍ଷର ଐତିହ୍ୟ ଏବଂ ଇତିହାସ ସହିତ ଭାରତକୁ ବୁଝିବା ପାଇଁ ଓଡ଼ିଶା  ଏକ ଉତ୍କୃଷ୍ଟ ସ୍ଥାନ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ରାଜ୍ୟରେ ବିଶ୍ୱାସ, ଆଧ୍ୟାତ୍ମିକତା, ଜଙ୍ଗଲ, ପର୍ବତ ଏବଂ ସମୁଦ୍ରର ଏକ ଅନନ୍ୟ ସମିଶ୍ରଣ  ରହିଛି ।  ଶ୍ରୀ ମୋଦି ଓଡ଼ିଶାକୁ ବିକାଶ ଏବଂ ଐତିହ୍ୟର ଏକ ମଡେଲ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାରେ ଜି-୨୦  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକକୁ ମୁଖ୍ୟ କାର୍ଯ୍ୟକ୍ରମର ଏକ ଅଂଶ କରାଯାଇଥିଲା । ସେ ୫୦୦  କିଲୋମିଟର ଉପକୂଳ, ୩୩% ରୁ ଅଧିକ ଜଙ୍ଗଲ ଆଚ୍ଛାଦିତ , ପରିବେଶ -ପର୍ଯ୍ୟଟନ ଏବଂ ଦୁଃସାହସିକ-ପର୍ଯ୍ୟଟନ ପାଇଁ ଅସୀମ ସମ୍ଭାବନା ସହିତ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ଅନୁସନ୍ଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ  କରିଥିଲେ , ଯେ ଭାରତର ଧ୍ୟାନ " ଓ୍ୱେଡ୍ ଇନ୍ ଇଣ୍ଡିଆ” ଏବଂ "ଭାରତରେ ସୁସ୍ଥତା" ଉପରେ ଥିଲା ଏବଂ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପରିବେଶ ଏହି ପଦକ୍ଷେପଗୁଡ଼ିକର ବହୁତ ସହାୟକ ହେଉଥିଲା  । 

ସମ୍ମିଳନୀ ପର୍ଯ୍ୟଟନ ପାଇଁ ଭାରତରେ ଯଥେଷ୍ଟ ସମ୍ଭାବନା ଥିବା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଭାରତ ମଣ୍ଡପମ୍ ଏବଂ ଦିଲ୍ଲୀର ଯଶୋଭୂମି ଭଳି ସ୍ଥାନ ଏହି କ୍ଷେତ୍ର ପାଇଁ ପ୍ରମୁଖ କେନ୍ଦ୍ର ହୋଇପାରୁଛି । ସେ କନସର୍ଟ ଅର୍ଥନୀତିର ଉଦୀୟମାନ କ୍ଷେତ୍ର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ  । ସେ କହିଥିଲେ ଯେ ଭାରତରେ ସଂଗୀତ, ନୃତ୍ୟ ଏବଂ କାହାଣୀ କହିବାର ସମୃଦ୍ଧ ଐତିହ୍ୟ ଏବଂ ଯୁବ କନସର୍ଟ ଦର୍ଶକଙ୍କ ପାଇଁ ଏକ ପ୍ରମୁଖ ପ୍ରସନ୍ଦ ହେବା  ସହିତ ଏହାର  ଅର୍ଥନୀତି ପାଇଁ ଅପାର ସମ୍ଭାବନା  ରହିଛି । ସେ ଆହୁରି ମଧ୍ୟ କହିଥିଲେ,  ଯେ ଗତ ଦଶନ୍ଧି ମଧ୍ୟରେ, ଲାଇଭ୍ ଇଭେଣ୍ଟର ଧାରା ଏବଂ ଚାହିଦା ବୃଦ୍ଧି ପାଇଛି । ମୁମ୍ବାଇ ଏବଂ ଅହମ୍ମଦାବାଦରେ ସମ୍ପ୍ରତି କୋଲଡ୍ ପ୍ଲେ କନସର୍ଟକୁ ଭାରତରେ ଲାଇଭ୍ କନସର୍ଟର ପରିସରର ପ୍ରମାଣ ଭାବରେ ଦର୍ଶାଇ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ ଯେ ପ୍ରମୁଖ ବିଶ୍ୱ କଳାକାରମାନେ ଭାରତ ପ୍ରତି ଆକର୍ଷିତ ହୋଇଛନ୍ତି । କନସର୍ଟ ଅର୍ଥନୀତି ପର୍ଯ୍ୟଟନକୁ ବୃଦ୍ଧି କରିବା ସହିତ  ଏବଂ ଅନେକ ନିଯୁକ୍ତି ସୃଷ୍ଟି କରେ । ସେ ରାଜ୍ୟ ଏବଂ ଘରୋଇ କ୍ଷେତ୍ରକୁ କନସର୍ଟ ଅର୍ଥନୀତି ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ଦକ୍ଷତା ଉପରେ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ  କରିଥିଲେ । ଏଥିରେ ଇଭେଣ୍ଟ ପରିଚାଳନା, କଳାକାର ପରିଧାନ, ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଅନ୍ତର୍ଭୁକ୍ତ, ଯେଉଁଠାରେ ନୂତନ ସୁଯୋଗ ସୃଷ୍ଟି ହେଉଥିବା ସେ କହିଥିଲେ । 

ଶ୍ରୀ ମୋଦୀ କହିଛନ୍ତି ଯେ, ଆସନ୍ତା ମାସରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ  ( ଓ୍ୱେଭ୍ସ ) ଆୟୋଜନ କରିବ ।  ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବିଶ୍ୱ ସମ୍ମୁଖରେ ଭାରତର ସୃଜନଶୀଳ ଶକ୍ତିକୁ ପ୍ରଦର୍ଶନ କରିବ । ଏପରି କାର୍ଯ୍ୟକ୍ରମ ରାଜସ୍ୱ ବୃଦ୍ଧି କରିବା ସହ ସୃଜନଶୀଳତାକୁ ଉଜ୍ଜୀବିତ କରେ, ଯାହା ଅର୍ଥନୀତିର ଅଭିବୃଦ୍ଧିରେ ଯୋଗଦାନ ଦିଏ । ଏପରି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଥିବେ ସେ ପ୍ରକାଶ କରିଥିଲେ ।

  ଏକ ବିକଶିତ ଭାରତ ଗଠନରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି  ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଲୋକମାନେ ଏକ ସମୃଦ୍ଧ ରାଜ୍ୟ ଗଠନ କରିବାକୁ ସଂକଳ୍ପ ନେଇଛନ୍ତି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସମର୍ଥନ ଯୋଗାଇ ଦେଉଛନ୍ତି । ସେ ଓଡ଼ିଶା ପ୍ରତି ତାଙ୍କର ଶ୍ରଦ୍ଧା ପ୍ରକାଶ କରି ଉଲ୍ଲେଖ କରିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ଭାବରେ ପ୍ରାୟ ୩୦  ଥର ଏହି ରାଜ୍ୟ ଗସ୍ତ କରିଛନ୍ତି ଏବଂ ଏହାର ଅଧିକାଂଶ ଜିଲ୍ଲାକୁ ଯାଇଛନ୍ତି । ସେ ଓଡ଼ିଶାର ସମ୍ଭାବନା ଏବଂ ଏହାର ଲୋକଙ୍କ ଉପରେ ତାଙ୍କର ବିଶ୍ୱାସ ଉପରେ ଜୋର ଦେଇଛନ୍ତି । ତାଙ୍କ ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଦୃଢୋକ୍ତି  ପ୍ରକାଶ କରିଛନ୍ତି ଯେ, ସମସ୍ତ ଅଂଶୀଦାରଙ୍କ ଦ୍ୱାରା କରାଯାଇଥିବା ନିବେଶ ସେମାନଙ୍କର ବ୍ୟବସାୟ ଏବଂ ଓଡ଼ିଶାର ପ୍ରଗତିକୁ ନୂତନ ଉଚ୍ଚତାରେ ପହଞ୍ଚାଇବ। ସେ ସମ୍ପୃକ୍ତ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ । 

ଓଡ଼ିଶାର ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ “ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡ଼ିଶା” ରେ ଯୋଗଦାନ କରି  ଶୁଭାରମ୍ଭ କରିବା ଆମ ପାଇଁ ଗର୍ବ ଓ ଗୌରର୍ବର ବିଷୟ ।  ଗତ ୭ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହା ପଞ୍ଚମ ଗସ୍ତ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦାନ କରି ଓଡ଼ିଶାରେ ନିବେଶ ସୁଯୋଗ ସୃଷ୍ଟି କରିବା  ଆମ ପାଇଁ  ବଡ଼ ଉପହାର ହୋଇଛି,  ଯଦ୍ୱାରା କିଛି ମାସ ପରେ ରାଜ୍ୟର ବିକାଶର ସ୍ଥିତି ଓ ଦିଗ ବଦଳିଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୭ ମାସ ତଳେ ପ୍ରଧାନମନ୍ତ୍ରୀ ‘ପୂର୍ବୋଦୟ’ର ବିକାଶ ପ୍ରତିଷ୍ଠା ସ୍ୱରୂପ ଯେଉଁ ମୂଳଦୂଆ (ଭିତ୍ତିପ୍ରସ୍ତର) ସ୍ଥାପନ କରିଥିଲେ , ସେହି ଭିତ୍ତିପ୍ରସ୍ତର  ଉପରେ ଏକ ମଜଭୁତ ଢାଞ୍ଚା ନିର୍ମାଣ ହେଉଥିବା ସେ ପ୍ରକାଶ କରିଥିଲେ ।  ଏଥିପାଇଁ ଓଡ଼ିଶାବାସୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛନ୍ତି ବୋଲି ସେ କହିଥିଲେ ।  ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ମିଳନୀରେ ଯୋଗଦାନ,  ଉପସ୍ଥିତ ନିବେଶକ ଏବଂ ବ୍ୟବସାୟୀ ସମୁଦାୟ ମଧ୍ୟରେ ରାଜ୍ୟରେ ନିବେଶ  ପାଇଁ  ତଥା ଦୀର୍ଘକାଳୀନ ନିବେଶରେ ରହିବାପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ  କହିଥିଲେ ।      

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ 'ପୂର୍ବୋଦୟ' ପରିକଳ୍ପନାର ଅଂଶ ସ୍ୱରପ,  ପୂର୍ବ ଭାରତରେ ଓଡ଼ିଶା,  କେବଳ ସୁଯୋଗର ଭୂମି ନୁହେଁ ବରଂ ଦେଶର ଡ୍ରାଇଭିଂ ଇଞ୍ଜିନ୍ ହେବାକୁ ଯାଉଛି । ସମୃଦ୍ଧ ଓ ବ୍ୟାପକ  ପ୍ରାକୃତିକ ସମ୍ପଦ, ଉନ୍ନତ ସଡ଼କ,  ରେଳ ଓ ବନ୍ଦର ଭିତ୍ତିଭୂମି ସହିତ  ଦୁବାଇ, ସିଙ୍ଗାପୁର ଭଳି ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା  ସମେତ ଦକ୍ଷ ଶ୍ରମ ଶକ୍ତି, ଶାନ୍ତିପୂର୍ଣ୍ଣ ସାମାଜିକ ଢାଞ୍ଚା, ଏକ ସ୍ଥିର ଏବଂ ପ୍ରଗତିଶୀଳ ଦୃଷ୍ଚିଭଙ୍ଗୀ ରଖୁଥିବା  ସରକାର ଏବଂ ସର୍ବୋପରି ଶିଳ୍ପ ଅନୁକୂଳ ନୀତି  ଯୋଗୁଁ ପୁଞ୍ଜି ନିବେଶ କ୍ଷେତ୍ରରେ  ରାଜ୍ୟର  ବିପୁଳ  ସମ୍ଭାବନା ରହିଥିବା ସେ ପ୍ରକାଶ କରିଥିଲେ ।  

          ଏହି କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ  ରାଜ୍ୟରେ ପୁଞ୍ଜି ନିବେଶ ସୁଯୋଗ ଅନୁସନ୍ଧାନ କରିବା ପାଇଁ  ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଦିଲ୍ଲୀ, ମୁମ୍ବାଇ ଏବଂ ସିଙ୍ଗାପୁର ପରିଦର୍ଶନ କରିଥିବା ଓ ଆଲୋଚନା ସମୟରେ ଓଡ଼ିଶାରେ ନିବେଶ କରିବାକୁ ଯେଉଁ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ,   ଆଜିର ସମ୍ମିଳନୀରେ ବହୁ ସଂଖ୍ୟାରେ ଯୋଗଦାନ,  ଏବେ ତାହାର ଫଳାଫଳକୁ ଦର୍ଶାଉଛି ବୋଲି ସେ କହିଥିଲେ । ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ଆମେ ସିଙ୍ଗାପୁରର ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାର ସୌଭାଗ୍ୟ ପାଇଲୁ ଏବଂ ସିଙ୍ଗାପୁରର ପ୍ରମୁଖ ସଂସ୍ଥାଗୁଡ଼ିକ ସହିତ ଆଠଟି ପରିବର୍ତ୍ତନକାରୀ ବୁଝାମଣାପତ୍ର ସ୍ୱାକ୍ଷର କଲୁ ବୋଲି ସେ କହିଥିଲେ ।   ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ମାର୍ଗଦର୍ଶନରେ ଓଡ଼ିଶା ଏହାର ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଦେଶର ଦୁଇ ଡଜନରୁ ଅଧିକ ରାଜ୍ୟ ନିଜ ନିଜ ରାଜ୍ୟକୁ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯାହା ଭାରତୀୟ ଅର୍ଥନୀତି ପାଇଁ ଉତ୍ତମ । ଆମର ସିଙ୍ଗଲ-ୱିଣ୍ଡୋ କ୍ଲିୟରାନ୍ସ, ଅନାବଶ୍ୟକ ଏବଂ ଏଡ଼ାଇ ଦିଆଯାଇପାରୁଥିବା ଦସ୍ତାବିଜକୁ ଦୂର କରିବା ଭଳି ନିଷ୍ପତ୍ତି ଦ୍ୱାରା ଆମେ ନିବେଶକମାନଙ୍କ  କାର୍ଯ୍ୟ ସହଜ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।  

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମିର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଆମେ ସମସ୍ତ ୩୦ଟି ଜିଲ୍ଲାରେ ବୈଷୟିକ ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଆଲୁମିନିୟମ ଏବଂ ଏମଏସଏମଇ ପାର୍କ ପାଇଁ କ୍ଷେତ୍ରୀୟ ପାର୍କ ସହିତ ରାଜ୍ୟରେ ନୂତନ ଏଫଡିଆଇ ପାର୍କ ସମେତ ସୁବିଧାରେ ଶିଳ୍ପ  ପାର୍କ ସ୍ଥାପନ ପାଇଁ ପ୍ଲଗ୍ ଆଣ୍ଡ ପ୍ଲେ ବ୍ୟବସ୍ଥା କରୁଛୁ ।  ଆମ ସରକାର ଭୌଗୋଳିକ ଏବଂ କ୍ଷେତ୍ରୀୟ ବିବିଧତା ଉପରେ ରଣନୈତିକ ଧ୍ୟାନ ଦେଇ ଶିଳ୍ପାୟନର ଲାଭ ଯେପରି ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚିବ, ତାହାକୁ  ସୁନିଶ୍ଚିତ କରୁଛନ୍ତି । ମାଲକାନଗିରି, ରାୟଗଡ଼ା ଓ କେନ୍ଦୁଝର ଭଳି ଅଞ୍ଚଳ ଐତିହାସିକ ଦୃଷ୍ଟିରୁ ଅନଗ୍ରସର ଥିବା ବେଳେ ଏବେ ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ କେନ୍ଦ୍ରବିନ୍ଦୁ ପାଲଟିଛି । ରାଜ୍ୟର ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ସୁଯୋଗ ରହିଛି । ଏହି ଅସୀମିତ ସୁଯୋଗର ଫାଇଦା ଉଠାଇବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । 

ସମ୍ମିଳନୀରେ ଯୋଗ ଦେଇଥିବା  ନିବେଶକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ଆମର ନିବେଶ କ୍ଷେତ୍ରରେ ବିଭିନ୍ନ ସୁଯୋଗ ରହିଛି । ଖଣି ଏବଂ ଧାତୁବିଜ୍ଞାନ କ୍ଷେତ୍ର ସହିତ ଆମେ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ, ସବୁଜ ହାଇଡ୍ରୋଜେନ, ଆଇଟି ସେବା, ବୟନଶିଳ୍ପ, ଔଷଧ ଏବଂ ଧାତୁ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ନିବେଶକମାନଙ୍କ ନିକଟରେ ଉପସ୍ଥାପନ କରି  ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ସହ ପୁଞ୍ଜିନିବେଶ କରିବାକୁ ସେ ଉତ୍ସାହିତ କରିଥିଲେ । ଏ  ସମସ୍ତ  ବିଶ୍ୱର ଅଭିବୃଦ୍ଧି ଧାରା ସହିତ ସଂଯୁକ୍ତ ବୋଲି ସେ କହିଥିଲେ । 

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୁଶଳୀ ଶ୍ରମଶକ୍ତିର ନିରନ୍ତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମ ସରକାର "ସ୍କିଲ୍ଡ ଇନ୍ ଓଡ଼ିଶା" କାର୍ଯ୍ୟକ୍ରମକୁ  କାର୍ଯ୍ୟକାରୀ କରିଛନ୍ତି । ସେମିକଣ୍ଡକ୍ଟର, ଉନ୍ନତ ଉତ୍ପାଦନ ଏବଂ ଆଇଟି/ଆଇଟିଇଏସ୍ଏମ୍ ଭଳି ଉଦୀୟମାନ ଉଦ୍ୟୋଗ ଗୁଡ଼ିକ ପାଇଁ ଆମେ ଆମର ଯୁବକମାନଙ୍କୁ ଆଧୁନିକ ଯୁଗର ଆବଶ୍ୟକତା ଅନୁସାରେ ଦକ୍ଷତା ପ୍ରଦାନ କରୁଛୁ, ଯାହା ଦ୍ୱାରା ଶିଳ୍ପଜଗତ ପାଇଁ  ପ୍ରସ୍ତୁତ ପ୍ରଶିକ୍ଷିତ ମାନବସମ୍ବଳ ଶ୍ରମ ବଜାରରେ ପ୍ରବେଶ  କରିପାରିବେ  । 

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାରେ ପରିଣତ କରିବାକୁ ହେବ ଏବଂ ଦେଶକୁ ତୃତୀୟ ବୃହତ୍ତମ ଅର୍ଥନୀତି ବ୍ୟବସ୍ଥାରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କର  ଯେଉଁ ଦୂରଦୃଷ୍ଟି ଓ ସଂକଳ୍ପ ରହିଛି, ଏହି ଯଜ୍ଞରେ ଓଡ଼ିଶାର ବିଶେଷ  ଯୋଗଦାନ ରହିବ । ଓଡ଼ିଶାର ଶିଳ୍ପ ବିକାଶ କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଭାରତ ପାଇଁ  ପ୍ରଗତିର ଏକ ମଡେଲ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶାକୁ ସମସ୍ତଙ୍କୁ ସ୍ୱାଗତ କରି  ଓଡ଼ିଶାରେ ନିବେଶ ପାଇଁ ଏହି ସମୟ ପ୍ରକୃତ ସମୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକମାନଙ୍କୁ ଓଡ଼ିଶାର ଅଭିବୃଦ୍ଧିରେ ସହଭାଗୀ ହେବା ସହ ବିକାଶର ସଫଳ କାହାଣୀର ଏକ ଅଂଶ ହେବାକୁ ଖୋଲା ହୃଦୟରେ  ସାଦର ନିମନ୍ତ୍ରଣ ଜଣାଇଥିଲେ । 

କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଶିଳ୍ପ ସଂଗଠନ ଯଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀ, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଳମ୍‌ ବିର୍ଲା, ବେଦାନ୍ତ ରିସୋର୍ସେସ୍‌ର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ, ଜେଏସ୍‌ଡବ୍ଲୁ୍ୟ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଜିନ୍ଦଲ, ଜେଏସ୍‌ପିଏଲ୍‌ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ୍‌ଙ୍କ ସମେତ ବି. ଡ଼ି. ଗୋୟେଙ୍କା, ହିତେଶ ଦୋଷି, କରନ୍‌ ଆଦାନୀ, ଟି. ଭି. ନରେନ୍ଦ୍ରନ୍‌ ପ୍ରମୁଖ ସେମାନଙ୍କର ଭିଡ଼ିଓ ବାର୍ତ୍ତାରେ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା ଆୟୋଜନ ନିମନ୍ତେ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଓଡ଼ିଶାରେ ଶିଳ୍ପ ବିକାଶ ଯାତ୍ରାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।



 ପୃଷ୍ଠଭୂମି

“ଉତ୍କର୍ଷ ଓଡ଼ିଶା - ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫”  ହେଉଛି ଏକ ପ୍ରମୁଖ ବିଶ୍ୱ ନିବେଶ ସମ୍ମିଳନୀ, ଯାହା ଓଡ଼ିଶା ସରକାର ଦ୍ୱାରା ଆୟୋଜିତ ହେଉଛି, ଯାହା ରାଜ୍ୟକୁ ପୂର୍ବୋଦୟ ଦୃଷ୍ଟିକୋଣର ଉପସ୍ଥାପକ  ଭାବରେ  ଭାରତରେ ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଏବଂ ଶିଳ୍ପ କେନ୍ଦ୍ର ଭାବରେ ସ୍ଥାପନ କରିବାର ଲକ୍ଷ୍ୟ ରଖିଛି । ଆଜି ପ୍ରଧାନମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିଥିଲେ ଯାହା ଏକ ଚଳ ଚଂଚଳ  ଶିଳ୍ପ ଇକୋସିଷ୍ଟମ ବିକାଶରେ ରାଜ୍ୟର ଉଲ୍ଲେଖନୀୟ ସଫଳତାକୁ    ଦର୍ଶାଇଥାଏ । ଏହି ଦୁଇ ଦିନିଆ କନକ୍ଲେଭ ୨୮ ଓ  ୨୯  ଜାନୁଆରୀ ପର୍ଯ୍ୟନ୍ତ ଦୁଇଦିନ ଧରି  ଅନୁଷ୍ଠିତ ହେଉଛି । ଏହା ଶିଳ୍ପ ନେତା, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରିବ ଏବଂ ଏକ ପସନ୍ଦର  ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଓଡ଼ିଶା ପ୍ରଦାନ କରୁଥିବା ସୁଯୋଗଗୁଡ଼ିକୁ ଏକତ୍ର  ଆଲୋଚନା କରିବା ପାଇଁ ପ୍ଲାଟଫର୍ମ ସୃଷ୍ଟି  କରିବ  । ଏହି କନକ୍ଲେଭରେ ପ୍ରମୁଖ ଶିଳ୍ପ ନେତୃବୃନ୍ଦଙ୍କ ସହିତ ଗୋଲଟେବୁଲ ବୈଠକ, କ୍ଷେତ୍ରୀୟ ଅଧିବେଶନ, ବି-ଟୁ-ବି ବୈଠକ ଏବଂ ନୀତି ଆଲୋଚନା ଆୟୋଜନ କରାଯିବ, ଯାହା ବିଶ୍ୱବ୍ୟାପୀ ନିବେଶକଙ୍କୁ ଆକୃଷ୍ଟ କରିବାକୁ ସୁନିଶ୍ଚିତ କରିବ ।

Powered by Blogger.
Javascript DisablePlease Enable Javascript To See All Widget