loading...

ରାଜଭବନରେ ୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସ୍ଥାପନା ଦିବସ ପାଳିତ। ବିବିଧତାରେ ଏକତା ଭାରତର ବିଶେଷତ୍ୱ – ରାଜ୍ୟପାଳ




ରାଜଭବନଠାରେ ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସ୍ଥାପନା ଦିବସ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟିଙ୍କ ଉପସ୍ଥିତିରେ ଏକ ଉତ୍ସବ ମୁଖରିତ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ରାଜ୍ୟଗୁଡ଼ିକ ହେଲେ ଆସାମ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ କେନ୍ଦ୍ରଶାସିତ ଅଂଚଳ ଦାଦ୍ରା ନଗରହାବେଳୀ ଓ ଡ଼ାମନ୍ ଏବଂ ଡିଉ । ଏହି ଉପଲକ୍ଷେ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଓଡ଼ିଶାରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ତଥା ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅନ୍ୟ ରାଜ୍ୟର ବ୍ୟକ୍ତି ବିଶେଷଙ୍କର ସକ୍ରିୟ ଅଂଶ ଗ୍ରହଣ ମଧ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ବିବିଧତାରେ ଏକତା ଭାରତର ବିଶେଷତ୍ୱ ବୋଲି କହିବା ସହିତ ବିବିଧତା ଆମ ଗୌରବ ବୋଲି କହିଥିଲେ । ଏକ ଭାରତ ଶ୍ରେଷ୍ଠ ଭାରତ। ବିବିଧତାରେ ଏକତା ଏକ ସ୍ଲୋଗାନ୍‌ରେ ସୀମିତ ନୁହେଁ ବରଂ ଏହା ଅପାର ଶକ୍ତିର ଭଣ୍ଡାର ବୋଲି ସେ ପ୍ରକାଶ କରିଥିଲେ। ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ରାଜଭବନରେ ପାଳିତ ରାଜ୍ୟ ସ୍ଥାପନା ଦିବସ ପାଳନ ପରସ୍ପର ମଧ୍ୟରେ ଖୁସି ଏବଂ ଆନନ୍ଦ ବାଂଟିବାର ପର୍ବ ଯାହା ଆମ ରାଷ୍ଟ୍ରୀୟ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରାଉଛି ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଶାରେ ଶିକ୍ଷା ଲାଭ କରୁଥିବା ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜ୍ଞାନର ସଂପର୍କ ସେତୁ ସ୍ଥାପନ ଓ କର୍ମକ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ରାଜ୍ୟର ବିକାଶ ଓ ପ୍ରଗତିରେ ଅଂଶ ଗ୍ରହଣ ଓ ଅବଦାନକୁ ପ୍ରଶଂସା କରିବା ସହିତ ସାମାଜିକ ଓ ସାଂସ୍କୃତିକ ପରିଚୟକୁ ସମୃଦ୍ଧ କରାଉଛି ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ ଆତିଥେୟତା ଏକତାର ଭାବନାକୁ ମଜବୁତ କରିବାକୁ ପ୍ରତିବଦ୍ଧ ବୋଲି ରାଜ୍ୟପାଳ କହିଥିଲେ।
ସ୍ଥାପନା ଦିବସ ପାଳିତ ହେଉଥିବା ରାଜ୍ୟମାନଙ୍କର ତଥା କେନ୍ଦ୍ରଶାସିତ ଅଂଚଳର ଓଡ଼ିଶାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ବିବିଧତାରେ ଏକତା ଉପରେ ଆଧାରିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏତଦ୍‌ବ୍ୟତୀତ ଆସାମ ରାଜ୍ୟର ବିହୁ ନୃତ୍ୟ ଦଳ ଏବଂ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଲୋକ ନୃତ୍ୟ ଦଳ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଭିନ୍ନ ରାଜ୍ୟର ବ୍ୟକ୍ତିବିଶେଷ ନିଜ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳର ସଂସ୍କୃତି, କଳା, ଐତିହ୍ୟ ଏବଂ ମହାନତା ସଂପର୍କରେ ଅବତାରଣା କରିବା ସହିତ ଓଡ଼ିଶା ସହିତ ସେହି ରାଜ୍ୟମାନଙ୍କର ଅତୁଟ ସଂପର୍କ ଏବଂ ଓଡ଼ିଶା ରାଜ୍ୟର ବିଶେଷତ୍ୱ ସଂପର୍କରେ ନିଜର ଅଭିଜ୍ଞତା ଓ ଉପଳବ୍ଧି ସଂପର୍କରେ ଆଲୋକପାତ କରିଥିଲେ। 
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଫାଷ୍ଟ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭମ୍‌ପାଟି ଉପସ୍ଥିତ ଥିଲେ। ଏହି ସମାରୋହରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget