ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୫
ବାଲିଅନ୍ତା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗଣମାଧ୍ୟମର ପ୍ରତିନିଧିଙ୍କୁ ଅସମ୍ମାନିତ କରିବା ପ୍ରତିବାଦରେ ବାଲିଅନ୍ତା ବ୍ଲକ ସମ୍ମୁଖରେ ଆନ୍ଦୋଳନରତ ବାଲିଅନ୍ତା-ବାଲିପାଟଣା-ଧଉଳିର ସାମ୍ବାଦିକମାନଙ୍କୁ ଆଜି କଂଗ୍ରେସ ଦଳର ପ୍ରତିନିଧିମାନେ ସାକ୍ଷାତ କରି ସେମାନଙ୍କର ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଏହି ଅବସରରେ ପ୍ରତିନିଧି ଦଳ ପକ୍ଷରୁ ଶ୍ରୀଯୁକ୍ତ ମାନସ ଚୌଧୁରୀ କହିଛନ୍ତି ଯେ ବିଜେପି ସରକାର ଅମଳରେ ଗଣମାଧ୍ୟମ ଅସୁରକ୍ଷିତ। ଗଣମାଧ୍ୟମକୁ ନୀରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଦିଆଯାଉନାହିଁ। ବାଲିପାଟଣା ବ୍ଲକ ଅଧ୍ୟକ୍ଷା ନିଜର ସୀମା ସରହଦ ଟପି ଯେଉଁଭଳି ଭାବରେ ଆଚରଣ କରିଛନ୍ତି ଏହା ଅତ୍ୟନ୍ତ ନିନ୍ଦନୀୟ। ସାମ୍ବାଦିକମାନେ ଶାସନର ସ୍ୱଚ୍ଛତା ପାଇଁ ସଂଗ୍ରାମ କରିଥାନ୍ତି। ବ୍ଲକ ଅଧ୍ୟକ୍ଷା ତୁରନ୍ତ ନିଜର ଭୁଲ ସ୍ୱୀକାର କରନ୍ତୁ ଓ ସାମ୍ବାଦିକମାନଙ୍କୁ ଭୁଲ ମାଗନ୍ତୁ ବୋଲି ଶ୍ରୀ ଚୌଧୁରୀ ଦାବି କରିଛନ୍ତି। ସେ ଏହି ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଚୌଧୁରୀ ସାମ୍ବାଦିକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ପ୍ରତିନିଧିଦଳରେ ଭୁବନେଶ୍ୱର କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜ, ରଞ୍ଜିତ ପାତ୍ର, ବେଣୁଧର ଭୋଇ, ଅମୀୟ ପାଣ୍ଡବ, ମନୋଜ ବିଶ୍ୱାଳ, ମିଲନ ପଟ୍ଟନାୟକ, ମହମ୍ମଦ ପରଭେଜ, ଅମରେଶ ପରିଡ଼ା, ରାହୁଲ ମହାନ୍ତି, ବଟକୃଷ୍ଣ ରାଉତରାୟ, ଜନ୍ମେଜୟ ଲେଙ୍କା ଓ ସନ୍ଦୀପ ରାଉତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
Post a Comment