ଭୁବନେଶ୍ୱର, ୧୭ ଫେବୃଆରୀ ୨୦୨୫
- ଯୋଗ ଦେଲେ ୫ ରାଜ୍ୟର ପଦାଧିକାରୀ ଓ ପ୍ରତିନିଧି
- ସାମାଜିକ ନ୍ୟାୟ ଓ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ସଂପର୍କିତ ସମୀକ୍ଷା
ଆଜି ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ କେରଳ ଆଦି ୫ ଟି ରାଜ୍ୟକୁ ନେଇ ଆଞ୍ଚଳିକ ସମୀକ୍ଷା ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏହି ସମୀକ୍ଷା ବୈଠକରେ ସଂପୃକ୍ତ ବିଭାଗର ଶାସନ ସଚିବ ଶ୍ରୀ ଅମିତ ଯାଦବ ଅଧ୍ୟକ୍ଷତା କରିଥିଲେ । ଏହି ସମ୍ମିଳନୀରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣକୁ ନେଇ ବିଭିନ୍ନ ଯୋଜନା ଏବଂ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ୱାରା ରାଜ୍ୟଗୁଡ଼ିକ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକର ବିସ୍ତୃତ ସମୀକ୍ଷା କରାଯାଇଛି । ଏହି ମଞ୍ଚ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାକୁ ଆକଳନ କରିବା, ପ୍ରମୁଖ ଆହ୍ୱାନର ମୁକାବିଲା କରିବା ଏବଂ ସମାବେଶୀ ଅଭିବୃଦ୍ଧି ତଥା ସାମାଜିକ ନ୍ୟାୟ ପାଇଁ ନୂତନ ରଣନୀତି ଅନ୍ୱେଷଣ କରିବାର ସୁଯୋଗ ପ୍ରଦାନ କରିଛି । ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ କେନ୍ଦ୍ର ସରକାରଙ୍କ ଏହି ବିଭାଗର ଶାସନ ସଚିବ ଶ୍ରୀ ଯାଦବ, ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମ୍ବୋଧନ କରିଥିଲେ ଏବଂ ଓଡ଼ିଶାର ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର ପରିଚାଳନା କରିଥିଲେ ।
ଉଦଘାଟନୀ ଅଭିଭାଷଣରେ, ଏହି କାର୍ଯ୍ୟକ୍ରମ ଆଯ଼ୋଜନ କରିଥିବାରୁ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରି ସଂପୃକ୍ତ ବିଭାଗୀୟ ସଚିବ ଶ୍ରୀ ଯାଦବ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରଥମେ ଏହି କାର୍ଯ୍ୟକ୍ରମ ଆଗ୍ରାରେ ଆରମ୍ଭ ହୋଇଥିଲା, ପରେ ପରେ ଆଞ୍ଚଳିକ ବୈଠକ ଲକ୍ଷ୍ନୌ, ହାଇଦ୍ରାବାଦ ଓ ଜୟପୁରରେ ଆୟୋଜିତ ହୋଇଥିଲା ବୋଲି କହିଥିଲେ । ଶ୍ରୀ ଯାଦବ କହିଛନ୍ତି, ସାମାଜିକ ନ୍ୟାୟ ଯୋଜନାଗୁଡ଼ିକ ରାଜ୍ୟସ୍ତରରେ କାର୍ଯ୍ୟକାରୀ ହେଉଛି । ତେଣୁ ଫଳପ୍ରଦ କାର୍ଯ୍ୟକାରିତା ପାଇଁ କେନ୍ଦ୍ର ଅଧିକାରୀ ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି । ସେ ଅନୁସୂଚିତ ଜାତି, ପଛୁଆ ବର୍ଗ, ଡିନୋଟିଫାଏଡ୍ ଏବଂ ନୋମାଡିକ୍ ଜନଜାତି (ଡିଏନଟି), କିନ୍ନର, ବରିଷ୍ଠ ନାଗରିକ, ପରିମଳ କର୍ମଚାରୀ ଏବଂ ନିଶାଦ୍ରବ୍ୟ ବ୍ୟବହାର ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କ କଲ୍ୟାଣ ସମେତ ବିଭିନ୍ନ କ୍ଷେତ୍ର ଉପରେ ଗୁରୁତ୍ବାରୋପ କରିଥିଲେ ।
ଶ୍ରୀ ଯାଦବ ସଶକ୍ତିକରଣର ତିନୋଟି ମୁଖ୍ୟ ସ୍ତମ୍ଭ- ଶିକ୍ଷା, ସାମାଜିକ ଅନ୍ତର୍ଭୂକ୍ତିକରଣ ଏବଂ ଆର୍ଥିକ ସହାୟତା ବିଷୟରେ କହିଥିଲେ । ଏସସି ଏବଂ ଓବିସି ଛାତ୍ରବୃତ୍ତି, ଆର୍ଥିକ ଅନୁଦାନ ଏବଂ ଅବହେଳିତ ସମ୍ପ୍ରଦାୟ ପାଇଁ ଋଣ ଭଳି ଯୋଜନା ଅଧୀନରେ ଆର୍ଥିକ ସହାୟତାର ଉପଲବ୍ଧତା ଉପରେ ସେ ଆଲୋକପାତ କରିଥିଲେ । ନିଶା ମୁକ୍ତ ଭାରତ ଅଭିଯାନର କାର୍ଯ୍ୟକାରିତା ମଧ୍ୟ ସମୀକ୍ଷା କରାଯାଇଥିଲା, ଯେଉଁଥିରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ସହିତ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପାଣ୍ଠିର ଉପଯୋଗିତା ପ୍ରସଙ୍ଗରେ ସେ ରାଜ୍ୟଗୁଡ଼ିକୁ ଠିକ୍ ସମୟରେ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ‘ପିଏମ-ଅଜୟ’ ପଦକ୍ଷେପ ଅଧିନରେ ପାଣ୍ଠିର ସଦୁପଯୋଗ କରିବାକୁ କହିଥିଲେ । କଲ୍ୟାଣମୂଳକ ପଦକ୍ଷେପକୁ ସୁବ୍ୟବସ୍ଥିତ କରିବା ପାଇଁ ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତିରାଜ ଏବଂ ଶିକ୍ଷା ଭଳି ବିଭାଗଗୁଡ଼ିକ ମଧ୍ୟରେ ଆନ୍ତଃରାଜ୍ୟ ସମନ୍ୱୟର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାର ବିଶ୍ୱସ୍ତରୀୟ ହକି ଭିତ୍ତିଭୂମି ଉପରେ ଆଲୋକପାତ କରି କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ରାଜ୍ୟର ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି । ସେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପରମ୍ପରାକୁ ମଧ୍ୟ ସ୍ୱୀକାର କରିଥିଲେ, ଯାହା ସାଂସ୍କୃତିକ ଏବଂ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ ।
ମୁଖ୍ୟ ଶାସନ ସଚିବ,ଓଡ଼ିଶା ଶ୍ରୀ ଆହୁଜା ତାଙ୍କ ଅଭିଭାଷଣରେ କହିଥିଲେ ଯେ ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ଅନୁସୂଚିତ ଜାତି ଜନସଂଖ୍ୟା ଏହାର ମୋଟ ଜନସଂଖ୍ୟାର ପ୍ରାୟ ୧୭ ପ୍ରତିଶତ । ଆୟୋଜିତ ସମ୍ମିଳନୀ ଆମକୁ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତାକୁ ଆକଳନ କରିବା, ପ୍ରମୁଖ ଆହ୍ୱାନର ମୁକାବିଲା କରିବା ଏବଂ ସାମାଜିକ ନ୍ୟାୟ ପାଇଁ ନୂତନ ରଣନୀତି ଅନ୍ୱେଷଣ କରିବାର ସୁଯୋଗ ପ୍ରଦାନ କରୁଛି । ସେ କହିଛନ୍ତି, ୨୦୪୭ ସୁଦ୍ଧା ବିକାଶିତ ଭାରତର ସ୍ୱପ୍ନ ପୂରଣ କରିବାକୁ ହେଲେ ପଛୁଆ ବର୍ଗ, ଅନୁସୂଚିତ ଜାତି, ଏସଇବିସି ସମ୍ପ୍ରଦାୟ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିମନ୍ତେ କଲ୍ୟାଣ ଓ ସଶକ୍ତିକରଣ ଯୋଜନା ପ୍ରସ୍ତୁତ ନେଇ ପ୍ରତିବଦ୍ଧ ହେବାକୁ ହେବ । ସମସ୍ତ ସ୍ତରରେ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବାକୁ ହେବ ବୋଲି ମୁଖ୍ୟ ଶାସନ ସଚିବ ମତ ପ୍ରକାଶ କରିଛନ୍ତି । ଏସସି ସମ୍ପ୍ରଦାୟ ପାଇଁ ସମାନତା ଏବଂ ନ୍ୟାୟ ସୁନିଶ୍ଚିତ କରିବାରେ ନାଗରିକ ଅଧିକାର ସୁରକ୍ଷା (ପିସିଆର) ଅଧିନିୟମ, ୧୯୫୫ ଏବଂ ପ୍ରିଭେନସନ୍ ଅଫ୍ ଆଟ୍ରୋସିଟି ଆକ୍ଟ, ୧୯୮୯ ଭଳି ଆଇନଗତ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଭେଦଭାବ ଦୂର କରିବା ଏବଂ ସାମାଜିକ ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସଚେତନତା ଅଭିଯାନ ସହିତ ଏହି ଆଇନଗୁଡ଼ିକର କଠୋର କାର୍ଯ୍ୟକାରିତାର ଆବଶ୍ୟକତା ରହିଥିବା ସେ କହିଛନ୍ତି । ସେ ମଧ୍ୟ କଲ୍ୟାଣମୂଳକ ପଦକ୍ଷେପକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯେପରିକି ଉନ୍ନତ ମାନର ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଆବାସ ସୁବିଧା, ଯାହାକି ଅବହେଳିତ ସମ୍ପ୍ରଦାୟର ସଶକ୍ତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ, ଏହା ବିକଶିତ ଓଡ଼ିଶାର ପରିକଳ୍ପନା ପାଇଁ ଆବଶ୍ୟକ ।
ସେହିପରି ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମିଶ୍ର ଯୋଗଦେଇଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ରାଜ୍ୟ ସରକାର ଅନୁସୂଚିତ ଜାତି ସମୁଦାୟ ପାଇଁ ସାମାଜିକ-ଅର୍ଥନୈତିକ ସୁଯୋଗ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି । ଏହି ସମୀକ୍ଷା ବୈଠକ ଅନୁସୂଚିତ ଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସହିତ ଜଡିତ ପ୍ରମୁଖ ପ୍ରଶାସନିକ ଏବଂ ବୈଷୟିକ ସମସ୍ୟାଗୁଡ଼ିକୁ ଚିହ୍ନଟ ଏବଂ ସମାଧାନ କରିବା ପାଇଁ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିଛି ।
ଆଞ୍ଚଳିକ ସମୀକ୍ଷା ବୈଠକର ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅନ୍ତର୍ଗତ ବିଭିନ୍ନ ଯୋଜନା ଯଥା- ପ୍ରାକ୍ ମାଟ୍ରିକ୍ ଓ ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି, ପିଏମ-ଯଶସ୍ୱୀ ଯୋଜନା, ପିଏମ-ଅଜୟ ଯୋଜନା, ନ୍ୟାସନାଲ୍ ଆକ୍ସନ ପ୍ଲାନ୍ ଫର୍ ମେକାନାଇଜ୍ ସାନିଟେସନ ଇକୋସିଷ୍ଟମ (ନମସ୍ତେ ଯୋଜନା), ନ୍ୟାସନାଲ ଆକ୍ସନ ପ୍ଲାନ ଅନ୍ ଡ୍ରଗ୍ ଡିମାଣ୍ଡ ରିଡକସନ୍ (ଏନଏପିଡିଡିଆର୍), ଅଟଳ ବୟୋ-ଅଭ୍ୟୁଦୟ ଯୋଜନା, ପିଏମ-ସୁରଜ୍, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ୍ ଡିଫେନ୍ସ ଆଦି ବିଷୟରେ ଆଲୋଚନା କରାଯାଇଥିବା ବେଳେ ନାଗରିକ ଅଧିକାର ସୁରକ୍ଷା ଆଇନ - ୧୯୫୫ ଏବଂ ଅତ୍ୟାଚାର ନିବାରଣ ଆଇନ - ୧୯୮୯, ଜୀବିକା ଏବଂ ଉଦ୍ୟୋଗ ପାଇଁ ଅବହେଳିତ ସମୁଦାୟଙ୍କୁ ସହାୟତା ପ୍ରଦାନ ଆଦି ବିଭିନ୍ନ ବିଷୟବସ୍ତୁ ଉପରେ ସମୀକ୍ଷା କରାଯାଇଥିଲା ।
ଆର୍ଥିକ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବାରେ ଏସସି ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ, ଓବିସି ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଏବଂ ସଫାଇ କର୍ମଚାରୀ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଭଳି ଆର୍ଥିକ ନିଗମଗୁଡ଼ିକର ଭୂମିକାକୁ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା । ଏହାବ୍ୟତୀତ, ଜାତୀୟ ଆଇନ ସେବା ପ୍ରାଧିକରଣ ସହଯୋଗରେ ସଚେତନତା ଅଭିଯାନ ଏବଂ ଜାତୀୟ ସାମାଜିକ ସୁରକ୍ଷା ପ୍ରତିଷ୍ଠାନ ଅଧୀନରେ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା । ଛତିଶଗଡ଼, ଝାଡ଼ଖଣ୍ଡ, କେରଳ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ପ୍ରତିନିଧିଙ୍କ ବ୍ୟତୀତ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ, ପିରାମଲ ଫାଉଣ୍ଡେସନ, ଭାରତ ଇନୋଭେସନ୍ ଗ୍ଲୋବାଲର ବିଶିଷ୍ଟ ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଏହି ଆଞ୍ଚଳିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।
Post a Comment