loading...

“କେନ୍ଦ୍ର ଓ ରାଜ୍ୟ ବଜେଟ” ଦେଶର ଅର୍ଥନୈତିକ ବିକାଶକୁ ଦୃଢୀଭୁତ କରିବ: କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ

ଭୁବନେଶ୍ୱର, ୧୮ ଫେବୃଆରୀ ୨୦୨୫




  • କେନ୍ଦ୍ର ସରକାର ଭଳି ରାଜ୍ୟ ସରକାର ମଧ୍ୟ ଗରିବ, ଯୁବକ, କୃଷକ ଓ ମହିଳାଙ୍କୁ ବିଶେଷ ଗୁରତ୍ୱ ଦେଇଛନ୍ତି
  • ସମାଜର ତଳ ପାହାଚରେ ଥିବା ବ୍ୟକ୍ତିର ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ: ମନମୋହନ ସାମଲ
  • ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ ରାଜ୍ୟ ବଜେଟ : ସୁରେଶ ପୂଜାରୀ

କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୧୪ରେ ଭାରତର ବଜେଟ ୧୬ ଲକ୍ଷ କୋଟିରୁ ଆରମ୍ଭ ହୋଇଥିଲା।୨୦୨୫-୨୬ ବଜେଟ୍ ଏବେ ୫୧ ଲକ୍ଷ କୋଟିରେ ପହଂଚିଛି। କେନ୍ଦ୍ର ବଜେଟ୍‌ରେ ଚାକିରିଆ, ବ୍ୟବସାୟୀଙ୍କ ପାଇଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରାଯାଇଛି। କୃଷକମାନଙ୍କ ପାଇଁ କିଶାନ କାର୍ଡର ସୀମା ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଓଡ଼ିଶା ସମେତ ପୂରା ଦେଶର ଚାଷୀକୁଳ ଲାଭବାନ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗ୍ରାମାଚଂଳରେ ୨୯ ଲକ୍ଷ ଓ ୧୭୬ଟି ସହର ପାଇଁ ୩ ଲକ୍ଷ ଘର ତିଆରି କରାଯାଇଛି। ଏହା କେବଳ ୨୦୨୫-୨୬ର ବଜେଟ ନୁହେଁ ବରଂ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ସୁଶାସନର ଗତ ୧୦ ବର୍ଷର ରିପୋର୍ଟ କାର୍ଡ ବୋଲି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ, ଭାଜପା ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରାୟ ୪୧ହଜାର କିଲୋମିଟରରୁ ଅଧିକ ସଡ଼କ ତିଆରି କରିଛନ୍ତି। ଜଳଜୀବନ ମିଶନରେ ୭୧ ପ୍ରତିଶତ ଘରକୁ ପିଇବା ପାଣି ଯୋଗାଣ କରାଯାଇଛି। ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ଯୋଗାଣ ସହ ଓଡ଼ିଶାରେ ଜନଧନ ଯୋଜନାରେ ଗ୍ରାମାଂଚଳରେ ବ୍ୟାଙ୍କ ସେବା ପହଂଚାଯାଇପାରିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ସେବା ଯୋଜନାରେ ଲୋକଙ୍କୁ ୧୦ ଲକ୍ଷ ଓ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା ଦିଆଯାଇଛି। ଏହା ବିଶ୍ୱର ସବୁଠାରୁ ବଡ଼ ସାମାଜିକ ସୁରକ୍ଷା ବୀମା ଅଟେ। ଭିତିଭୂମିର ବିକାଶ ପାଇଁ ଆମେ ସର୍ବାଧିକ ଜୋର ଦେଇଛୁ। ପୂର୍ବରୁ କେବଳ ଓଡ଼ିଶାରେ ୩ଟି ମେଡିକାଲ କଲେଜ ଥିଲା। ନରେନ୍ଦ୍ରମୋଦିଙ୍କ ସରକାର ଆସିବା ପରେ ଗତ ୧୦ ବର୍ଷରେ ନୂଆ ୭ଟି ମେଡିକାଲ କଲେଜ ତିଆରି କରାଯାଇଛି। ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାର ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ଯୋଜନା କରାଯାଇଛି। ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ “ଡେ କେୟାର ସେଂଟର” କରିବାକୁ ଯୋଜନା କରାଯାଇଛି। ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡ଼ିଶାରେ ରେଳର ଭିତିଭୂମିକୁ ସୁଦୃଢ଼ କରାଯାଇଛି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟରେ ରେଳପଥର ବିକାଶ ପାଇଁ ବାର୍ଷିକ ହାରାହାରି ମାତ୍ର ୮୩୮କୋଟି ଟଙ୍କାର ଅନୁଦାନ ମିଳୁଥିଲା । ବର୍ତମାନ ଏହା ବାର୍ଷିକ ହାରାହାରି ୧୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ମିଳୁଛି । ସେହିପରି ରାଜ୍ୟରେ ବର୍ତମାନ ୪୮ଟି ରେଳପ୍ରକଳ୍ପ ପାଇଁ ୭୩ ହଜାର ୭୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏଥିସହ ଓଡିଶାରେ ୫୯ଟି ଅମୃତ ଷ୍ଟେସନ ପାଇଁ ୨୩୭୯ କୋଟି ବ୍ୟୟବରାଦ କରାଯାଇଛି। ଏହାବାଦ ୬ଟି ବନ୍ଦେ ଭାରତ ଟ୍ରେନ, ଗୋଟିଏ ଅମୃତ ଭାରତ ଟ୍ରେନ ଓଡ଼ିଶା ପାଇଁ ଦିଆଯାଇଛି। ଓଡ଼ିଶାରେ ପେଟ୍ରୋଲିୟମ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ଭାଜପା ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି। ମହାନଦୀରେ ହୀରାକୁଦ ଡ୍ୟାମ ଓ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଓଡ଼ିଶାରେ କୃଷି ଓ କୃଷକର ବିକାଶ ପାଇଁ ମଧ୍ୟ ମୋଦିଜୀ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଏହାଛଡ଼ା ଶିକ୍ଷା କ୍ଷେତ୍ରରେ ସବୁ ସ୍କୁଲରେ ଅଟଳ ଇନୋଭେସନ ସେଂଟର, ପିଏମ୍‌ଶ୍ରୀ ଭଳି ଯୋଜନା ଲାଗୁ କରାଯିବା ସହ ଆଇଆଇଟି ବିସ୍ତାର କରିବାକୁ ଯୋଜନା କରାଯାଇଛି। ଦେଶର ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା ହେବାକୁ ଥିଲାବେଳେ ଓଡିଶାରେ ପ୍ରାୟ ୮୬୩ ଅଟଳ ଟିଙ୍କରିଂ ଲ୍ୟାବ ଖୋଲିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ଭାରତନେଟ୍ ପ୍ରକଳ୍ପ ଅଧୀନରେ ଇଂଟରନେଟ୍ ଓ ବ୍ରଡବ୍ୟାଣ୍ଡ ସଂଯୋଗ ନଥିବା ସମସ୍ତ ୩୬୫୯ଟି ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ଗ୍ରାମଂଚଳର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଇଂଟରନେଟ୍ ଓ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।

ସେହିପରି ଦେଶର ଉପକୂଳଗୁଡ଼ିକର ବିକାଶ ପାଇଁ ୨୫ ହଜାର କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଗଠନ କରାଯାଇଛି। ମୋଦିଜୀଙ୍କ ଯୋଗୁ ଓଡ଼ିଶାରେ ଏବେ ୫ଟି ଏୟାରପୋର୍ଟ ଥିଲାବେଳେ ପୂର୍ବ ସରକାର ସମୟରେ ଏହି ସଂଖ୍ୟା ୧ ଥିଲା। ଆଗକୁ ଓଡ଼ିଶା ଆହୁରି ୫ରୁ ୬ଟି ଏୟାରପୋର୍ଟ ଖୋଲିବାର ଯୋଜନା ରହିଛି। ଆଗକୁ ଓଡ଼ିଶା କିଭଳି ଦେଶର ସବୁଠାରୁ ବଡ଼ ଟସର ସିଲ୍କ ଉପାଦନକାରୀ ରାଜ୍ୟ ହୋଇପାରିବ ସେଥିପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ବିଶ୍ୱରେ ଭାରତ ସବୁଠାରୁ ବଡ଼ ସିଲ୍କ ଉତ୍ପାଦନକାରୀ ରାଷ୍ଟ୍ର ହେବାକୁ ଥିଲାବେଳେ ଓଡ଼ିଶା ବିଭିନ୍ନ ଶିଳ୍କର କିପରି ହବ୍ ବନିବ ସେଥିପାଇଁ ଯୋଜନା କରାଯାଇଛି। ରାଜ୍ୟର ୪ରୁ ୫ଟି ଜିଲାକୁ ବୟନ ଶିଳ୍ପ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଆଗାମୀ ୫ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ଜିଲାକୁ ପର୍ଯ୍ୟଟନ ସହ ଯୋଡ଼ାଯାଇ ବୟନଶିଳ୍ପ ବ୍ୟବସାୟକୁ ସୁଦୃଢ଼ କରାଯିବ। ଉକ୍ତ ଜିଲ୍ଲାରେ ସମସ୍ତ ବୁଣାକାରଙ୍କ ଆମଦାନୀ କିପରି ବଢ଼ିବ ସେଥିପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଦେଶର ଏଫ୍‌ଡିଆଇ ୩୦୪ ବିଲୟନ ଡଲାରରୁ ବଢ଼ି ୭୦୦ ବିଲିୟନ ଡଲାରରେ ପହଂଚିଛି । ବୈଦେଶିକ ମୁଦ୍ରା ପାଂଠି ୨୫୦ରୁ ବଢ଼ି ୬୫୦ ବିଲିୟନ ଡଲାରରେ ପହଂଚିଛି। ପୂର୍ବରୁ ଦେଶର ରପ୍ତାନୀ ମାତ୍ର ୧୯ ଲକ୍ଷ କୋଟି ଟଙ୍କା ଥିଲାବେଳେ ମୋଦିଜୀଙ୍କ ନେତୃତ୍ୱରେ ଏହା ବୃଦ୍ଧି ପାଇ ୮୦ ଲକ୍ଷ କୋଟି ଟଙ୍କାରେ ପହଂଚିଛି। କଂଗ୍ରେସ କେବଳ ଗରିବ ହଟାଓ ନାରା ଦେଇଥିବାବେଳେ ବିଜେପି ସରକାର ୩୦ କୋଟି ଲୋକଙ୍କୁ ଗରିବ ସୀମାରେଖାରୁ ଉର୍ଦ୍ଧ୍ୱକୁ ଉଠାଇବାରେ ସଫଳ ହୋଇଛି ବୋଲି ଶ୍ରୀ ସିଂହ କହିଛନ୍ତି ।

ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି, କେନ୍ଦ୍ର ସରକାର ଭଳି ରାଜ୍ୟ ସରକାର ମଧ୍ୟ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟି ଦେଇ ଏକ ସମାବେଶୀ ଓ ସର୍ବସ୍ପର୍ଶୀ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଗରୀବ, ଯୁବବର୍ଗ, କୃଷକ, ମହିଳାଙ୍କ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ୨୦୩୬ରେ ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତି ପାଳନ ହେବ। ଆଗାମୀ ୧୨ ବର୍ଷରେ ଓଡ଼ିଶାକୁ ବିକଶିତ ଓ ଆତ୍ମନିର୍ଭରଶୀଳ କରିବାକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବଜେଟ୍ ପ୍ରସ୍ତୁତ କରାଯାଇଛି। ପଛୁଆ ଅଂଚଳଗୁଡ଼ିକର ସନ୍ତୁଳିତ ଓ ସମତୁଳ ବିକାଶ ପାଇଁ ବଜେଟ୍‌ରେ ବିଶେଷ ଧ୍ୟାନ ଦିଆଯାଇଛି। ଓଡ଼ିଶାର ଭିତିଭୂମିର ବିକାଶ ପାଇଁ ରେକର୍ଡ ୩୭ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ୪୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଓଡ଼ିଆ ଭାଷା ସଂସ୍କୃତିକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ବଜେଟ୍‌ରେ ସବୁ ବର୍ଗ, ସବୁ ଶ୍ରେଣୀ ଓ ସବୁ କ୍ଷେତ୍ରର ବିକାଶ ପାଇଁ ଯୋଜନା କରାଯାଇଛି ବୋଲି ଶ୍ରୀ ପୁଜାରୀ କହିଛନ୍ତି ।

ରାଜ୍ୟ ସଭପତି ଶ୍ରୀ ମନମୋହନ ସାମଲ କହିଛନ୍ତି, ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି ଯେଉଁ ବଜେଟ୍ ଆଣିଛନ୍ତି ତାହା ଏକ ଯୁଗାନ୍ତକାରୀ ବଜେଟ୍‌। ବିକଶିତ ଓଡିଶା ଗଠନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ବଜେଟ୍‌ରେ ଯୋଜନାବ୍ୟୟ ଅଟକଳ ଆକାରରେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି ଯାହା ପୂରା ବଜେଟ୍‌ର ୫୯ ପ୍ରତିଶତ। ମୋଦିଜୀ ସମସ୍ତଙ୍କୁ ପକ୍କା ଘର ପ୍ରଦାନ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି. ତାହ ପୂରଣ କରିବା ପାଇଁ ଏହି ବଜେଟ୍‌ରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଢ଼େ ୪ ହଜାର କୋଟି ଓ ମୁଖ୍ୟମନ୍ତ୍ରୀ ଅର୍ନ୍ତୋଦୟ ଗୃହ ଯୋଜନାରେ ୨୬୦୦ କୋଟି ବ୍ୟୟବରାଦ ହେବା ଓଡ଼ିଶାର ଗରିବ ଲୋକଙ୍କ ମନରେ ଖୁସି ସଂଚାର କରିଛି। ସମାଜର ତଳ ପାହାଚରେ ଥିବା ଲୋକେ କିପରି ଲାଭାନ୍ୱିତ ହୋଇପାରିବେ, ସେଥିପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। ଆମ ସଂକଳ୍ପପତ୍ରରେ ଥିବା ପ୍ରତିଶ୍ରୁତିଗୁଡ଼ିକୁ ପୂରଣକରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତବଦ୍ଧ, ସେଥିପାଇଁ ବଜେଟ୍‌ରେ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଏଭଳି ଐତିହାସିକ ଓ ଦୁରଦୃଷ୍ଟିସଂପନ୍ନ ବଜେଟ ପାଇଁ ରାଜ୍ୟ ବିଜେପି ସରାକାରକୁ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ।

ସେହିପରି ବିକଶିତ ଭାରତ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟ ସଂପର୍କରେ ଏକ ବୁଦ୍ଧିଜୀବି ସମ୍ମିଳନୀ ଆୟୋଜନ ହୋଇଥିଲା । ରାଜ୍ୟର ବିଭିନ୍ନ ଶ୍ରେଣୀ ଓ ବର୍ଗର ପ୍ରତିନିଧିମାନେ ଏହି ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇ ସେମାନଙ୍କ ସୁଚିନ୍ତିତ ମତାମତ ଦେବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ବଜେଟର ଉପାଦେୟତାକୁ ହୃଦୟଙ୍ଗମ କରି ବଜେଟକୁ ପ୍ରଶଂସା କରିଥିଲେ । ଏହି ଅବସରରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ରାଜ୍ୟ ସଭାପତି ଶ୍ରୀମନମୋହନ ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରମୁଖ ଭାଗ ନେଇଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget