loading...

ନାଲକୋ ର ଆର୍ଥିକ ବର୍ଷ ୨୦୨୪-୨୫ ର ତୃତୀୟ ତ୍ରୈମାସିକରେ ସର୍ବକାଳିନ ସର୍ବାଧିକ ୧୫୮୩ କୋଟି ଟଙ୍କାର ନିଟ ଲାଭ

    ଭୁବନେଶ୍ୱର, ୧୦ ଫେବୃଆରୀ ୨୦୨୫



    • ଏଥି ସହ ପ୍ରଥମ ୯ ମାସର କାରବାରରୁ ସର୍ବକାଳିନ ସର୍ବାଧିକ ଆୟର ରେକର୍ଡ
    • ବିକ୍ରି କ୍ଷେତ୍ରରେ ଅଭିବୃଦ୍ଧି, ଅନୁକୂଳ ବଜାର ଚାହିଦା ଏବଂ ପ୍ରଭାବଶାଳୀ ମୂଲ୍ୟ ପରିଚାଳନା ଦ୍ୱାରା ନାଲକୋ ର ନିଟ୍ ଲାଭ ୩ ଗୁଣ ବୃଦ୍ଧି ପାଇବା ସହ ମୋଟ ଆୟ ୩୯ ପ୍ରତିଶତକୁ ବୃଦ୍ଧି
    ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ପକ୍ଷରୁ ଆର୍ଥିକ ବର୍ଷ ୨୦୨୪-୨୫ ର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି।  ଡିସେମ୍ବର ୨୦୨୪ ରେ ଶେଷ ହୋଇଥିବା ତ୍ରୈମାସିକରେ କମ୍ପାନୀର ନିଟ ଲାଭ ୧,୫୮୩ କୋଟି ଟଙ୍କା ହୋଇଥିବା ବେଳେ, ବିଗତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଏହି ପରିମାଣ ୪୮୮ କୋଟି ଟଙ୍କା ଥିଲା।

    ଆଜି ଭୁବନେଶ୍ଵରରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା ଫଳାଫଳ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୪-୨୫ ର ତୃତୀୟ ତ୍ରୈମାସିକରେ ନାଲକୋର ମୋଟ ଆୟ ୪,୭୬୧ କୋଟି ଟଙ୍କା ହୋଇଥିବା ବେଳେ ଆର୍ଥିକ ବର୍ଷ ୨୦୨୩-୨୪ ର ତୃତୀୟ ତ୍ରୈମାସିକରେ ଏହି ପରିମାଣ ୩୩୯୮ କୋଟି ଟଙ୍କା ଥିଲା।



    ଡିସେମ୍ବର ୨୦୨୪ ରେ ଶେଷ ହୋଇଥିବା ୯ ମାସର ଫଳାଫଳ ଅନୁସାରେ କମ୍ପାନୀର ମୋଟ କାରବାର ୧୧,୫୨୦କୋଟି ଟଙ୍କା ସହ ନିଟ ଲାଭ ୩,୨୪୬ କୋଟି ଟଙ୍କା ହୋଇଛି ଯାହାକି ପୂର୍ବ ଆର୍ଥିକ ବର୍ଷର ସମାନ ସମୟରେ ଯଥାକ୍ରମେ ୯,୫୭୦ ଏବଂ ୧,୦୪୪ କୋଟି ଟଙ୍କା ଥିଲା। ନିଟ ଲାଭ ପରିମାଣ ୨୧୧ ପ୍ରତିଶତ ବୃଦ୍ଧି ହେବା ସହ ମୋଟ କାରବାରରେ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୨୪-୨୫ର ତୃତୀୟ ତ୍ରୈମାସିକ ତଥା ୯ ମାସର କାରବାରରୁ ନାଲକୋ ସର୍ବକାଳିନ ସର୍ବାଧିକ ଆୟ ଓ ଲାଭ ଅର୍ଜନର ରେକର୍ଡ ହାସଲ କରିଛି।



    କର୍ମଚାରୀମାନଙ୍କୁ ଏହି ସଫଳତାର ଶ୍ରେୟ ଦେବା ସହ, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, କାର୍ଯ୍ୟ ପ୍ରଣାଳୀରେ ଉନ୍ନତି, ଖର୍ଚ୍ଚ ହ୍ରାସ ଏବଂ ଉତ୍ପାଦର ଗୁଣବତ୍ତା ବୃଦ୍ଧି କମ୍ପାନୀର ସଫଳତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଚଳିତ ତ୍ରୈମାସିକ ଫଳାଫଳ ମୁଖ୍ୟତଃ କଞ୍ଚାମାଲର ମୂଲ୍ୟ ହ୍ରାସ, ଆଲୁମିନା ଏବଂ ଧାତୁ ବିକ୍ରିରେ ଅଭିବୃଦ୍ଧି ଏବଂ କ୍ୟାପ୍ଟିଭ କୋଇଲା ଖଣିର ଉପଯୋଗ ଯୋଗୁଁ ସମ୍ଭବ ହୋଇଛି। ବର୍ତ୍ତମାନ, କମ୍ପାନୀର ୫ମ ଷ୍ଟ୍ରିମ୍ ରିଫାଇନାରୀ ସମ୍ପ୍ରସାରଣ, ପୋଟାଙ୍ଗି ଖଣିର କାର୍ଯ୍ୟକ୍ଷମତା, ସ୍ମେଲଟର ପ୍ଲାଣ୍ଟର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ଏବଂ ଯୋଜନାବଦ୍ଧ ଭାବେ ସିପିପି ସମ୍ପ୍ରସାରଣ ସମେତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ତ୍ଵରିତ କାର୍ଯ୍ୟସମାପ୍ତି ଉପରେ ଗୁରୁତ୍ତ୍ଵ ଦିଆଯାଉଛି ବୋଲି ସେ ମତ ବ୍ୟକ୍ତ କରିଛନ୍ତି ।



    ସୂଚନା ଯୋଗ୍ୟ ଯେ ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ କମ୍ପାନୀ ପକ୍ଷରୁ ଇକ୍ୱିଟି ସେୟାର ପ୍ରତି ୪ ଟଙ୍କାର ଦ୍ଵିତୀୟ ଇଣ୍ଟେରିମ ଡିଭିଡେଣ୍ଡ ମଧ୍ୟ ଘୋଷଣା କରାଯାଇଛି


    Tags

    Post a Comment

    [blogger][disqus][facebook][spotim]

    Contact Form

    Name

    Email *

    Message *

    Powered by Blogger.
    Javascript DisablePlease Enable Javascript To See All Widget