ଭୁବନେଶ୍ୱର, ୨୦ ମାର୍ଚ୍ଚ ୨୦୨୫
କଟକ “ସତ୍ୟଭାମାପୁର” ଠାରେ ପାଳନ ହେବ “ରାଜ୍ୟସ୍ତରୀୟ ଉତ୍ସବ”
ନୂଆ ଦିଲ୍ଲୀରେ ମଧ୍ୟ ହେବ ଭବ୍ୟ ଆୟୋଜନ
କୋଲକାତା, ମୁମ୍ବାଇ,ଚେନ୍ନାଇ, ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହେବ ଓଡ଼ିଶା ଦିବସ ପାଳନ ସମାରୋହ
ଉତ୍ସବକୁ ସବୁଠି ଆକର୍ଷଣୀୟ ଭାବରେ ପାଳନ କରିବାକୁ ପରାମର୍ଶ
ଆଗାମୀ ଅପ୍ରେଲ ୧ ତାରିଖରେ ଓଡ଼ିଶା ଦିବସ-୨୦୨୫ ପାଳନ ଉପଲକ୍ଷେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ବର୍ଷ “ରାଜ୍ୟସ୍ତରୀୟ ଓଡ଼ିଶା ଦିବସ” ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ସତ୍ୟଭାମାପୁରଠାରେ ମହାସମାରୋହରେ ପାଳନ ହେବ । ସେହିଭଳି ରାଜଧାନୀ ଭୁବନେଶ୍ୱର ସମେତ ନୂଆଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇ, ରାଜ୍ୟର ବିଭିନ୍ନ ରାଜସ୍ୱ ଡିଭିଜନ, ଜିଲ୍ଲା ଓ ଉପଖଣ୍ଡ ସଦର ମହକୁମାରେ ଓଡ଼ିଶା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯିବ । ସତ୍ୟଭାମାପୁର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟ ବିଭିନ୍ନ ସ୍ଥାନରେ ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳମାନେ ଅତିଥିଭାବେ ଯୋଗ ଦେବେ ।
ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ,ନିର୍ଦ୍ଦେଶକ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଓଡ଼ିଶା ଦିବସ ଉପଲକ୍ଷେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।
ବୈଠକରେ ହୋଇଥିବା ଆଲୋଚନା ଓ ନିଷ୍ପତ୍ତି ଅନୁସାରେ ସତ୍ୟଭାମାପୁର ଠାରେ ରାଜ୍ୟସ୍ତରୀୟ ଉତ୍ସବ ଏବଂ ଭୁବନେଶ୍ୱର ଜୟଦେବ ଭବନଠାରେ ହେବାକୁ ଥିବା ଉତ୍ସବରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସଂପର୍କିତ ଫଟୋଚିତ୍ର ପ୍ରଦର୍ଶନୀ, ସାଧାରଣ ସଭା, ସମ୍ବର୍ଦ୍ଧନା ଜ୍ଞାପନ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ । ଉଭୟ ସ୍ଥାନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଦିବସ ଉପଲକ୍ଷେ ଭୁବନେଶ୍ୱର ସହର ସମେତ ବିଭିନ୍ନ ସ୍ଥାନରେ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରାଯିବ । ସତ୍ୟଭାମାପୁର ଠାରେ ରାଜ୍ୟସ୍ତରୀୟ ଉତ୍ସବ ଏବଂ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ । ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସଫେଇ ଓ ପରିସର ସୌନ୍ଦର୍ଯ୍ୟକରଣ କରାଯିବା ସହ ରାଜଧାନୀରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ, ନିଗମ, ରାଷ୍ଟ୍ରାୟତ ଉଦ୍ୟୋଗ ଆଦି କାର୍ଯ୍ୟାଳୟ କୋଠାଗୁଡ଼ିକ ଆଲୋକମାଳାରେ ସଜ୍ଜାଯିବ । ଉତ୍ସବ ପାଳନ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଅପ୍ରେଲ ୧ ତାରିଖ “ଓଡ଼ିଶା ଦିବସ” ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ଦିବସ । ଏହି ଦିବସକୁ ସବୁ ସ୍ଥାନରେ ସରସ, ସୁନ୍ଦର ଓ ଆକର୍ଷଣୀୟ ଭାବେ ପାଳନ କରିବାକୁ ସେ ଆବଶ୍ୟକ ପରାମର୍ଶ ଦେବା ସହିତ ସଂପୃକ୍ତ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲଓ୍ୱନ୍ତ ସିଂ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡାଙ୍କ ସମେତ ସୂଚନା ଓ ଲୋକ ସଂପର୍କ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Post a Comment