loading...

ରାଜଭବନରେ କୁଳପତି ସମ୍ମିଳନୀ, “ବିକଶିତ ଓଡ଼ିଶା – ବିକଶିତ ଭାରତ” ଗଠନ ପାଇଁ ବିଶ୍ୱ ବିଦ୍ୟାଳ ହେଉଛି ଭିତ୍ତିଭୂମି- ରାଜ୍ୟପାଳ

ଭୁବନେଶ୍ୱର, ୦୪ ମାର୍ଚ୍ଚ ୨୦୨୫




 “ବିକଶିତ ଓଡିଶା – ବିକଶିତ ଭାରତ” ଗଠନ ପାଇଁ ବିଶ୍ୱ ବିଦ୍ୟାଳୟ ହେଉଛି ଭିତ୍ତିଭୂମିବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ ରାଜ୍ୟର ବିଶ୍ୱ ବିଦ୍ୟାଳୟ ସମୁହର କୁଳପତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏତଦ୍‌ବ୍ୟତୀତ ବିଶ୍ୱ ବିଦ୍ୟାଳୟମାନଙ୍କରେ ଶିକ୍ଷାଗତ ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣର ତତ୍ତ୍ଵାବଧାରକଭାବେ ବିଶ୍ୱ ବିଦ୍ୟାଳୟରେ ସୁରକ୍ଷିତ, ଅନ୍ତର୍ନିବେଶୀ ଓ ଶୃଙ୍ଖଳିତ ପରିବେଶ ସୁନିଶ୍ଚିତ କରିବା ପାଇଁ କୁଳପତିମାନେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି। ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ବିଶ୍ୱ ବିଦ୍ୟାଳୟ ହେଉଛି ଜ୍ଞାନ, ନବ ସୃଜନ ଓ ଦାୟିତ୍ୱବାନ ନାଗରିକ ସର୍ଜନାର କେନ୍ଦ୍ର। ରାଷ୍ଟ୍ର ଗଠନରେ ଉଚ୍ଚ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ବିଦ୍ୟାଳୟର ପୁରୋଧା ଭାବରେ ଶୈକ୍ଷିକ ପରିମଣ୍ଡଳକୁ ରୂପରେଖ ଦେବାରେ, ନବ ସୃଜନକୁ ପ୍ରୋତ୍ସାହିତ କରିବାରେ ଏବଂ ଅନୁଷ୍ଠାନକୁ ଜ୍ଞାନ ଓ ଉତ୍କର୍ଷ କେନ୍ଦ୍ର କରିବାରେ କୁଳପତିମାନଙ୍କର ମହତ୍ତ୍ଵ ପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ରାଜ୍ୟର ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟରେ ନୂତନ ଶିକ୍ଷାନୀତି-୨୦୨୦ ଲାଗୁ ହୋଇଥିବାରୁ ରାଜ୍ୟପାଳ ଖୁସି ପ୍ରକଟ କରିବା ସହିତ ଏହା ବହୁମୁଖୀ ଶିକ୍ଷା, ଗବେଷଣା, ଦକ୍ଷତା ବିକାଶ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଯୋଗାଇବ ବୋଲି କହିଥିଲେ। ନୂତନ ଶିକ୍ଷାନୀତିରେ ଅଭିନବ ଶିକ୍ଷା ପଦ୍ଧତିକୁ ଗ୍ରହଣ କରିବା, ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଅନ୍ତର୍ଜାତୀୟ ଅନୁଷ୍ଠାନ / ପ୍ରତିଷ୍ଠାନ ସହିତ ସମନ୍ୱୟ ଓ ସହଯୋଗ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କୁ କେବଳ ନିଯୁକ୍ତି ପାଇଁ ପ୍ରସ୍ତୁତ ନକରି ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବା ନିମନ୍ତେ ପ୍ରସ୍ତୁତ କରିବାକୁ ନୂତନ ଶିକ୍ଷାନୀତି ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ। ରାଜ୍ୟରେ ଶିକ୍ଷା ଓ ଦକ୍ଷତା ଇକୋସିଷ୍ଟମକୁ ରୂପରେଖ ଦେବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ନୂତନ ଶିକ୍ଷାନୀତି – ୨୦୨୦ର ସଫଳ କାର୍ଯ୍ୟାନ୍ୱୟନ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। 
ବିଶ୍ୱ ବିଦ୍ୟାଳୟମାନଙ୍କର ସୁପରିଚାଳନା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ପରୀକ୍ଷା ପରିଚାଳନା ଓ ପରୀକ୍ଷାଫଳ ପ୍ରକାଶନ, କୃତୀ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ ଉପରେ ଗୁରୁତ୍ୱାରୋପ କରି ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି ଓ ଏହାର ଅନୁପାଳନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ବିଶ୍ୱ ବିଦ୍ୟାଳୟ ପାଇଁ ଆର୍ଥିକ ସ୍ୱଚ୍ଛତା, ଦାୟିତ୍ୱପୂର୍ଣ୍ଣ ବଜେଟ୍ ପ୍ରସ୍ତୁତି, ପାଣ୍ଠିର ସୁବିନିଯୋଗ, ନିୟମିତ ଅଡିଟ୍‌, ନିର୍ଦ୍ଧାରିତ ସମୟରେ ବିନିଯୋଗ ପ୍ରମାଣ ପତ୍ର ପ୍ରଦାନ ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ସଂପ୍ରତି ଡିଜିଟାଲ ଯୁଗରେ ସାଇବର କ୍ରାଇମ୍ ବୃଦ୍ଧି ପାଉଥିବାରୁ ସାଇବର ନିରାପତ୍ତା ଦିଗରେ ବିଶ୍ୱ ବିଦ୍ୟାଳୟମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ। 
ଏତଦ୍‌ବ୍ୟତୀତ ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କରେ ଯୌନ ନିର୍ଯ୍ୟାତନା ଘଟଣା ଏଡାଇବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ, ଦାୟିତ୍ୱବାନ ଏବଂ ଦେଶପ୍ରେମୀ ନାଗରିକଭାବେ ଗଢ଼ି ତୋଳିବା ପାଇଁ ଏନ୍‌.ସି.ସି.ରେ ଛାତ୍ରଛାତ୍ରୀମାନଙ୍କର ଅଂଶ ଗ୍ରହଣକୁ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ କହିଥିଲେ। 
ଏହି ସମ୍ମିଳନୀରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଆଇନ, ପୂŧର୍ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍‌ଟ୍ରୋନିକସ୍ ଓ ଆଇ.ଟି. ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବକ୍ତବ୍ୟ ପ୍ରଦାନ କରି ଉଚ୍ଚ ଶିକ୍ଷା ସହିତ ସଂପର୍କିତ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ / ଯୋଜନା ସଂପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ବିଭାଗୀୟ ପ୍ରମୁଖ ଶାସନ ସଚିବ / ଶାସନ ସଚିବ ଓ ବିଭିନ୍ନ ସଂସ୍ଥାର କର୍ମକର୍ତା ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ସମ୍ମିଳନୀରେ ନୂତନ ଶିକ୍ଷାନୀତି 
୨୦୨୦ ସହିତ ବିଶ୍ୱ ବିଦ୍ୟାଳୟ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିଶଦ୍ ଆଲୋଚନା ହୋଇଥିଲା। ବିଭିନ୍ନ ସମସ୍ୟାର ସମାଧାନ ଏବଂ ବିଶ୍ୱ ବିଦ୍ୟାଳୟର ସୁପରିଚାଳନା ଉପରେ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କୁଳପତି ସମ୍ମିଳନୀର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଉଚ୍ଚ ଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶେଷରେ ରେଭେନ୍‌ସା ବିଶ୍ୱ ବିଦ୍ୟାଳୟର ଭାଇସ୍ ଚ୍ୟାନେସ୍‌ଲର ସଂଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget