loading...

ଉତ୍କଳ ଚାମ୍ବର ଅଫ୍ କମର୍ସ ଓ ଭାଇଜାଗପଟମ୍ ଚାମ୍ବର ଅଫ୍ କମର୍ସର ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ।

ଭୁବନେଶ୍ୱର,  ମାର୍ଚ୍ଚ ୨୦୨୫


ଆର୍ଥିକ ବିକାଶ ପ୍ରତି ଉତ୍କଳ ଚାମ୍ବର ଅଫ୍ କମର୍ସ ଓ ଭାଇଜାଗପଟମ୍ ଚାମ୍ବର ଅଫ୍ କମର୍ସର ପ୍ରତିବଦ୍ଧତା ସମୃଦ୍ଧ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ – ରାଜ୍ୟପାଳ



ଆର୍ଥିକ ବିକାଶ ପ୍ରତି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ ଲିଃ ଓ ଭାଇଜାଗପଟମ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ପ୍ରତିବଦ୍ଧତା ଉଭୟ ରାଜ୍ୟର ସମୃଦ୍ଧ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିଃ ଓ ଭାଇଜାଗପଟମ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ପ୍ରତିନିଧିମଣ୍ଡଳୀ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଏବଂ ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ଏହି ଆଲୋଚନା ବେଳେ ଉଭୟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ପ୍ରତିନିଧିମାନେ ସେମାନଙ୍କ ମଧ୍ୟରେ ସମନ୍ୱୟ, ସହଯୋଗ, ସହଭାଗିତା ମାଧ୍ୟମରେ ନିଆଯାଉଥିବା ପଦକ୍ଷପ ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଉଭୟ ଚାମ୍ବର ଅଫ୍ କମର୍ସ ଇଣ୍ଡଷ୍ଟ୍ରି ଲିଡର୍‌, ନୀତି ନିର୍ଦ୍ଧାରକ ଏବଂ ଉଦ୍ୟୋଗୀମାନଙ୍କୁ ଏକାଠି କରି ଉଭୟ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନେଉଥିବାରୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ଉଦ୍ୟୋଗ, ସ୍ଥାୟୀ ଶିଳ୍ପ ଏବଂ ରପ୍ତାନୀ ଭିତିକ ଅଭିବୃଦ୍ଧିକୁ ପୋତ୍ସାହନ ଯୋଗାଇବା ଯାତ୍ରାରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହା ଫଳରେ ପାରସ୍ପରିକ ସହଯୋଗ ମାଧ୍ୟମରେ ଲଜିଷ୍ଟିକସ୍‌, ଦକ୍ଷତା ବିକାଶ, ନବୀକରଣୀୟ ଶକ୍ତି ଏବଂ ପ୍ରଯୁକ୍ତି ବିଦ୍ୟାଚାଳିତ ଶିଳ୍ପ ଭଳି କ୍ଷେତ୍ରରେ ନୂତନ ରାସ୍ତା ଖୋଲିବ। ଏହି ସମ୍ଭାବନାକୁ ଉପଯୋଗ କରି ଉଭୟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ସଂଯୋଗୀକରଣକୁ ସୁଦୃଢ଼ କରିବା, ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ପ୍ରୋତ୍ସାହିତ କରିବା, ନବସୃଜନକୁ ଆପଣେଇ ଉଭୟ ରାଜ୍ୟର ଅଭିବୃଦ୍ଧି ଓ ବିକାଶକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ରାଜ୍ୟପାଳ କହିଥିଲେ ଯେ ବାଣିଜ୍ୟ ବ୍ୟବସାୟ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆଚଂଳିକ ସହଯୋଗର ମେରୁଦଣ୍ଡ ସଦୃଶ। ଭୌଗଳିକ ଦୃଷ୍ଟିରୁ ଆନ୍ଧ୍ର ପ୍ରଦେଶ ଓଡ଼ିଶାର କେବଳ ପଡ଼ୋଶୀ ରାଜ୍ୟ ନୁହେଁ, ବରଂ ଦୃଢ଼ ସାଂସ୍କୃତିକ, ଅର୍ଥନୈତିକ ଏବଂ ଶିଳ୍ପ ସଂପର୍କର ଅଂଶୀଦାର ଅଟନ୍ତି। ଉଭୟ ଚାମ୍ବର ଅଫ୍ କମର୍ସ ମଧ୍ୟରେ ଏପରି ସମନ୍ୱୟ, ସହଯୋଗ ଓ ଆଲୋଚନା ସୁଯୋଗର ଅନୁସନ୍ଧାନ, ନିବେଶକୁ ପ୍ରୋତ୍ସାହନ ଏବଂ ପାରସ୍ପରିକ ସମୃଦ୍ଧି ଓ ବାଣିଜ୍ୟିକ ସଂପର୍କ ବୃଦ୍ଧି କରିବା ଦିଗରେ ଏକ ପ୍ଲାଟଫର୍ମ ସୃଷ୍ଟି କରିଛି। ଓଡ଼ିଶା ଏହାର ବିପୁଳ ପ୍ରାକୃତିକ ସଂପଦ, ପ୍ରଗତିଶୀଳ ଶିଳ୍ପନୀତି, ଦ୍ରୁତ ଗତିରେ ବଢ଼ୁଥିବା ଭିତିଭୂମି ସହିତ, ଖଣି, ଧାତୁ ଏବଂ ଉତ୍ପାଦନଠାରୁ ଆରମ୍ଭ କରି ପର୍ଯ୍ୟଟନ, ଆଇ.ଟି. ଓ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ଅପାର ସମ୍ଭାବନା ସୃଷ୍ଟି କରିଛି। ଆନ୍ଧ୍ର ପ୍ରଦେଶ ମଧ୍ୟ ଏହାର ଦୃଢ ସାମୁଦ୍ରିକ ଅର୍ଥନୀତି, କୃଷି ଭିତିକ ଶିଳ୍ପ, ବନ୍ଦର ଭିତିକ ବାଣିଜ୍ୟ କ୍ଷେତ୍ରରେ ଅଗ୍ରଗତି କରୁଛି।

ପରସ୍ପରର ସୁବିଧା ସୁଯୋଗକୁ ବ୍ୟବହାର କରି ଆମେ ଆଚଂଳିକ ବାଣିଜ୍ୟ ବ୍ୟବସାୟ ବୃଦ୍ଧି କରିପାରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବା ଏବଂ ଆର୍ଥିକ ପ୍ରଗତିକୁ ଆଗେଇ ନେଇ ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବା ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଶାରେ ପୁଂଜି ନିବେଶ ପାଇଁ ଅପାର ସମ୍ଭାବନା ଥିବାରୁ ବର୍ତମାନ ରାଜ୍ୟ ନିବେଶକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ – ୨୦୨୫ରେ ଦେଶ ଓ ବିଦେଶର ରେକର୍ଡ ସଂଖ୍ୟକ ନିବେଶକ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ରାଜ୍ୟ ପାଇଁ ଏକ ବଡ଼ ସଫଳତା। ଏତଦ୍‌ବ୍ୟତୀତ ରାଜ୍ୟରେ ବିବିଧ କ୍ଷେତ୍ରରେ ନିବେଶ ପାଇଁ ଆକର୍ଷିତ ହୋଇ ନିବେଶକମାନେ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଓଡ଼ିଶାରେ ନିବେଶ କରିବା ପାଇଁ ନିବେଶକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ଉତ୍ସାହ ରହିଛି। ଏହାଫଳରେ ରାଜ୍ୟରେ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସମ୍ଭାବନା ସୃଷ୍ଟି ହୋଇଛି ବୋଲି ରାଜ୍ୟପାଳ କହିଥିଲେ । 

ଏହି ଆଲୋଚନା ବେଳେ ରାଜ୍ୟର ପାଂଷ୍ଟ ଲେଡି ଶ୍ରୀମତୀ ଜୟଶ୍ରୀ କମ୍ଭମ୍‌ପାଟି ଉପସ୍ଥିତ ଥିଲେ। ଭାଇଜାଗପଟମ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ଏମ୍‌. ସୁଦର୍ଶନ ସ୍ୱାମୀ, ଉତ୍କଳ ଚାମ୍ବର ଆଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିଃ ସଭାପତି ଡ. ପ୍ରବୋଧ ମହାନ୍ତିଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଏବଂ ପି. ରାଜେଶ୍ ଆଲୋଚନା ସଂଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। 

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget