ଭୁବନେଶ୍ୱର, ୧୦ ମାର୍ଚ୍ଚ ୨୦୨୫
ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୩ୟ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପରିଷଦ (ସିଏସ୍ଆର୍) ବୈଠକ ଗତ ଗୁରୁବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଶିଳ୍ପ ସଂସ୍ଥାମାନଙ୍କ ଦ୍ୱାରା ସିଏସ୍ଆର୍ ପାଣ୍ଠି ଉପଯୋଗ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବିଗତ ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ଶିଳ୍ପ ସଂସ୍ଥା ପକ୍ଷରୁ କରାଯାଇଥିବା ସିଏସଆର ପାଣ୍ଠି ଖର୍ଚ୍ଚ ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ସିଏସଆର ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକ୍ରମର ସୂଚନା ପାଇଁ ବ୍ୟବହୃତ ‘ଗୋ କେୟାର’ ପୋର୍ଟାଲରେ ସଦ୍ୟତମ ସ୍ଥିତି ଅନୁସାରେ ବିଗତ ଆର୍ଥିକ ୧୦ ବର୍ଷରେ ବିଭିନ୍ନ ଶିଳ୍ପ ସଂସ୍ଥା ତରଫରୁ ୧୩,୫୯୯ ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ୪୩୧୨.୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାଯାଇଛି । ଏହି ବର୍ଷ ମଧ୍ୟରେ ପ୍ରମୁଖ ୧୦ ଟି କମ୍ପାନୀ କେତେ ସିଆର ପାଣ୍ଠି ଖର୍ଚ୍ଚ କରିଛନ୍ତି, ତାହାର ଅନୁଧ୍ୟାନ କରାଯାଇଥିଲା । ରାଜ୍ୟରେ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ମହାନଦୀ କୋଲଫିଲ୍ଡ ଲିମିଟେଡ, ଟାଟା ଷ୍ଟିଲ ଲିଃ., ରୁଙ୍ଗଟା, ନାଲକୋ, ଓଏମସି, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିଃ., ହିନ୍ଦୁସ୍ତାନ ଏରୋନଟିକ୍ ଲିଃ., ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ, ରାଉରକେଲା, ବେଦାନ୍ତ ଲିଃ, ଜେକେ ପେପର ଲିଃ. ସବୁଠାରୁ ଅଧିକ ସିଏସଆଆର ପାଣ୍ଠି ଉପଯୋଗ କରିଥିବା ବୈଠକରୁ ଜଣାଯାଇଛି । ଶିକ୍ଷା ଓ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା, ଗ୍ରାମ୍ୟ ଉନ୍ନୟନ, ସ୍ୱଚ୍ଛ ଭାରତ, ପରିବେଶ, କ୍ରୀଡା, ବିପର୍ଯ୍ୟୟ ପରିଚାଳନା, ଜାତୀୟ ଏୖତିହ୍ୟ ସ୍ଥଳର ସୁରକ୍ଷା, ବସ୍ତି ଅଂଚଳ ଉନ୍ନୟନ, ଲିଙ୍ଗଗତ ସମାନତା ଓ ସଶକ୍ତିକରଣ, ରିଲିଫ ପାଣ୍ଠିକୁ ସହାୟତା, ସାମରିକ ବାହିନୀକୁ ସହାୟତା, ବୈଷୟିକ ଜ୍ଞାନ କୌଶଳ ଆଦି କ୍ଷେତ୍ରରେ ଖର୍ଚ୍ଚ କରାଯାଇଛି । ଜିଲ୍ଲାସ୍ତରରେ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ସିଏସ୍ଆର୍ ବୈଠକ ଏବଂ ବିଭିନ୍ନ ବିଭାଗ ତରଫରୁ ଦିଆଯାଉଥିବା ପ୍ରସ୍ତାବ କାର୍ଯ୍ୟକାରୀ କରାଯାଉଛି । ଉପସ୍ଥିତ ଶିଳ୍ପ ସଂସ୍ଥାମାନଙ୍କ ତରଫରୁ ବିଭିନ୍ନ କ୍ଷେତ୍ରରେ ନିଜ ନିଜର ସିଏସଆର ପାଣ୍ଠି ଉପଯୋଗ ସଂପର୍କରେ ଉପସ୍ଥାପନ କରିଥିଲେ । ବୈଠକରେ ଅନ୍ୟ କେତେକ ଅଧିକ ପୁଞ୍ଜିନିବେଶ କରୁଥିବା ବୃହତ୍ କମ୍ପାନୀମାନଙ୍କୁ ସିଏସଆର କାଉସିଲରେ ଅନ୍ତର୍ଭୁକ୍ତ କରିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ।
କମ୍ପାନୀ ଆଇନ-୨୦୧୩ ଧାରା ୭ ଅନୁସାରେ ସିଏସ୍ଆର୍ ପାଣ୍ଠି ଉପଯୋଗ କରାଯାଉଛି । ୫୦୦ କୋଟି ବା ତଦୁର୍ଦ୍ଧ୍ୱ ନେଟ୍ ମୂଲ୍ୟ, ୧୦୦୦ କୋଟି ବା ତାଠାରୁ ଅଧିକ କାରବାର କରୁଥିବା, ୫ କୋଟିରୁ ଉର୍ଦ୍ଧ୍ୱ ନିଟ୍ ଲାଭ କରୁଥିବା କମ୍ପାନୀମାନେ ସେମାନଙ୍କର ନିଟ୍ ଲାଭର ୨ ପ୍ରତିଶତ ଖର୍ଚ୍ଚ ସିଏସ୍ଆର୍ ବାବଦକୁ ଖର୍ଚ୍ଚ କରିବାର ପ୍ରବଧାନ ରହିଛି । ୨୦୧୭ ଜୁନରେ ରାଜ୍ୟ ସିଏସ୍ଆର୍ କାଉନ୍ସିଲ ଗଠନ କରାଯାଇଥିଲା । ଏଥିରେ ମୁଖ୍ୟ ଶାସନ ସଚିବ ଥିବା ବେଳେ ଉନ୍ନୟନ କମିଶନର, ୧୦ ଟି ବିଭିନ୍ନ ବିଭାଗ, ଓଏମ୍ସି, ନାଲକୋ ଏବଂ ୮ ଟି ପ୍ରମୁଖ ଶିଳ୍ପ ସଂସ୍ଥା ସହ ୨ ଟି ସ୍ୱେଚ୍ଛାସେବୀ ସଂଗଠନର ରାଜ୍ୟ ମୁଖ୍ୟ ସଦସ୍ୟ ରହିଛନ୍ତି ।
ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସିଏସ୍ଆର ପାଣ୍ଠି ସଠିକ୍ ଉପଯୋଗ ସଂପର୍କରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏହି ସିଏସ୍ଆର୍ ପଦକ୍ଷେପ ରାଜ୍ୟ ତଥା ଦେଶର ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ସରକାରୀ-ଘରୋଇ ଭାଗିଦାରିତା ସହଯୋଗକୁ ପ୍ରୋତ୍ସାହିତ କରୁଛି । ଶିଳ୍ପ ସଂସ୍ଥାମାନେ ଶିଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ଅଂଚଳରେ ସଡ଼କ, ଭିତ୍ତିଭୂମିର ବିକାଶ, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଆଦିକୁ ଦୃଷ୍ଟି ଦେଇ ଅଂଚଳର ସର୍ବାଙ୍ଗୀନ ବିକାଶରେ ସହଯୋଗୀ ହୁଅନ୍ତୁ । ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥିରେ ରହୁଥିବା ଅଗ୍ରାଧିକାର ବ୍ୟବଧାନ କ୍ଷେତ୍ରକୁ ଦୃଷ୍ଟିରେ ରଖି ଶିଳ୍ପ ସଂସ୍ଥାମାନେ ରାଜ୍ୟର ପ୍ରମୁଖ ଆକାଂକ୍ଷୀ ଜିଲ୍ଲାଗୁଡିକରେ ଦକ୍ଷତା ବିକାଶ, ଜୀବିକା ନିର୍ବାହ , କ୍ରୀଡାର ବିକାଶ ଏବଂ ଅନ୍ୟାନ୍ୟ ଉନ୍ନୟନମୁଳକ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ କହିଥିଲେ ଯେ, ରାଜ୍ୟର ପ୍ରଗତିକୁ ଶକ୍ତି ଯୋଗାଇବାରେ ସିଏସଆର ପାଣ୍ଠିର ଉତ୍ତମ ବ୍ୟବହାର ଗୁରୁତ୍ୱ ବହନ କରୁଛି । ଏ କ୍ଷେତ୍ରରେ ଶିଳ୍ପ ସଂସ୍ଥାମାନେ ନିଜ ନିଜର ଉତ୍ତମ ଅଭ୍ୟାସ (ବେଷ୍ଟ ପ୍ରାକ୍ଟିସେସ୍) କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତଥା ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଶିଳ୍ପ ଏବଂ ଏମଏସଏମଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲଙ୍କ ସମେତ ପ୍ରମୁଖ ଶିଳ୍ପ ଅନୁଷ୍ଠାନର ଓଡ଼ିଶା ରାଜ୍ୟ ମୁଖ୍ୟ, ରାଜ୍ୟ ଶିଳ୍ପ ବିଭାଗ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
.jpeg)
Post a Comment