April 2025

ଭୁବନେଶ୍ୱର, ୩୦ ଏପ୍ରିଲ୍ ୨୦୨୫



  • ସମୁଦାୟ ୫୧ ଲକ୍ଷ ଚାଷୀ ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପାଇଲେ
  • ଆଗାମୀ ପାଞ୍ଚ ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ
  • ଚାଷୀଙ୍କ ଉନ୍ନତି ସାଧନ ପାଇଁ ଆମର ଦୃଢ ଇଛା ଶକ୍ତି ରହିଛି
  • ଚାଷ କାର୍ଯ୍ୟ ଆରମ୍ଭ ଠାରୁ ଫସଲ ବିକ୍ରି ପର୍ଯ୍ୟନ୍ତ ସବୁ ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ, - ମୁଖ୍ୟମନ୍ତ୍ରୀ

ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଯଥା -ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ଚାଷୀ ମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମ ଠାରେ ଆୟୋଜିତ  ରାଜ୍ୟ ସ୍ତରୀୟ କୃଷକ ଦିବସ ସମାରୋହ ଅବସରରେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି.ଏମ୍ କିଷାନ ଯୋଜନାରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୪୯,୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨,୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଫସଲ ୠତୁ ପାଇଁ  ୧୦୨୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସମୁଦାୟ ୫୧ ଲକ୍ଷ ଚାଷୀ ଏହି ସହାୟତା ରାଶି ପାଇଲେ। ଏଥିରେ ସହରାଞ୍ଚଳର ୨୫,୫୩୨ ଜଣ ଚାଷୀ ପ୍ରଥମ ଥର ପାଇଁ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଗୁଆ ସହାୟତା ପ୍ରଦାନ କରାଯାଉଥିବା ଯୋଗୁ ଏହି ରାଶି ରାଜ୍ୟର ଚାଷୀ ଭାଇ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । 

ମୁଖ୍ୟମନ୍ତ୍ରୀ କହିଥିଲେ ସ୍ୱାଧୀନତା ସମୟରେ ଆମ ଦେଶର ପ୍ରାୟ ୩୩ କୋଟି ଜନତାଙ୍କୁ ଆମେ ଖାଦ୍ୟ ଦେବାରେ ଅସମର୍ଥ ଥିଲୁ। କିନ୍ତୁ, ଆଜି ଆମ ଦେଶ ଖାଦ୍ୟ ଶସ୍ୟ ତଥା ଅନ୍ୟ ଖାଦ୍ୟ ପଦାର୍ଥ ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହିତ କୃଷିଜାତ ସାମଗ୍ରୀ ରପ୍ତାନୀ ମଧ୍ୟ କରୁଛି। ବର୍ତ୍ତମାନ ଭାରତ କୃଷି ଏବଂ ଆନୁଷଙ୍ଗୀକ କୃଷି ଉତ୍ପାଦ ରପ୍ତାନୀ କରିବାରେ ଏକ ପ୍ରମୁଖ ରାଷ୍ଟ୍ର। ୨୦୧୪ ମସିହା ପରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠୁ ଦେଶରେ କୃଷି ଓ କୃଷକ କଲ୍ୟାଣକୁ ଏକ ନୂତନ ଦଶା ଓ ଦିଶା ମିଳିଛି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନୀଧି, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, କୃଷି ଭିତ୍ତିଭୂମି ଆଦିର ବିକାଶ ପ୍ରଭୃତି କ୍ଷେତ୍ରରେ ଅଭୁତପୂର୍ବ ଅଗ୍ରଗତି ହୋଇଛି। 

ସେ ପୁଣି କହିଥିଲେ, ଆମ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଓ ଆନୁଷଙ୍ଗୀକ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ରାଜ୍ୟର ମୋଟ ଅଭିବୃଦ୍ଧିର ୨୨ ପ୍ରତିଶତ କୃଷି ଓ ଆନୁଷଙ୍ଗୀକ କ୍ଷେତ୍ରରୁ ଆସିଥାଏ। ଚାଷ ସହିତ ନିଜର ଅନୁଭୂତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଚାଷ କାର୍ଯ୍ୟ କଠିନ ପରିଶ୍ରମର କାର୍ଯ୍ୟ। ଶସ୍ୟ ନିଅଣ୍ଟିଆ ରାଜ୍ୟରୁ ଶସ୍ୟ ବଳକା ରାଜ୍ୟରେ ପରିଣତ କରିଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ। ଜଳବାୟୁ ଅନୁକୂଳ କୃଷି କାର୍ଯ୍ୟ ଆପଣାଇବା ପାଇଁ ସେ ଚାଷୀ ଭାଇ ଭଉଣୀ ମାନଙ୍କୁ ପରାମର୍ଶ ଦେଇଥିଲେ। 

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆମ ସରକାର ଆସିବା ପରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ। ପୂର୍ବ ସରକାର ଏମ.ଏସ୍.ପି ପାଇଁ କେବଳ ବିଧାନସଭାରେ ଏକ ରିଜୋଲ୍ୟୁସନ ଆଣି ଚୁପ୍ ରହିଗଲେ। ଆମେ କଥା ଦେଇଥିଲୁ, କଥା ରଖି ୩,୧୦୦ ଟଙ୍କା ଏମ.ଏସ୍.ପି ଦେଲୁ। ଚାଷୀଙ୍କ ପାଇଁ ଭାବନା ଭଲ ରହିବା ଉଚିତ୍। ସେତେବେଳେ ଇଛା ଶକ୍ତିର ଅଭାବ ଥିଲା, ଏବେ ଆମ ପାଖରେ ଚାଷୀଙ୍କ ଉନ୍ନତି ପାଇଁ ଇଛା ଶକ୍ତି ଅଛି। ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବିନିଯୋଗରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଆମେ ପ୍ରତି ସବ୍‌ଡିଭିଜନ୍‌ରେ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ପଦକ୍ଷେପ ନେଉଛୁ। ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ କୃଷି କାର୍ଯ୍ୟ ସହିତ ମାଛ ଚାଷ, ପ୍ରାଣୀ ପାଳନ, କୁକୁଡା ଓ ବତକ ଚାଷ ପାଇଁ ରିହାତି ସହିତ ଆବଶ୍ୟକ ସହାୟତା ଯୋଗାଇ ଦେଉଛୁ। ଚାଷ କାର୍ଯ୍ୟ ଆରମ୍ଭ ଠାରୁ ଫସଲ ବିକ୍ରୀ ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ଆମେ ଚାଷୀଙ୍କ ସହିତ ଅଛୁ, ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ ବୋଲି ସେ କହିଥିଲେ। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ  ଓୟୁଏଟିର ବରମୁଣ୍ଡା କୃଷି ଶୈକ୍ଷିକ ଫାର୍ମ ଠାରେ ଓଡିଆ ପରମ୍ପରା ଅନୁଯାୟୀ ପାରମ୍ପରିକ ହଳ ଲଙ୍ଗଳରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ଦ୍ୱାରା ୧୯୨୧ ମସିହାରେ ରଚିତ ‘କୃଷକ ସଂଗୀତ ପୁସ୍ତକ’ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି ଅବସରରେ ସ୍ୱଭାବ କବିଙ୍କ ବଂଶଧର ଉପସ୍ଥିତ ଥିଲେ। 


ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଥିଲେ ପବିତ୍ର ଅକ୍ଷୟ ତୃତୀୟରେ ଚାଷୀ ତା’ର ଚାଷ କାର୍ଯ୍ୟ ଆଗକୁ ନେଇଥାଏ। ଆମେ ଯାହା ଖାଉଛେ ତାକୁ ଜଣେ ଚାଷୀ ଉତ୍ପାଦନ କରିଥାଏ, ସେହି ଚାଷୀ ମାନଙ୍କ ସହିତ ଆମ ସରକାର ସବୁବେଳେ ଛିଡାହେବ। କୃଷି ଓ କୃଷକଙ୍କୁ ମାର୍କେଟ୍ ଯୋଗାଇଦେବା ସହିତ ତାଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟଦେବା ପାଇଁ ଆମ ସରକାର ସର୍ବଦା କାମ କରୁଛି।  ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ଏବଂ ରାଜ୍ୟର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ଆଗୁଆ ସହାୟତା ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।


କାର୍ଯ୍ୟକ୍ରମରେ ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ଓୟୁଏଟିର କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର, ୩୦ ଏପ୍ରିଲ୍ ୨୦୨୫



  • ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ
  • ଏହି ମେଳା ଏକ ‘ନାରୀ ଶକ୍ତିର ମହୋତ୍ସବ’
  • ଆମ ସରକାର ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ଆନ୍ଦୋଳନ, ଏକ ସଂକଳ୍ପ - ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଦ୍ୱାରା ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଇନ୍‌ୱେକ୍‌   ଓମେନ୍‌ ବିଜନେସ୍‌ ମେଳାର (INWEC - ICC National Women 's Entrepreneurship Council ) ୧୦୦ ବର୍ଷ ପୂର୍ତ୍ତି ସମାରୋହର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ, ‘ନାରୀ ଶକ୍ତିର ମହୋତ୍ସବ’ ବୋଲି କହିବା ସହିତ  ଓଡ଼ିଶାର ପ୍ରତିଟି ମହିଳା ନିଜ ଲାଗି ସ୍ୱପ୍ନ ଦେଖି ତାକୁ ସାକାର କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ରଖିବା ଆବଶ୍ୟକ ବୋଲି କହିଛନ୍ତି ।

ଏହି ଅବସରରେ ସେ କହିଛନ୍ତିଯେ,  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା କେବଳ ଓଡିଶା ନୁହେଁ ବରଂ ସାରା ଭାରତର ମହିଳା ମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ ।  ଆମେ ନିକଟରେ, ଉତ୍କର୍ଷ ଓଡିଶା-ମେକ ଇନ ଓଡିଶା କନକ୍ଳେଭ,  ସୁଭଦ୍ରା ଶକ୍ତି ମେଳା ଆୟୋଜନ କରିଥିଲୁ ଏବଂ ସେଥିରେ ମହିଳା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଆଉ ଆଜି ଆମେ ଏହି ମେଳାରେ ସେହି ବାସ୍ତବିକତାକୁ ଦେଖୁଛୁ ।ଅର୍ଥନୀତି କ୍ଷେତ୍ରରେ ମହିଳା ମାନଙ୍କ  ଯୋଗଦାନ ରହିଛି ଏବଂ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୋଜନାର ସଫଳତା ହିଁ ଏହାର ଜ୍ୱଳନ୍ତ ଉଦାହରଣ ।

ଆମ ସରକାର ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ଆନ୍ଦୋଳନ, ଏକ ସଂକଳ୍ପ। ଓଡ଼ିଶାର ପ୍ରତିଟି ମହିଳା ନିଜ ଲାଗି ସ୍ୱପ୍ନ ଦେଖି ତାକୁ ସାକାର କରିବା ଏବଂ ଆତ୍ମବିଶ୍ୱାସର ସହ ନେତୃତ୍ୱ ଦେବା ପାଇଁ ଆଗେଇ ଆସିବା ଅତ୍ୟନ୍ତ ଆନନ୍ଦର ବିଷୟ। ଯେତେବେଳେ ମହିଳାମାନେ ଉନ୍ନତି କରନ୍ତି, ସମାଜ ସମୃଦ୍ଧ ହୁଏ ଏବଂ ଅର୍ଥନୀତି ବିକଶିତ ହୁଏ। ଆମ ମା’, ଭଉଣୀ ଓ ଝିଅମାନଙ୍କର ସମାନ ଭାଗୀଦାରୀ ବିନା ଓଡ଼ିଶାର ପ୍ରଗତି ଅସମ୍ପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

ସୁଭଦ୍ରା ଯୋଜନା କେବଳ ଏକ ଆର୍ଥିକ ସହାୟତା ନୁହେଁ, ଏହା ଅର୍ଥନୈତିକ ସ୍ୱାଧୀନତାର ବାର୍ତ୍ତାବହ ଏବଂ୯୦ ପ୍ରତିଶତରୁ ଅଧିକ ମହିଳା ସୁଭଦ୍ରା ସହାୟତାର ସଦୁପଯୋଗ କରିଛନ୍ତି। ଆମେ ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖିଛୁ । ତେବେ, ସମସ୍ତଙ୍କ ପାଇଁ ଖୁସିର ବିଷୟ ଯେ, ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇସାରିଛନ୍ତି । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେଯେ, ଆମେ ମହିଳା ଉଦ୍ୟୋଗୀମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଦକ୍ଷତା ବିକାଶ, ବଜାର ସଂଯୋଗ ଏବଂ ଆର୍ଥିକ ପ୍ରବେଶରେ ନିବେଶ କରୁଛୁ ଏବଂ  ଓଡ଼ିଶାକୁ ଓମେନ-ଲେଡ୍ ବିକାଶର ଏକ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ  ଇନ୍‌ୱେକ୍‌ ଓମେନ୍‌ ବିଜନେସ୍‌ ମେଳା ଭଳି କାର୍ଯ୍ୟକ୍ରମ ଖୁବ୍ ସହାୟକ ହେବ। ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ମହିଳା ମାନେ ହେବେ ଶ୍ରେଷ୍ଠ ଭାଗୀଦାର ଏବଂ ଆମ ସରକାର ଏଥି ପାଇଁ ପୁରା ସମର୍ଥନ ଯୋଗାଇ ଦେବେ। 

କାର୍ଯ୍ୟକ୍ରମରେ ଯୋଗଦେଇ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ମନ୍ତ୍ରୀ, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେଯେ ଏହି ସମାବେଶ, ଓଡିଆ ମହିଳା ଉଦ୍ୟୋଗୀଙ୍କୁ ଆହୁରି ଉତ୍ସାହିତ କରିବା ସହ ଆର୍ଥିକ ସ୍ବାଧୀନତା ପାଇଁ ଭବିଷ୍ୟତର ରାସ୍ତା ଖୋଲିବ। ଓଡ଼ିଶା ବିକାଶରେ ମହିଳା ଉଦ୍ୟୋଗୀ ମାନେ ହିଁ ଏକ ସମୃଦ୍ଧ ପରିବର୍ତ୍ତନର ସ୍ବର ।

ଏହି ଅବସରରେ ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଥିଲେ ଯେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟକୁ ସଫଳତାର ରୂପାୟନ ଦେଇ ମହିଳା ମାନେ ଆଜି ପାରମ୍ପରିକ ଉଦ୍ୟୋଗ ସହିତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସଶକ୍ତ ହେଉଛନ୍ତି  ।

ଉକ୍ତ କାର୍ଯ୍ୟକ୍ରମରେ ଆଇସିସି ଚେୟାରପର୍ସନ ଶ୍ରୀ ରାଜୀବ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ,  ଇନ୍-ୱେକ୍ ର କୋ-କନଭେନର, ଶ୍ରୀମତୀ ସ୍ୱାତୀ କେଜରିୱାଲ,  ଆଇସିସି ଭାଇସ ଚେୟାରପର୍ସନ, ପ୍ରୀତି ପଲ୍ଲବୀ ପଟନାୟକ, କନଭେନର, ଶ୍ରୀ ଧର୍ମାଦିତ୍ୟ ପଟନାୟକ  ପ୍ରମୁଖ ମଂଚାସୀନ ଥିଲେ  ।

ଭୁବନେଶ୍ୱର, ୩୦ ଏପ୍ରିଲ୍ ୨୦୨୫




  • କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ
  • ଜୟଦେବଙ୍କ ଗୀତଗୋବିନ୍ଦ କାଳିଦାସଙ୍କ ମେଘଦୂତ ସହିତ ସମକକ୍ଷ
  • ଜୟଦେବଙ୍କ ପୀଠକୁ ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ, ପୀଠକୁ ବିଶ୍ୱସ୍ତରୀୟ କରାଯିବ
  • ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀ
  • ନୂଆ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ସଂସ୍କୃତି, ପର୍ଯ୍ୟଟନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ନିର୍ଦ୍ଦେଶ
  • କେନ୍ଦୁଲି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ବିକଶିତ କରିବାକୁ ସାଂସଦଙ୍କୁ ପରାମର୍ଶ ଦେଲେ


କବି ଜୟଦେବ ଓ ‘ଗୀତଗୋବିନ୍ଦ’ ଆମ ସାଂସ୍କୃତିକ ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ । 

ଆଜି ଜୟଦେବ ଜୟନ୍ତୀ ଅବସରରେ ଜନ୍ମପୀଠ କେନ୍ଦୁବିଲ୍ୱ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୟଦେବଙ୍କ ପୀଠକୁ ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରିବା ପାଇଁ ଅନେକ ପ୍ରକଳ୍ପ ଘୋଷଣା କରିବା ସହିତ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ। ଜୟଦେବ ପୀଠକୁ ଏକ ଆଧ୍ୟାତ୍ମିକ ବିଶ୍ୱସ୍ତରୀୟ ପୀଠରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। 

ଜୟଦେବ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ରଖିଥିଲେ। ଏଥିରେ ଅନେକ ପ୍ରକାରର ଫୁଲ ବଗିଚା ଓ ୧୦ଟି କଇଁ ପୋଖରୀ ଏବଂ ବିଭିନ୍ନ ପ୍ରକାରର ଲତାଜାତୀୟ ଗଛର ବଗିଚା ସୃଷ୍ଟି କରାଯିବ। ଯେତେଦୂର ସମ୍ଭବ କବିଙ୍କ ସମୟର ପ୍ରାକୃତିକ ସୌନ୍ଦର୍ଯ୍ୟର ପୁନରୁଦ୍ଧାର କରିବା ପାଇଁ ଉଦ୍ୟମ କରାଯିବ। 

ଏହା ସହିତ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆହୁରି ଅନେକ ପ୍ରକଳ୍ପ ଘୋଷଣା କରିଥିଲେ। ଏଥିରେ ଏଣ୍ଟ୍ରାନ୍‍ସ ଗେଟ୍, ଦଶବତାର ପ୍ଲାଜା, ପଦ୍ମ ପୋଖରୀର ସୌନ୍ଦର୍ଯ୍ୟକରଣ, ବିଭିନ୍ନ କୁଞ୍ଜ’ର ବିକାଶ, କ୍ରାଫ୍‍ଟ ସପ୍, ଫୁଡ୍ କୋର୍ଟ ଆଦିର ବିକାଶ କରାଯିବ। ଏ ପୀଠକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱୟଂ ଆସିଛନ୍ତି । ତେଣୁ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଯାହା ଅର୍ଥ ଆବଶ୍ୟକ ରାଜ୍ୟ ସରକାର ଯୋଗାଇ ଦେବେ। ଏହାର ବିକାଶ ପାଇଁ ସଂସ୍କୃତି, ପର୍ଯ୍ୟଟନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିତ ଭାବେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

  ସେଠାରେ ଉପସ୍ଥିତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ଏହି ପୀଠକୁ ବିକାଶ କରି ସେ ଏହାକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ରାଜ୍ୟର ସମସ୍ତ ମହାପୁରୁଷ ଓ ମହାମନୀଷୀଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ମନସ୍ଥ କରିଛନ୍ତି ଏବଂ ସେହି ଅନୁସାରେ କାର୍ଯ୍ୟ କରୁଛନ୍ତି। ଏହି କ୍ରମରେ ଜୟଦେବଙ୍କ ଜନ୍ମପୀଠରେ ମଧ୍ୟ ଏହିଭଳି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। 

କବି ଶ୍ରୀ ଜୟଦେବଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପବିତ୍ର ଅକ୍ଷୟ ତୃତୀୟା ତଥା ଜୟଦେବ ଜୟନ୍ତୀ ଅବସରରେ କବିଙ୍କ ଜନ୍ମସ୍ଥାନ କେନ୍ଦୁବିଲ୍ୱ ବା କେନ୍ଦୁଲି ଗ୍ରାମକୁ ଆସିବା ତାଙ୍କ ପାଇଁ ଅତ୍ୟନ୍ତ ଖୁସି, ଆନନ୍ଦ ଓ ସୌଭାଗ୍ୟର ବିଷୟ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୟଦେବ କେବଳ ଯେ ଗୀତ ଗୋବିନ୍ଦ ପାଇଁ ପୂଜ୍ୟ, ତାହା ନୁହେଁ; ଏ ଦେଶ ଯେଉଁ କେତେଜଣ ମହାନ ଶାସ୍ତ୍ରୀୟ ସଂସ୍କୃତ କବିଙ୍କୁ ଜନ୍ମ ଦେଇଛି, ସେମାନଙ୍କ ସହିତ ଜୟଦେବ ସମକକ୍ଷ। ଅଶ୍ଵଘୋଷ, ଭାସ, କାଳିଦାସ, ଭର୍ତ୍ତୃହରିଙ୍କ ଠାରୁ ଆରମ୍ଭ କରି ବିଲହନ ଓ ଶ୍ରୀହର୍ଷ ପ୍ରମୁଖ ଶାସ୍ତ୍ରୀୟ ସଂସ୍କୃତ କବି ଥିଲେ। ଏହି କ୍ରମରେ ଶେଷ ହେଉଛନ୍ତି ଜୟଦେବ। ତାଙ୍କର ଏହି କୃତି, କାଳିଦାସଙ୍କ ମେଘଦୂତଙ୍କ ସହିତ ସମକକ୍ଷ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ସେ କହିଥିଲେ ଯେ, ଭାରତର ପ୍ରଥମ ଆଞ୍ଚଳିକ ଭାଷାଭିତ୍ତିକ ଗ୍ରନ୍ଥ ଭାବେ ସ୍ୱୀକୃତ ଓଡ଼ିଆ ଭାଷାରେ ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ ଓ ବଳରାମ ଦାସଙ୍କ ଦାଣ୍ଡୀ ରାମାୟଣ ରଚନାର ବହୁ ପୂର୍ବରୁ ଓଡ଼ିଆ କବି ଶ୍ରୀ ଜୟଦେବଙ୍କ ‘ଗୀତଗୋବିନ୍ଦ’, ସଂସ୍କୃତ ଭାଷାରେ ଏକ ଅନନ୍ୟ ଅମୂଲ୍ୟ କୃତି ଏବଂ ଏହା ସର୍ବଭାରତୀୟ ସ୍ତରରେ ଆଦୃତ । ଗୀତଗୋବିନ୍ଦ ଆମ ଆଧ୍ୟାତ୍ମିକ ଅସ୍ମିତାର ଏକ ନିଦର୍ଶନ ବୋଲି ସେ କହିଥିଲେ।

ଅଷ୍ଟମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ମିଳିଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷମାନଙ୍କରୁ ଜଣାଯାଏ, ଅତୀତରେ  ଏହି କେନ୍ଦୁଲି ଗ୍ରାମ ବୈଷ୍ଣବ ସଂସ୍କୃତିର ଏକ ମହାନ କେନ୍ଦ୍ରସ୍ଥଳୀ ଥିଲା ବୋଲି ମତ ଦେଇ ସେ କହିଥିଲେ ଯେ, ଏଠାରୁ ମିଳିଥିବା ମାଧବ ମୂର୍ତ୍ତିମାନଙ୍କରୁ ମାଧବ ଉପାସନାର ସ୍ପଷ୍ଟ ସୂଚନା ମିଳିଥାଏ । ନିଆଳିଠାରେ ଅବସ୍ଥିତ ମାଧବ ମନ୍ଦିର ଶ୍ରୀ ଜୟଦେବ ସ୍ଵାମୀଙ୍କ ଉପାସନା ପୀଠ ଥିଲା ବୋଲି ଜନଶ୍ରୁତି ରହିଛି ।

ମୁଖ୍ୟମନ୍ତ୍ରୀ ଜୟଦେବଙ୍କ ଜନ୍ମ ଓ ତାଙ୍କ ଜୀବନୀ ସହିତ ଜଡ଼ିତ ଅନେକ କାହାଣୀ ଓ ଲୋକକଥା ବର୍ଣ୍ଣନା କରିଥିଲେ।

‘ଗୀତଗୋବିନ୍ଦ’ ଶ୍ରୀଜଗନ୍ନାଥଙ୍କୁ, ଶ୍ରୀକୃଷ୍ଣଙ୍କୁ ନିବେଦିତ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ,  ଜଗନ୍ନାଥ ହେଉଛନ୍ତି ଭକ୍ତିର ଠାକୁର । ସେ ଭଜନ କୀର୍ତ୍ତନ ପ୍ରିୟ। ସେ ଭାବବିନୋଦିଆ। ପ୍ରିୟ ଭଜନରେ ଭଗବାନ ପ୍ରସନ୍ନ ହୁଅନ୍ତି । ସେଥିପାଇଁ ଶ୍ରୀ ମନ୍ଦିରରେ ଗୀତଗୋବିନ୍ଦ ସେବା ଲାଗି ହୁଏ। 

‘ଗୀତଗୋବିନ୍ଦ’ ଯୋଗୁ ଜୟଦେବଙ୍କୁ ମହାକବିର ମର୍ଯ୍ୟାଦା ମିଳିଛି ବୋଲି ମତ ଦେଇ ସେ କହିଲେ ଯେ, ‘ଗୀତଗୋବିନ୍ଦ’ ହେଉଛି ପ୍ରେମ, ଭକ୍ତି, ଶୃଙ୍ଗାର ଓ ଭାବମୟତାର କାବ୍ୟ । ରାଧାକୃଷ୍ଣଙ୍କର ଶାଶ୍ୱତ ଲୀଳାକୁ ନେଇ ଏହି କାବ୍ୟ ରଚିତ ହୋଇଛି । ‘ଗୀତଗୋବିନ୍ଦ’ ହେଉଛି ଜଗନ୍ନାଥଙ୍କୁ ସମର୍ପିତ ଭକ୍ତି ଓ ଭାବର ମହାକାବ୍ୟ । ଏହା ଆମର ସାଂସ୍କୃତିକ ଓ ଧାର୍ମିକ ଐତିହ୍ୟ ତଥା ପରମ୍ପରାକୁ ପରିପୁଷ୍ଟ କରିଛି ବୋଲି ସେ କହିଥିଲେ।

ଜୟଦେବଙ୍କ କୃତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛି ବୋଲି ମତ ଦେଇ ସେ କହିଲେ ଯେ, ‘ଗୀତଗୋବିନ୍ଦ’ ବିଭିନ୍ନ ବିଦେଶୀ ଭାଷାରେ ଯଥା- ଫରାସୀ, ଜର୍ମାନ, କୋରିୟାନ୍, ଜାପାନୀ ଓ ଇଂରାଜୀରେ ଅନୁବାଦ ହୋଇଛି । ଫଳରେ, ଏହା ସାରା ପୃଥ‌ିବୀର ସାହିତ୍ୟ-ରସିକ ଓ ଗବେଷକମାନଙ୍କ ଦୃଷ୍ଟି ଆକର୍ଷଣ କରିଛି। ‘ଗୀତଗୋବିନ୍ଦରେ ଅଛି ଭକ୍ତି, ଭାବମୟତା ଓ ସଙ୍ଗୀତମୟତା। ଫଳରେ, ଏହା କେବଳ ଲୋକପ୍ରିୟ ହୋଇନାହିଁ ବରଂ ଅନ୍ୟମାନଙ୍କ ଦ୍ଵାରା ବ୍ୟବହାର ଓ ପରିବେଷଣ ମଧ୍ୟ କରାଯାଉଛି ।

ଓଡ଼ିଆ ସାହିତ୍ୟରେ ‘ଗୀତଗୋବିନ୍ଦ’ର ଯଥେଷ୍ଟ ପ୍ରଭାବ ପଡ଼ିଛି ବୋଲି ମତ ଦେଇ ସେ କହିଲେ ଯେ, ଓଡ଼ିଆ ଭାଷାରେ ପ୍ରଥମେ ଧରଣୀଧର ଦାସ ଏହାର ଅନୁବାଦ କରିଥିଲେ । ପରେ ଏହାର ଅନୁବାଦ ଉଦ୍ଧବ ଦାସ, ବାସୁଦେବ ମିଶ୍ର, ଜଗନ୍ନାଥ ମିଶ୍ର ଓ ଅନନ୍ତ ରଥ, ବାଣୀଭୂଷଣ ଇତ୍ୟାଦି ପଣ୍ଡିତ କରିଛନ୍ତି । 

ସେହିପରି ଆମ ଭାଷାରେ ବୃନ୍ଦାବନ ଦାସଙ୍କ ‘ରସବାରିଧି’, ଦୀନକୃଷ୍ଣ ଦାସଙ୍କ ‘ଅମୃତସାଗର', ବଜରୀ ଦାସଙ୍କ ‘ଅର୍ଥଗୋବିନ୍ଦ’, ପିଣ୍ଡିକ ଶ୍ରୀଚନ୍ଦନଙ୍କ ‘ବସନ୍ତରାସ’ ଓ ଶ୍ୟାମସୁନ୍ଦର ଭଞ୍ଜଙ୍କ ‘ବସନ୍ତ କ୍ରୀଡ଼ା ସମୁଜ୍ଜ୍ବଳ ରସବତୀ’ ଇତ୍ୟାଦି ଗ୍ରନ୍ଥ ମଧ୍ୟ ଜୟଦେବଙ୍କ ‘ଗୀତଗୋବିନ୍ଦ'ର ପ୍ରଭାବରେ ରଚନା କରାଯାଇଛି ବୋଲି କୁହାଯାଏ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

 ‘ଗୀତଗୋବିନ୍ଦ’ ବ୍ୟତୀତ ଜୟଦେବ, ଦଶାବତାର ସ୍ତୋତ୍ର ରଚନା କରି ପ୍ରସିଦ୍ଧ ହୋଇଛନ୍ତି।  ଏହି ଦଶାବତାର ସ୍ତୋତ୍ର ମଧ୍ୟ ସମଗ୍ର ବିଶ୍ଵରେ ଆଦୃତ । ବେଦ ଓ ଜ୍ୟୋତିଷ ବିଦ୍ୟାରେ ମଧ୍ୟ ଜୟଦେବ ପ୍ରବୀଣ ଥିଲେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଆଇନ ଓ ପୂର୍ତ୍ତମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ, ଶ୍ରୀ ସଂଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର, ୩୦ ଏପ୍ରିଲ୍ ୨୦୨୫




ଲୋକସଭାର ବିରୋଧଦଳ ନେତା ତଥା ଜନନାୟକ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଆହ୍ୱାନକ୍ରମେ ସାରା ଦେଶରେ ଛାତ୍ର ଓ ଯୁବକ ମାନଙ୍କର “ହ୍ୱାଇଟ୍ ଟି-ସାର୍ଟ ମୁଭମେଣ୍ଟ” ନାମରେ ଏକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। 

ସେହି କ୍ରମରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଦାନଙ୍କ ନେତୃତ୍ୱରେ ଭୁବନେଶ୍ୱର ଜନପଥରେ “ହ୍ୱାଇଟ୍ ଟି-ସାର୍ଟ ମୁଭମେଣ୍ଟ” ଅନୁଷ୍ଠିତ ହୋଇଛି। ଛାତ୍ର କଂଗ୍ରେସର କର୍ମୀମାନେ ଧଳାସାର୍ଟ ପିନ୍ଧି ସମ୍ବିଧାନ ବଂଚାଅ ନାରା ଦେଇ ଜନ ପଥରେ ପଦଯାତ୍ରା କରିଥିଲେ। ଗରୀବ ଓ ଶ୍ରମିକ ଶ୍ରେଣୀଙ୍କୁ ନ୍ୟାୟ ଓ ଅଧିକାର ଦେବା ପାଇଁ ଏହି ଯାତ୍ରା ଅଭିପ୍ରେତ। ଏହି ଯାତ୍ରାରେ କିଛି ପୁଞ୍ଜିପତିଙ୍କ ପାଇଁ ମୋଦୀ ସରକାରଙ୍କର ଦୁର୍ବଳତାର ସମାଲୋଚନା କରାଯାଇଥିଲା। ଏହି ପୁଞ୍ଜିପତି ମାନଙ୍କର ସମ୍ପତି ବୃଦ୍ଧି ଚିନ୍ତା ମୋଦି ସରକାରଙ୍କୁ ଘାରିଛି। ଯାହାଫଳରେ ଅସମାନତା ବୃଦ୍ଧି ପାଇଛି ଏବଂ ଯେଉଁ ଶ୍ରମିକମାନେ ଦେଶ ଗଠନ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇଯାଉଛି। ବିଭିନ୍ନ ଅନ୍ୟାୟ ଓ ଅତ୍ୟାଚାର ସହିବାକୁ ସେମାନଙ୍କୁ ବାଧ୍ୟ କରାଯାଉଛି। ଏଭଳି ପରିସ୍ଥିତିରେ ନ୍ୟାୟ ଓ ଅଧିକାର ପାଇଁ ସମୂହିତ ସ୍ୱର ଉତୋଳନର ସମୟ ଆସିଛି। ଛାତ୍ର-ଯୁବକ ଓ ଶ୍ରମିକ ଶ୍ରେଣୀର ଯୁବକ ଏହି କାର୍ଯ୍ୟରେ ଆଗ୍ରହର ସହ ଅଂଶ ଗ୍ରହଣ କରିବାକୁ ଜନନାୟକ ରାହୁଲ ଗାନ୍ଧୀ ନିବେଦନ କରିଛନ୍ତି। ବିଶେଷକରି ସମ୍ବିଧାନକୁ ସଶକ୍ତ କରିବା ପାଇଁ ଏହା ମଧ୍ୟ ଏକ ଆନ୍ଦୋଳନ। 

ଏହି କାର୍ଯ୍ୟକ୍ରମରେ ଅଖିଳେଶ ଯାଦବ, ଚୁନୁ ସିଂ, ସାହାରୁଖ୍ ଖାନ୍‌, ସୁନୀଲ କୁମାର ଗାନ୍ଧୀ ଓ ଚଣ୍ଡି ପ୍ରସାଦ ମହାପାତ୍ର ପ୍ରମୁଖ ଶତାଧିକ ଛାତ୍ର ଅଂଶ ଗ୍ରହଣ କରିଥିଲେ।

ଭୁବନେଶ୍ୱର, ୩୦ ଏପ୍ରିଲ୍ ୨୦୨୫




ରାଜ୍ୟ ଉନ୍ନୟନ
କମିଶନର ତଥା  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ବାର୍ଷିକ କାର୍ଯ୍ୟ ଯୋଜନା ଏବଂ ଶାସନ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ  ଏକ ବୈଠକ ଅନୁଷ୍ଠିତ ହୋଇଥିଲା  ସେବା ପ୍ରଦାନରେ ବିଭିନ୍ନ ସ୍ତରରେ ବିଳମ୍ବିତ ହେଉଥିବା କାରଣକୁ  ଅନୁଧ୍ୟାନ କରିବା, ପ୍ରକ୍ରିୟାକୁ ସହଜ ଓ ସରଳ କରି  କିପରି ଜନସାଧାରଣଙ୍କୁ  ଉଦ୍ଦିଷ୍ଟ ସେବା  ଶୀଘ୍ର ପ୍ରଦାନ କରାଯାଇପାରିବ,  ସେ ସମ୍ପର୍କରେ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ବୈଠକରେ ଯୋଜନା ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। 
ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସ୍ଥାନୀୟ ଅଞ୍ଚଳ ଏବଂ ଆଞ୍ଚଳିକ ଉନ୍ନୟନ ଯୋଜନା ଯଥା ଏମପିଲାଡ, ଏମଏଲଏଲାଡ, କେବିକେ ବିକାଶ ଯୋଜନା, କନ୍ଧମାଳ ଗଜପତି ବିକାଶ ଯୋଜନା ସମ୍ପର୍କରେ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାର ସମୟସୀମା ଉପରେ ଆଲୋଚନା ହୋଇଥିଲାଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି(ଡିଏମଏଫ) କାର୍ଯ୍ୟକାରିତା ପାଇଁ ତଦାରଖ ଓ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼  କରିବାକୁ ବୈଠକରେ  ସହମତି ପ୍ରକାଶ ପାଇଥିଲା । 
       ବର୍ତ୍ତମାନ ପ୍ରଚଳିତ  ବ୍ୟବସ୍ଥାରେ କି କି ଅସୁବିଧା ପରିଲକ୍ଷିତ ହେଉଛି , ସେସବୁକୁ ଜାଣିବା ପାଇଁ  ରଣନୀତି ଚିହ୍ନଟ କରିବା, ବ୍ୟବସ୍ଥାରୁ ଅନାବଶ୍ୟକତାକୁ ଦୂର କରି ଏହାକୁ  ସରଳ କରିବା ଏବଂ ପରିଚାଳନାଗତ  ଦକ୍ଷତା ବୃଦ୍ଧି କରି  ପ୍ରଭାବଶାଳୀ ଶାସନ ଉପରେ ଅଧିକାରୀମାନେ ଆଲୋଚନା କରିଥିଲେ । 

ଏହି ବୈଠକର ଫଳାଫଳ ରାଜ୍ୟର ଯୋଜନା ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆଣିବା ଦିଗରେ  ପଥ ଉନ୍ମୁକ୍ତ କରିବା ସହିତ ସମନ୍ନୟ ବ୍ୟବସ୍ଥାକୁ  ଅଧିକ ସୁଦୃଢ କରିବ  ବୋଲି ଆଶା କରାଯାଉଛି । 


ଭୁବନେଶ୍ୱର, ୩୦ ଏପ୍ରିଲ୍ ୨୦୨୫




 ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ କରିଛନ୍ତି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆଜି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର (ଗଞ୍ଜାମ-), ଗୋଳନ୍ଥରା ଠାରେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଅଖି ମୁଠି ଅନୁକୂଳ କରିଛନ୍ତି ଏବଂ ରାଜ୍ୟବାସୀ ତଥା ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ଏହି ଅବସରରେ ଜ୍ଞାନ, ନବସୃଜନ ତାଲିମ ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବା ଦିଗରେ କୃଷି ବିଜ୍ଞାନ କେନ୍ଦ୍ର ଗୁରୁତ୍ୱପୂର୍ଣ ଭୂମିକା ନିଭାଇବାକୁ ଆହ୍ୱାନ ଜଣାଇଛନ୍ତି ଉପସ୍ଥିତ କୃଷକମାନଙ୍କ ସହ ରାଜ୍ୟପାଳ ଆଲୋଚନା କରି ସେମାନଙ୍କର ଅନୁଭବ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ଏବଂ କୃଷି କ୍ଷେତ୍ରରେ ଲାଭାନ୍ଵିତ ହେବା ପାଇଁ କୃଷକମାନେ ଆଧୁନିକ ପ୍ରଣାଳୀ ଜଳବାୟୁ ଅନୁକୂଳ ପଦ୍ଧତି ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବାଣିଜ୍ୟ ପରିବହନ, ଇସ୍ପାତ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସମେତ ଜିଲ୍ଲା ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ


Powered by Blogger.
Javascript DisablePlease Enable Javascript To See All Widget