loading...

ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,  ମଇ ୨୦୨୫



  • ପ୍ରତିମାସରେ ବିଭାଗ ସ୍ତରରେ  କାର୍ଯ୍ୟ ଅଗ୍ରଗତି ଓ ଖର୍ଚ୍ଚ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ 
  • ନୂତନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ  ବିଭିନ୍ନ  କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋଚନା 

ସଚିବସ୍ତରୀୟ  ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଖାରବେଳଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ପ୍ରାବଧାନ ଅନୁସାରେ ଚଳିତ ଅପ୍ରେଲ ମାସ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଅର୍ଥ ବିଭାଗ ତରଫରୁ ସ୍ଥିତି ଉପସ୍ଥାପନ କରାଯାଇଥିଲା । ଦେଖାଯାଇଛି ଯେ, ଗତବର୍ଷ ତୁଳନାରେ ଚଳିତ ବର୍ଷ ଅପ୍ରେଲ ସୁଦ୍ଧା ସାମଗ୍ରିକ ଖର୍ଚ୍ଚ ୩୫  ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ  ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଗତ ବର୍ଷ ତୁଳନାରେ ୬୬ ପ୍ରତିଶତ ଖର୍ଚ୍ଚ ବୃଦ୍ଧି ଘଟିଛି । ବଜେଟ୍‌ ପ୍ରାବଧାନ ଅନୁସାରେ ପ୍ରତି ବିଭାଗମାନେ ନିଜ ନିଜ ସ୍ତରରେ ପ୍ରତିମାସରେ  କାର୍ଯ୍ୟ ଅଗ୍ରଗତି ଓ ତଦନୁସାରେ ଖର୍ଚ୍ଚ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।  ବିଭିନ୍ନ ମାଧ୍ୟମରୁ ସଂଗୃହିତ ନିଜସ୍ୱ କର ଆଦାୟ ଓ ଅଣକର ଆଦାୟ ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ୨୦୨୫-୨୬  ବଜେଟ୍‌ ରେ ରହିଥିବା  ନୂଆ ଯୋଜନାର  କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । 

  ବିଭିନ୍ନ ବିଭାଗରେ ଓସ୍ୱାସ୍ ବା କମ୍ପ୍ୟୁଟରୀକରଣ ବ୍ୟବସ୍ଥାରେ ସରକାରୀ ନଥି ପ୍ରୋସେସିଂ କାର୍ଯ୍ୟ ସାଧାରଣତଃ ସହକାରୀ ଉପବିଭାଗ ଅଧିକାରୀ, ଉପବିଭାଗ ଅଧିକାରୀ(ଏଏସ୍ଓ-ଏସ୍ଓଙ୍କ) ଠାରୁ ଆରମ୍ଭ ହୋଇ  ବିଭିନ୍ନ ଉପରିସ୍ଥ ଅଧିକାରୀଙ୍କ ସ୍ତର ଦେଇ ପ୍ରାୟ ୫-୬ଟି  ପର୍ଯ୍ୟାୟରେ ଶେଷରେ ବିଭାଗୀୟ ସଚିବଙ୍କ ନିକଟରେ ପରବର୍ତ୍ତୀ ନିଷ୍ପତ୍ତି ବା  ଆଦେଶ ପାଇଁ  ନଥି ପହଁଚୁଥିବାରୁ ସରକାରୀ କାର୍ଯ୍ୟ ବିଳମ୍ବିତ ହେଉଥିବା ପରିଲକ୍ଷିତ ହେଉଛି । 

ଆଗାମୀ ଦିନରେ  ଏହି ପ୍ରକ୍ରିୟାକୁ ସରଳ କରାଯାଇ ଯେପରି ସର୍ବାଧିକ ୩ଟି ସ୍ତର ଦେଇ ନିଷ୍ପତ୍ତି ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ନଥି ପହଁଚିବ, ସେଥିପାଇଁ ଏହି ବିଭିନ୍ନ ସ୍ତରୀୟ ବ୍ୟବସ୍ଥାକୁ କମାଯାଇ (ଡିଲେୟାରିଂ) ପ୍ରକ୍ରିୟାରେ ଏହି ବ୍ୟବସ୍ଥାର ସରଳୀକରଣ କରାଯିବ । ଫଳରେ ସରକାରୀ କାର୍ଯ୍ୟ, ସେବା ପ୍ରଦାନ ଓ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।   ଏଥିପାଇଁ  ବିଭିନ୍ନ ବିଭାଗରୁ ମତାମତ ସଂଗ୍ରହ  ପ୍ରକ୍ରିୟା  ଜାରି ରହିଛି ଓ ଖୁବ୍‌ ଶିଘ୍ର ତାହା କାର୍ଯ୍ୟକାରୀ ହେବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ନିଆଯିବା  ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଲୋଚନା କରିଥିଲେ । ସେହିପରି  ଆଗାମୀ ଦିନରେ କେତେକ  ବିଭାଗ ତରଫରୁ ଆଗତ ହେବାକୁ ଥିବା ବିଭିନ୍ନ ନୀତି ଓ ନିର୍ଦ୍ଦେଶାବଳୀ ସଂପର୍କରେ ଚୂଡ଼ାନ୍ତ ପ୍ରସ୍ତାବ ପାଇଁ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଛି । 

ବୈଠକରେ ନୂତନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୁନ୍ ୧୨ ତାରିଖରୁ  ଆରମ୍ଭ ହେବାକୁ ଥିବା ରାଜ୍ୟସ୍ତରରେ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ସଂପର୍କରେ  ବିସ୍ତୃତ ଆଲୋଚନା କରାଯାଇଥିଲା । 

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି  ଶ୍ରୀ ଦେଓରଞ୍ଜନ କୁମାର ସିଂ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସବିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ । 


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget