loading...

ପ୍ରଶ୍ନ ପାଇଁ ମିଳିଲା ପ୍ରଶଂସା

ଭୁବନେଶ୍ୱର,  ମଇ ୨୦୨୫



ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାରର ନେତୃତ୍ୱ ନେଉଥିବା ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ବିଜେପି ସରକାରଙ୍କ ଶାସନର ଏକବର୍ଷ ପୂର୍ତ୍ତିର ଅବ୍ୟବହିତ ପୂର୍ବରୁ ଜୁନ୍ ୧୦ ତାରିଖ ମଙ୍ଗଳବାର ଗୀତଗୋବିନ୍ଦ ସଦନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ସମ୍ପୂର୍ଣ୍ଣ ‘ହାଉସଫୁଲ୍‌’ ଥିଲା। ରାଜ୍ୟର ସମସ୍ତ ପ୍ରମୁଖ ଗଣମାଧ୍ୟମ ଉଭୟ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡ଼ିଆର ମୁଖ୍ୟ, ପ୍ରତିନିଧିଙ୍କ ସମେତ ଶତାଧିକ ସାମ୍ବାଦିକ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ଶାସନର ଏକବର୍ଷ ମଧ୍ୟରେ ଗ୍ରହଣ କରାଯାଇଥିବା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ବିଶଦ ଭାବେ ବଖାଣିବା ପରେ ସାମ୍ବାଦିକମାନଙ୍କ ସହ ମତ ବିନିମୟ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ। ପ୍ରଶ୍ନୋତ୍ତର ସମୟ ଆରମ୍ଭ ହେଉଣୁ ପ୍ରାୟ ଅନେକ ବରିଷ୍ଠ ସାମ୍ବାଦିକ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ଓ ନିକଟରେ ପାଇ ପ୍ରଶ୍ନ ପଚାରିବାକୁ ଅହେତୁକ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ସମୟ ବହୁ ବିଳମ୍ବ ହୋଇଯାଇଥିବାରୁ ମାତ୍ର ତିନି ଚାରୋଟି ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ରଖିଥିଲେ। ବହୁ ବରିଷ୍ଠ ସାମ୍ବାଦିକ ପ୍ରଶ୍ନ ପଚାରିବାକୁ ହାତ ଟେକିଥିଲେ, କେହି କେହି ଠିଆ ମଧ୍ୟ ହୋଇଥିଲେ। ହେଲେ ଅନ୍ୟତମ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରଥମେ ଠିଆହୋଇ ମାଇକ୍ରୋଫୋନ୍ ଧରି ପ୍ରଶ୍ନ ପଚାରିବା ଆରମ୍ଭ କରି ଦେଇଥିଲେ। ‘ପେଟରେ ଭୋକ ମୁହଁରେ ଲାଜ’ ନ୍ୟାୟରେ ସାମ୍ବାଦିକଙ୍କ ପେନସନ ନେଇ କେହି ପ୍ରଶ୍ନ କରିବାକୁ ଆଗଭର ହେଉନଥିଲେ। କିନ୍ତୁ ସମସ୍ତଙ୍କ ମନରେ ଏହି ପ୍ରଶ୍ନଟି ବାରମ୍ବାର ଗୁଞ୍ଜରିତ ହେଉଥିଲା। ତାରି ଭିତରେ ଶ୍ରୀ ମହାନ୍ତି ତାଙ୍କ ପ୍ରଶ୍ନ କରିଥିଲେ। ତାଙ୍କର ପ୍ରଶ୍ନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଯାହାକି ସାମ୍ବାଦିକମାନଙ୍କ ବୃହତର ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା। ଶ୍ରୀ ମହାନ୍ତି ମୂଳରୁ କିନ୍ତୁ ଓଡ଼ିଶାରେ ରେଳବାଇର ସିଆରଟି ପଦ ଖାଲିଥିବା ନେଇ ଏକ ଲିଖିତ ପ୍ରଶ୍ନ ପଚାରିବା ପାଇଁ ଧରିଥିଲେ। କିନ୍ତୁ ପାଖରେ ବସିଥିବା ସାମ୍ବାଦିକ ବନ୍ଧୁ ସର୍ବେଶ୍ୱର ବର୍ଦ୍ଧନ ଏବଂ ବିବେକାନନ୍ଦ ଜେନା ତାଙ୍କୁ ଏହି ପ୍ରଶ୍ନ ପଚାରିବା ପରିବର୍ତ୍ତେ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାର୍ଥରକ୍ଷା ସମ୍ପର୍କିିତ ପ୍ରଶ୍ନ ବିଶେଷକରି କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ପରାମର୍ଶ ଦେଇଥିଲେ। ତଦନୁସାରେ ଶ୍ରୀ ମହାନ୍ତି ସାମ୍ବାଦିକମାନଙ୍କ ପେନସନ ପ୍ରଦାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତାଙ୍କର ପ୍ରଶ୍ନଟି ଥିଲା-ଲୋକଙ୍କ ସରକାର ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଗୋଟିଏ ବର୍ଷ ଶାସନ କାଳରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଅନେକ ପୂରଣ କରିଥିଲେ ମଧ୍ୟ ଦୁଃଖର କଥା ବର୍ଷକ ମଧ୍ୟରେ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ନେଇ ସରକାର କୌଣସି ସୁବିଚାର କରିନାହାଁନ୍ତି। ଯଥାଶୀଘ୍ର ଏ ଦିଗରେ ସରକାର ପଦକ୍ଷେପ ନେବାକୁ ସାମ୍ବାଦିକମାନଙ୍କ ପକ୍ଷରୁ ଅନୁରୋଧ ଜଣାଉଛୁ ବୋଲି ଶ୍ରୀ ମହାନ୍ତି କହିଥିଲେ। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାରଙ୍କ ପାଖରେ ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବ ସକ୍ରିୟ ବିଚାରଧୀନ ରହିଛି ଏବଂ ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ଏହି ପ୍ରଶ୍ନୋତ୍ତର ବେଳେ ଗୀତଗୋବିନ୍ଦ ସଦନରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଓ ଗଣମାଧ୍ୟମର ପ୍ରତିନିଧିମାନେ ଅତ୍ୟନ୍ତ ସନ୍ତୋଷବ୍ୟକ୍ତ କରିଥିଲେ। କାରଣ ଅନେକ ସାମ୍ବାଦିକ ପେନସନ ପ୍ରଦାନ ଉପରେ ସରକାରଙ୍କ ନିଷ୍ପତ୍ତି ଜାଣିବା ପାଇଁ ବର୍ଷ ବର୍ଷ ଧରି ବ୍ୟଗ୍ର ଅବସ୍ଥାରେ ରହିଛନ୍ତି। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସରିଯିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଅନ୍ୟ କାର୍ଯ୍ୟକ୍ରମ ପାଇଁ ସେଠାରୁ ବାହାରି ଯାଇଥିଲେ। ଏହାପରେ ଗୀତଗୋବିନ୍ଦ ସଦନ ପରିସରରେ ସାମ୍ବାଦିକମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଉପର ମହଲାରୁ ତଳ ମହଲାକୁ ଆସିବା ବେଳେ, ବାଟରେ ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ତଳ ମହଲା ପରିସରରେ ସମସ୍ତେ (ସାମ୍ବାଦିକ) ଶ୍ରୀ ମହାନ୍ତିଙ୍କୁ ତାଙ୍କ ପ୍ରଶ୍ନ ପାଇଁ ଭୂରି ଭୂରି ପ୍ରଶଂସା ଜଣାଇଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget