loading...

ଜଳ ଓ ଭେକ୍ଟର ବାହିତ ରୋଗ ନିରାକରଣ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,  ମଇ ୨୦୨୫



ବର୍ଷାଋତୁର ପ୍ରାରମ୍ଭରେ ଜଳ ଓ ଭେକ୍ଟର ବାହିତ ରୋଗ ଗୁଡିକର ନିରାକରଣ, ପ୍ରତିଷେଧ ଓ ପରିଚାଳନା ନିମନ୍ତେ  ସମସ୍ତ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ଲକ୍ଷ୍ୟଭେଦୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।  ଆଜି ଲୋକସେବା ଭବନ ସଭାଗୃହଠାରେ  ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ  ନିଆଯାଇଥିବା  ପଦକ୍ଷେପ ଗୁଡିକର ସମୀକ୍ଷା କରି ଶ୍ରୀ ଆହୁଜା  ଏହି ନିର୍ଦ୍ଦେଶ ଦେଇଛନ୍ତି ।  ବୈଠକରେ  ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ  ଅଶ୍ୱତୀ ଏସ୍‌ ସଦ୍ୟତନ ତଥ୍ୟ  ଓ ତତ୍‌ ସମ୍ବନ୍ଧୀୟ ବିଷୟ ଆଲୋଚନା ନିମନ୍ତେ  ଉପସ୍ଥାପନ କରିଥିଲେ ।  

ବୈଠକରେ ମୁଖ୍ୟତଃ ବର୍ଷା ଦିନିଆ ରୋଗ ଯଥା ଡାଇରିଆ, ଜଣ୍ଡିସ୍‌, ମ୍ୟାଲେରିଆ, ଡ଼େଙ୍ଗୁ ଆଦି ରୋଗର ପ୍ରତିରୋଧ ଓ ଚିକିତ୍ସା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା ।  ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି କ୍ଷେତ୍ରସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିବା, ଘରକୁ ଘର ସର୍ବେକ୍ଷଣ କରି  ଆରମ୍ଭରୁ ରୋଗର ଚିହ୍ନଟ କରିବା, ସରକାରୀ ଡ଼ାକ୍ତରଖାନା ମାନଙ୍କରେ ଶଯ୍ୟା ସଂଖ୍ୟା  ବୃଦ୍ଧି କରିବା, ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା,  ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍‌ପିଟାଲ ମାନଙ୍କରେ ଆବଶ୍ୟକୀୟ ଓୗଷଧ ଓ ସାଲାଇନ୍‌ ଆଦି ମହଜୁଦ ରଖିବା ଆଦି ନିଶ୍ଚିତ କରାଇବା  ପାଇଁ ଶ୍ରୀ ଆହୁଜା ନିର୍ଦ୍ଦେଶ  ଦେଇଥିଲେ । 

ଆଶାକର୍ମୀ, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, କମ୍ୟୁନିଟି ହେଲ୍‌ଥ୍‌ ଓ୍ୱାର୍କର ଆଦି କ୍ଷେତ୍ରସ୍ତରୀୟ କର୍ମୀମାନଙ୍କୁ ସଠିକ୍‌ଭାବେ ଅନୁପ୍ରେରିତ  କରି ଗ୍ରାମ ଓ ୱାର୍ଡ ସ୍ତରରେ ସମସ୍ତ  ରୋଗ ପ୍ରତିରୋଧ କାର୍ଯ୍ୟକ୍ରମ ଦୃଢ଼ୀଭୁତ କରିବାକୁ ବୈଠକରେ ସ୍ଥିର ହୋଇଥିଲା ।  

ଗ୍ରାମ ଓ ସହରାଞ୍ଚଳରେ ଥିବା ସମସ୍ତ ନଳକୂପ ଓ ପାନୀୟ ଜଳସ୍ରୋତକୁ  ନିୟମିତ ଭାବେ ବିଶୋଧିତ  କରିବା ପାଇଁ ଜଳଯୋଗାଣ ବିଭାଗ  ଯନ୍ତ୍ରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି  ।  ଶିକ୍ଷାନୁଷ୍ଠାନ ପରିସରରେ ଥିବା ନଳକୂପ, କୂପ ଓ ପାଣିଟାଙ୍କି ଆଦିକୁ ବୈଜ୍ଞାନିକ  ପଦ୍ଧତିରେ ସଠିକ ଭାବେ ବିଶୋଧିତ  କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।  

ଦୂରଦୂରାନ୍ତ ଅଞ୍ଚଳରେ ମୋବାଇଲ୍‌ ହେଲ୍‌ଥ୍‌ ୟୁନିଟ୍‌ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବୈଠକରେ ଉପସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ଶାସନ ସଚିବଙ୍କୁ ପରାମର୍ଶ ଦିଆଯାଇଥିଲା । 

ମ୍ୟାଲେରିଆ ଓ  ଡେଙ୍ଗୁ ପ୍ରବଣ ଅଞ୍ଚଳମାନଙ୍କରେ “ଦମନ” କାର୍ଯ୍ୟକ୍ରମକୁ  ସଘନ ଓ ବ୍ୟାପକ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ  ଦେଇଥିଲେ । ବର୍ଷାଋତୁଜନିତ ରୋଗର ସର୍ବେକ୍ଷଣ, ଚିକିତ୍ସା ଓ ପରିଚାଳନା  ନିମନ୍ତେ ଜିଲ୍ଲାସ୍ତରରେ ୨୪X୭ ଘଣ୍ଟା ଭିତ୍ତିରେ କଣ୍ଟ୍ରୋଲ ରୁମ୍‌  କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ  ନିର୍ଦ୍ଦେଶ ଦିଆଯାଇଥିଲା । 

ଯାଜପୁର ଓ ଭଦ୍ରକ ଜିଲ୍ଲାର କେତେକ ଯାଗାରେ  ଦେଖାଦେଇଥିବା ଡାଇରିଆ ରୋଗ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା ।   ଜନ ସ୍ୱାସ୍ଥ୍ୟ  ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଜଣାଇଥିଲେ ଯେ  ଏସବୁ ସ୍ଥାନରେ ସର୍ବେକ୍ଷଣ ଓ ଡାକ୍ତରୀ ଦଳ କାର୍ଯ୍ୟରତ ଅଛନ୍ତି ।  ସଂଗ୍ରହ  କରାଯାଇଥିବା  ୪୧ ଟି   ଝାଡ଼ା ନମୁନା ମଧ୍ୟରୁ  ୮ ଟିରେ କଲେରା ପଜିଟିଭ୍‌ ସଙ୍କେତ ମିଳିଛି ।   ୧୦ ଦିନ ମଧ୍ୟରେ  ବିଶୋଧନ କାର୍ଯ୍ୟ  ସଂପୂର୍ଣ୍ଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।  ବ୍ୟାପକ ସଚେତନତା, କ୍ଷେତ୍ରସ୍ତରୀୟ ପ୍ରତିଷେଧ ଓ ପ୍ରାଥମିକ ସ୍ତରରେ ଚିହ୍ନଟ ଓ ଚିକିତ୍ସା ଆଦି ମାଧ୍ୟମରେ  ସ୍ଥିତି ନିୟନ୍ତ୍ରଣାଧିନ ଅଛି ବୋଲି  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ଜଣାଇଥିଲେ ।  

ହାଇବ୍ରିଡ୍‌ ମୋଡ୍‌ରେ ଅନୁଷ୍ଠିତ ଏହି  ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯାଜପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ୱରେ ଥିବା  ପଂଚାୟତି ରାଜ ଓ  ପାନୀୟ ଜଳ ବିଭାଗ  କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ                 ଏସ୍‌.ଏନ୍‌ ଏବଂ ବିଭାଗର ନିର୍ଦ୍ଦେଶକ ଶ୍ରୀ  ବିନୀତ ଭରଦ୍ୱାଜ ଯାଜପୁରରୁ କ୍ଷେତ୍ରୀୟ ସ୍ଥିତି ଓ ଜାରି ରହିଥିବା ପ୍ରତିକାରାତ୍ମକ ପଦକ୍ଷେପ  ବିଷୟରେ ସୂଚନା ଦେଇଥିଲେ । 

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget