loading...

ଆସୋଚାମ୍ ପକ୍ଷରୁ ପୂର୍ବ ଭାରତ ସ୍ୱଚ୍ଛ ଶକ୍ତି ସମ୍ମିଳନୀ

ଭୁବନେଶ୍ୱର, ୨ ନଭେମ୍ବର ୨୦୨୫



  • ରେଳ ଓ କେନାଲରେ ବସିବ ସୌର ପ୍ରକଳ୍ପ
  • ୨୦୩୦ ସୁଦ୍ଧା ଓଡ଼ିଶାରେ ୧୧ ଗିଗାୱାଟ୍ ସବୁଜ ଶକ୍ତି ଉତ୍ପାଦନ : ମନ୍ତ୍ରୀ

୨୦୩୦ ସୁଦ୍ଧା ଓଡ଼ିଶାରେ ୧୧ ଗିଗାୱାଟ୍ ସବୁଜ ଶକ୍ତି ଉତ୍ପାଦନ ଲକ୍ଷ୍ୟ ନେଇ ସରକାର କାମ କରୁଛନ୍ତି । ବିପୁଳ ଶକ୍ତି ଉପଯୋଗ କରୁଥିବା ଶିଳ୍ପସଂସ୍ଥାଗୁଡ଼ିକ କିପରି ଅଧିକରୁ ଅଧିକ ସବୁଜ ଶକ୍ତି ବ୍ୟବହାର କରିବେ ସେଥ‌ିପାଇଁ ସରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଓ ସବୁଜ ଆମୋନିଆ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ ବୋଲି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକବଦ୍ଧନ ସିଂହଦେଓ କହିଛନ୍ତି। ବୁଧବାର ଭୁବନେଶ୍ବରରେ ଆସୋଚାମ୍ ପକ୍ଷରୁ ପୂର୍ବ ଭାରତ ସ୍ବଚ୍ଛ ଶକ୍ତି ସମ୍ମିଳନୀକୁ ଉଦ୍‌ଘାଟନ କରି ଶ୍ରୀ ସିଂହଦେଓ କହିଲେ, ପାରମ୍ପରିକ ଶକ୍ତି ବଦଳରେ ସ୍ବଚ୍ଛ ଶକ୍ତିର ବ୍ୟବହାରକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ନିକଟରେ ୧୩,୪୨୨ କୋଟି ଟଙ୍କାର ୫୩ଟି ସବୁଜ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯେଉଁଥ୍ରୁ ୨୦୦୦ ମେଗାୱାଟ୍ ଶକ୍ତି ଉତ୍ପାଦନ ହେବ। ପିଏମ୍ ସୂର୍ଯ୍ୟଘର ବିଜୁଳି ଯୋଜନାରେ ପ୍ରତି ଘର ପିଛା କେନ୍ଦ୍ର ସରକାର ୭୬ ହଜାର ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଅତିରିକ୍ତ ଭାବେ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ରାଜ୍ୟର ୩ ଲକ୍ଷ ବାସଗୃହକୁ ଏହି ଯୋଜନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ରହିଛି। ଜମି ଉପଲବ୍ଧ ସମସ୍ୟା ଥିବାରୁ ରେଳ ଓ କେନାଲ-ଟପ୍ ସୌର ପ୍ରକଳ୍ପ ଆରମ୍ଭ କରିବା ପାଇଁ ସରକାର ବିଚାର କରୁଛନ୍ତି ବୋଲି ଶ୍ରୀ ସିଂହଦେଓ କହିଥିଲେ। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଲେ, ଓଡ଼ିଶାରେ ସବୁଜ ଶକ୍ତି, ଦାୟିତ୍ଵସମ୍ପନ୍ନ ଶିଳ୍ପାୟନ ଏବଂ ଅତ୍ୟାଧୁନିକ ଉତ୍ପାଦନ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହୋଇଛି। ଓଡ଼ିଶା ନବୀକରଣୀୟ ଶକ୍ତି ନୀତି ୨୦୨୨ରେ ବିଦ୍ୟୁତ୍ ଶୁଳ୍କ, ସ୍ପ୍ରିଙ୍ଗି ଦେୟ, ଜମି ଦେୟ ଆଦିରେ ଦୀର୍ଘମିଆଦି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏବେ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ସବୁଜ ହାଇଡ୍ରୋଜେନ ଓ ସବୁଜ ଆମୋନିଆ ସହ ଜଡ଼ିତ ୧୬ଟି ପ୍ରକଳ୍ପକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଲ ଦେବ କହିଲେ, ୨୦୩୫ ସୁଦ୍ଧା ଶକ୍ତି ବିତରଣ କ୍ଷମତା ବୃଦ୍ଧି ପାଇଁ ୩୦ ହଜାର କୋଟି ଟଙ୍କା ବିନିଯୋଗ ଆବଶ୍ୟକ। ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଲେ, ଦେଶର ମୋଟ ରାଜ୍ୟ ଘରୋଇ ଉତ୍ପାଦନ (ଜିଏସଡିପି)ରେ ଓଡ଼ିଶାର ଅବଦାନ ପ୍ରାୟ ୩% ରହିଥ‌ିବା ବେଳେ ପ୍ରଦୂଷଣରେ ୬%ରେ ଯୋଗଦାନ ରହିଛି। ସମସ୍ତଙ୍କ ସ‌ହଯୋଗରେ ଓଡ଼ିଶାକୁ ସବୁଜ ଶକ୍ତିର ବିପ୍ଳବ କେନ୍ଦ୍ରରେ ପରିଣତ କରାଯିବ। ଏମ୍‌ଜିଏମ୍ ଗ୍ରୁପ୍ ଅଧ୍ଯକ୍ଷ ଆସୋଚାମ ଓଡ଼ିଶା ରାଜ୍ୟ ଉନ୍ନୟନ ପରିଷଦର ଅଧ୍ଯକ୍ଷ ପଙ୍କଜ ଲୋଚନ ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ଆସୋଚାମ୍ ଓଡ଼ିଶା ରାଜ୍ୟ ଶକ୍ତି ପରିଷଦ ଅଧ୍ୟକ୍ଷ ତଥା ଜେଏସଡବ୍ଲ୍ୟୁ କାର୍ଯ୍ୟନିର୍ବାହୀ ଉପସଭାପତି ଅଶେଷ ପାଢ଼ୀ, ଏସ୍ଏନଏମ୍ ଗ୍ରୁପ୍ ପରିଚାଳନା ନିର୍ଦେଶକ ଡ ପ୍ରବୋଧ ମହାନ୍ତି, ସୋମେଶ କୁମାର, ଆସୋଚାମ୍ ବରିଷ୍ଠ ନିର୍ଦେଶକ ପରମିନ୍ଦରଜିତ କୌର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget