ଭୁବନେଶ୍ୱର, ୦୯ ଫେବୃୟାରୀ ୨୦୨୬
ଭୁବନେଶ୍ୱର,(ୟୁପିବ୍ୟୁରୋ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ୧୭ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀଙ୍କ ସହିତ ୫ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ପ୍ରତ୍ୟେକ ଥର ପରି ମୁଖ୍ୟମନ୍ତ୍ରୀ ପ୍ରଥମେ ଆସି ପ୍ରକୋଷ୍ଠ ବାହାରେ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ଓ ଅଭିଯୋଗ ଶୁଣି ସମାଧାନ ପାଇଁ ବିହିତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମୁଦାୟ ୩୨ ଜଣ ଦିବ୍ୟାଙ୍ଗଙ୍କ ମଧ୍ୟରୁ ଜଟିଳ ରୋଗରେ ପିଡୀତ ଥିବା ଭଦ୍ରକ ଜିଲ୍ଲାର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଓ ଯାଜପୁର ଜିଲ୍ଲାର କାର୍ତ୍ତିକ ସି ଙ୍କୁ ୧.୫୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଗତ ୧୬ଟି ପାଳିସୁଦ୍ଧା ଗ୍ରହଣ କରାଯାଇଥିବା ୧୪,୦୫୪ଟି ଅଭିଯୋଗ ମଧ୍ୟରୁ ୧୩,୧୬୯ଟି ଅଭିଯୋଗର ସମାଧାନ କରାଯାଇଛି। ଯାହା ଶତକଡା ୯୪ ପ୍ରତିଶତ ଅଟେ। ବକେୟା ଅଭିଯୋଗ ଗୁଡିକ ପ୍ରକ୍ରିୟା ମଧ୍ୟରେ ରହିଛି। ସଚିବାଳୟ ଠାରୁ ଆରମ୍ଭ କରି ବ୍ଲକ, ତହସିଲ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ଜରିଆରେ ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନ ଦିଗରେ ଯତ୍ନବାନ ହେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟସ୍ତରରେ ନିୟମିତ ଅଭିଯୋଗ ଶୁଣାଣି ହେଉଥିବାରୁ ଜିଲ୍ଲାସ୍ତରରେ ମଧ୍ୟ ଏହାର ସୁଫଳ ପରିଲକ୍ଷିତ ହେଉଛି। ଏବେ ଜିଲ୍ଲାପାଳ ଓ ଏସ.ପି ମାନେ ନିୟମିତ ଭାବେ ଅଭିଯୋଗ ଶୁଣାଣି କରୁଛନ୍ତି। ଅଭିଯୋଗ ଶୁଣାଣି ବ୍ୟବସ୍ଥା ସାରା ରାଜ୍ୟରେ ଏକ ନିୟମିତ ପ୍ରଶାସନିକ ପ୍ରକ୍ରିୟାରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟା ଶାସନ ସଚିବ ସୁରେନ୍ଦ୍ର କୁମାର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ଏବଂ ଅନ୍ୟ ବିଭାଗ ଗୁଡିକର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ।
Post a Comment