ନୁଆଦିଲ୍ଲୀ :୩୦/୦୩- ଦେଶରେ କୋଭିତ-୧୯ର ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟଗୁଡିକ ସହିତ ଉଚ୍ଚସ୍ତରୀୟ ଆଲୋଚନା କରାଯାଇ କେତେକ ପଦକ୍ଷେପମାନ ନିଆଯାଇଛି । ବ୍ୟଭିଗତ ସ୍ବାସ୍ଥ୍ୟ ସୁରକ୍ଷା ଉପକରଣ ବା ପିପିଇ, ମାସ୍କ ଏବଂ ଭେଟିଲେଟର ଯୋଗାଣକୁ ପର୍ଯ୍ୟାପ୍ତ କରିବା ପାଇଁ ଏଗୁଡିକ ପ୍ରସ୍ତୁତ କରୁଥିବା କାରଖାନାଗୁଡିକ ଅହୋରାତ୍ର କାର୍ଯ୍ୟ କରୁଛନ୍ତି । ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଭେଟିଲେଟର ନିର୍ମାଣ କରୁଥିବା ବେଳେ ଅନ୍ୟାନ୍ୟ ଔଷଧ କମ୍ପାନୀଗୁଡିକ ଏଭଳି ଜଟିଳ ପରିସ୍ଥିତିରେ ଔଷଧର ଅଭାବ ରହିବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ।
ଏପରିକି ଅଟୋ ନିର୍ମାଣକାରୀ କମ୍ପାନୀଗୁଡିକ ମଧ୍ୟ ଭେଟିଲେଟର ନିର୍ମାଣରେ ଲାଗି ପଡ଼ିଛନ୍ତି । ଯେକୌଣସି ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦିଆଯାଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯାଉଛି । ବ୍ୟକ୍ତିକୁ ସୁରକ୍ଷା ଯୋଗାଉଥିବା ଉପକରଣ ବା ପିପିଇ କିଟ୍ସ୍, ଆଇସିୟୁ ବା ଆଇସୋଲେସନ ୱାର୍ଡରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ପାଇଁ ରୋଗ ଜୀବାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏଗୁଡିକ ବ୍ୟବହୃତ ହୋଇଥାଏ । ସାଧାରଣତଃ ଏହି ସାମଗ୍ରୀଗୁଡିକ ଆମ ଦେଶରେ ତିଆରି ହୋଇ ନଥାଏ । ତେବେ ଭବିଷ୍ୟତରେ ଏହାର ଆବଶ୍ୟକତାକୁ ଆଖୁ ଆଗରେ ରଖ୍ ଭାରତ ସରକାର ଦେଶରେ ତାହାର ପ୍ରସ୍ତୁତି ପାଇଁ ଆଗୁଆ ପଦକ୍ଷେପମାନ ନେଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବୟନ ମନ୍ତ୍ରଣାଳୟ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି । କେତେକ ଘରୋଇ ନିର୍ମାଣକାରୀ କମ୍ପାନୀ ମଧ୍ୟ ଏ ଦିଗରେ ଆଗେଇ ଆସିଛନ୍ତି ।
ସେମାନଙ୍କ ମଧ୍ୟରୁ ଗୁଣାମୁକ ପିପିଇ କିଟ ତିଆରି କରିବା ପାଇଁ ୧୧ ଟି ସଂସ୍ଥାକୁ ବଛାଯାଇଛି । ସେମାନଙ୍କୁ ୨୧ ଲକ୍ଷ ପିପିଇ ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇଛି । ବର୍ତ୍ତମାନ ସେମାନେ ଦିନକୁ ୬ ରୁ ୭ ହଜାର ପର୍ଯ୍ୟନ୍ତ ପିପିଇ କିଟ୍ସ୍ । ଯୋଗାଉଥିବା ବେଳେ ଆଉ ସପ୍ତାହକ ମଧ୍ୟରେ ଏହା ୧୫ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆଉ ଜଣେ ପ୍ରସ୍ତୁତକାରୀ ମଧ୍ୟ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ତାଙ୍କୁ ୫ ଲକ୍ଷ ପିପିଇ କିଟ୍ସ୍ ପ୍ରସ୍ତୁତ କରିବା ଲାଗି ଅର୍ଡର ଦିଆଯାଇଛି । ଦେଶରେ ବିଭିନ୍ନ ହସ୍ପିଟାଲରେ ବର୍ତମାନ ୩ ଲକ୍ଷ ୩୪ ହଜାର ପିପିଇ କିଟ୍ସ୍ ଉପଲବ୍ଧ ଅଛି । ପ୍ରାୟ ୬୦ ହଜାର ପିପିଇ କିଟ ସରକାରଙ୍କ ହାତକୁ ଆସିଯାଇଛି । ଭାରତୀୟ ରେଡକ୍ରସ ସଂସ୍ଥା ଚୀନରୁ ୧୦ ହଜାର ପିପିଇ କିଟ୍ସ୍ ଆଣିବା ପରେ ସେଗୁଡିକୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି । ଆଉ ୩ ଲକ୍ଷ ପିପିଇ କିଟ ଆସନ୍ତା ମାସ ୪ ତାରିଖ ସୁଦ୍ଧା ଦେଶରେ ଆସି ପହଂଚିବ । ଭାରତୀୟ ଆୟୁଧ କାରଖାନାକୁ ଇତି ମଧ୍ୟରେ ୩ ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ବିଦେଶରେ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ବୃଦ୍ଧି ପାଇଥିବାରୁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ବାହାରୁ ପିପିଇ କିଟ ଆଣିବା ଲାଗି ଉଦ୍ୟକ କରାଯାଉଛି । ସିଙ୍ଗାପୁରସ୍ଥିତ ଏକ କମ୍ପାନୀକୁ ଅନଲାଇନ ଜରିଆରେ ୧୦ ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ଅର୍ଡର ଦିଆଯାଇଛି । କୋରିଆର ଅନ୍ୟ ଏକ ଯୋଗାଣକାରୀ ସଂସ୍ଥା ଯାହାକି ଭିଏତନାମ ଓ ତୁର୍କୀର ପ୍ରସ୍ତୁତକାରୀ ସଂସ୍ଥା ସହ ସମ୍ପର୍କ ରହିଛି, ତାକୁ ମଧ୍ୟ ଚିହ୍ନଟ କରାଯାଇ ୨୦ ଲକ୍ଷ ପିପିଇ କିଟ ଯୋଗାଇବା ପାଇଁ କୁହାଯାଇଛି । ଦେଶର ଦୁଇଟି ପ୍ରସ୍ତୁତକାରୀ ସଂସ୍ଥା ସାଧାରଣତଃ ଏନ୯୫ ମାସ୍କ ପ୍ରସ୍ତୁତ କରିଥାନ୍ତି । ବର୍ତମାନ ସମୟରେ ଦିନକୁ ୫୦ ହଜାର ମାସ୍କ ଯୋଗାଉଥିବା ବେଳେ ଆଗାମୀ ସପ୍ତାହକ ମଧ୍ୟରେ ସେମାନେ ତାଙ୍କ ଉତ୍ପାଦନ ୧ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି । ପ୍ରତିରକ୍ଷା ବିକାଶ ଗବେଷଣା ସଂଗଠନ (ଡିଆରଡିଓ) ସ୍ଥାନୀୟ ପ୍ରସ୍ତୁତକାରୀ ସଂସ୍ଥା ସହ ଯୋଗସୂତ୍ର ସ୍ଥାପନ କରି ଦିନକୁ ୨୦ ହଜାର ଏନ୯୯ ମାସ୍କ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛି । ଏଗୁଡିକ ସପ୍ତାହକ ମଧ୍ୟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।
ବର୍ତମାନ ସୁଦ୍ଧା ଦେଶର ବିଭିନ୍ନ ହସ୍ପିଟାଲରେ ପ୍ରାୟ ୧୨ ଲକ୍ଷ ଏନ୯୫ ମାସ୍କ ମହଜୁଦ ରହିଛି । ୫ ଲକ୍ଷ ଅତିରିକ୍ତ ମାସ୍କ ଗତ ଦୁଇ ଦିନ ମଧ୍ୟରେ ବଂଟା ଯାଇଥିବା ବେଳେ, ୧ ଲକ୍ଷ ୪୦ ହଜାର ମାସ୍କ ଏବେ ବଂଟା ଯାଉଛି । ସିଙ୍ଗାପୁରରୁ ଆସୁଥିବା ପିପିଇ କିଟ୍ସ୍ ସହିତ ୧୦ ଲକ୍ଷ ମାସ୍କ ମଧ୍ୟ ଆସିବ । ଶ୍ଵାସକ୍ରିୟା କଷ୍ଟ ଲକ୍ଷଣ ଯୋଗୁଁ କୋଭିତ-୧୯ ଚିକିତ୍ସା ପାଇଁ ଭେଂଟିଲେଟର ଆବଶ୍ୟକତା ରହିଛି।ଦେଶରେ ଏବେ ୨୦ଜଣ କରୋନା ଆକ୍ରାନ୍ତ ରୋଗୀ । ଭେଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି । ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଅଦ୍ୟାବଧୂ ୧୪ ହଜାର ଭେଂଟିଲେଟର ମହଜୁଦ ଥିବା ଜଣାଯାଇଛି । ନଇଡାର ଆଗଭା ନାମକ ଏକ ସାସ୍ଥ୍ୟ ରକ୍ଷା ସଂସ୍ଥା ଭଲ ଭେଂଟିଲେଟର ପ୍ରସ୍ତୁତ କରୁଥିବା ଜଣାପଡ଼ିବା ପରେ ତାକୁ ୧୦ ହଜାର ଭେଟିଲେଟର ପ୍ରସ୍ତୁତ କରିବା ପାଇଁ ଅର୍ଡର ଦିଆଯାଇଛି ।
ଏପ୍ରିଲ ମାସ ୨ୟ ସପ୍ତାହ ସୁଦ୍ଧା ଏହାର ଯୋଗାଣ ହେବ । ଏହା ବ୍ୟତୀତ ଘରୋଇ ପ୍ରସ୍ତୁତକାରୀଙ୍କ ସହ ଯୋଗସୂତ୍ର ରକ୍ଷା କରି ୩୦ ହଜାର ଭେଂଟିଲେଟର ନିର୍ମାଣ କରିବାକୁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡକୁ ଅର୍ଡ଼ର ଦିଆଯାଇଛି । ଅଟୋ ଉତ୍ପାଦନକାରୀ ସଂସ୍ଥାଗୁଡିକ ମଧ୍ୟ ଭେଟିଲେଟର ନିର୍ମାଣ କରୁଛନ୍ତି । ଏହାଛଡା ଭେଟିଲେଟର ସପ୍ଲାଇ ପାଇଁ ବିଦେଶରେ ଥିବା ହାମିଲଟନ, ମିଣ୍ଡି ଓ ଡ୍ରାଗିୟର କମ୍ପାନୀଗୁଡିକୁ ମଧ୍ୟ ଅର୍ଡର ଦିଆଯାଇଛି । ଏହାଛଡା ଚୀନରୁ ପ୍ରାୟ ୧୦ ହଜାର ଭେଟିଲେଟର ଆଣିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚୀନରେ ଥିବା ଯୋଗାଣକାରୀଙ୍କ ସହ କଥାବାର୍ତା ଚଳାଇଛି ।
Post a Comment