ଭୁବନେଶ୍ୱର : ୩୧ ମାର୍ଚ୍ଚ- କରୋନା ଭୂତାଣୁ ରୋଗ (କୋଭିଡ୍ – ୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କଟକ ଏସ୍ସିବି ମେଡିକାଲ୍ କଲେଜ୍ରେ କୋଭିଡ୍ ପରୀକ୍ଷା ଆରମ୍ଭ ହୋଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ତିନୋଟି ସ୍ଥାନରେ କୋଭିଡ୍ ପରୀକ୍ଷା ହୋଇପାରୁଛି । ସେଗୁଡ଼ିକ ହେଉଛି ଆରଏମ୍ଆରସି, ଏମସ୍ ଓ ଏସ୍ସିବି ମେଡିକାଲ୍ କଲେଜ୍ । ଅନ୍ୟ ଦୁଇଟି ମେଡିକାଲ୍ କଲେଜ୍ରେ କୋଭିଡ୍ ପରୀକ୍ଷା ଆରମ୍ଭ କରିବା ପାଇଁ ସରକାର ତ୍ଵରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟର ୪୩୩୮ଟି ଗ୍ରାମ ପଞ୍ଚାୟତରେ ଆଜି ୧,୭୫,୩୮୫ ଜଣ ଓ ୧୧୪ଟି ପୌରାଞ୍ଚଳରେ ୧୪,୩୮୩ ଜଣ ନିରାଶ୍ରୟ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମଜୀବୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ସହ ସେମାନଙ୍କୁ ଅତିଥି ଭାବେ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ରହିବା ଏବଂ ଖାଦ୍ୟପେୟ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଛି ।
ବର୍ତ୍ତମାନ ସୁଦ୍ଧା ୨୭୬ଟି ଅସ୍ଥାୟୀ ଶିବିରରେ ପ୍ରାୟ ୧୯,୮୩୮ ଶ୍ରମଜୀବୀଙ୍କୁ ରଖାଯାଇଛି । ସେମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲପ୍ଲାଇନ୍ ୧୮୦୦୩୪୫୬୭୦୩ କାର୍ଯ୍ୟ କରୁଛି । ରାଜ୍ୟର ୧୧୪ଟି ପୌରାଞ୍ଚଳରେ ସମୁଦାୟ ୩୨,୫୩୮ ଶଯ୍ୟା ସମ୍ବଳିତ ୩୭୭ଟି ସଙ୍ଗରୋଧ କେନ୍ଦ୍ର (ବାରଣ୍ଟାଇନ୍ ସେଣ୍ଟର) ଚିହ୍ନଟ କରାଯାଇଛି । ଆମ୍ବୁଲାନ୍ସର ଅପବ୍ୟବହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହଜରତ୍ ନିଜାମୁଦ୍ଦିରୁ ଓଡ଼ିଶା ଫେରିଥିବା ବ୍ୟକ୍ତିବିଶେଷଙ୍କ ସଂପର୍କରେ ସରକାର ଅବଗତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଚିହ୍ନଟ କରାଯାଇ କ୍ବୋରାଣ୍ଟାଇନରେ ରଖାଯାଇଛି ଏବଂ ଅନ୍ୟମାନଙ୍କ ସଂପର୍କରେ ଅନୁସନ୍ଧାନ ଜାରି ରହିଛି ।
ରାଜ୍ୟରେ କୋଭିଡ୍ – ୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଘନ କରିଥିବା ଅଭିଯୋଗରେ ୩୦ ମାର୍ଚ୍ଚରୁ ୩୧ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୦୯ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୯୮ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୨ଟି ହୋମ୍ କ୍ବୋରାଣ୍ଟାଇନ ଉଲ୍ଲଘନ ଓ ୯ଟି କୋ ଭିତ୍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଘନ ନିମନ୍ତେ ଅନ୍ତର୍ଭୁକ୍ତ । ସର୍ବଶେଷ ସ୍ଵାସ୍ଥ୍ୟ ସୂଚନା ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୪୭୩ଟି ନମୁନା କୋଭିତ୍ —୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ପ୍ରଥମ ୨ଟି ପଜିଟିଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତି । ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଜାରି ରହିଛି । ଆଜି ୫୭ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍ବାସରେ ଅଛନ୍ତି । ଆଜି ପର୍ଯ୍ୟନ୍ତ ମୋଟ ୧୧,୫୭୫ ଜଣ ଅନ୍ଲାଇନ୍ ଏବଂ ୧୦୪ ମାଧ୍ୟମରେ ପଞ୍ଜିକରଣ କରାଇଛନ୍ତି । ସେମାନଙ୍କ ମଧ୍ୟରୁ ୪,୩୦୪ ଜଣ ବିଦେଶରୁ ଆସିଛନ୍ତି ।
Post a Comment