ଭୁବନେଶ୍ୱର : ଓଡ଼ିଶା ସରକାରଙ୍କର ପ୍ରବଂଚନାପୂର୍ଣ୍ଣ ୧୭ ହଜାର କୋଟିର ପ୍ୟାକେଜକୁ ନେଇ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ଭୁଷୁଡ଼ି ଯାଇଥିବା ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ଲକ୍ଷ କୋଟି ଟଙ୍କା ଯେପରି ଏକ ପ୍ରହସନ ରାଜ୍ୟ ସରକାର ଜୀବିକା ନିମନ୍ତେ ଘୋଷିତ ଯୋଜନା “ଜୀବିକା ମିଶନ’ ସେହିପରି ଏକ ପ୍ରହସନ- ଏ ସରକାର ପ୍ରତିଶୃତି, ପ୍ରଚାର ଓ ପ୍ରତାରଣାର ସରକାର । ଯଦୁମଣିଙ୍କର କଥା ଏଥିପାଇଁ ମନେପଡ଼େ – ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ ଏମନ୍ତ ଭୂଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।”
ଏହି କାର୍ଯ୍ୟକ୍ରମ ପାଇଁ ସରକାର ୧୭ ହଜର କୋଟି ଟଙ୍କାର ବରାଦ କରିଛନ୍ତି । ହୁଏତ ଏହା ବଜେଟ ଓ ବଜେଟ ବାହାର ଅର୍ଥରୁ ଯୋଗାଡ଼ ହେବ । ଏଥିରେ ମୁଖ୍ୟତଃ ମହାତ୍ମାଗାନ୍ଧୀ ନରେଗା ଅର୍ଥ ମିଶିଛି । ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରିୟ ବଜେଟ୍ ୬୧ ଜହାର କୋଟି ଟଙ୍କା ଓ ସ୍ଵତନ୍ତ୍ର ପ୍ୟାକେଜ ୪୦ ହଜାର କୋଟି ଟଙ୍କାରୁ ମିଳିବ । ଓଡ଼ିଶା ପାଇଁ ରାଜ୍ୟ ଅଂଶ ବାବଦ ମିଶି ହୁଏତ ଏହା ୯ରୁ ୧୦ ହଜାର କୋଟି ଟଙ୍କା ହେବ । ଅର୍ଥ କମିଶନଙ୍କ ପ୍ରଦତ ଅର୍ଥ ପଂଚାୟତ ଓ ମ୍ୟୁନିସିପାଲଟି ପାଇଁ ଅନୁଦାନ ଏଥୁସହିତ ଅଛି । ନିର୍ମାଣ ଶ୍ରମିକ ପାଣ୍ଠି ଅର୍ଥ କାମ୍ପା ଅର୍ଥ, ଜିଲ୍ଲା ଖଣିଜ ପାଣ୍ଡି, ଆଦିବାସୀ ଉନ୍ନୟନ (Tribal Sub-Plan) ର ଅର୍ଥ ଅଛି । ଘୋଷିତ ଟଙ୍କାର ପରିମାଣ ହୁଏତ ଯୋଗାଡ଼ ସମ୍ଭବ । କିନ୍ତୁ ପ୍ରଶ୍ନ ହେଉଛି ସରକାରଙ୍କର ନିଷ୍ଠା ଓ ଆନ୍ତରିକତାକୁ ନେଇ ସରକାରଙ୍କ ସ୍ପଷ୍ଟ କାର୍ଯ୍ୟକ୍ରମ ଘୋଷିତ ନ ହେଲେ ମଧ୍ୟ ଏହା ଭାବରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଓ ମହାତ୍ମା ଗାନ୍ଧୀ ନରେଗା ଅର୍ଥ ଉପରେ ନିର୍ଭରଶୀଳ ବୋଲି ଜଣାଯାଉଛି ।
ତେବେ ଜୁନ୍ ମାସ ଦ୍ବିତୀୟ ସପ୍ତାହରେ ସରକାର ସମସ୍ତ ମାଟିକାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ । ରାଜ୍ୟରେ କାମପାଇଁ ହାତରେ କିଛି ଅର୍ଥ ଚାହିଁ ବସିଥିବା ୪୦ଲକ୍ଷ ଶ୍ରମଜିବୀ ପରିବାର ଜୁନ୍ରୁ ଅକ୍ଟୋବର ୫ମାସ କାମ ପାଇବେକି ? ଭୋକିଲା ପେଟରେ ଓଦାକନା ଦେଇ ବସିବେ । ଏ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ବିଧାନ ସଭାର ସ୍ଵତନ୍ତ ଅଧୁବେସନ ଡାକି ବିସ୍ତୃତ ଆଲୋଚନା କରିବାପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ଦାବି କରିଥିଲେ । ଦ୍ବିତୀୟତଃ ରାଜ୍ୟ ବାହାରୁ ଆସିଥୁବା କୁଶଳୀ- ଅର୍ଭକୁଶଳୀ ଶ୍ରମିକଙ୍କୁ ସରକାର ଚିହ୍ନଟ କରିନାହାନ୍ତି ଏବଂ ସେମାନଙ୍କୁ କେଉଁ କାମ କେଉଁ କ୍ଷେତ୍ରରେ ଯୋଗାଇବେ ତାହା ସ୍ପଷ୍ଟ ନୁହେଁ । ରାଜ୍ୟରେ ଥିବା ପ୍ରାୟ ୨ ଲକ୍ଷ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ଅଚଳ ଅବସ୍ଥାରେ ଅଛି । ସେଥିରେ ନିଯୁକ୍ତ ସବୁ ବର୍ଗ ରୋଜଗାର ହରାଇଛନ୍ତି । ତାଙ୍କୁ କେନ୍ଦ୍ର ଘୋଷିତ ସହାୟତା ଆକାଶ କଇଁଆଁ ଚିଲିକା ମାଛ ସଦୃଶ । ସରକାର ସେମାନଙ୍କ ପାଇଁ ଅନ୍ତତଃ ୬ ମାସର ବିଦ୍ୟୁତ ଦେୟ ଛାଡ଼ ଦେବାର ବ୍ୟବସ୍ଥା ଏଥିରେ ନାହିଁ । ସେମାନଙ୍କ ଉତ୍ପାଦନ ବଜାରରେ ପହଂଚିଲେ ବିକ୍ରେତାମାନେ ଭିଡ଼ ଜମାଇବାରେ ସମ୍ଭାବନା ନାହିଁ । ସେଥପାଇଁ ସମସ୍ତ ବେରୋଜଗାରୀଙ୍କ ହାତକୁ ମାସକୁ ଅନ୍ତତଃ ୭ ହଜାରରୁ ୮ ହଜାର ଟଙ୍କା ପହଂଚିବାର ଆବଶ୍ୟକତା ଅଛି ।
ଏହି ଯେଉଁ ଟଙ୍କାର ବରାଦ ଅଛି କୌଣସି ଭାବେ ୪୦ଲକ୍ଷ ପରିବାରକୁ ୨୦୦ ଦିନର ମଜୁରୀ ଅତିକମ୍ରେ ୩୦୦ ଟଙ୍କା ହାରରେ ଦେବାକୁ ହେଲେ ୨୪ ହଜାର କୋଟି ଟଙ୍କାର ଆବଶ୍ୟକତା ଅଛି । ତେବେ କେଉଁ ଆଧାରରେ ଏହି ୧୭ ହଜାର କୋଟି ଟଙ୍କା ସ୍ବପ୍ନ ବଣ୍ଟା ଯାଇଛି ? ଏଠାରେ ସ୍ମରଣଯୋଗ୍ୟ ଯେ ଗତବର୍ଷ ପୁରୀ ଜିଲ୍ଲାରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନି’ ବାବଦରେ ୧୩ଶହ କୋଟି ଟଙ୍କା ପୁରୀ ଜିଲ୍ଲାପାଳଙ୍କୁ ସରକାର ଦେଇଥିଲେ । ମାତ୍ର ଏଥିରୁ ୨୦୦ କୋଟି ଟଙ୍କା ଜିଲାପାଳ ଫେରସ୍ତ କରିଥିବା ବେଳେ ବାକି ୧୧ଶହ କୋଟି ଟଙ୍କାରୁ ୬ଶହ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି । ଏଥିରୁ ସ୍ପଷ୍ଟ ଅନୁମେୟ ସରକାରଙ୍କର ଘୋଷଣା ଓ କାର୍ଯ୍ୟକାରୀତା ଭିତରେ ଆକାଶ ଓ ପୃଥୁବୀର ପ୍ରଭେଦ । ସାଧରଣତଃ ପ୍ରତ୍ୟେକ ବର୍ଷ କୃଷିରଣ ବାବଦରେ ୭ହଜାର ୫ଶହ କୋଟିଟଙ୍କା ଦିଆଯାଉଥିବା ବେଳେ ଏବର୍ଷ କରୋନା ବିପତି ସମୟରେ ତାକୁ ମାତ୍ର ୧୫ଶହ କୋଟି ଟଙ୍କା ବଢ଼ାଯାଇ ୯ ହଜାର କୋଟି ଦିଆଯିବା କୃଷିକୁଳ ପ୍ରତି ଚରମ ଉପହାସ । ସମବାୟ ମନ୍ତ୍ରୀ ପୂର୍ବରୁ କରିଥୁବା ଘୋଷଣାକୁ ପୁର୍ନବାର ଘୋଷଣା କରି ସରକାର କୃଷିକୁଳ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି । ବ୍ୟାଙ୍କ କୃଷକଭାଇ ମାନଙ୍କୁ ବିହନ ଦେବାର ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇନଥିବା ବେଳେ ବର୍ଷାଦିନେ ବିହନ ଯୋଗାଣ ତାଙ୍କର କି କାମରେ ଆସିବ ବୋଲି ପ୍ରଶ୍ନକରି କ୍ଷୋଭପ୍ରକାଶ କରିଥିଲେ ପ୍ରଦେଶ କଂଗ୍ରେସ ସଭାପତି ।
କୃଷି ଓ କୃଷକମାନଙ୍କୁ ଋଣ ଯୋଗାଇବାରେ ଯେଉଁ ବଡ଼ ସ୍ୱପ୍ନ ବଣ୍ଟା ଯାଇଛି ତାକୁ ନେଇ ପ୍ରଶ୍ନକରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନଗୋ । ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣା ମୁତାବକ ଏଥିରେ ୨୪ ଲକ୍ଷ ପରିବାର ଉପକୃତ ହେବେ । କିନ୍ତୁ ପ୍ରଶ୍ନ ହେଉଛି ଏହି ଋଣ କ’ଣ ସଠିକ୍ ଭାବରେ ଭାଗଋଷୀ ଯେଉଁମାନଙ୍କ ସଂଖ୍ୟା ୭୬% ତାଙ୍କ ପାଖରେ ପହଂଚିବ ? ଅତୀତର ଅଭିଜ୍ଞତା କହୁଛି ସେମାନେ ଏଥିରୁ ବଂଚିତ ରୁହନ୍ତି । କିଏ ପହଂଚାଇବ ଓ କିପରି ପହଂଚାଇବ ତାହା ଏକ ଅସମାହିତ ପ୍ରଶ୍ନ ହୋଇରହିଛି । ଋଷୀମାନଙ୍କୁ ମାଗଣା ବିହନ ଓ ମଞ୍ଜି ଯୋଗାଇବାକୁ ଆବଶ୍ୟକ ଅର୍ଥ କେଉଁଠି ଦୃଶ୍ୟମାନ ହେଉନାହିଁ । କେବଳ ଋଣ ଉପରେ ମଧ୍ୟ ରିହାତି ଅଛି । ଯେଉଁମାନେ ଋଣ ନେବେ ତାଙ୍କୁ ହିଁ ଏହା ପ୍ରାପ୍ତ ହେବ । ଅଗଣିତ ଋଷୀ ବ୍ୟାଙ୍କ ଋଣ ପାଇ ନଥାନ୍ତି । ପରିସଂଖ୍ୟାନ କହେ ୨ ଶହ କୋଟି ଟଙ୍କା ଯଦି ୨୪ ଲକ୍ଷ ୫୬ ହଜାର କୃଷକଙ୍କ ଭିତରେ ସମାନୁପାତିକ ଭାବରେ ଦିଆଯାଏ ତାହାହେଲେ ଜଣପିଛା ମାତ୍ର ୮୧୪ ଟଙ୍କା ପଡ଼ିବ । ଏଥିରେ ଚାଷୀ ଭାଇମାନଙ୍କର କଣ ଉନ୍ନତି ହେବ, ସେ ବିଷୟରେ ସରକାର ଜବାବ ରଖୁବା ଉଚିତ୍ ବୋଲି ଶ୍ରୀଯୁକ୍ତ କାନୁନ୍ଗୋ ଦାବି କରିଥିଲେ ।
ପୂର୍ବ ଘୋଷିତ ଆଦିବାସୀ ଜୀବିକା ମିଶନ ଅନୁସାରେ କେତେ ଆଦିବାସୀ ପରିବାର ଉପକୃତ ହୋଇଥିଲେ ଏବେ ସଂକଟ ସମୟରେ କେତେ ଅଧୁକଙ୍କୁ ଦିଆଯିବା ଆଦୌ ସୃଷ୍ଟ ନୁହେଁ । କେବଳ କୁହାଯାଇଛି ୮.୫ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କର ଆୟର ୨୦% ବୃଦ୍ଧି ଘଟିବ । ଏ ସମଗ୍ର ଘୋଷଣା ମେ ମାସ ୨୯ ତାରିଖରେ କ୍ୟାବିନେଟ ମଂଜୁରୀ ମିଳିବା ପୂର୍ବରୁ ୨୮ ତାରିଖରେ ଡେଭଲଫମେଣ୍ଟ କମିଶନର ତାଙ୍କର ନିର୍ଦ୍ଦେଶନାମାରେ ପ୍ରକାଶ କରିସାରିଥିଲେ । ଏଥିରୁ ସ୍ପଷ୍ଟ ଜଣାଯାଏ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀମଣ୍ଡଳ କେବଳ ରବରଷ୍ଟାମ୍ପ ଭଳି ଏ କାର୍ଯ୍ୟରେ ମୋହର ମାରିଥିଲେ । ରାଜ୍ୟର ପଂଜୀକୃତ ୨୧ ଲକ୍ଷ ନିର୍ମାଣ ଶ୍ରମିକ ରୋଜଗାର ହରାଇଛନ୍ତି । ତାଙ୍କୁ ପୁନଃ ରୋଜଗାରକ୍ଷମ କରିବାର କୌଣସୀ ଦୃଶ୍ୟମାନ ଯୋଜନା ଏଥୁରେ ନାହିଁ । ସରକାରଙ୍କର ଏହି ଘୋଷଣା ଅତ୍ୟନ୍ତ ନିଷ୍ଠାରହିତ, ପ୍ରତାରଣା ଓ ପ୍ରବଂଚନା ପୂର୍ଣ୍ଣ ।
Post a Comment