ଭୁବନେଶ୍ୱର : ଆସନ୍ତାକାଲିଠାରୁ ରାଜ୍ୟରେ ସମସ୍ତ ମଦ ଦୋକାନ ଖୋଲାଯିବ ଏବଂ କାଉଣ୍ଟରରେ କୁପନ ଜରୀଆରେ ମଦ ବିକ୍ରି କରାଯିବ ବୋଲି ଅବକାରୀ ବିଭାଗର ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ । ଆସନ୍ତାକାଲି ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା ଦିନଠାରୁ ସରକାର ମଦ ଦୋକାନ ଖୋଲି ଅବକାରୀ ବିଭାଗ ରାଜ୍ୟବାସୀଙ୍କୁ ମଦ ବିକ୍ରି ଉପହାର ଦେବା ଏହା ଓଡ଼ିଶାବାସୀଙ୍କ ପ୍ରତି ଚରମ ଉପହାସ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି । ସମାଜବାଦୀ ପାର୍ଟିର ରାଜ୍ୟସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, ଗତମାସଠାରୁ ଅବକାରୀ ବିଭାଗ ଅନଲାଇରେ ମଦର ହୋମ୍ ଡେଲିଭରି କରୁଥିଲେ ।
ଆସନ୍ତାକାଲିଠାରୁ ଖୁଲମଖୁଲା ବିଦେଶୀ ମଦ, ବିଅର ଓ ଭାରତରେ ତିଆର ବିଦେଶୀ ମଦ ପ୍ରଭୃତି କୁପନ ଜରିଆରେ କାଉଣ୍ଟରେ ମିଳିପାରିବ । ବାହୁଡ଼ା ଯାତ୍ରାରେ ମଦ ଦୋକାନ ଖୋଲିବା ଓଡ଼ିଶା ବାସୀଙ୍କ ସାଂସ୍କୃତିକ ମାନସିକତା ପ୍ରତି ଏକ ଧକ୍କା କହିଲେ ଅତ୍ୟୁକ୍ତି ହେବନାହିଁ । ମଦ ଦୋକାନ ଖୋଲାଗଲେ ରାଜ୍ୟରେ ଯେଉଁ ଦୁର୍ଘଟଣା ୬୨ ପ୍ରତିଶତ କମିଯାଇଛି, ତାହା ବଢିବ ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଥିବା ଧର୍ଷଣ, ନାରୀ ଅତ୍ୟାଚାର, ଶୋଷଣ, ଯୌତୁକ ଜନିତ ହତ୍ୟା ଓ ମହିଳାମାନଙ୍କ ପ୍ରତି ଘରୋଇ ହିଂସା ଆହୁରି ତୀବ୍ର ବେଗରେ ବୃଦ୍ଧି ପାଇବ । ତେଣୁ ସାମାଜିକ ଶୃଙ୍ଖଳା ଘରୋଇ ହିଂକୁ ପ୍ରତିହତ କରିବା ପାଇଁ ମଦ ବିକ୍ରିକୁ ଯେତେ ଅଧୁକ ଦିନ ବନ୍ଦ କରାଯାଇପାରିବ, ତାହା ସେତେ ଭଲ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଛନ୍ତି ।
ବିଶେଷତଃ ବାହୁଡ଼ା ଦଶମୀ ଦିନ ଏକ ପବିତ୍ର ଦିବସରେ ମଦ ବିକ୍ରିକୁ ସେ ନାପସନ୍ଦ କରିବା ସଙ୍ଗେସଙ୍ଗେ ତୁରନ୍ତ ମୁଖ୍ୟମନ୍ତ୍ରୀ ଅବକାରୀ ବିଭାଗର ଏହି ବିଜ୍ଞପ୍ତି ଉପରେ ହସ୍ତଗତ କରି ଏହାକୁ ବନ୍ଦ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ରାଜ୍ୟର କ୍ରମାଗତ ବୃଦ୍ଧିପାଉଥିବା ଆଇନ୍ ଶୃଙ୍ଖଳାକୁ ଆଖିଆଗରେ ରଖି ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ସରକାର ପୁନର୍ବିଚାର କରନ୍ତୁ । ରାଜ୍ୟରେ କରୋନା ସଂକ୍ରମଣ ଯେତେବେଳେ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି, ସେହି ସମୟରେ ମଦ ଦୋକାନ ଖୋଲାଗଲେ ଏହି ସଂକ୍ରମଣ ହୁଏତ ଅଧୁକ ବଢିପାରେ ।
ତେଣୁ ଦୁର୍ଘଟଣା ରୋକିବା, ଘରୋଇ ହିଂସା ବିଲୋପ କରିବା ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆୟତ କରିବା ଦୃଷ୍ଟିରୁ ମଦ ବିକ୍ରିକୁ ବନ୍ଦ କରାଯାଉ ବୋଲି ଶ୍ରୀ ବେହେରା ଦାବି କରିଛନ୍ତି । ଏହା ନହେଲେ ଆଗାମୀ ଦିନରେ ମଦ ବିରୋଧି ଆନ୍ଦୋଳନ ରାଜ୍ୟ ସ୍ତରରେ ଏକ ବ୍ୟାପକ ଜନ ଆନ୍ଦୋଳନର ରୂପ ନେବାକୁ ଏଡ଼ାଇ ଦିଆଯାଇ ନପାରେ । ତେଣୁ ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କର ମାନସିକତାକୁ ସମ୍ମାନ ଦେଇ ରାଜ୍ୟ ସରକାର ତୁରନ୍ତ ମଦ ଦୋକାନ ଖୋଲା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
Post a Comment