![]() |
ଭୁବନେଶ୍ୱର : କରୋନା ଭୂତାଣୁ କୋଭିଡ୍ –୧୯ ସଂକ୍ରମଣ ପରିପ୍ରେକ୍ଷୀରେ ବିଦେଶରେ ଅଟକି ରହିଥିବା ଓଡ଼ିଆଙ୍କୁ ରାଜ୍ୟକୁ ଫେରିବା ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପତ୍ର ଲେଖୁଛନ୍ତି । ସୂଚନାଯୋଗ୍ୟ ଯେ ଗତ ୩୦ ତାରିଖରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୧୮ଟି ଦେଶର ପ୍ରବାସୀ ଓଡ଼ିଆମାନଙ୍କ ସହିତ ଜୁମ୍ ଆପ୍ ଯୋଗେ ଆଲୋଚନା କରିବା ସମୟରେ ୟୁନାଇଟେଡ୍ ଆରବ୍ ଏମିରେଟରେ ଅଟକି ରହିଥିବା ପ୍ରାୟ ୩୦୦ ପ୍ରବାସୀ ଓଡ଼ିଆ ଫେରିବାକୁ ଚାହୁଁଥିବା କଥା ଅବଗତ ହୋଇଥିଲେ ।
ତେବେ ପ୍ରକ୍ରିୟାଗତ ଅସୁବିଧା ଯୋଗୁଁ ସେମାନଙ୍କର ଫେରିବାରେ ବିଳମ୍ବ ହେଉଥିବା କଥା ଜାଣିପାରିଲେ ଏବଂ ଏ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗ କରି ସେମାନଙ୍କର ଓଡ଼ିଶାକୁ ଫେରିବା ନିମନ୍ତେ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଅନୁରୋଧ କରିବା ସହିତ ଏଣୁ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ । ଏହି ମର୍ମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୈଦେଶିକ ମନ୍ତ୍ରାଳୟରେ ଓଡ଼ିଶା ଦାୟିତ୍ୱରେ ଥିବା ନୋଡାଲ୍ ଅଧୁକାରୀ ଶ୍ରୀ ରାହୁଲ ଶ୍ରୀବାସ୍ତୁବଙ୍କ ସହ ଯୋଗାଯୋଗ କରିଛନ୍ତି ଏବଂ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ଏଣୁ ସହିତ ଓଡ଼ିଶା ଫେରିବା ପରେ ପ୍ରବାସୀ ଓଡ଼ିଆମାନଙ୍କୁ କ୍ବରାଣ୍ଟାଇନ୍ରେ ରହିବା ବ୍ୟବସ୍ଥା ସହିତ ସେମାନଙ୍କ ସ୍ବାସ୍ଥ୍ୟ ଆଦି ଯୋଗାଇ ଦିଆଯିବ ବୋଲି କହିଛନ୍ତି ।
ୟୁନାଇଟେଡ୍ ଆରବ ଏମିରେଟରେ ଅଟକି ରହିଯାଇଥିବା ପ୍ରାୟ ୩୦୦ ଓଡ଼ିଆ ଜୁନ୍ ୫ ତାରିଖରେ ଚାଟାର୍ଡ ରେ ଫେରିବା ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ଯେପରି ଧାର୍ଯ୍ୟ ତାରିଖରେ ସେମାନେ ଓଡ଼ିଶା ଫେରିପାରିବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏଥି ସହିତ ଅନ୍ୟ ଦେଶମାନଙ୍କରେ ଅଟକି ରହିଥିବା ପ୍ରବାସୀ ଓଡ଼ିଆ, ଯେଉଁମାନେ ଓଡ଼ିଶାକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ମଧ୍ୟ ଆଣିବା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
Post a Comment